Categories
ଆଜିର ଖବର ରାଜ୍ୟ ଖବର

ସାମ୍ଭାବ୍ୟ ବାତ୍ୟା ଯୋଗୁଁ ୨ ଦିନ ପାଇଁ ୧୦ ଜିଲ୍ଲାରେ ଲକଡାଉନକୁ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା କୋହଳ କରାଯାଇଛି।

ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସାମ୍ଭାବ୍ୟ ବାତ୍ୟା ଓ କୋଭିଡ ସ୍ଥିତିର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଣପୁର ବ୍ଲକ, ଏନଏସି, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ସାମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହ ରେଡ ଜୋନରେ ବସବାସ କରୁଥିବା ଜନସାଧାରଣଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ନେବାପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।

ତେବେ ଚିଲିକାରେ କୋଭିଡ କେସ ପୂର୍ବପେକ୍ଷା ଗତ ଦୁଇ ଦିନ ହେଲା ସ୍ୱଳ୍ପ କମୁଥିବାରୁ ଜିଲ୍ଲପାଳ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଚିଲିକା ନିର୍ବାଚନମଣ୍ଡଳୀରେ ‘ଜିରୋ’ କୋଭିଡ଼ କେସ ଲକ୍ଷ୍ୟକୁ ନେଇ କାମ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୱାର୍ଡ, କିମ୍ବା ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଭିଡ଼ କେସ ବାହାରିନାହିଁ ସେ ଅଞ୍ଚଳକୁ କିପରି ଆଗକୁ ମଧ୍ୟ ସେହିପ୍ରକାର ଭାବେ କୋଭିଡ଼ ମୁକ୍ତ ରଖିବାକୁ ହେବ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତତସହିତ ଯେଉଁ ଅଞ୍ଚଳରେ ଗୋଟେ କିମ୍ବା ଦୁଇ ଗୋଟି କୋଭିଡ କେସ ଚି଼ହ୍ନଟ ହେଉଛି ସେଠାରୁ ଆକ୍ରାନ୍ତମାନଙ୍କୁ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହାଫଳରେ ଉକ୍ତ ଅଞ୍ଚଳରେ କୋଭିଡ ଆଉ ବ୍ୟାପିପାରିବନି। ବୟସ୍କ, ଗର୍ଭବତୀ ଏବଂ ଶିଶୁ ମାନଙ୍କ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ସେମାନେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଏବଂ ଅମ୍ଳଜାନର ଅଭାବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଅପରପକ୍ଷରେ କୋଭିଡ ରେଡ ଜୋନ ଗୁଡିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଟେଷ୍ଟିଙ୍ଗ ବଢ଼ାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳରେ ପୂର୍ବତନ କାଉଁସିଲର ଏବଂ ଗ୍ରାମାଞ୍ଚଳରେ ମିଶନ ଶକ୍ତି, ଜନ ପ୍ରତିନିଧି, ସ୍ଵେଚ୍ଛାସେବୀମାନଙ୍କୁ ପ୍ରବାସୀ ଫେରନ୍ତାଙ୍କ ତଥ୍ୟ ପ୍ରଶାସନକୁ ଦେବାସହ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଆବାହାନ କରିଥିଲେ।

ସର୍ବଶେଷରେ ବୃଦ୍ଧ ତଥା ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ମୋବାଇଲ ଟେଷ୍ଟିଙ୍ଗ ବ୍ୟବସ୍ଥାର ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ା ସୁରଜ ମେହେର, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ବାଣପୁର ସିଡ଼ିପିଓ ବିଦ୍ୟୁତପ୍ରଭା ରଥ ଏବଂ ଚିଲିକା ସିଡ଼ିପିଓ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓସୱାନ୍ ଭି.ସି ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଓ ପାରାଦ୍ବୀପ ପ୍ରକଳ୍ପ ନିର୍ଦ୍ଦେଶକ, ଡି. ଆର୍.ଡି.ଏ, ଉପଜିଲ୍ଲାପାଳ, ସମସ୍ତ ବ୍ଲକର ବିଡିଓ, ତହସିଲଦାର, କ୍ଷେତ୍ର ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ସାମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବେ। ବାଲିକୁଦା, ଏରସମା, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଳକକୁ ଅଧିକ ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ହେଉଛି ପ୍ରଥମ ପ୍ରାଥମିକତା। ଯେହେତୁ କୋଭିଡ୍ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି। ସେଥିପ୍ରତି ଦୃଷ୍ଟି ଦେଇ ଆଣ୍ଟିଜେନ୍ ଟେଷ୍ଟ ଓ କୋଭିଡ୍ ସଂକ୍ରମିତଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯିବ। ଏଥିପାଇଁ ସମସ୍ତ ବ୍ଲକକୁ ମାସ୍କ୍ ଓ ପିପିଇ କିଟ୍ ପ୍ରଦାନ କରାଯିବ। ସ୍ଥାନାନ୍ତରିତ ସମୟରେ ଗର୍ଭବତୀ ମହିଳା ଭିନ୍ନକ୍ଷମ ମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନାନ୍ତରିତ ଲୋକମାନଙ୍କୁ ମାସ୍କ୍, ସାନିଟାଇଜର୍ ,ପାନୀୟଜଳ ,ବିସ୍କୁଟ୍ ଶିଶୁଙ୍କ ପାଇଁ ଛତୁଆ, ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପରିମଳ ଓ ସୁଦ୍ଧ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି। ସମସ୍ଥ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ଗୁଡିକୁ ଆଜି ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ମତ୍ସ୍ୟଜୀବୀ ମାନଙ୍କୁ ୨୨ତାରିଖ ପରେ ସମୁଦ୍ରକୁ ନଯିବା ପାଇଁ ମାଇକ୍ ମାଧ୍ୟମରେ ଚୌମୁହାଣୀ ଓ ଫିସିଙ୍ଗ୍ ହାରବର୍ ନିକଟରେ ଗୁରୁବାର ସକାଳୁ ସଚେତନ କରାଯାଇଛି। ଜିଲ୍ଲା ଜରୁରୀ ବିଭାଗ ନିୟନ୍ତ୍ରଣ କକ୍ଷ ,ବ୍ଲକ୍ ସ୍ତରରେ ଓ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟା କାର୍ଯ୍ୟ କରିବ। ସମସ୍ତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ଜେନେରେଟର, ଟାୱାରଲାଇଟ୍, ମେକାନିକାଲ କଟରମ୍ ଓ ଅନ୍ୟାନ୍ୟ ଉପକରଣ ଗୁରୁବାର ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ଜଣ ଦାୟୀତ୍ୱ ସମ୍ପନ୍ନ କର୍ମଚାରୀ ନିୟୋଜିତ ରହିବେ। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସ୍ତନ୍ୟଦାନ କରୁଥିବା ମହିଳା ଓ ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ, ଆଶ୍ରୟସ୍ଥଳୀରେ ସମସ୍ତେ ଯେପରି ମାସ୍କ୍ ପରିଧାନ କରିବେ, ମାଗଣା ରନ୍ଧାଖାଦ୍ୟ ପ୍ରଦାନ ଓ ଉଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଡିଓ ମାନେ ଅତିରିକ୍ତ ଯାନ ବ୍ୟବହାର କରିପାରିବେ। ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ପାରାଦ୍ବୀପ, କୁଜଙ୍ଗ, ଏରସମା, ବାଲିକୁଦା ଓ ତିର୍ତ୍ତୋଲ ଅଞ୍ଚଳରେ ନିୟୋଜିତ କରାଯିବ।

ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର, ପି.ଡି ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ବିଡିଓ ଓ ତହସିଲଦାର ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।