Categories
ଆଜିର ଖବର ରାଜ୍ୟ ଖବର

ସିଏସଆଇଆର-ଆଇଏମଏମଟି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱର ସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପକ୍ଷରୁ ଆଜି ଏକ ବୈଜ୍ଞାନିକ-ଛାତ୍ରଛାତ୍ରୀ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସିଏସଆଇଆର- ଆଇଏମଏମଟିର ବୈଜ୍ଞାନିକ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଜିଜ୍ଞାସା ଦ୍ୱାରା କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଏମବିବି ସାଇନ୍ସ କଲେଜ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଭର୍ସିଟୀ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଜି୨୦ ଓ ଭବିଷ୍ୟତର ଶିକ୍ଷା ଓ ଗବେଷଣା କାର୍ଯ୍ୟ ଉପରେ ଆଲୋଚନାଚକ୍ର, ପ୍ରଶ୍ନୋତ୍ତର ପ୍ରତିଯୋଗିତା, ଗବେଷଣାଗାର ପରିଦର୍ଶନ, ବୈଜ୍ଞାନିକ ପ୍ରୟୋଗ ପ୍ରଦର୍ଶନ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଭବିଷ୍ୟତର କାର୍ଯ୍ୟ ବିଷୟରେ ଆଲୋଚନା, ଆଇଏମଏମଟି ପରିସରରେ ଥିବା ଜିଜ୍ଞାସା ଉଦ୍ୟାନ (ଔଷଧିୟ, ସୁଗନ୍ଧିତ ଏବଂ ପୁଷ୍ପଉଦ୍ୟାନ) ପରିଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଦୁଇଟି ବର୍ଗରେ ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଅପରାହ୍ଣରେ, ସିଏସଆଇଆର ଆଇଏମଏମଟି ପରିସରରେ ଥିବା ଆମ୍ବ ଉଦ୍ୟାନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଜି୨୦ ଏବଂ ଭବିଷ୍ୟତର କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜାତୀୟ ଦକ୍ଷତା ବିକାଶ ଆୟୋଗ (ଏନଏସଡିସି)ର ଡିଜିଏମ ଶ୍ରୀମତୀ ଭାବନା ବର୍ମା ମୁଖ୍ୟ ଅତିଥି, ଏନଏସଡିସିର ଅଧିକାରୀ ଦେବୀ ପ୍ରସାଦ ଏବଂ ସ୍ମୃତି ରଞ୍ଜନ  ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ତଥା ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ନୋଡାଲ ଅଧିକାରୀ ଡକ୍ଟର ଅଶୋକ କୁମାର ସାହୁ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଦେବୀ ପ୍ରସାଦ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଢେଙ୍କାନାଳର ହିତାଧିକାରୀମାନଙ୍କୁ ମହୁ ଚାଷ ତାଲିମ୍ ଓ ଟୁଲ୍ କିଟ୍ ପ୍ରଦାନ

ଭୁବନେଶ୍ବର: ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ) ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ କରୁଛି। ଏଥି ସହିତ କେଭିଆଇସି ମହୁ ଚାଷ ପାଇଁ  ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ୬ ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ତାଲିମ  ପ୍ରଦାନ କରିଛନ୍ତି।

୧୦୦ ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ ଓ ୧୦ ସେଟର ଟୁଲକିଟ୍‌ କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା ଜେନାଦେଇ ଏସଏଚଜିକୁ ପ୍ରଦାନ କରାଯାଇଛି। ଏହା ସହିତ ୨୦୦୦ ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସମୀର କୁମାର ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି, ବି.ଏନ୍. ପଣ୍ଡା, ଆସିଷ୍ଟାଣ୍ଟ ଡାଇରେକ୍ଟର, କେଭିଆଇସି, ଡା. ଚନ୍ଦ୍ର ଶେଖର ମହାନ୍ତି, ସିନିୟର ପ୍ରିନସିପାଲ୍ ସାଇଣ୍ଟିଷ୍ଟ, ଡା. ସୌମିତ କୁମାର ବେହେରା, ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ), ଲକ୍ଷ୍ମୌ ର ପ୍ରିନ୍‌ସିପାଲ୍ ସାଇଣ୍ଟିଷ୍ଟ, ମିସ୍ ଗୀତାଶ୍ରୀ ପାଢ଼ୀ, ଡେପୁଟି ଡାଇରେକ୍ଟର, ହର୍ଟିକଲଚର ଢେଙ୍କାନାଳ, ନିରୋଦ ଜେନା, ଡେପୁଟି ସିଇଓ, ଓରମାସ୍, ଢେଙ୍କାନାଳ ଓ ଚିତ୍ତରଞ୍ଜନ ପୁହାଣ, ମହୁଚାଷ ମାଷ୍ଟର ଟ୍ରେନର ଉପସ୍ଥିତ ରହିଥିଲେ।

ଶ୍ରୀଯୁକ୍ତ ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି କହିଛନ୍ତି ଯେ, କପିଳାଶ ବନ୍ୟଜନ୍ତୁ ଅଭୟାରଣ୍ୟର ପାଦ ଦେଶରେ ହରେକୃଷ୍ଣପୁର ଗ୍ରାମ ଅବସ୍ଥିତ। ଏଠାରେ ଅନେକ ପ୍ରକାର ଉଦ୍ଭିଦ ପ୍ରଜାତି ରହିଛନ୍ତି ଯାହାକି ମହୁଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ସେ ମହୁଚାଷୀମାନଙ୍କୁ ଅଧିକ ମହୁମାଛି କଲୋନୀ ସୃଷ୍ଟି ଉପରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଡିଡିଏଚ୍ କହିଛନ୍ତି ଯେ ଉଦ୍ୟାନକୃଷି ବିଭାଗ ହିତାଧିକାରୀଙ୍କ ଠାରୁ ରଜନୀଗନ୍ଧା ଚାରା କ୍ରୟ କରିବ ଓ ଏହାକୁ ଅନ୍ୟ ସ୍ଥାନକୁ ପ୍ରେରଣ କରାଯିବ। ଡା. ଚନ୍ଦ୍ର ଶେଖର ମହାନ୍ତି, ଏନବିଆରଆଇ କହିଛନ୍ତି ଯେ ମହୁ ଚାଷ ଓ ଫୁଲ ଚାଷର ସମନ୍ବୟ ଦ୍ବାରା ହିତାଧିକାରୀଙ୍କ ଆୟ ବୃଦ୍ଧି କରାଯାଇପାରିବ।