Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ବ୍ଲକର ୩୦ ଜଣ ଓ ବାଲିଅନ୍ତା ବ୍ଲକର ୧୦ ଜଣ ମୋଟ ୪୦ ଜଣ ଆପଦ ମିତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଭୟ ରାଜ୍ୟ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏଥିରେ ଅଗ୍ନିଶମ କାର୍ଯ୍ୟାଳୟ, ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ଏବଂ ସିଭିଲ ଡିଫେନ୍ସର କର୍ମକର୍ତ୍ତା ମାନେ ତାଲିମ ପ୍ରଦାନ କରିବେ।

ଜିଲ୍ଲା ଦୁର୍ବିପାକ ପରିଚାଳନା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଆପଦକାଳୀନ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ କୂଳଦୀପ ପାଲଟାସିଂ ପ୍ରମୁଖ ସହଯୋଗ କରିଛନ୍ତି।