Categories
ଆଜିର ଖବର ଜାତୀୟ ଖବର

ଜନଜାତି ସମାଜ ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଗଣମାଧ୍ୟମକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା ଦାୟିତ୍ୱକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ବୋଲି ନୂଆଦିଲ୍ଲୀରେ ଏକ ପ୍ରେସମିଟ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଜନଜାତିଙ୍କ ପାଇଁ ଆର୍ଥିକ ସହାୟତା ଅନୁଦାନ ବୃଦ୍ଧି କରିବା ସହ ଶିକ୍ଷା, ରୋଜଗାର, ସ୍ୱରୋଜଗାର ଓ ସାଂସ୍କୃତିକ ଉତଥାନକୁ ଗୁରୁତ୍ୱ ଦେଉଛନ୍ତି। ସେମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି। ଦେଶରେ ଜନଜାତି ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀ ନୂଆ ମାପଦଣ୍ଡ ତିଆରି କରିଛନ୍ତି। ମୋଦି ସରକାରରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ସ୍ଲୋଗାନ ନୁହେଁ ବରଂ ଏକ ଦାୟିତ୍ୱ ହୋଇଛି। ୨୦୧୧ ଜନସଂଖ୍ୟା ତୁଳନାରେ ଦେଶରେ ପ୍ରାୟ ୮.୬ ପ୍ରତିଶତ ଜନଜାତି ଜନସଂଖ୍ୟା ବସବାସ କରୁଛନ୍ତି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଝାଡଖଣ୍ଡ, ଛତିଶଗଡ, ଉତ୍ତର ପୂର୍ବ ସମୂହ ରାଜ୍ୟରେ ମଧ୍ୟ ହାରାହରି ଅଧିକାଂଶ ଜନଜାତି ବସବାସ କରନ୍ତି। ଜନଜାତି ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୧ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୨୦୧୪ -୧୫ରେ ଏହି ଅନୁଦାନ ଥିଲା ୧୯,୪୩୭ କୋଟି।

ଜନଜାତି ସମାଜରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଏକ ଛୋଟ ଗାଁରୁ ଆସି ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଏହା ମୂଳରେ ଶିକ୍ଷା ଅନ୍ତର୍ନିହିତ ଅଛି। ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନା କରାଯାଇଛି। ଏଥିପାଇଁ ଭାରତ ସରକାର ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାଦାନ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାର ସିଂହଭାଗ ଲାଭ ଜନଜାତି ସମାଜ ପାଇବ। ଜନଜାତି ମନ୍ତ୍ରଣାଳୟ ଦ୍ୱାରା ଆବଣ୍ଟନ ୨୦୧୪-୧୫ରେ ୩,୮୩୨ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୮,୫୦୦ କୋଟି ଟଙ୍କାରେ  ପହଞ୍ଚିଛି। ଏହି ସବୁ ତଥ୍ୟ ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ମୋଦି ସରକାରଙ୍କ ଦାୟିତ୍ୱବୋଧକୁ ପ୍ରମାଣିତ କରୁଛି।

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ଜନଜାତିଙ୍କ ଉପରେ ଗବେଷଣା କରିବା ପାଇଁ ବ୍ୟବସ୍ଥା ନଥିଲା। ପ୍ରଥମ ଥର ପାଇଁ ମୋଦି ସରକାରରେ ଜାତୀୟ ଜନଜାତି ଗବେଷଣା କେନ୍ଦ୍ର(ଏନଟିଆରଆଇ) ସ୍ଥାପନା କରାଯାଇଛି। ପ୍ରଥମ ଥର ଦେଶରେ ଜନଜାତି ସଂଗ୍ରାମୀ ମାନଙ୍କୁ ଉଚିତ୍ ସମ୍ମାନ ଦିଆଯାଉଛି। ଓଡ଼ିଶା, ଝାଡଖଣ୍ଡ ଓ ରାଜସ୍ଥାନ ସମେତ ଅନେକ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ମାଧୋ ସିଂହଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ  ଅବଦାନ ଦେଶ ପାଇଁ ଅତୁଳନୀୟ। ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ୧୦ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ମ୍ୟୁଜିୟମ ନିର୍ମାଣ କରାଯାଉଛି।

ଦେଶରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଥିବା ଜନଜାତି ଗାଁ ହେଉଛି ୩୬, ୪୨୮। ପ୍ରତିବର୍ଷ ୭, ୫୦୦ ଗାଁକୁ ପ୍ରାଥମିକତା ଦେଇ ୫ ବର୍ଷ ଭିତରେ ସେଠାରେ ମୂଳଭୂତ ପରିବର୍ତ୍ତନ କରାଯାଉଛି। ଜନଆନ୍ଦୋଳନ ମାଧ୍ୟମରେ ଶତପ୍ରତିଶତ କଲ୍ୟାଣକାରୀ ଯୋଜନାର ଲାଭ ଜନଜାତିଙ୍କ ପାଖରେ ପହଞ୍ଚିବା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଭାରତ ସରକାର ଟେକ୍ନୋଲୋଜିର ଉପଯୋଗ କରି ଟ୍ରାଇବାଲ ଡିଜିଟାଲ ଡକ୍ୟୁମେଣ୍ଟେସନ କରିବା ଦିଗରେ ମଧ୍ୟ ପ୍ରାଥମିକତା ଦେଇଛନ୍ତି। ବନ୍ଧନ ବିକାଶ ଯୋଜନାରେ ଦେଶରେ ୩୨୫ ବନ୍ଧନ ବିକାଶ କେନ୍ଦ୍ର ଖୋଲାଯାଇଛି। ପ୍ରାୟ ୧୦ ଲକ୍ଷ ଜନଜାତି ଲାଭାର୍ଥୀ ୫୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟରେ ଏହି କେନ୍ଦ୍ରରେ ଯୋଡି ହେଉଛନ୍ତି। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଜାତୀୟ ବଜାରର ନେଟଓ୍ୱାକ ଯଥା ଇ-ନାମ, ଆମାଜନ, ଫ୍ଲିପକାର୍ଟ ମାଧ୍ୟମରେ ଯୋଡାଯାଉଛି। ଏମଏସଏମଇ ଅଧୀନ ସ୍ଫୃତି ଯୋଜନାରେ ୬୦ ହଜାର ଜନଜାତି ଆର୍ଟିସିଆନ୍ସ ଯୋଡି ହୋଇଛନ୍ତି। ଆଜି ଦେଶରେ ପ୍ରଥମ ଥର ମୋଦି ସରକାରରେ ୮୭ଟି ଜଙ୍ଗଲଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ କାରଣରୁ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ଆଜି ଆନ୍ତର୍ଜାତିକ ମିଲେଟ୍ ଦିବସ ପାଳନ କରୁଛି। ଭାରତର ଜି-୨୦ରେ ମିଲେଟକୁ ପ୍ରମୁଖ ବିଷୟ ବନାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ଜନଜାତି ସମାଜ ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ମୁନ୍‌ର ୫ମ ସଂସ୍କରଣ ଉଦ୍‌ଘାଟିତ: ନିଶା କାରବାର ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ଭୁବନେଶ୍ୱର: ୟୁକ୍ରେନ୍ ସମସ୍ୟା, ସାମାଜିକ ଜୀବନରେ ମହିଳାଙ୍କ ଭୂମିକା ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଶୁକ୍ରବାର ଆରମ୍ଭ ହୋଇଥିବା ୩ ଦିନିଆ ସୋଆ ଇଂଟରନ୍ୟାସ୍‌ନାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (ସୋଆମୁନ୍‌)ରେ ଆଲୋଚନା କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍‌ରେ ସୋଆ ମୁନ୍‌ର ୫ମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି।

ସୋଆ ପକ୍ଷରୁ ୫ମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରୁ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ଏକ କ୍ଷୁଦ୍ର ଅନୁକରଣ ମାଧ୍ୟମରେ ଜାତିସଂଘର ମହତ୍ୱକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚାଇବା। ସେହିପରି କୁଟନୀତି, ଆନ୍ତର୍ଜାତିକ ସମ୍ପର୍କ ଓ ଜାତିସଂଘ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଯେଭଳି ଅଧିକ ଜ୍ଞାନ ଆହରଣ କରିପାରିବେ ତାହା ହିଁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଏହି କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି ଯେ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ଡାକ୍ତରୀ ଏବଂ ବୈଜ୍ଞାନିକ ବ୍ୟବହାର ସହିତ ଏହାର ଅପବ୍ୟବହାରକୁ କିଭଳି ରୋକା ଯାଇପାରିବ ସେ ସମ୍ପର୍କରେ ଯେଉଁ ଅନ୍ତରାଷ୍ଟ୍ରୀୟ ଚୁକ୍ତି ରହିଛି, ସାମାଜିକ ଜୀବନରେ ମହିଳାଙ୍କର ଯୋଗଦାନ, ଲିଙ୍ଗ ଆଧାରିତ ହିଂସା ଏବଂ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ଉଦ୍ଭବ ହୋଇଥିବା ସ୍ୱାସ୍ଥ୍ୟ ଜନିତ ପରିସ୍ଥିତିକୁ ଏଡ଼ାଇବା ଭଳି ପ୍ରସଙ୍ଗ ସମ୍ପର୍କରେ ଏହି ମୁନ୍‌ରେ ଆଲୋଚନା କରାଯିବ।

ସେହିପରି ୟୁକ୍ରେନ୍‌ରେ କିଭଳି ଶାନ୍ତି ଫେରିଆସିବ ତାହା ନେଇ ଛାତ୍ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିବେ।

ଚଳିତ ବର୍ଷ ସୋଆ ମୁନ୍‌ରେ ୫ଟି କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ହେଲା ୟୁଏନ୍ ଜେନେରାଲ୍ ଆସେମ୍ବଲି ଡିସ୍‌ଆର୍ମାମେଂଟ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ସିକ୍ୟୁରିଟି କମିଟି (ୟୁଏନ୍‌ଜିଏ-ଡ଼ିଆଇଏସ୍‌ଇସି), ୱାର୍ଲ୍ଡ ହେଲ୍‌ଥ ଆସେମ୍ବଲି (ଡବ୍ଲୁଏଚ୍‌ଏ), ୟୁଏନ୍ କମିଶନ୍ ଅନ୍ ଦ ଷ୍ଟାଟ୍‌ସ୍ ଅଫ୍ ଓମେନ୍ (ୟୁଏନ୍‌ସିଏସ୍‌ଡବ୍ଲୁ), ୟୁଏନ୍ ଅଫିସ୍ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ୍ (ୟୁଏନ୍‌ଓଡିସି) ଏବଂ ଇଂଟରନ୍ୟାସ୍‌ନାଲ୍ ପ୍ରେସ୍ (ଆଇପି)।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ରକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ବିଶ୍ୱର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ସମ୍ପର୍କରେ ଛାତ୍ରଛାତ୍ରୀମାନେ ବିତର୍କ କରିବା ଭବିଷ୍ୟତ ପାଇଁ ଖୁବ୍ ଲାଭଦାୟକ ବୋଲି କହିଥିଲେ। ବିଶ୍ୱ ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଜଳବାୟୁ ପରିବର୍ତନ ଏହା ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ବୋଲି ସେ କହିଥିଲେ। ତେଣୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଚିନ୍ତା କରିବା ଏବଂ ବିଶ୍ୱରେ କିଭଳି ଶାନ୍ତି ବଳବତର ରହିବ ତାହା ହିଁ ପ୍ରମୁଖ କାର୍ଯ୍ୟ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବିଶ୍ୱର ପରିସ୍ଥିତ ସମ୍ପର୍କରେ ସମସ୍ତ ଅବଗତ ଏବଂ ସଚେତନ ହୋଇପାରିବେ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ନନ୍ଦ କହିଥିଲେ।

ସୋଆର ଛାତ୍ର ମଙ୍ଗଳ ଡିନ୍ ତଥା ସୋଆ ମୁନ୍‌ର କନ୍‌ଭେନର୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କୋ-କନ୍‌ଭେନର ଡକ୍ଟର ସୌର୍ଯ୍ୟ ରଞ୍ଜନ ଦାସ, ସେକ୍ରେଟାରୀ ଜେନେରାଲ ଶାଶ୍ୱତ ମହାପାତ୍ର ଏବଂ ଡାଇରେକ୍ଟର ଜେନେରାଲ୍ ଉମାଶଙ୍କର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ।