Categories
ଆଜିର ଖବର ରାଜ୍ୟ ଖବର

ଛାତ କଣାକରି ୧ କିଲୋ ୪ଶହ ଗ୍ରାମ ସୁନା ଅଳଙ୍କାର ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦଶହରା, କୂମାର ପୂର୍ଣ୍ଣିମା ସମୟରେ ସହରରେ ଜୁଆଖେଳ, ଆଇପିଏଲ୍ ବେଟିଂ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ଏକ ବଡ଼ଧରଣର ସୁନା ଲୁଟ୍ ପୋଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଆଜି ବଡ଼ବଜାର ଅନ୍ତର୍ଗତ ଏକ ସୁନା ଦୋକାନରୁ ଦୁବୃର୍ତ୍ତମାନେ ଛାତ କଣା କରି ୧୪୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟ୍ କରି ଚମ୍ପଟ ମାରିଛନ୍ତି। ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ବିନୋଦ ଜୁଏଲର୍ ମାଲିକ ଟି. ରବି କୁମାର ଆଜି ସକାଳେ ଦୋକାନ ଖୋଲିବା ସମୟରେ ଦୋକାନରୁ ସୁନା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ।

ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ବିନୋଦ ଜୁଏଲର୍ସ ଦୋକାନଟି ତିନି ମହଲା ବିଶିଷ୍ଟ ହୋଇଥିବାବେଳେ ଉପର ମହଲାଗୁଡ଼ିକର କୌଣସି କବାଟ ନଥିଲା ତଥା ଏହା ପରିତ୍ୟକ୍ତ ଅବସ୍ଥାରେ ଥିଲା। ଲୁଟେରାମାନେ ଏହି ପରିତ୍ୟକ୍ତ ଘର ମଧ୍ୟରେ ପଶି ଜୁଏଲର ସୁନା ଅଳଙ୍କାର ରଖିବା ଲକର ରୁମ୍ ଉପରେ ଆଜବେଷ୍ଟସ୍‌କୁ କଣା କରି ଭିତରେ ପଶିଥିଲେ।

ଗତକାଲି ରାତିରେ ଏହି ଚୋରି ହୋଇଥିବାବେଳେ ଉକ୍ତ ଲକ୍‌ର ରୁମ୍‌ର ସିସି ଟିଭି ଟି ଖରାପ୍ ଥିବାରୁ ଲୁଟେରାଙ୍କ ଚିହ୍ନଟ ହୋଇପାରିନଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ତେବେ ଯେଉଁଭଳି ଲୁଟେରାମାନେ ଲୁଟ୍ କରିଛନ୍ତି ସେଥିରୁ ସେମାନେ ଏହି ଦୋକାନକୁ ପୂର୍ବରୁ ରେକିଂ କରିଥିବା ଅନୁମାନ କରାଯାଉଛି କିମ୍ବା ଏଥିରେ କିଛି ନିଜ ଲୋକ ସାମିଲ ଥିବା ସଂଦେହ ଦୃଢ଼ିଭୂତ ହେଉଛନ୍ତି। ବଡ଼ବଜାର ଥାନା ପକ୍ଷରୁ କେସ ନଂ ୧୨୩/୨୦ରେ ମାମଲା ରୁଜୁ ହୋଇ ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଥିବା ଥାନାଧିକାରୀ ଶ୍ରୀ ଭୂପତି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ୍‌: ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ରହୁଥିବା ଜନୈକ ମହିଳାଙ୍କୁ ଘରେ ପଶି ମାଡ଼ ମାରିବା ସହ ସୁନା ଅଳଙ୍କାର ଲୁଟ୍ ଘଟଣାରେ ବଡ଼ବଜାର ପୋଲିସ୍ ଅନୁସନ୍ଧାନ କରି ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତକୁ ଗିରଫ କରି ସଫଳତା ହାସଲ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଉତ୍ତରମୁଖୀ ସାହିର ଶିବ ପଟ୍ଟନାୟକ (୨୮) ଏବଂ ମାର୍ଥା ସାହିର ନରସିଂହ ବାଡ଼ତ୍ୟା (୨୩)। ଅଭିଯୁକ୍ତଙ୍କଠାରୁ ଲୁଟ୍ ସୁନା ଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ୍‌କୁ ପୋଲିସ୍ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ରଘୁପତି ନଗରରେ ରହୁଥିବା ମୀନତି ଦାସ (୫୩) ଘରେ ଏକୁଟିଆ ଥିବା ସମୟରେ ଦୁଇ ଅଭିଯୁକ୍ତ ଶିବ ପଟ୍ଟନାୟକ ଏବଂ ନରସିଂହ ବାଡ଼ତ୍ୟା ତାଙ୍କ ଘରେ କବାଟ ଭାଙ୍ଗି ଜବରଦସ୍ତ ପଶିଥିଲେ। ସେମାନେ ଖଣ୍ଡା ଦ୍ୱାରାଂ ମହିଳାଙ୍କୁ ଭୟଭୀତ କରାଇଥିଲେ। ଏହାସହ ଟଙ୍କା ମାଗି ତାଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ମୋଟର ସାଇକେଲ୍‌ରେ ପଳାଇଥିବା ବେଳେ ଉଭୟ ଅଭିଯୁକ୍ତ ଆସାମଜିକ ଯୁବକ ହୋଇଥିବାରୁ ସାହିଲୋକ ଚିହ୍ନି ଥିଲେ। ଏନେଇ ମୀନତୀ ଥାନାରେ ଅଭିଯୋଗ କରିଥିଲେ। ଏହି ଆକ୍ରମଣରେ ମୀନତୀ ଦାସଙ୍କ ବେକରେ ଆଘାତ ଲାଗିଥିଲା।

ପୋଲିସ୍ ଥାନା କେସ ନଂ ୧୭୪/୨୦, ୪୫୦/୩୯୪ ଆଇପିସି/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନ ପରେ ମାତ୍ର ତିନିଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ୱୟକୁ ଠାବ କରି ଗିରଫ କରିଥିଲା। ତେବେ ଏହି ଦୁଇଜଣ କୁଖ୍ୟାତ ଅପରାଧୀ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡ଼କାୟତି ଭଳି ମାମଲା ରିହିଛି । ଶିବ ପଟ୍ଟନାୟକ ନାମରେ ପୂର୍ବରୁ ୧୨ଟି ମାମଲା ରୁଜୁ ହୋଇଥିବାବେଳେ ନରସିଂହ ନାମରେ ମଧ୍ୟ ମାମଲା ରହିଛି। ଦୁଇ ଅଭିଯୁକ୍ତଙ୍କ କରୋନା ପରୀକ୍ଷା ହେବା ପରେ କୋର୍ଟଚାଲଣ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।