Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଶା ବେପାରୀଙ୍କ ଉପରେ ପୁରୀ ଟାଉନ ଥାନାର ଚଢାଉ,୪୯ଟି ଏସ୍କଫ କଫ ସିରପ ଜବତ

ପୁରୀ: ପୁରୀ ଟାଉନ ଥାନା ପୋଲିସ ନିଶା ବେପାରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଥୁବା ବେଳେ ଗତକାଲି ପାଟ୍ରୋଲିଂ ସମୟରେ ଜଣେ ନିଶା ବେପାରି ଗିରଫ ହୋଇଛନ୍ତି। ସୂଚନା ମୁତାବକ ଲୋକନାଥ ରୋଡ ବାରବାଟୀ ଜାଗାରେ ବେଆଇନ ଏସ୍କଫ କଫ ସିରପ ବିକ୍ରି ହେଉଥିବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ୪୯ ଗୋଟି ଏସ୍କଫ କଫ ସିରପ ଓ କିଛି ନକଦ ଟଙ୍କା ଜବତ କରିଛି ପୋଲିସ ଏବଂ ବାସେଳୀ ସାହି ଥାନା ଅଞ୍ଚଳର ଅଭିଯୁକ୍ତ ରାଜେନ୍ଦ୍ର ଜେନା(୪୦) ଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ମାନିତ ହେଲେ ପୁରୀ ଟାଉନ ଥାନାଧିକାରୀ

ପୁରୀ: ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସଫଳ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପୁରୀ ଟାଉନ ଥାନାଧିକାରୀ ସୁନୀଲ କୁମାର ପ୍ରଧାନ ସମ୍ମାନିତ ହୋଇଛନ୍ତି। ଶ୍ରୀ ପ୍ରଧାନଙ୍କୁ ପୁରୀ ରାଜଭବନରେ ସମ୍ମାନିତ କରାଯାଇଛି। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା, ପୁରୀ ନାମକ ସାମାଜିକ ସଂଗଠନ ପକ୍ଷରୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି।

ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ କୌଣସି କାରଣ ବଶତଃ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ରାଜ୍ୟପାଳଙ୍କ ପିଆରଓ ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଟାଉନ ଥାନାଧିକାରୀଙ୍କୁ ଉକ୍ତ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

ଏହି ଅବସରରେ ଉକ୍ତ ସଂଗଠନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ନିସ୍ଵାର୍ଥପର ତ୍ୟାଗ ଓ ନିଷ୍ଠାପର ଉଦ୍ୟମ ସହକାରେ ମହାପ୍ରଭୁଙ୍କ ସେବା କରିଥିବାରୁ ଅତିଥି ମାନେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।