Categories
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗ: ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ଚିଲିକା ବିଧାୟକ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଆଇନଜୀବୀ ସିତାରାମ ଅଗ୍ରୱାଲଙ୍କ ପିତା ଗଣେଶ ପ୍ରସାଦ ଅଗ୍ରୱାଲଙ୍କର ଅକାଳ ବିୟୋଗ ଘଟିଯାଇଛି। ମାତ୍ର ୬୧ ବର୍ଷ ବୟସରେ ଗଣେଶଙ୍କ ପରଲୋକ ହୋଇଯାଇଛି। ଗତ ୧୮ ତାରିଖ ସକାଳ ୯ ଟା ସମୟରେ ଗଣେଶ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

୧୮ ତାରିଖ ସକାଳୁ ତାଙ୍କର ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନିଆଯାଉଥିଲା। କିନ୍ତୁ ଟାଙ୍ଗି ନିକଟରେ ତାଙ୍କର ହଠାତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଦେଖି ତାଙ୍କ ପୁଅ ସୀତାରାମ ନିକଟସ୍ଥ ଟାଙ୍ଗି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କର ମର ଶରୀରକୁ ବାଣପୁର ନିଜ ବାସଭବନକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଆରଏସଏସ, ଏବିଭିପି କର୍ମକର୍ତ୍ତା, ରାଜନେତା, ସାମ୍ବାଦିକ ଏବଂ ଓକିଲ ବନ୍ଧୁମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୧୯ ତାରିଖ ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସ୍ଥାନୀୟ ଅଞ୍ଚଳରେ ସେ ଜଣେ ସୁନାମଧନ୍ୟ ବ୍ୟବସାୟୀ ଭାବରେ ପରିଚିତ ଥିଲେ। ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲ ଜଣେ ମିଷ୍ଟଭାଷୀ, ପରୋଉପକାରୀ ବ୍ୟକ୍ତି ଭାବରେ ବାଣପୁର-ବାଲୁଗାଁ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ବାଲୁଗାଁରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ‘ବିଦ୍ୟା ମନ୍ଦିର’ ବହୁ ଲୋକପ୍ରିୟ ଥିଲା। ସ୍ବର୍ଗତ ଗଣେଶ ଅଗ୍ରୱାଲଙ୍କ ବିୟୋଗରେ ସମ୍ପୃକ୍ତି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତେବେ ବିୟୋଗ ଖବର ଶୁଣି ସ୍ଥାନୀୟ ଏବଂ ବହୁ ଦୂର ଦୂରାନ୍ତରୁ ରାଜନେତା, ସମାଜସେବୀ, ଏବିଭିପି ଓ ଆରଏସଏସ କର୍ମକର୍ତ୍ତାମାନେ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି। ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସ୍ବର୍ଗତ ଗଣେଶଙ୍କ ଘରକୁ ଆସି ପରିବାର ବର୍ଗକୁ ସମବେଦନା ଜଣାଇଥିବା ବେଳେ ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଭେଟେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଜିତେନ୍ଦ୍ର ଭୋଳ, ଗାଲୁଆ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ଏବଂ ଏକାଧିକ ଜନପ୍ରତିନିଧି ସ୍ବର୍ଗତ ଅଗ୍ରୱାଲଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି।