Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟ ସରକାର ୧୨ ଟି ନୂଆ ପ୍ରକଳ୍ପକୁ ଦେଲେ ଅନୁମୋଦନ, ବ୍ୟୟ ଅଟକଳ ୨୭୯୪ କୋଟି ଟଙ୍କା

ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯିବା ସହ ଏହା ଏକ ପସନ୍ଦର ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ନିରନ୍ତର ବିକାଶ ପାଇଁ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏସଏଲଏସଡବ୍ଲୁସିଏ ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା। ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି। ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଆଲୁମିନିୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି।

ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯାଇ ସଂପୃକ୍ତ ଅଞ୍ଚଳରେ ଉଭୟ ଡାଉନଷ୍ଟ୍ରିମ୍ ଓ ପ୍ରାଥମିକ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁମୋଦନକୁ ଗୁରୁତ୍ୱ ଦିଆପାଇଥିଲା। ରତ୍ନପଥର କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର  ଭାବରେ ଉଭା ହୋଇଛି, ଯାହା କି ହୀରା ଏବଂ ଅଳଙ୍କାର ଉତ୍ପାଦନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଉପଯୋଗ କରୁଛି। ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଏହିସବୁକ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା  ରାଜ୍ୟରେ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି।

ସେମିକଣ୍ଡକ୍ଟର ଏବଂ ଇଏସଡିଏମ କ୍ଷେତ୍ରରେ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ ସେମି-କଣ୍ଡକ୍ଟର ଏବଂ ଇଏସଡିଏମ ସେକ୍ଟରରେ ସିଲିକୋ କାର୍ବାଇଡ୍ ଡିଭାଇସ୍ ଏବଂ ଏସଆଇସି ମଡ୍ୟୁଲ୍ ପାଇଁ ଉତ୍ପାଦନ ଫେବ୍ରିକେସନ୍ ଏବଂ ପ୍ୟାକେଜିଂ ସୁବିଧା ପ୍ରତିଷ୍ଠା ନ ୫୧୦.୮୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଫଳରେ ଖୋର୍ଦ୍ଧା, ଇନଫୋଭ୍ୟାଲିରେ ୨୦୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଖୋର୍ଦ୍ଧାରେ ଅତ୍ୟାଧୁନିକ ଲ୍ୟାବ ମାଧ୍ୟମରେ ହୀରା ଓ ଅଳଙ୍କାର ଉତ୍ପାଦନ କାରଖାନା ଜରିଆରେ ରତ୍ନପଥର କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି ନୁଭୋ ଆୟୋନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମ୍ୟାନୁଫାକ୍ଚରିଂ ଏଲଏଲପି। ୨୫୬.୫୦ କୋଟି ଟଙ୍କା ବିନିଯୋଗରେ ଏହି ଅଗ୍ରଣୀ ଉଦ୍ୟୋଗ  ୩୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ କାର୍ଯ୍ୟ କରିବାକୁ ଯାଉଛି। ଏହା ବ୍ୟତୀତ ଏହା ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ଆନୁଷଙ୍ଗିକ ଓ ଡାଉନଷ୍ଟ୍ରିମ୍ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଫୋର୍ ଷ୍ଟାର ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍, ଖେଦରିଆ ଇସ୍ପାତ ଲିମିଟେଡ୍, ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅଭିରବ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ସହିତ  ଅନେକ  ବିଭିନ୍ନ କମ୍ପାନୀଗୁଡିକର ପୁଞ୍ଜିନିବେଶ ଯୋଗୁଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।

ଏହି କଂପାନୀଗୁଡ଼ିକ ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ପ୍ରାୟ ୯୦୦ କୋଟି ଟଙ୍କା ନିବେଶ କରିଛନ୍ତି ଯାହା ଏହି ପୁଞ୍ଜିନିବେଶ ମାଧ୍ୟମରେ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ରାଜ୍ୟ ୧୬୯୬ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ।

ଫର୍ଟିଲାଇଜର କ୍ଷେତ୍ରରେ ଉତ୍କଳ ଫସଫେଟ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ବାର୍ଷିକ ୧ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିଙ୍ଗଲ୍ ସୁପର ଫସଫେଟ୍ (ଏସ୍ଏସପି) ଓ ଗ୍ରାନୁଲେଟେଡ୍ ସିଙ୍ଗଲ୍ ସୁପର ଫସଫେଟ୍ (ଜିଏସ୍ଏସପି) ସାର ୟୁନିଟ୍ ର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୬୨.୦୭ କୋଟି ଟଙ୍କା ବିନିଯୋଗ କରୁଛି।

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିଶେଷକରି ଆଲୁମିନିୟମ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ସମ୍ବଲପୁରରେ ଆଲୁମିନିୟମ ବ୍ୟାଟେରୀ ଫଏଲ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ୮୩୪ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ହେଉଛି।

ଏହି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ୧୦୩୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା କେବଳ ପୁଞ୍ଜିନିବେଶ କ୍ଷେତ୍ରକୁ ଉତ୍ସାହିତ କରିବ ନାହିଁ ବରଂ ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟାଟେରୀ ଉତ୍ପାଦନ ସହ ଜଡିତ କମ୍ପାନୀଗୁଡିକୁ ଏହି ଅଞ୍ଚଳରେ ସେମାନଙ୍କର ୟୁନିଟ୍ ସ୍ଥାପନ କରିବାକୁ ଉତ୍ସାହିତ କରିବ।

ସେହିପରି ନାରାୟଣୀ ଗ୍ରୀନ୍ ପ୍ୟାକ୍ ଖୋର୍ଦ୍ଧାରେ ନେସଟଲ୍  ପାଇଁ ୫୦.୮୪ କୋଟି ଟଙ୍କା ବିନିଯୋଗ ଓ ୧୨୦ ନିଯୁକ୍ତି ସମ୍ଭାବନା ସହିତ ଏକ କାଗଜ ଓ କାଗଜ ବୋର୍ଡ କଣ୍ଟେନର ଉତ୍ପାଦନ କାରଖାନା ସ୍ଥାପନ କରୁଛି।

ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମେସର୍ସ ମା’ ତାରିଣୀ ରୋଲର ଫ୍ଲୋର ମିଲସ୍ ଏଲଏଲପି ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା ମିଲ୍ ପାଇଁ  ୫୮.୩୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ‘ମିଲ୍କ ମନ୍ତ୍ର ଡାଏରୀ’ ପୁରୀରେ ଡାଏରୀ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୧.୧୦ କୋଟି ଟଙ୍କା ବିନିଯୋଗ କରୁଛି। ମିଳିତ ନିଯୁକ୍ତି ସୃଷ୍ଟି କ୍ଷମତା ପ୍ରାୟ ୧୧୩୫ ହେବ ବୋଲି ଜଣାପଡିଛି।

ଝାରସୁଗୁଡ଼ାରେ ୭୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧୫୦ ନିଯୁକ୍ତି ସମ୍ଭାବନା ରଖି ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡ ସ୍ଥାପନ ହେବାକୁ ଯାଉଛି ଯାହା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବ। ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିପ୍ଳବ ଦିଗରେ ପଦକ୍ଷେପକୁ ସୂଚାଉଛି।

ପାରମ୍ପରିକ ସମ୍ବଳର ସୁବିଧାକୁ ଆଧୁନିକ ଉଦ୍ଭାବନ ସହ ମିଶାଇ ଓଡ଼ିଶା ଆଜି ଶିଳ୍ପ ପୁନରୁଦ୍ଧାରରେ ଅଗ୍ରଗତି କରୁଛି। ରାଜ୍ୟର ରଣନୈତିକ ଦୃଷ୍ଟିକୋଣ, ସ୍ଥାୟୀ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ସହିତ ଏହା କେବଳ ଜାତୀୟ ଏବଂ ବୈଶ୍ୱିକ ନିବେଶକମାନଙ୍କୁ ଆକୃଷ୍ଟ କରୁ ନାହିଁ ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି।

ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବେ ଓଡ଼ିଶାର ଶିଳ୍ପ ଦକ୍ଷତା, ଅର୍ଥନୈତିକ ସମୃଦ୍ଧି ଓ ରୋଜଗାର ସୃଷ୍ଟିର କ୍ଷମତା କେନ୍ଦ୍ର ହେବା ଦିଗରେ ଏହାର ଯାତ୍ରାକୁ ତ୍ୱରାନ୍ୱିତ କରିବ। ଭବିଷ୍ୟତର ପ୍ରତିଶ୍ରୁତି ରଖି “ଆସ,ଏହି ମହାକୁମ୍ଭରେ ଯୋଗ ଦିଅ” ଆହ୍ୱାନ ଦେଇ ଓଡିଶା ଶିଳ୍ପ ବିକାଶରେ ପଥ ପ୍ରଦର୍ଶକ ହୋଇଛି।

 

Categories
ବିଶେଷ ଖବର ବ୍ୟବସାୟ

ସିଙ୍ଗିଲ ୱିଣ୍ଡୋ ମାଧ୍ୟମରେ ୧୨ଟି ପ୍ରକଳ୍ପ ଅନୁମୋଦିତ, ୨୦୭୧ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର‌୍ୟ୍ୟଟନ, ଆତିଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ଲଜିଷ୍ଟିକ୍ ପାର୍କ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର‌୍ୟ୍ୟକଳାପ ବୃଦ୍ଧିରେ ସହାୟକ ହେବ ।

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସିଙ୍ଗିଲ ୱିଣ୍ଡୋ ବୈଠକରେ ୫ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ, ବିନିଯୋଗ ହେବ ୧୮୫୧ କେଟି ଟଙ୍କା

ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬ କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ପ୍ରତ୍ୟେକ୍ଷ ଭାବେ ୧୬୨୪ ଜଣଙ୍କ ପାଇଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁ ପ୍ରକଳ୍ପଗୁଡିକ ମଂଜୁରୀ ହୋଇଛି ସେଗୁଡିକ ହେଲା

୧-ନବଭାରତ ପାୱାର ଆଣ୍ଡ ଷ୍ଟିଲ କଂପାନୀ କେଉଁଝର ଜିଲ୍ଲାରେ ଏକ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏଥିରେ ୩୫୦ କୋଟି ବ୍ୟୟ ଅଟକଳ ରଖାଯାଇଥିବା ବେଳେ ୨୫୮ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ।

୨-ସମ୍ବଲପୁର ଜିଲ୍ଲାରେ ଭିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ ତାହାର ସମ୍ବନିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରିବେ। ଏଥିରେ ୨୬୧.୭୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୩୩୮ ଜଣ ନିଯୁକ୍ତି ପାଇବେ।

୩-ବି.ଆର ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ୍ ଏହାର ଡୁମକେଲା ସ୍ଥିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରିବେ। ଏଥିରେ ୨୦୨.୨ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ୫୫୦ ଜଣ ନିଯୁକ୍ତି ପାଇବେ।

୪-ନ୍ୟୁ ଭିସ୍ତା ଲିମିଟେଡ, ଇମାମୀ ସିମେଣ୍ଟ ଏହାର କଳିଙ୍ଗ ନଗର ପ୍ଲାଣ୍ଟର ସଂପ୍ରସାରଣ କରିବ। ଏଥିପାଇଁ ୫୯୮.୬୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ସଂପ୍ରସାରଣରେ ୩୩୪ ଜଣ ନିଯୁକ୍ତି ପାଇବେ।

୫-ଓ.ସି.ଏଲ ଇଣ୍ଡିଆ ଲିମିଟେଡ୍ କଟକ ଜିଲ୍ଲାରେ ଏକ ସିମେଣ୍ଟ କାରକାନା ପ୍ରତିଷ୍ଠା କରିବେ। ଏଥିରେ ୪୪୧.୪୩ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ମଧ୍ୟ ୧୪୧ ଜଣ ନିଯୁକ୍ତି ପାଇବେ।

ଏହି ବୈଠକରେ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ସମସ୍ତ ପ୍ରକଳ୍ପ ସଂପର୍କରେ ଅବଗତ କରାଇଥିଲେ। ଏଥିରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶିଳ୍ପ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ ଉପସ୍ଥିତ ଥିଲେ।