Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସୁନା ଚେନ୍ ନମିଳିବାରୁ ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୁମାର ପୂର୍ଣ୍ଣିମାରେ ଅଘଟଣ ଘଟିଛି। ସୁନା ଚେନ୍ ଦାବି କରି ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିରେ ଏଭଳି ଏକ ଅବାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ, ୪/୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମୀନତୀ ଜରିପଡା ଚିଲିକା ସାହିର ଗଂଗାଧର ଉଦଣ୍ଡରାୟଙ୍କ ପୁତ୍ର ତୋଫାନ୍ ଉଦଣ୍ଡ ରାୟଙ୍କୁ ବିବାହ କରିଥିଲେ। ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏନେଇ ମୀନତୀଙ୍କ ବାପ ଘର ଲୋକେ ଜରିପଡାରେ ପହଂଚି ତୋଫାନଙ୍କୁ ବାରମ୍ବାର ବୁଝାଶୁଝା କରିଆସୁଥିଲେ।

ହେଲେ ଗତ ୩ ଦିନ ତଳେ ମୀନତୀଙ୍କ ବାପ ଘର ପକ୍ଷରୁ ମୀନତୀ ଓ ତାଙ୍କ ସ୍ୱାମୀ ତୋଫାନଙ୍କ ପାଇଁ କୂମାରପୂର୍ଣ୍ଣିମା ଭାର ପଠାଇ ଥିଲେ। ତେବେ ଗତ କାଲି ରାତିରେ ମୀନତିଙ୍କୁ ବାପ ଘରୁ ସୁନା ଚେନ୍ ଆଣିବା ପାଇଁ ଦାବି କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ଶାଶୁ ଘର ଲୋକେ ମୀନତିଙ୍କ ତଣ୍ଟି ଚିପି ମାରି ଦେଇଥିବା ମୀନତୀଙ୍କ ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକଙ୍କ ନିର୍ଦ୍ଦେଶ କ୍ରମେ କେସ ନମ୍ବର ୪୦୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହ  ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଅଟକ ରଖି ପୋଲିସ୍ ତଦନ୍ତ ଚଳାଇଛି।

ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକ ଆଦି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।