Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ବାଲିଯାତ୍ରାରେ ସିବିସି ପକ୍ଷରୁ ସ୍ବତନ୍ତ୍ର ପ୍ରଦର୍ଶନୀ

କଟକ: କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର‌ ବ୍ୟବସ୍ଥା କରାଯାଇଛି। ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ବିଷୟବସ୍ତୁକୁ ନେଇ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ପ୍ରଦର୍ଶନୀରେ ସାଧାରଣ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି।

ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ଥାନ ଦିଆଯାଇଛି। ସିବିସି ଷ୍ଟଲରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଦେଖିବାକୁ ସନ୍ଧ୍ୟାରେ ବହୁସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି। ଦର୍ଶକମାନେ ଆଗ୍ରହର ସହିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୫ରୁ ଅଧିକ ବ୍ୟକ୍ତି ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ପାଇସାରିଛନ୍ତି।