Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସାମୁଦ୍ରିକ ଝଡ ସଂପର୍କିତ ଜାତୀୟ କର୍ମଶାଳା

ଭୁବନେଶ୍ୱର: ସାମୁଦ୍ରିକ ଝଡର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଏବଂ ଓଡିଶାର ଅଧିବାସୀ ଏହା ସହ କିଭଳି ଭାବେ ଖାପଖୁଆଇ ପାରୁଛନ୍ତି ଏବଂ ବିଶେଷ ଭାବେ ମହିଳାମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଏ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ସାମୁଦ୍ର୍ରିକ ଝଡକୁ ନେଇ ସଚେତନତା ସୃଷ୍ଟି କରିବା ସହ ଏହି ବାତାବରଣ ଭିତରେ କିଭଳି ଲୋକମାନେ ନିଜକୁ ଖାପଖୁଆଇ ପାରିବେ ତାର ପ୍ରଚାର ପ୍ରସାର ହିଁ ଏହି କର୍ମଶାଳାର ଲକ୍ଷ୍ୟ ବୋଲି କର୍ମଶାଳାର କାର୍ଯ୍ୟକାରୀ ସଂପାଦକ ସତ୍ୟରଂଜନ ଦାଶ ସୂଚନା ଦେଇଛନ୍ତି।

କାନଡା ଭାଙ୍କ୍ୟୁଭର ସ୍ଥିତ କେ.ପି ୟୁନିଭର୍ସିଟି, ବିଟସ୍‌- ପିଲାନୀ ( ହାଇଦ୍ରାବାଦ କ୍ୟାମ୍ପସ୍‌) ଏବଂ ଶାସ୍ତ୍ରୀ ଇନ୍‌ଡୋର –କାନାଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ମିଳିତ ଭାବେ ଗ୍ରହଣ କରାଯାଇଥିବା ଗବେଷଣାର ବିଷୟବସ୍ତୁ କୁ ନେଇ ଏହି କର୍ମଶାଳା ରେ ଆଲୋଚନା କରାଯାଇଥିଲା। ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) ଏବଂ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର(ସିସିସଏ) ପକ୍ଷରୁ ମଧ୍ୟ ସାମୁଦ୍ରିକ ଝଡକୁ ଓଡିଶାର ଲୋକମାନେ କିପରି ମୁକାବିଲା କରୁଛନ୍ତି ଏହା ନେଇ ଗବେଷଣା କରାଯାଉଛି।

ଏହି କର୍ମଶାଳାରେ ବଙ୍ଗୋପସାଗର ଉପକୂଳ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସବୁଠାରୁ ସଂବେଦନଶୀଳ ହୋଇଥିବାବେଳେ ଓଡିଶା ଉପକୂଳବାସୀ ସର୍ବାଧିକ ଘୂର୍ଣିଝଡର ସାମ୍ନା କରୁଛନ୍ତି ବୋଲି ଏହି କର୍ମଶାଳାରେ ତଥ୍ୟ ଉପସ୍ଥାପନା କରାଯାଇଥିଲା। ୧୮୯୧ରୁ ୨୦୧୮ ମଧ୍ୟରେ ଓଡିଶା ଉପକୂଳ ୧୧୦ଟି ବାତ୍ୟାକୁ ସାମ୍ନା କରିଛି ବୋଲି କର୍ମଶାଳାରେ ପ୍ରକାଶ ପାଇଥିଲା।

ଏହି କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେ.ପି ବିଶ୍ୱବିଦ୍ୟାଳୟର ଭୂଗୋଳ ଏବଂ ପରିବେଶ ବିଭାଗର ଫ୍ୟାକଲ୍ଟି ଆଣ୍ଡ ଚେୟାର ପ୍ରଫେସର ଦୋଳ ଗୋବିନ୍ଦ ପ୍ରଧାନ, ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଏଚ୍‌.ଆର୍ ବିଶ୍ୱାସ, ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବକ୍ତବ୍ୟ ରଖିଥିଲେ।

ବିଟସ୍ ପିଲାନୀ ପକ୍ଷରୁ ଡକ୍ଟର ଅର୍ଚ୍ଚନା ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କେ.ପି ବିଶ୍ୱବିଦ୍ୟାଳୟର ଭୂଗୋଳ ଏବଂ ପରିବେଶ ବିଭାଗର ଫ୍ୟାକ୍‌ଲ୍ଟି ଆଣ୍ଡ ଚେୟାର ପ୍ରଫେସର ଦୋଳ ଗୋବିନ୍ଦ ପ୍ରଧାନ। ଏହି ଅବସରରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉପକୂଳ ପାଖେଇଲା ‘ୟଶ’: ଅଧିକ ବିପଦରେ ବାଲେଶ୍ୱର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ।

ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି।

ମଙ୍ଗଳବାର ଅପରାହ୍ନରୁ ଓଡିଶା ଉପକୂଳବର୍ତ୍ତୀ ଜଗତସିଂହପୁରରୁ ବାଲେଶ୍ୱର ଜିଲ୍ଲା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଏବଂ ଅନୁଗୁଳ ପ୍ରଭୃତି ଜିଲ୍ଲା ଗୁଡିକର କେତେକ ଅଂଚଳରେ ମଙ୍ଗଳବାର ରାତିରୁ ଅତି ପ୍ରବଳ ବର୍ଷା ହେବାର ସେ ଅନୁମାନ କରିଛନ୍ତି।

ବାଲେଶ୍ୱର,ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ୨୫୦ ମିଲିମିଟର ରୁ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ଥିବା ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅବପାତର ରୂପ ନେଲା ଲଘୁଚାପ, ଅପରାହ୍ନ 5ଟା30 ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା

ଭୁବନେଶ୍ବର : ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ। ଅପରାହ୍ନ 5ଟା 30 ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେବ। ଏବେ ପାରାଦୀପଠାରୁ 1100 କିମି ଦୂରରେ ଅବସ୍ଥିତ ରହିଛି । ପଶ୍ଚିମବଙ୍ଗ ଦୀଘାଠାରୁ 1250 କିମି ଦୂରରେ ଥିବାବେଳେ ବାଂଲାଦେଶଠୁ 1330କିମି ଦୂରରେ ରହିଛି। ଆସନ୍ତକାଲି ସନ୍ଧ୍ୟା ପରେ ଉତ୍ତରପୂର୍ବ ଦିଗକୁ ଗତି କରିବ। 18ରୁ 20 ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଦେଇ ଗତି କରିବ ବାତ୍ୟା। ତେବେ କେଉଁଠି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ କିଛି ସ୍ପଷ୍ଟ ହୋଇନାହିଁ। ପଶ୍ଚିମବଙ୍ଗ, ବାଂଲାଦେଶ ବା ଅନ୍ୟ କେଉଁଠି ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ରହିଛି।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ଆଇଏମ୍‌ଡି। କାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ଚାରି ଜିଲ୍ଲାକୁ ବିପଦ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଘଡଘଡି ସହ ବର୍ଷା ଓ 40ରୁ 50 କିମି ବେଗରେ ପବନ ବହିପାରେ ବୋଲି ସୂଚନା ରହିଛି।