Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାନ ରେଙ୍ଗାଲିରେ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲେ ଦୁଇ ଭାଇ

କନ୍ଦର୍ପ ବେହେରା

ରେଢାଖୋଲ: ଜମି ବାଡି ବିବାଦକୁ ନେଇ ରେଢାଖୋଲ ଥାନା ସାନ ରେଙ୍ଗାଲିରେ ସାନ ଭାଇକୁ ଦୁଇ ଭାଇ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଖବର ପୋଲିସ୍ କହିଛି। ମୃତକ ଜଣଙ୍କ ସଞ୍ଜୟ ମୁଣ୍ଡା ବୋଲି ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କଦଳିଗଡ ପଂଚାୟତର ସାନ ରେଙ୍ଗାଲି ଗ୍ରାମର ସଞ୍ଜୟ ମୁଣ୍ଡା, ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଗାଁ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାଖରେ ଘର କରି ରୁହନ୍ତି। ତିନି ଭାଇ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ଗତ କାଲି ରାତିରେ ମଧ୍ୟ ତିନି ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଇଥିଲା। ସାନ ଭାଇ ସଞ୍ଜୟ ମୁଣ୍ଡାକୁ ତାର ବଡ ଭାଇ ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଏକ ଠେଙ୍ଗାରେ ପିଟିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମୃତକର ୧୫ ବର୍ଷର ପୁଅ ଏବଂ ଦିବ୍ୟାଙ୍ଗ ସ୍ତ୍ରୀକୁ ମଧ୍ୟ ଦୁଇ ଭାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିକଟସ୍ଥ ଜଙ୍ଗଲକୁ ଜୀବନ ରକ୍ଷା କରି ପଳାଇ ଯାଇଥିଲେ। ଯା’ ଫଳରେ ମାଆ ଓ ପୁଅ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

ମୃତକର ଘର ଜଙ୍ଗଲ ଭିତରେ ଥିବାରୁ କେହି ବି ଜାଣି ପାରି ନ ଥିଲେ। ଘଟଣାଟି ରାତି ପାଖା ପାଖି ୧୧ ଟାରେ ଘଟିଥିବା ଅନୁମାନ କରିଛି ପୋଲିସ୍। ଆଜି ସକାଳୁ ସକାଳୁ ପୋଲିସ୍ ଖବର ପାଇ ହତ୍ୟାକାଣ୍ଡ ସ୍ଥଳକୁୁ ଯାଇ ତଦନ୍ତ କରୁଛି। ହତ୍ୟାକାରୀ ଦୁଇ ଭାଇକୁ ପୋଲିସ୍ ଅଟକ ରଖିଛି।

ଘଟଣା ସ୍ଥଳକୁ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଏସ୍‌ଆଇ ଈଶ୍ୱର ନାଏକ ପହଂଚି ଦତନ୍ତ କରୁଛନ୍ତି।