Categories
ଆଜିର ଖବର ରାଜ୍ୟ ଖବର

ସମାଜର ବକାଶ ପାଇଁ ନାରୀମାନଙ୍କର ଭୂମିକା ଅତୁଳନୀୟ: ବାଚସ୍ପତି

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା, ଆଚିଭର ଫାଉଣ୍ଡେସନ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ନାରୀ ପ୍ରତିଭାମାନଙ୍କୁ ଗୀତଗୋବିନ୍ଦ ସଦନ ପରିସରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆଚିଭର ନ୍ୟୁଜର ସ୍ୱନକ୍ଷତ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ କହିଲେ ଯେ, ସମାଜର ବିକାଶ ପାଇଁ ନାରୀମାନଙ୍କର ଭୂମିକା ଅତୁଳନୀୟ।

ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସମାଜର ବିକାଶ ପ୍ରତି ବିନିଯୋଗ କରିପାରିଲେ ଏକ ଉନ୍ନତ ରାଜ୍ୟ, ଦେଶ ଗଠନ ହୋଇପାରିବ। ପୁରାଣ, ଇତିହାସରେ ଏହାର ବହୁ ଜ୍ୱଳନ୍ତ ଉଦାହରଣ ରହିଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାସ, ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଆଡ଼ଭୋକେଟ ଗୋପାଳକୃଷ୍ଣ ମହାନ୍ତି, ପ୍ରଫେସର ମେଜର କଳ୍ପନା ଦାସ, ଦୂରଦର୍ଶନର ନିର୍ଦ୍ଦେଶିକା ଦିପ୍ତୀ ମିଶ୍ର, ଆଡ଼ଭୋକେଟ ବିଷ୍ଣୁପ୍ରସାଦ ପାତ୍ର, ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଆଚିଭର ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ, ଭାରତୀୟ ଫିଜିଆଟାରୀ ସୋସାଇଟିର ଅତିରିକ୍ତ ସାଧାରଣ ସମ୍ପାଦକ ଡ. ଶୁଭେନ୍ଦୁ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏକ ବିକାଶଶୀଳ ସମାଜରେ ନାରୀମାନେ ଯୁଗେ ଯୁଗେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି ବୋଲି କହିଥିଲେ।

ଉତ୍ସବର ପ୍ରାରମ୍ଭରେ ପ୍ରେରଣା ଗ୍ରୀନ୍ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରି କହିଲେ ଯେ, ଓଡ଼ିଶାରେ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀ ପ୍ରତିଭାମାନେ ସେମାନଙ୍କର ଦକ୍ଷତା ଦେଶ ବିଦେଶରେ ପ୍ରଦର୍ଶନ କରି ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ସେହି ମହିୟସୀ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ସହିତ ଆଗାମୀ ଦିନରେ ସମାଜର ସାମଗ୍ରୀକ ବିକାଶରେ ସାମିଲ୍ କରିବା ଆମ୍ଭର ଏହି ଉତ୍ସବର ମୁଖ୍ୟ ଆଭିମୁଖ୍ୟ। ଏଥିରେ ଆଚିଭର ଫାଉଣ୍ଡେସନ ଓ ଆଚିଭର ନ୍ୟୁଜର ପ୍ରତିଷ୍ଠାତା ଅଶୋକ କୁମାର ସୁନ୍ଦରାୟ ବକ୍ତବ୍ୟ ପ୍ରଦାନ କରି ନାରୀମାନଙ୍କୁ ଉନ୍ନତିପଥରେ ଆଗେଇ ନେବା ପାଇଁ ଆମ ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।

ଏହି ଅବସରରେ ଡଃ ସୁଷମା ମିଶ୍ରଙ୍କୁ କୁନ୍ତଳାକୁମାରୀ ସାହିତ୍ୟ ସମ୍ମାନ, ସରିତା ପଟେଲଙ୍କୁ ରମାଦେବୀ ସମାଜସେବୀ ସମ୍ମାନ, ପ୍ରଫେସର ସରୋଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ମାଳତୀ ଚୌଧୁରୀ ସେବା ସମ୍ମାନ, ବିନି ସାମଲଙ୍କୁ ପାର୍ବତୀ ଘୋଷ ସ୍ମାରକୀ ସିନେ ସମ୍ମାନ, ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁଙ୍କୁ ନନ୍ଦିନୀ ଶତପଥୀ ସେବା ସମ୍ମାନ, ଡ. ସ୍ୱାଧୀନାଙ୍କୁ ଓଡ଼ିଶାର ଶ୍ରେଷ୍ଠ ନାରୀ ପ୍ରତିଭା ସମ୍ମାନ, ସୁସ୍ମିତା ଦାସଙ୍କୁ କଣ୍ଠଶିଳ୍ପୀ ସମ୍ମାନ, ନମ୍ରତା ସିଂଦେଓଙ୍କୁ ଚଳିତବର୍ଷର ଶ୍ରେଷ୍ଠ ସିନେ ଅଭିନେତ୍ରୀ ସମ୍ମାନ, ମାନସୀ ପାଲଙ୍କୁ ଶ୍ରେଷ୍ଠ ଧାରାବାହିକ ସମ୍ମାନ, ନିଲ୍ ପଣ୍ଡାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ, ମନତୀ ସିଂ ଓ ମୌସୁମୀ ମହାନ୍ତିଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ରୋଜାଲିନ, ଗୁନ୍‌ଗୁନ୍‌, ଶିବାନୀ ମୁନ୍ଦ୍ରା, ଗାୟତ୍ରୀ ମହାନ୍ତିଙ୍କୁ ଶ୍ରେଷ୍ଠ ଉପସ୍ଥାପିକା ସମ୍ମାନ, ମିସ୍ ଟିମ୍ ଇଣ୍ଡିଆ ମିଲନ କୁମାରୀ ପଣ୍ଡାଙ୍କୁ ଶ୍ରେଷ୍ଠ ନାରୀ ପ୍ରତିଭା, ଆତ୍ମିକା ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଯୁବ ପ୍ରତିଭା, ରୋଛନା ମହାପାତ୍ରଙ୍କୁ ଶ୍ରେଷ୍ଠ ମେଧାବୀ ଛାତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହିତ ବହୁ ସମାଜସେବୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।