Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘ସତ୍ୟବାଦୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ’ରେ କେନ୍ଦ୍ରମନ୍ତ୍ରୀ

ମଙ୍ଗଳପୁର/ଢେଙ୍କାନାଳ: ଆମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା କ’ଣ, ତା’ ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡିବ। ଯେଉଁ ବ୍ୟକ୍ତି, ସମାଜ କିମ୍ବା ସମୂହ ତା’ର ମୂଳ ବିଷୟ ଏବଂ ଅସ୍ମିତା ସମ୍ପର୍କରେ ଅସ୍ପଷ୍ଟ, ସେହି ବ୍ୟକ୍ତି କେବେ ବି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିପାରିବ ନାହିଁ ବୋଲି ଶନିବାର ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଠାରେ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର “ସୁବର୍ଣ୍ଣ ଜୟନ୍ତୀ ସମାରୋହ”ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ସ୍ୱାଧୀନତାକୁ ଭଲ ଭାବରେ ବୁଝିଥିବା କାରଣରୁ ବ୍ରିଟିଶମାନଙ୍କୁ ନଦୀ ପାର କରାଇନଥିଲେ। ଏଥିରେ ମୂଳ ବିଷୟ ଥିଲା ଦେଶପ୍ରେମ। ଏହି ଆଧାରରେ ପିଲାମାନଙ୍କୁ ଶିକ୍ଷାର ମୂଳ ଲକ୍ଷ୍ୟ ସହ ଯୋଡିବାକୁ ପଡିବ। ଆମ ଜୀବନ ସ୍ୱୟଂ ପାଇଁ ନୁହେଁ ବରଂ ସମୂହ ପାଇଁ। ଏହାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପଡିବ। ସ୍କୁଲ ଶିକ୍ଷା ପାଇଁ ଯୋଜନା କରିବା ସହ ପିଲାମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ ନେବା ପାଇଁ ପଡିବ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ବୈଷ୍ଣବ ଚରଣ ପଟ୍ଟନାୟକ, ଶହୀଦ ବାଜି ରାଉତ, ମହେଶ ଚନ୍ଦ୍ର ସୁବାହୁ ସିଂ, ସାରଙ୍ଗଧର ଦାସ ଓ ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଦେଶସେବାରେ ବ୍ରତୀ ହୋଇ ୨୦୩୬ ଓ ୨୦୪୭ ମସିହା ସୁଦ୍ଧା ବୈଶ୍ୱିକ ନାଗରିକଙ୍କ କଲ୍ୟାଣ ପାଇଁ ଏବେ ଠାରୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ପ୍ରଧାନ ଅପିଲ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଢେଙ୍କାନାଳ ସ୍ୱତନ୍ତ୍ର ଜିଲ୍ଲାର ଅଧିକାରୀ। ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି। ଏଥିପାଇଁ ଏ ଅଞ୍ଚଳର ମହାପୁରୁଷମାନେ ଜିଲ୍ଲାର ବିକାଶ ପାଇଁ ଶିକ୍ଷାକୁ ଆୟୁଧ କରିଥିଲେ। କଳା, ସାହିତ୍ୟ ଓ ସଂସ୍କୃତିସମ୍ପନ୍ନ ଜିଲ୍ଲା ଢେଙ୍କାନାଳର ନାଗରିକମାନେ ଆତ୍ମବିଶ୍ୱାସୀ। ସତ୍ୟବାଦୀ ସରକାରୀ ହାଇସ୍କୁଲର ୫୦ ବର୍ଷ ପୂର୍ତ୍ତି ହେବା ଢେଙ୍କାନାଳ ଜିଲ୍ଲା ପାଇଁ ଏକ ଗୌରବମୟ ଉପଲବ୍ଧି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ କାର୍ଯ୍ୟକାରୀ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ସାମର୍ଥ୍ୟ ବା ଯୋଗ୍ୟତା, ମାତୃଭାଷାରେ ଶିକ୍ଷା ପ୍ରଦାନ, ଶିକ୍ଷାର ମୂଳକୁ ମଜଭୂତ୍ କରିବା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଆଜି ଯେତେବେଳେ ଟେକ୍ନୋଲୋଜି ଯୁଗରେ ଡିଗ୍ରୀ ଓ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ଅଧିକ ମହତ୍ତ୍ୱ ରଖୁଛି, ସେହି ସମୟରେ ଅନେକ ମହାପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠା ହୋଇ ବଟ୍ଟବୃକ୍ଷର ରୂପ ନେଇଥିବା ସତ୍ୟବାଦୀ ସରକାରୀ ହାଇସ୍କୁଲ ଢେଙ୍କାନାଳରେ ଶିକ୍ଷାର ପରମ୍ପରାକୁ ଆଗକୁ ନେବ ବୋଲି ସେ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର “ସୁବର୍ଣ୍ଣ ଜୟନ୍ତୀ ସମାରୋହ” ଅବସରରେ ଏକ ସ୍ମରଣିକା ଉନ୍ମୋଚନ ସହ ସ୍କୁଲର ପ୍ରତିଷ୍ଠାତା ସଦସ୍ୟମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ। ଏହା ପୂର୍ବରୁ ଶ୍ରୀ ପ୍ରଧାନ ସ୍କୁଲ ପରିସରରେ ଆୟୋଜିତ ‘ରକ୍ତଦାନ ଶିବିର’ରେ ଯୋଗଦେବା ସହ ପୃଥକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିକୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜସେବା ଓ ପରିବେଶ ସୁରକ୍ଷାର ମନୋଭାବ ତିଆରି କରିବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପ୍ରଗତି ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ହିଁ ଅନ୍ୟ ଏକ ବିକଳ୍ପ ବୋଲି ରବିବାର ଏହି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାର କୃଷି ଉତ୍ପାଦିତ ସାମଗ୍ରୀକୁ ବାହାର ବଜାରରେ ପହଞ୍ଚାଇବା ପାଇଁ ପଡିବ। ଆମ ସମସ୍ତଙ୍କର ଦାୟିତ୍ୱ ଏ ଜିଲ୍ଲାକୁ ଆଗକୁ ନେବା ପାଇଁ ପଡିବ। ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱର କେନ୍ଦ୍ରବିନ୍ଦୁ ହେଲାଣି। ସେହି ସମୟରେ ଓଡ଼ିଶାର ପ୍ରଗତି ସେବେ ସମ୍ଭବ ହେବ ଯେବେ ନବରଙ୍ଗପୁର ପରି ଆକାଂକ୍ଷୀ ଜିଲ୍ଲା ଶିକ୍ଷା ମାଧ୍ୟମରେ ସ୍ୱାବଲମ୍ବୀ ଓ ସ୍ୱାଭିମାନ ହେବ। ଜିଲ୍ଲାର ପ୍ରଗତିରେ ହିଁ ରାଜ୍ୟ ଓ ଦେଶର ପ୍ରଗତି ଲୁଚି ରହିଛି। ଜିଲ୍ଲାକୁ ଆଗକୁ ନେବାକୁ ହେଲେ ଶିକ୍ଷାର କୌଣସି ବିକଳ୍ପ ନାହିଁ। ଶିକ୍ଷା ହିଁ ମଣିଷକୁ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ କରିବ। ଏହା ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ। ଶିକ୍ଷା ନୀତି ଚାକିରି ଅନ୍ୱେଷଣ ନୁହେଁ ଚାକିରିଦାତା ହେବାକୁ ଗୁରୁତ୍ୱ ଦେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣିତ ନୂଆ ଜାତୀୟ ଶିକ୍ଷା ନୀତିକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଡା.କେ.କସ୍ତୁରିରଙ୍ଗନ ପ୍ରସ୍ତୁତ କରିଛନ୍ତି। ସ୍ଥାନୀୟ ଓ ମାତୃଭାଷାରେ ପାଠ ପଢିବା ପାଇଁ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ମାତୃଭାଷାରେ ପାଠ ପଢିଲେ ହିଁ ଏ ଅଞ୍ଚଳର ଜନଜାତି ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପରିପ୍ରକାଶ ଘଟିବ। ମାତୃଭାଷାରେ ଶିକ୍ଷା ମଣିଷକୁ ଉଚ୍ଚତର ସୋପାନକୁ ନେଇଥାଏ।

ନବରଙ୍ଗପୁର କଲେଜରେ ସମାଜର ଅଧିକାଂଶ ବଞ୍ଚିତ ବର୍ଗର ପିଲାମାନେ ପାଠ ପଢୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର କଲେଜକୁ ବିଧିବଦ୍ଧ ଭାବେ ସରକାରୀ କଲେଜ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ। କଲେଜକୁ ସରକାରୀ ମାନ୍ୟତା ମିଳିବା ଦ୍ୱାରା ଜନଜାତି ଛାତ୍ରଛାତ୍ରୀମାନେ ଅଧିକ ଲାଭ ପାଇପାରିବେ। ଶିକ୍ଷାନୁଷ୍ଠାନର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ମଧ୍ୟ ଯଥାସମ୍ଭବ ସହଯୋଗୀ ହେବେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଏହି ଜିଲ୍ଲାର ଝରିଗାଁର ଗରିବ ପରିବାରରୁ ଆସି ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଶ୍ରୀକାନ୍ତ ସାହୁଙ୍କୁ ସେ ଭେଟିଥିଲେ। ଶ୍ରୀକାନ୍ତ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଟୋ ମୋବାଇଲ ସେକ୍ସନରେ କାମ କରୁଛନ୍ତି। ଏକ ଗରିବ ପରିବାରରୁ ଆସିଥିବା କାରଣରୁ ଶ୍ରୀକାନ୍ତ ଆଇଟିଆଇ ପଢିଥିଲେ। ନବରଙ୍ଗପୁର ମାଟିରେ ସେହି ପ୍ରତିଭା ଅଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଛି, ସେହି ସମୟରେ ଏହି କଲେଜ ୫୦ ବର୍ଷ ପୂରଣ କରିବା ଆମ ପାଇଁ ଗୌରବର ବିଷୟ। ଇଂରେଜ ବିରୋଧୀ ପ୍ରଜା ଆନ୍ଦୋଳନରେ ଅବିଭକ୍ତ କୋରାପୁଟର ମାତୃଶକ୍ତି ମାନଙ୍କର ଅବଦାନ ଅବିସ୍ମରଣୀୟ। କୋୟା ରାଜଜେମା ବାଙ୍ଗରା ଦେବୀ, ବଣ୍ଡା ରାଣୀ ଖରା ପାର୍ବତୀ, ଲକ୍ଷ୍ମୀ ସଉରୁଣିଙ୍କ ସମେତ ଉମରକୋଟର ଅନେକ ଛୋଟ ଝିଅମାନେ ଇଂରେଜ ସାଙ୍ଗରେ ଲଢି  ନିଜର ସାହସ ଦେଖାଇଥିଲେ।

ନବରଙ୍ଗପୁର ଜିଲ୍ଲା ଆକାଂକ୍ଷୀ ଜିଲ୍ଲା। ନବରଙ୍ଗପୁର ଜିଲ୍ଲାର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି କଲେଜ ସହ ଯୋଡି ହୋଇ ରହିଛି। ଅନେକ ବ୍ୟକ୍ତିବିଶେଷଙ୍କର ଆଦିଭୂମି ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୫୦ ବର୍ଷ ଧରି ଅନେକ ଛାତ୍ରଛାତ୍ରୀ ବିଶେଷତଃ ଜନଜାତି ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି। ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ନବରଙ୍ଗପୁର କଲେଜର ପୁରାତନ ଛାତ୍ର ସଂଘ ଓ କଲେଜ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମନୀଷା ପଣ୍ଡା ସୁନ୍ଦର ପାରମ୍ପରିକ ଚିତ୍ର ପ୍ରଦାନ କରିଥିଲେ। ମନୀକ୍ଷାଙ୍କ ଚିତ୍ର କରିବାର ପ୍ରତିଭା ଯୁବ ସମାଜକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।