Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ, ଯୋଗଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏହାର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ପାଳନ କରିଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହଲେ ଯେ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ ଓ ଏହାର ସଂରକ୍ଷଣ ନିମନ୍ତେ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକ ରହିଛି।

ଐତିହ୍ୟର ସଂରକ୍ଷଣ ସହ ଆଧୁନିକତାର ତାଳେ ତାଳେ ପାଦଦେଇ ଚାଲିବା ସମୟର ଆହ୍ୱାନ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ସାଂସ୍କୃତିକ ବିକାଶରେ ଏହାର ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ ଓ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ତର୍ଜାତିକ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା କାର୍ଯ୍ୟକୁ ଆଗେଇ ନେବାରେ ଜାପାନଠାରୁ ଆରମ୍ଭ କରି ପୃଥିବୀର ବିଭିନ୍ନ ଦେଶର କଳା ଓ ଆମ ଦେଶର ସଂସ୍କୃତି ସହିତ ଆମର ଐତିହ୍ୟକୁ କିପରି ସଂଯୋଗ କରାଯାଇପାରିବ ଏଥି ନିମନ୍ତେ ଅନବରତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ କହିଲେ ଯେ ଓଡ଼ିଶାର ସାଂସ୍କୃତିକ ବିକାଶଧାରାରେ ଏହି ବିଶ୍ୱବିଦ୍ୟାଳୟର ଗୁରୁଦାୟିତ୍ୱ ରହିଛି। ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜ ନିଜର କଳାତ୍ମକ ପ୍ରତିଭାର ସୁଯୋଗକୁ ସଦୁପଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ ସହ ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ସମ୍ବନ୍ଧରେ ସୂଚନା ଦେଇଥିଲେ । ମାନବର ବୌଦ୍ଧିକ ବିକାଶ ହେଲେ ସମାଜର ବିକାଶ ହୋଇପାରିବ। ଏଥି ନିମନ୍ତେ ଶିକ୍ଷା ସହ ସାହିତ୍ୟ, କଳା ଓ ଐତିହ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ କହିଥିଲେ ।

ଏହି ଅବସରରେ କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ବିଶ୍ୱବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ବିଶ୍ୱବିଦ୍ୟାଳୟରେ ନୂତନ କରି ସାଂସ୍କୃତିକ ଐତିହ୍ୟ ଓ ସୁରକ୍ଷା ଏବଂ ସଂଗ୍ରହାଳୟ ବିଜ୍ଞାନ ଦୁଇଟି ନୂତନ ସ୍ନାତକୋତ୍ତର ବିଭାଗ ଖୋଲିବା ସହ ସୁନନ୍ଦା ପଟ୍ଟନାୟକ, ସାରଳା ଦାସ, ଭୀମଭୋଇ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ଚାରୋଟି ଚେୟାର ପ୍ରତିଷ୍ଠା କରାଯାଇଥିବା ସେ ସୂଚନା ଦେଇଥିଲେ ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ଡ. ନରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଦେବେନ୍ଦ୍ରନାଥ ଜେନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଭିନ୍ନ ବିଭାଗରେ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଅମ୍ବିକା ନନ୍ଦ ଓ ଛାତ୍ର ହିମାଂଶୁ ମହନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥିମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ ସହ ଦୃଶ୍ୟକଳା ବିଭାଗର କାଟାଲଗ୍‌ ‘ସୃଷ୍ଟି’, ସାହିତ୍ୟଭିତ୍ତିକ ପତି୍ରକା ‘ରୂପାୟନ’, ବିଶ୍ୱବିଦ୍ୟାଳୟର ସ୍ମରଣିକା ‘ସଂସ୍କୃତି’ ଏବଂ ଅଧ୍ୟାପକ ଡ. ଚକ୍ରଧର ବେହେରାଙ୍କ ଦ୍ୱାରା ରଚିତ ‘ଦ କ୍ଲେ ଇମେଜ୍‌ ଆଣ୍ଡ ପୋଟର୍ସ ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଏହି ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ସିକତା ଦାସ, ଉତ୍କଳ ସଂଗୀତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ ଜେନା, ବି.କେ. ଆର୍ଟ କଲେଜର ଅଧ୍ୟକ୍ଷ ଡ. ଗଜେନ୍ଦ୍ର ପାଢ଼ୀ, ସରକାରୀ ଓ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକଙ୍କ ସମେତ ସହବନ୍ଧିତ ମହାବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଧରଣୀଧର ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଡ. ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁଜାତା ରାଉତ କାର୍ତ୍ତିକେୟନ୍‌

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାର୍ଯ୍ୟ କରିବା ଏକ ଗୌରବର କଥା ଓ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ସେ ଆନ୍ତରିକ ଭାବେ ସଂପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଲୋକସେବା ଭବନଠାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲିପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଅତସୀ ଦାସ, ଯୁଗ୍ମ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଶ୍ରୀମତୀ କାର୍ତ୍ତିକେୟନ୍‌ ବିଭାଗର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ଅଧିକାରୀମାନଙ୍କଠାରୁ ସହଯୋଗ କାମନା କରିଥିଲେ।

ଏହା ପରେ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟଲେରୀରେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୭ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଶ୍ରୀମତୀ କାର୍ତ୍ତିକେୟନ୍‌ ଖୁସି ବ୍ୟକ୍ତ କରିଥିଲେ। ଏଭଳି ଚିତ୍ରକଳା ଆୟୋଜନ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କର ସେ ପ୍ରଶଂସା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗଜେନ୍ଦ୍ର କୁମାର ପାଢ଼ୀ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲଙ୍କ ସମେତ ସଂଗ୍ରହାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି। ସେ ମିଶନ ଶକ୍ତି ସହିତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ଓ ସଚିବ ଭାବେ କାର୍ଯ୍ୟ କରିବେ। ତାଙ୍କୁ ଅତିରିକ୍ତ ଦାୟିତ୍ବ ଭାବେ ଏହି ବିଭାଗ ପ୍ରଦାନ କରାଯାଇଛି।

ଏ ନେଇ ଆଜି ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶାରେ ମହିଳା ସଶକ୍ତିକରଣ ଦିଗରେ ସେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଅପହଞ୍ଚ ଇଲାକାର ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ରୋଜଗାରକ୍ଷମ ହୋଇପାରିଛନ୍ତି। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂସ୍କୃତି ବିଭାଗର ଅତିରିକ୍ତ କମିଶନର ତଥା ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।