Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ, ଭାରତୀୟ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି

ଭୁବନେଶ୍ବର, ଆଜି ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପୁଡୁଚେରୀରେ ଚିକିତ୍ସିତ ହେଉଥିଲେ। ତାଙ୍କର ଶୀଘ୍ର ଆରୋଗ୍ୟଲାଭ ପାଇଁ ବିଭିନ୍ନ ସାହିତ୍ୟିକଙ୍କ ମହଲରେ ପ୍ରାର୍ଥନା କରାଯାଇଥିଲା। ହେଲେ ସେ ସବୁ ବ୍ୟର୍ଥ ଗଲା। 87 ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଛନ୍ତି।

ମନୋଜ ଶ୍ରୀଅରବିନ୍ଦଙ୍କ ଜଣେ ଭକ୍ତ ଭାବେ ପୁଡୁଚେରୀ ଆଶ୍ରମରେ ରହିଆସୁଥିଲେ। ସେହି ଆଶ୍ରମ ହସପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ବର୍ତ୍ତମାନ ତାଙ୍କର ବିୟୋଗରେ ଭାରତୀୟ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। କାରଣ ମନୋଜ ଦାସ ଓଡିଶାର ହୋଇଥିଲେ ମଧ୍ୟ ଭାରତୀୟ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୂଳନୀୟ। ସେ ଉଭୟ ଇଂରାଜୀ ଏବଂ ଓଡିଶା ସାହିତ୍ୟକୁ ତାଙ୍କର କଲମ ଚାଳନା କରି ସମୃଦ୍ଧ କରିଛନ୍ତି।

ମନୋଜ ଦାସ ବାଲେଶ୍ବର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖ ଦିନ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତାପର ଦୁଇ ସନ୍ତାନ ଝିଅ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ‘ଅଲୌକିକ ଶକ୍ତିର ଉତ୍ସ’ ଭାବେ ଅଭିହିତ କରିଛନ୍ତି ।

ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଲା ଏବଂ ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ ।

୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ ‘ଜୀବନର ସ୍ୱାଦ’ ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ । ୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କଲେ ।

୧୯୬୧ ମସିହାରେ ‘ଆରଣ୍ୟକ’ ପ୍ରକାଶ ପାଇବା ପରେ ଓଡି଼ଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ୧୯୬୫ ମସିହାରେ ‘ଶେଷ ବସନ୍ତର ଚିଠି’ ପ୍ରକାଶ ପାଇବା ପରେ ୧୯୬୬ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ,ଅବୋଲକରା କାହାଣୀ,କନକ ଉପତ୍ୟକାର କାହାଣୀ, ଅନ୍ତରଙ୍ଗ ଭାରତ ର  ସ୍ରଷ୍ଟା ଥିଲେ ମନୋଜ ଦାସ।  ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ବତୀ ସମ୍ମାନ ଓ  ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମଭୂଷଣା ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ ।

ସେ ଟାଇମସ ଏଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ , ଦ ହିନ୍ଦୁ ଏବଂ ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ । ତାଙ୍କର ବିୟୋଗ ଆଜି ଭାରତୀୟ ସାହିତ୍ୟ ମିୟମ୍ରାଣ ହୋଇପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପରଲୋକରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ମନୋଜ ଅସୁସ୍ଥ ଥିଲେ। ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମନୋଜ ଦାସଙ୍କ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ପାରଦର୍ଶିତା ରହିଥିଲା। ଓଡ଼ିଶା  ଓ ଇଂରାଜୀ ସାହିତ୍ୟରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ଅନେକ କାଳଜୟୀ ଉପନ୍ୟାସର ସେ ସ୍ରଷ୍ଟା ଥିଲେ। ମନୋଜ ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୨୦ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। ଏହାସହ ସାହିତ୍ୟ ଏକାଡେମୀ ଓ ସାରସ୍ଵତ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ।

ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି। ମନୋଜଙ୍କ ବିୟୋଗରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକପ୍ରକାଶ କରିଛନ୍ତି।