Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଜାତା କାର୍ତ୍ତିକେୟନ ବିଜେପି ସମର୍ଥନରେ ରାଜ୍ୟସଭା ଯିବେ !!! ଏପରି ଅବାନ୍ତର ଚର୍ଚ୍ଚା କାହିଁକି ହେଉଛି ?

ଭୁବନେଶ୍ବର: ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ ପାଣ୍ଡିଆନ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଜାରୀ ରହିଛି। କେତେବେଳେ କୁହାଯାଉଛି ସେ ଓଡିଶା ଛଡିବେ, କେତେବେଳେ ସେ ଭାରତ ଛାଡିବେ, କେତେବେଳ କୁହାଯାଉଛି ସେ ବିଜେଡି ମଙ୍ଗ ଧରିବେ।

ତେବେ ଏହି ଚର୍ଚ୍ଚା ଭିତରେ ଆଉ ଏକ ନୂଆ କଥା ଆଗକୁ ଆସିଛି। ତାହା ହେଲା ସେ କୁଆଡେ ରାଜ୍ୟସଭାକୁ ଯିବେ। ଆଉ ତା ପୁଣି ବିଜେପି ସମର୍ଥନରେ। ଏପରି ଏକ ଅବାନ୍ତର ଚର୍ଚ୍ଚାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଚାଲିଛି। ଏହା କଣ କେବେ ସମ୍ଭବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପୁଣି କେତେକ କୁହନ୍ତି ଖେଳ ଓ ରାଜନୀତିରେ ସବୁ ସମ୍ଭବ।

ଘଟଣାଟି ହେଲା ଆସନ୍ତା ବର୍ଷ ଏପ୍ରିଲ ମାସରେ ତିନିଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ ହେଲା ମମତା ମହନ୍ତ, ମୁନ୍ନା ଖାଁ ଏବଂ ସନାତନ ବିଶି। ମୁନ୍ନା ଖାଁ ଓ ସନାତନ ବିଶି ବିଜେଡି ହୋଇଥିବା ବେଳ ମମତା ବିଜେପିର ସାଂସଦ। ତେବେ ସଂଖ୍ୟା ଦୃଷ୍ଟିରୁ ବର୍ତ୍ତମାନ ବିଜେଡି ଗୋଟିଏ ହେଲେ ଆସନ ଜିତିବାର କ୍ଷମତା ନାହିଁ। ହେଲେ ଏକାବେଳ ତିନିଟି ଆସନରେ ନିର୍ବାଚନ ହେବାକୁ ଥିବାରୁ ବିଜେଡିର ଗୋଟିଏ ପଡିପାରେ ବୋଲି କୁହାଯାଉଛି।

ଯଦି ତାହା ସମ୍ଭବ ନ ହୁଏ ତେବେ ବିଜେପି ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ ସୁଜାତାଙ୍କୁ ବିଜେପି ସମର୍ଥନ କରିବ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିଜେପି ସେପରି କରିବ ନାହିଁ ବୋଲି ଆଶା କରାଯାଉଛି। ହେଲେ ଏହି ଅବାନ୍ତର ଚର୍ଚ୍ଚା ରାଜ୍ୟ ରାଜନୀତିରେ ବେଶ ରୋମନ୍ଥନ ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି’ ସମ୍ମିଳନୀ

ଭୁବନେଶ୍ବର: ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି।

ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ୱରରେ ଚାଲିଥିବା ପ୍ରଥମ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ବ୍ୟାପକ ମାନସମନ୍ଥନ ହୋଇଛି।

ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ବିଭିନ୍ନ ଅଧିବେଶନରେ ଯୋଡ଼ି ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ୧୬ଟି ବିଶେଷ ଅଧିବେଶନ ଜରିଆରେ ସେମାନେ ଭବିଷ୍ୟତର ଶିଳ୍ପ ପାଇଁ ଓଡ଼ିଶାରେ ରହିଥିବା ସମ୍ଭାବନା ତଥା ଭବିଷ୍ୟତ ଲାଗି ମାନବ ସମ୍ବଳ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ।

ମଙ୍ଗଳବାର ଦିନ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଯୋଗଦେଇ କହିଥିଲେ ଯେ, ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଆଜି ଦେଶବିଦେଶର ନିବେଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି। ପାରମ୍ପରିକ ଶିଳ୍ପ ସହ ଆଇଟି ଏବଂ ଆଇଟିଇଏସ୍‌, ମାନୁଫାକଚରିଂ, ଲଜିଷ୍ଟିକ୍‌ ଓ ସପ୍ଲାଏ ଚେନ୍‌ ତଥା ବିଭିନ୍ନ ସେବା କ୍ଷେତ୍ର ଲାଗି ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି।

ଏହାଛଡ଼ା ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ରର ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ଆଜିଠାରୁ ପ୍ରସ୍ତୁତ କରିବା ପାଇଁ ଆମ ରାଜ୍ୟ ପ୍ରସ୍ତୁତ ହେଉଛି । ଏହି ଦୁଇଦିନିଆ ସମ୍ମିଳନୀରେ ଏହିସବୁ ବିଷୟରେ ଯେଉଁ ବ୍ୟାପକ ଆଲୋଚନା ହେଲା ତାହା ଆମକୁ ଏକ ନୂଆ ମାର୍ଗଦର୍ଶନ ଦେବାରେ ସହାୟକ ହେବ।

ସୋମବାର ଦିନ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିିଢ଼ିଙ୍କ ଦକ୍ଷତା ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ବାଟ ଦେଖାଇବ । ସେହିପରି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍‌ ଯୋଗଦେଇ ଓଡ଼ିଶାର ରୂପାନ୍ତରଣର ନୂଆ ଯୁଗ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ସ୍କିଲï-ଇନ୍‌-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବାବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ସମ୍ମିଳନୀ ପ୍ରମୁଖ ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।

ସମ୍ମିଳନୀର ଦ୍ୱିତୀୟ ଦିନରେ ‘ମିଶନ ଶକ୍ତି ଓଡ଼ିଶା’ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣର ସୁଦୂରପ୍ରସାରୀ ସୁଫଳ ସମ୍ପର୍କରେ କହିଥିଲେ।ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପଛରେ ୭୦ ଲକ୍ଷରୁ ଅଧିକ ମହିଳା ଶକ୍ତିଙ୍କର ହାତ ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ।

ଏହାସହ ମଙ୍ଗଳବାର ଦିନ ବିଭିନ୍ନ ବିଷୟରେ ହୋଇଥିବା ବୈଷୟିକ ଅଧିବେଶନରେ ପୂର୍ବତନ ଶିଳ୍ପ ନେତୃତ୍ୱ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକଫର ସଂତୃପ୍ତ ମିଶ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ଯୋଗ ଦେଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ୱ ଓ ମାନବ ସମ୍ବଳ ଓ ଦକ୍ଷତା ବିକାଶ ବିଶେଷଜ୍ଞମାନଙ୍କ ସକ୍ରିୟ ଯୋଗଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।