Categories
ଜାତୀୟ ଖବର ବିଶେଷ ଖବର

ଚକ୍ରବ୍ୟୁହରେ ଚତୁର୍ଥ ସ୍ତମ୍ଭ

ସୁବାଷ କୁମାର ତାରଣିଆଁ

ଗଣତନ୍ତ୍ରକୁ ସୁଦୃଢ ଓ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଆଉ ଗଣମାଧ୍ୟମକୁ ସଠିକ୍ ଭାବରେ ପରିଚାଳନା କରିବାରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭଳି ଉଭା ହୋଇଥାନ୍ତି। ଯେଉଁ ଦେଶରେ ଗଣତନ୍ତ୍ରର ସ୍ୱର ଯେତେ ପ୍ରଖର, ସେ ଦେଶ ସେତେ ଉନ୍ନତ ଓ ଦୁର୍ନୀତିମୁକ୍ତ। ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାରେ ଗଣତନ୍ତ୍ର ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ମିଳିଛି।

ଗଣମାଧ୍ୟମ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ଘଟଣାବଳୀକୁ ନେଇ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା ହିଁ ଗଣମାଧ୍ୟମ ଉପରେ ବିଶ୍ୱାସନୀୟତା ବଢିଥାଏ। କଲମ ମୁନରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନର ସହ ବଞ୍ଚାଇ ରଖିବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣମାଧ୍ୟମର ମୂଳ ଲକ୍ଷ୍ୟ।

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା ଏବଂ ଗଣତନ୍ତ୍ର ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମକୁ ନେଇ ଚାରୋଟି ସ୍ତମ୍ଭ କାର୍ଯ୍ୟକାରୀ ହୋଇଥିଲା। ଦେଶର ସାମଗ୍ରିକ ବିକାଶ ଦିଗରେ ଗଣମାଧ୍ୟମର ଭୂମିକା ରହିଛି।

ସେହିପରି ଗଣତନ୍ତ୍ରକୁ ସୁପରିଚାଳନା କରିବା ଦିଗରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ହେଉଥିବା ଘଟଣାବଳୀ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ। ସେହି ଦୃଷ୍ଟିରୁ ଚାରିସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସମାଜର ପରଦା ପଛରେ ଲୁଚି ରହିଥିବା ଅବହେଳିତ, ନିଷ୍ପେସିତ ପ୍ରତିଭାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମଧ୍ୟ ଗଣମାଧ୍ୟମର ଯଥେଷ୍ଟ ଅବଦାନ ରହିଛି। ଗଣମାଧ୍ୟମକୁ ସଠିକ୍ ଭାବେ ପରିଚାଳନା କରିବାକୁ ହେଲେ ସାମ୍ବାଦିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନରାତି, ଶୀତ କାକର, ଖରା, ବର୍ଷା ଓ ଭୋକ ଉପାସକୁ ଖାତିର ନକରି ବର୍ଷକ ୩୬୫ ଦିନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଗଣମାଧ୍ୟମ ଓ ସାମ୍ବାଦିକ ସର୍ବଦା ସମାଜରେ ସୁନାମ କମାଇ ଥାଆନ୍ତି।

୨୦୦୩ ମସିହାରେ ଚାଇନା ଦେଶରେ ଏକ ଭୟଙ୍କର ରୋଗ ମହାମାରୀର ରୂପ ନେଇଛି ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଖବର ଛାପି ଜଣେ ବ୍ୟକ୍ତି ସରକାରଙ୍କ ଦ୍ୱାରା ଗିରଫ ହେବା ଏବଂ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶନ କରି ମୁଖ୍ୟ ଶିରୋନମା ପାଲଟିଥିଲେ ଜଣେ ସାମ୍ବାଦିକ । ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକ ଜଣକ ରୋଶର ଶିକାର ହୋଇଥିଲେ ଏବଂ ଜେଲ୍ ମଧ୍ୟ ଯାଇଥିଲେ।

ତତ୍କାଳୀନ ସମୟରେ ଚାଇନାରେ ଖବରକାଗଜଗୁଡ଼ିକର ମାଲିକ ଥିଲେ ଖୋଦ୍ ଶାସକ ଦଳ। ହେଲେ ସାମ୍ବାଦିକ ଜଣକ ଏସବୁକୁ ଭ୍ରୁକ୍ଷେପ ନକରି ବା ଶାସକ ଦଳକୁ ଭୟ ନକରି ନିଜର ଚିରାଚରିତ ଭାବେ ନିରପେକ୍ଷ ଖବର ପରିବେଷଣ କରିଚାଲିଥିଲେ। ସରକାରଙ୍କ ନାଲିଆଖି ଓ ଜେଲ୍‌ର ଭୟ ସାମ୍ବାଦିକ ଜଣଙ୍କୁ ପ୍ରଭାବିତ କରିନଥିଲା। ଅଶୀ ଠାରୁ ମସିର ବଳ ବେଶି ଉକ୍ତିକୁ ପ୍ରତିପାଦନ କରି ଉକ୍ତ ସାମ୍ବାଦିକ ଜଣକ ଆଗକୁ ଆଗକୁ ମାଡ଼ି ଚାଲିଥିଲେ।

ଚାଇନାରେ ଚାଲୁଥିବା ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାମ୍ବାଦିକତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ ଉକ୍ତ ସାମ୍ବାଦିକ ଜଣକ। ନିଜର ନିଷ୍ଠାପର ଉଦ୍ୟମ ଯୋଗୁ ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣକ ୨୫ ହଜାର ଡଲାର ପୁରସ୍କାର ପାଇଥିଲେ। ସେହିବର୍ଷ ଠାରୁ ସେଠାରେ ଜଣେ ନିର୍ଭୀକ ଓ ସଚ୍ଚୋଟ ସାମ୍ବଦିକଙ୍କୁ ପୁରସ୍କାର ବାବଦରେ ଏହି ଅର୍ଥରାଶି ପ୍ରଦାନ କରାଯାଇ ଆସୁଅଛି।

ଦେଶ ସ୍ୱାଧୀନତାପ୍ରାପ୍ତିର ୧୯ ବର୍ଷ ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ଓ ସଫଳ କରିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରେସ୍ କାଉନ୍‌ସିଲ୍ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ କରିଥିଲା ଓ ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଗଲା। ଏକ ନିର୍ଭୀକ, ନିରପେକ୍ଷ, ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି।

ପ୍ରେସ୍ କାଉନ୍‌ସିଲ୍ ଏକ ନୈତିକ ପ୍ରହରୀ। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଏହା ଗଠିତ ହୋଇଥିଲା। ପ୍ରଥମ ସମ୍ବାଦବାହୀ ଗଣମାଧ୍ୟମର ମାନ, ସମ୍ମାନ, ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବା ସହ ଏହାର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ସମ୍ପନ୍ନ ଅଟେ। ଦ୍ୱିତୀୟଟି ଏହାକୁ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା ମୌଳିକ କର୍ତ୍ତବ୍ୟ। କାହାକୁ ଭ୍ରୁକ୍ଷେପ ନକରି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ସଠିକ୍ କଲମ ପରିଚାଳନା କରିବାରେ ଅବହେଳା ନ କରିବା ଏହାର ପ୍ରାଥମିକତା ଅଟେ। ଗଣମାଧ୍ୟମ ହେଉଛି ସମ୍ବିଧାନର ହର୍ତ୍ତା, କର୍ତ୍ତା, ଦଇବ ବିଧାତା, ତାହା ପୁଣି ରକ୍ଷାକବଚ।

ଦୁର୍ନୀତିରେ ସମ୍ପୃକ୍ତ ଥିବା ରାଜନେତା ଓ ପୋଲିସ୍ ପ୍ରଶାସନମାନଙ୍କ କଳା କାରନାମା ଖୋଲି ଦେବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଯଥେଷ୍ଟ ଅବଦାନ ରହିଛି। ମହାମାରୀ କରୋନା ସମୟରେ ସାରା ବିଶ୍ୱରେ ଗଣମାଧ୍ୟମ ବିଶେଷକରି ସମ୍ବାଦପତ୍ର ପ୍ରକାଶନ ଓ ପ୍ରସାରଣ କ୍ଷେତ୍ରରେ ଘୋର ସଙ୍କଟ ସୃଷ୍ଟି ହୋଇଥିଲା। ସେ ସବୁ ସଙ୍କଟ ଧୀରେ ଧୀରେ ଦୂର ହେଉଥିବା ବେଳେ, ମୁଦ୍ରିତ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି କିଛି ଘରୋଇ ଟିଭି ଓ ୱେବ୍ ଚାନେଲ। ଯେଉଁଥିପାଇଁ ପୁରୁଣା ତଥା ପ୍ରତିଷ୍ଠିତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ତଥା ସମ୍ବାଦପତ୍ରର ମାଲିକମାନେ ଏଥିପ୍ରତି ସଚେତନ ନହେଲେ, ଏହି ବିବାଦ ଆହୁରି ତୀବ୍ରତର ହେବ। ଯେଉଁ ସମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ସମ୍ବାଦପତ୍ର କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ଲାଗି ସେଭଳି କୌଣସି ସକ୍ରିୟ ଭୂମିକା ନେଇଥିବା ମନେ ହେଉନାହିଁ।

ବର୍ତ୍ତମାନ ଗଣମାଧ୍ୟମ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। ଯେଉଁ ଗଣମାଧ୍ୟମ ଦିନେ ସତ୍ୟ ଓ ନିର୍ଭୀକ ଖବର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଉଥିଲା, ଆଜି ତାର କଣ୍ଠରୋଧ କରିଦିଆଯାଉଛି ଯାହା ଏକ ଉଦ୍‌ବେଗଜନକ ବିଷୟ। ଏହାର ସୁଯୋଗ ନେଇ ଛତୁ ଫୁଟିଲା ଭଳି ନୂଆ ନୂଆ ଖବର କାଗଜ ଓ ୱେବପୋର୍ଟାଲ ଗଢିଉଠୁଛି। ଏହିସବୁ ୱେବ୍‌ପୋର୍ଟାଲ, ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ କିଛି ରାଜନୈତିକ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ରହୁଥିବାରୁ, ଏ ଗଣମାଧ୍ୟମ ଏ ଦଳର, ସେ ଗଣମାଧ୍ୟମ ସେ ଦଳର ବୋଲି କୁହାଯାଉଛି। ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଗଣମାଧ୍ୟମର ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବାର ଖବର ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ଯାହା ଗଣମାଧ୍ୟମ ପ୍ରତି ଏକ ଶକ୍ତ ଆଘାତ। ଚତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ଗଣମାଧ୍ୟମ ଏବେ ନିଜ ନିଜ ଭିତରେ କାଦୁଆ ଫିଙ୍ଗାଫିଙ୍ଗିରେ ଜଡ଼ିତ ରହୁଛନ୍ତି।

ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଦଳୀୟ ସାମ୍ବାଦିକ ବୋଲି କୁତ୍ସାରଟନା କରାଯାଉଛି ଯାହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। ଜଣେ ସାମ୍ବାଦିକ କାଉ କଳା ବୋଲି କହୁଥିବା ବେଳେ ଅନ୍ୟଜଣେ ସାମ୍ବାଦିକ କାଉକୁ ଧଳା ବୋଲି ପ୍ରମାଣିତ କରିବାକୁ ତତ୍ପର ହୋଇପଡ଼ୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଅନାମଧେୟ ଓ ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ନିଜକୁ ସାମ୍ବାଦିକତାର ପରିଚୟ ଦେଇ ଗରିବ ଓ ସାଧାରଣ ଜନତାଙ୍କୁ ବ୍ଲାକ ମେଲିଂ କରି ଅର୍ଥ ଉପାର୍ଜନ କରୁଛନ୍ତି ଯାହା ସାମ୍ବାଦିକ ଓ ଗଣମାଧ୍ୟମ ନାମରେ କଳଙ୍କ।

ସେହିପରି ସମ୍ବାଦିକମାନଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁଁ ସେମାନଙ୍କ ଉପରେ ଅକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲେ, ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି।

ଯେଉଁଥି ପାଇଁ ଗଣମାଧ୍ୟମ ଆଜି ଗଣତାନ୍ତ୍ରିକ ଶାସନ କଳର ବ୍ୟବସ୍ଥା ମଧ୍ୟରେ ପେଶି ହୋଇଯାଇଛି। ଦେଶ ସ୍ୱାଧୀନ ହେଲା, ଅଥଚ ପରାଧୀନତାର ଆଢୁଆଳରେ, ସ୍ଥିତି ମଧ୍ୟରେ ଛନ୍ଦିହୋଇ ରହିଗଲା ଗଣମାଧ୍ୟମ, ଯାହା ନିଶ୍ଚିତରୂପେ ଏହା ଅଶୁଭ ସଙ୍କେତ ଅଟେ। ଗଣମାଧ୍ୟମକୁ ଅଣନିଶ୍ୱାସୀ କରି ରଖାଯାଇଛି, କଣ୍ଠରୋଧ କରାଯାଉଛି। କହିବାକୁ ଗଲେ, ଗଣମାଧ୍ୟମ ତାର ସ୍ୱାଧୀନତା ହରାଇ ବସିଛି।

ଗଣମାଧ୍ୟମକୁ ଆହୁରି ଦୃଢତାର ସହିତ ଶକ୍ତିଶାଳୀ କରିବାକୁ ହେଲେ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ। ସାମ୍ବାଦିକ ବୃତ୍ତି ପ୍ରତି ସାମାନ୍ୟତମ ଜ୍ଞାନ ନଥାଇ, ସାମ୍ବାଦିକତାର ପରିଚୟ ଦେଇ ସାଧାରଣ ଜନତାଙ୍କୁ ଠକୁଥିବା ନକଲି ସାମ୍ବାଦିକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। କଥାରେ ଅଛି ଗୋଟିଏ ହାତରେ ପାଞ୍ଚୋଟି ଆଙ୍ଗୁଳି କେହି ନୁହେଁ କାହା ଭଳି, ପାଞ୍ଚଜଣ ଯାକ ଏକାଠି ହୋଇଲେ ପରବତ ଦେବେ ଟାଳି। ତେଣୁ ସମୟ ଆସିଛି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଏକାଠି ହେବାକୁ ପଡ଼ିବ।

ଗଣମାଧ୍ୟମର କଣ୍ଠରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ସଭିଏଁ ଏକତ୍ରିତ ଭାବେ ପ୍ରତିରୋଧ କରିବାକୁ ପଡ଼ିବ। ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ନିହାତି ଜରୁରୀ, ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର। ପ୍ରତ୍ୟେକ ସାମ୍ବାଦିକ ଓ ଗଣମାଧ୍ୟମଗୁଡ଼ିକ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ଦଳମତରୁ ଉର୍ଦ୍ଧ୍ୱରେ ରହି କୌଣସି ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ନହୋଇ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆଗେଇ ଆସିବାକୁ ପଡ଼ିବ। ତେବେ ଯାଇ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମ ନିଜର ମୂଲ୍ୟବୋଧକୁ ବଜାୟ ରଖିପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ବିଶେଷ ଖବର

ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି

ସୁବାଷ କୁମାର ତାରଣିଆଁ

ଆତ୍ମହତ୍ୟା କରିବାର ପ୍ରବଣତା ମନୁଷ୍ୟ ମଧ୍ୟରେ କେଉଁ ଆବହମାନ କାଳରୁ ରହିଆସିଛି। ଆତ୍ମହତ୍ୟାକୁ ଏକ ମହାପାପ ବୋଲି ସବୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମନୁଷ୍ୟ ମନରେ ଥିବା ଅପୂରଣୀୟ କାମନାରେ ନିରାଶ ହେଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ଦେଶର ଉନ୍ନତି ଯୁବକମାନଙ୍କ ଦ୍ୱାରା ସମ୍ଭବ। ମାତ୍ର ଯୁବକମାନେ ଏଥିପ୍ରତି ଦୃଷ୍ଟି ନଦେଇ ନିଜ ଜୀବନକୁ ବ୍ୟକ୍ତିକୈନ୍ଦ୍ରିକ କରିଦେଉଛନ୍ତି, ଫଳରେ ବାଧାବିଘ୍ନର ହତାଶାଭାବରେ ସେମାନେ ଆତ୍ମହତ୍ୟାକୁ ଆପଣାଉଛନ୍ତିି। କହିବାକୁ ଗଲେ ଯୁବଗୋଷ୍ଠୀଙ୍କ ସହନଶୀଳତା ଗୁଣର ଘୋର ଅବନତି ଘଟୁଛି। ଯାହାର ପରିଣାମସ୍ୱରୂପ ସେମାନେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତିି। ସେହିପରି ପାରିବାରିକ, ଆର୍ଥିକ, ସାମାଜିକ ଓ ପ୍ରେମ ଜନିତ କାରଣରୁ ଦର୍ବଳମନା ଓ ନିରାଶ ହେବାରୁ ସମାଜରେ ଆତ୍ମହତ୍ୟା ବୃଦ୍ଧି ପାଉଛି। ପ୍ରେମ ସତ୍ୟ, ଶାଶ୍ୱତ ଓ ପ୍ରେମ ଚିରନ୍ତନ। ଦୁଇଟି ଅଜଣା ଆତ୍ମାର ମିଳନରୁ ସୃଷ୍ଟି ହୋଇଥାଏ ପ୍ରେମ। ମାତ୍ର ପ୍ରେମରେ ଧୋକ୍କା ପାଇଁ ହେଉ ଅବା ତ୍ରିକୋଣୀୟ ପ୍ରେମକୁ ନେଇ ମାନସିକ ଚାପରୁ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଛନ୍ତି। ପ୍ରେମ ପାଇଁ କିଏ ରୋଜଗାରିଆ ପୁଅକୁ ହରାଉଛି ତ କିଏ ଉଚ୍ଚଶିକ୍ଷିତା ଝିଅକୁ ହରାଉଛି। ଫଳରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି।

୨୦୨୧ ମସିହାରେ ରାଜଧାନୀରେ ୨୭୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୧୯୦ଜଣ ପୁରୁଷ ଥିବାବେଳେ ୮୭ଜଣ ମହିଳା ଥିଲେ। ରଶି ଲଗାଇ ବା ଝୁଲନ୍ତ ଅବସ୍ଥାରେ ୧୩୫ଜଣ ଆତ୍ମହତ୍ୟା କରିଥିବା ବେଳେ ୧୧୯ ଜଣ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏକ ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୬ ମସିହାରେ ମୋଟ ୩୧୪ଜଣ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୭ ମସିହାରେ ୨୩୮ଜଣ, ୨୦୧୮ ମସିହାରେ ୨୪୨ଜଣ, ୨୦୧୯ ମସିହାରେ ୧୭୨ଜଣ, ୨୦୨୦ ମସିହାରେ ୨୫୦ ଏବଂ ୨୦୨୧ ମସିହାରେ ୩୦୦ଜଣ ଆତ୍ମହତ୍ୟା କରିଥିଲେ। ସମ୍ପ୍ରତି ପ୍ରେମ ଜନିତ କାରଣରୁ ରାଜ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଭରତପୁର ଅଞ୍ଚଳର ସୁରେଖା ପଲେଇ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଯୁବକ ଜଣକ ସୁରେଖାଙ୍କ ଠାରୁ କମ୍ ବୟସର ହୋଇଥିବାରୁ ବିବାହ ପାଇଁ ରାଜି ହୋଇନଥିଲେ। ଫଳରେ ସୁରେଖା ମାନସିକ ଚାପରୁ ଆତ୍ମହତ୍ୟା କରିଥିଲେ। ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଶିକ୍ଷୟିତ୍ରୀ ସବନମ ବର୍ମା ତାଙ୍କ ଠାରୁ କମ୍ ବୟସର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ, କିନ୍ତୁ ଯୁବକ ଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସବନମ୍ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ରାଜଧାନୀ ଭୁବନେଶ୍ୱରସ୍ଥ ସାମନ୍ତରାପୁରରେ ରହୁଥିବା ନୀଳାମ୍ବର ସ୍ୱାଇଁ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ମାତ୍ର କୌଣସି କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା କରିବା ପରେ ଭାରସାମ୍ୟ ହରାଇ ନୀଳାମ୍ବର ମଧ୍ୟ ଆତ୍ମହତ୍ୟା କରିଥିଲେ। ମଞ୍ଚେଶ୍ୱର ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ମାତ୍ର ଯୁବକଙ୍କ ଠାରୁ ଯୁବତୀ ବୟସରେ ବଡ଼ ହୋଇଥିବାରୁ ବିବାହ ସମ୍ଭବ ହୋଇପାରି ନଥିଲା ଏବଂ ଶେଷରେ ଯୁବକଣକ ଆତ୍ମହତ୍ୟା କରିଥିଲେ।

ଶ୍ୱେତାକୁମାରୀ ନାମକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ସୌମ୍ୟଜିତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଘରଭଡ଼ା ନେଇ ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ଚଳୁଥିଲେ। ଏକଥା ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ। ମାତ୍ର ସୌମ୍ୟଜିତ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇବାରୁ ଶ୍ୱେତାଙ୍କୁ ଭୁଲିଯାଇଥିଲେ। ଶ୍ୱେତା ଏକଥା ଜାଣିବା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ଏବଂ ଶ୍ୱେତା ଆତ୍ମହତ୍ୟା କରିଥିଲେ।

ପ୍ରେମରେ ଧୋକା ଖାଇବା ପରେ କଟକ ଜିଲ୍ଲାର ଜଣେ ଯୁବ ମଡ଼େଲର ସୌମ୍ୟରଞ୍ଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୌମ୍ୟରଞ୍ଜନ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ଼ ନୋଟରେ ପ୍ରେମର କାହାଣୀ ବିଷୟରେ ଲେଖିଦେଇ ଯାଇଥିଲେ।

ସୌମ୍ୟରଞ୍ଜନ ମୁମ୍ବାଇରେ ମଡ଼େଲିଂ କରୁଥିଲେ। ମାତ୍ର ମହାମାରୀ କରୋନା ଯୋଗୁ ସେ ଘରକୁ ଫେରି ଆସିଥିଲେ ଏବଂ ଏକ କାଫେ ଖୋଲିଥିଲେ। କାଫେକୁ ଜଣେ ଯୁବତୀ ନିୟମିତ ଆସୁଥିବାରୁ ସୌମ୍ୟଜିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁଇବର୍ଷ ଧରି ଉଭୟେ ପ୍ରେମ କରୁଥିଲେ। ଏହି ଘଟଣା ଉଭୟଙ୍କ ପରିବାର ଜାଣିବାରୁ ଉଭୟଙ୍କ ବିବାହ କରିବାକୁ ଯୋଜନା କରିଥିଲେ। କିନ୍ତୁ କୌଣସି କାରଣ ଯୋଗୁ ସୌମ୍ୟଜିତ ମାନସିକ ଚିନ୍ତାରେ ଥିଲେ ଏବଂ ବିଳମ୍ବିତ ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଏ ସମ୍ପର୍କରେ ଯୁବତୀଙ୍କୁ ପଚାରିବାରୁ ସେ ପ୍ରେମ ସମ୍ପର୍କକୁ ଏଡ଼ାଇ ଦେଇଥିଲେ। ମାତ୍ର ଯୁବତୀଜଣଙ୍କ ଆଉ ଜଣେ ଯୁବକ ସହିତ ବୁଲାବୁଲି କରୁଥିବାରୁ ସୌମ୍ୟଜିତ ଏହାକୁ ସହଜରେ ଗ୍ରହଣ କରିପାରୁ ନଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଭିଯୋଗ ହୋଇଥିଲା।

ବିଜେବି ସ୍ୱଂୟଶାସିତ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ର‌୍ୟାଗିଂ ଜନିତ ଆତ୍ମହତ୍ୟା ଘଟଣା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜର ତିନିଜଣ ବରିଷ୍ଠ ସହପାଠୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା (ର‌୍ୟାଗିଂ) ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ରୁଚିକା ଛାତ୍ରୀନିବାସ ଭିତରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ଚିଠିରୁ ଏହା ର‌୍ୟାଗିଂ ଜନିତ ଆତ୍ମହତ୍ୟା ଜଣାପଡ଼ିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏପରିକି ବିଧାନସଭାରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ବିଜେବି କଲେଜରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ସାଧାରଣ ଜନତାଙ୍କ ମହଲରେ ଉତ୍ତେଜନା ଲାଗି ରହିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନରେ ପ୍ରଜ୍ଞାପାରମିତା ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା। ସୂଚନା ଅନୁସାରେ ଭାଗବତ ସନ୍ଧାନରେ ରହୁଥିବା ସତ୍ୟ ନାରାୟଣ ଓ ପ୍ରଜ୍ଞାପାରମିତା ଜଣେ ବନ୍ଧୁଙ୍କ ଘରେ ଭୋଜି କରୁଥିଲେ। ହସଖୁସିରେ ସମସ୍ତେ ଭୋଜି ଖାଇଥିଲେ। ଭୋଜି ଖାଇସାରିବା ପରେ ପ୍ରଜ୍ଞା ଘରକୁ ଫେରି ଆସିଥିଲେ କିନ୍ତୁ ସତ୍ୟନାରାୟଣ ଘରକୁ ଫେରିନଥିଲେ। ପରଦିନ ସକଳେ ସତ୍ୟନାରାୟଣ ଘରକୁ ଫେରି ଦେଖନ୍ତି ତ ପ୍ରଜ୍ଞା ବେକରେ ଶାଢୀ ଗୁଡ଼ାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ପୋଲିସ୍ ପହଞ୍ôଚ ମୃତଦେହ ଜବତ କରିଥିବା ବେଳେ କେଉଁ କାରଣ ପ୍ରଜ୍ଞା ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ସ୍ୱାମୀଙ୍କ ପରକ୍ରିୟା ପ୍ରୀତିକୁ ନେଇ ପ୍ରଜ୍ଞ ଆତ୍ମହତ୍ୟା କରିଥିବା ତାଙ୍କ ପଡ଼ୋଶୀ ସନ୍ଦେହ କରିଥିଲେ।

ସାମ୍ପ୍ରତିକ ସମୟରେ ଆତ୍ମହତ୍ୟା ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏଥିପାଇଁ ପରିବାରରେ ପିତାମାତା, ସମ୍ପର୍କୀୟଙ୍କ ଦାୟିତ୍ୱ ସେମାନଙ୍କ ପିଲାମାନଙ୍କ ସ୍ୱଭାବ, ଚାଲିଚଳନ, ହାଭବାବ ଦେଖି ତାହାର କାରଣ ଖୋଜି ସମସ୍ୟାର ସମାଧାନ କରିବା, ଯୁବଗୋଷ୍ଠୀଙ୍କୁ ଆତ୍ମହତ୍ୟା ପ୍ରବଣରୁ ଦୂରେଇ ରହିବା ପାଇଁ ଏକ ସୁସ୍ଥ, ସୁନ୍ଦର ଓ ନରାପଦ ଜୀବନ ଜୀଇଁବା ପାଇଁ ସଚେତନତା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ତଥା ସଚେତନ ନାଗରିକ, ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନ ପଦକ୍ଷେପ ନେବା ଆବଶ୍ୟକ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସଚେତନତା ମୂଳକ ପଦକ୍ଷେପ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଜରିଆରେ ଆତ୍ମହତ୍ୟାକୁ ରୋକାଯାଇ ପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ବିଶେଷ ଖବର

ଆଶା ଓ ଆଶଙ୍କାର ଦୋଛକିରେ ୭୫ ବର୍ଷର ରାଜଧାନୀ

ସୁବାଷ କୁମାର ତାରଣିଆଁ

ଭୁବନେଶ୍ଵର: ଏପ୍ରିଲ ମାସ ୧୩ ତାରିଖରୁ ୧୫ ତାରିଖ ତିନିଦିନ ଧରି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ରାଜଧାନୀ ଭାବରେ ୭୫ ବର୍ଷରେ ପଦାର୍ପଣ କରିଥିବାରୁ ଏ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ୧୯୪୮ ମସିହା ଅପ୍ରେଲ ମାସ ୧୪ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସର ମୂଳଦୁଆ ପଡ଼ିଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆଜିର ଦିନରେ ଭୁବନେଶ୍ୱରରେ ରାଜଧାନୀର ଶିଳାନ୍ୟାସ ସ୍ଥାପନ କରିଥିଲେ।

ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଐତିହାସିକ ସହର ତଥା ଓଡ଼ିଶାର ସର୍ବ ପୁରାତନ ସହର କଟକ ଥିଲା ଓଡ଼ିଶାର ରାଜଧାନୀ। କିନ୍ତୁ କଟକର ସହରର ଦୁଇ ପାର୍ଶ୍ଵ ଦେଇ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେବା ତଥା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ କଟକ ସହର ରାଜଧାନୀ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ହେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା।

ଉକ୍ତ କମିଟି ପ୍ରଥମେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟଭାଗରେ ଥିବା ରଙ୍ଗେଇଲୁଣ୍ଡାକୁ ଓଡ଼ିଶାର ରାଜଧାନୀ ସ୍ଥାପନ ନିମନ୍ତେ ଉପଯୁକ୍ତ ସ୍ଥାନ ଭାବେ ପରିକଳ୍ପନା କରିଥିଲେ। ମାତ୍ର ଉକ୍ତ କମିଟି ରଙ୍ଗେଇଲୁଣ୍ଡା ସମ୍ପର୍କରେ ସବିଶେଷ ବିଚାର ବିମର୍ଷ ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରାଯାଇଥିଲା। ମାତ୍ର ଏହି ନୂତନ କମିଟି ରଙ୍ଗେଇଲୁଣ୍ଡାର ପାରିପାର୍ଶ୍ଵିକ ପରସ୍ଥିତିକୁ ତର୍ଜମା କରି ଏଠାରେ ରାଜଧାନୀ ସ୍ଥାପନକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସରକାର ପୁଣି ସ୍ଥାନ ନିରୂପଣ ପାଇଁ ଆଉ କମିଟି ଗଠନ କରିଥିଲେ ଏବଂ ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଯିବାରୁ ତାକୁ ମଧ୍ୟ ବାତିଲ୍ କରିବାକୁ ପଡ଼ିଥିଲା। ସେହି ସମୟ ମଧ୍ୟରେ କଟକ ଜିଲ୍ଲାର ବାରଙ୍ଗ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ରାଜ୍ୟର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା।

ପରବର୍ତ୍ତୀ ଭୁବନେଶ୍ୱରର ପ୍ରାକୃତିକ ପରିବେଶ, ଐତିହାସିକ କୀର୍ତ୍ତିରାଜି, କଳାସ୍ଥାପତ୍ୟ, ଉନ୍ନତମାନର ସ୍ୱାସ୍ଥ୍ୟସେବା ସର୍ବୋପରି ଗମନା ଗମନର ସୁବିଧା ଓ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ରାଜଧାନୀ ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ହିଁ ଉପଯୁକ୍ତ ସହର ବୋଲି ଗଠିତ କମିଟି ଦ୍ୱାରା ଚୟନ କରାଯାଇଥିଲା।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ସେ ସମୟରେ ଭୁବନେଶ୍ୱର ଲୋକସଂଖ୍ୟା ଥିଲା କେବଳ ୧୭ ହଜାର। ମାତ୍ର ୨୦୨୨ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୨ ଲକ୍ଷ ୫୮ ହଜାରରେ ପହଞ୍ଚିଛି। ୨୦୧୯ ମସିହାରେ ୧୧ ଲକ୍ଷ ୬୩ ହଜାର ଥିଲାବେଳେ, ୨୦୨୦ରେ ୧୧ ଲକ୍ଷ ୯୪ ହଜାର, ୨୦୨୧ରେ ୧୨ ଲକ୍ଷ ୨୬ ହଜାର ଥିଲା। ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ।

ସେ ସମୟର ସ୍ୱଳ୍ପ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର ଏକ ଛୋଟ ଏନ୍‌ଏସି ଜରିଆରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲା। ସମୟକ୍ରମେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ମ୍ୟୁନିସିପାଲିଟିରେ ପରିଣତ କରାଯାଇଥିଲା। ସେ ସମୟରେ ମାତ୍ର ୩୦ଜଣ କାଉନସିଲରଙ୍କୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ କରୁଥିଲା। ମାତ୍ର ରାଜଧାନୀ ପ୍ରତିଷ୍ଠା ପରେ ଭୁବନେଶ୍ୱରର ବିକାଶ ଓ ଅଭିବୃଦ୍ଧି ଦୃତଗତିରେ ବୃଦ୍ଧି ପାଇଥିଲା ଏବଂ କିଛି ବର୍ଷପରେ ଭୁବନେଶ୍ୱର ମହାନଗର ନିଗମ ପରିସରକୁ ଆସିଲା ଏବଂ ୬୭ କର୍ପୋରେଟ ଓ ଜଣେ ମେୟରଙ୍କୁ ନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାରୀ ହୋଇ ସହରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଦିଗରେ କାର୍ଯ୍ୟ କରିଚାଲିଛି।

ରାଜଧାନୀ ପ୍ରତିଷ୍ଠା ପରେ ଏବେ ଏହି ସହରରେ ବିଧାନସଭା, ସଚିବାଳୟ, ମୁଖ୍ୟ ଡ଼ାକଘର, ରିଜର୍ଭ ବ୍ୟାଙ୍କ, ପୋଲିସ୍ କମିଶନରେଟ କାର୍ଯ୍ୟାଳୟ, ବାଣୀବିହାର, ବିଭାଗୀୟ ମୁଖ୍ୟ ଦପ୍ତର, ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ସମେତ ଅନେକ ସରକାରୀ ବେସରକାରୀ ସଂସ୍ଥା ଗଢିଉଠିଛି। ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରାଜଧାନୀ ଭୁବନେଶ୍ୱରର ପରିବେଶ, ପରିମଳ, ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଦିନକୁ ଦିନ ରାଜଧାନୀ ବହୁ ସମସ୍ୟା ଦେଇ ଗତି କରୁଛି।

ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା। ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା। ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ରାସ୍ତା ପ୍ରଶସ୍ତ ନଥିବାରୁ ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣ ଦୃତଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଭୁବନେଶ୍ୱରକୁ ‘ସ୍ମାର୍ଟ ସହରର’ର ମାନ୍ୟତା ମିଳିଛି। ଭୁବନେଶ୍ୱରକୁ ସ୍ମାର୍ଟ ସହର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଦେଶ ସ୍ୱାଧୀନ ହେବା ପରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ତଥା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏହିପରି ମୋଟ ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ। ଓଡ଼ିଶାରେ ୧୩ଟି ଜିଲ୍ଲା ଗଠନର ୪୫ ବର୍ଷ ପୂର୍ତ୍ତି ପରେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୩ଟି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରେ ରଖି ତଥା ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି, ଓଡ଼ିଶାର ସ୍ୱାଭିମାନ ଦୃଷ୍ଟିରୁ ଓଡ଼ିଶାରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ।

ଯାହା ଆଜି ପର୍ଯ୍ୟନ୍ତି ବଳବତ୍ତର ରହିଛି। ବର୍ତ୍ତମାନ ଭୁବନେଶ୍ୱରର ଲୋକଂସଖ୍ୟା ୧୨ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଓଡ଼ିଶାର ୧୨ଜିଲ୍ଲା ଯଥା ଗଜପତି, ଦେବଗଡ଼, ବୌଦ୍ଧ, ଜଗତସିଂହପୁର, ସୁବର୍ଣ୍ଣପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି , ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ୭୫ ବର୍ଷରେ ପଦାର୍ପଣ କରିଥିବା ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ନ ମିଳିବା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି।

ଯାହାକୁ ନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ, ଚିନ୍ତନଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ, ସ୍ୱାମିମାନ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଭୁବନେଶ୍ୱର ବହୁବର୍ଷ ଧରି ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲାବେଳେ ନବେ ଦଶକରୁ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପରିଣତ ହୋଇଛି। ରାଜଧାନୀର ଦୃତ୍ତ ଭିତ୍ତିଭୂମି, ବିକାଶ, ପରିବେଶ ପରିମଳ, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ଏବଂ ସର୍ବୋପରି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ତାହା ହିଁ ହେବ ଭୁବନେଶ୍ୱରବାସୀଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଜୀବନ ଶୈଳୀ ବିଶେଷ ଖବର

ଏତେ ସହାନୁଭୂତି କାହିଁକି?

ସୁବାଷ କୁମାର ତାରଣିଆଁ

ହୋଲି ଛୁଟି ପରେ ମୁଁ ଗାଁରୁ ବସ୍ ଯୋଗେ ଭୁବନେଶ୍ୱର ଫେରୁଥାଏ। ବସ୍ ଯେତେ ଆଗକୁ ଆଗକୁ ଗତି କରୁଥାଏ, ଯାତ୍ରୀମାନଙ୍କର ଭିଡ଼ ସେତେ ଜମୁଥାଏ। ଯେହେତୁ ହୋଲିଛୁଟିରେ ଅଧିକାଂଶ ଲୋକ ଗାଁକୁ ଯାଇଥିଲେ, ଛୁଟି ପରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କର୍ମକ୍ଷେତ୍ରକୁ ଫେରୁଥିବାରୁ ବସ୍‌ରେ ଭିଡ଼ ହେବା ସ୍ୱାଭାବିକ। ବସ୍‌ଟି ତାର ଗନ୍ତବ୍ୟ ପଥରେ ଆଗେଇ ଚାଲିଥାଏ ଓ ଯାତ୍ରୀମାନେ ନିଜ ନିଜ ଭିତରେ କଥାବାର୍ତ୍ତରେ ମାତି ଯାଇଥାନ୍ତି। ଏହି ସମୟରେ ହଠାତ ଗୋଟିଏ ଗାଈ ରାସ୍ତାମଝିକୁ ଚାଲିଆସିଲା। ଡ୍ରାଇଭର ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ମାରିବାରୁ ବସ୍‌ରେ ଛିଡ଼ାହୋଇ ଯାତ୍ରା କରୁଥିବା ଜଣେ ଯୁବକ ନିୟନ୍ତ୍ରଣ ହରାଇ ପାଖରେ ଛିିଡ଼ାହୋଇ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ ସହ ପିଟି ହୋଇଯାଇଥିଲେ।

ଏଥିରେ ଯୁବତୀଜଣ ରାଗିଯାଇ ଯୁବକଜଣଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ। ବସ୍‌ଟି ହଠାତ୍ ଅଟକିଯିବାରୁ ମୁଁ ନିୟନ୍ତ୍ରଣ ହରାଇ ଆପଣଙ୍କ ସହ ପିଟି ହୋଇଗଲି ଯୁବକ ଜଣକ କହିବାରୁ, ଯୁବତୀ ଜଣକ ପୂର୍ବଭଳି ଯୁବକଜଣଙ୍କୁ ଚାପୁଡା ମାରି ଚାଲିଥିଲେ ଏବଂ ଜାଣିଶୁଣି ମୋ ଦେହରେ ବାଜିଲୁ, ଏଥିପାଇଁ ତତେ ଭୁଲ ମାଗିବାକୁ ପଡ଼ିବ ବୋଲି ଯୁବକଙ୍କୁ ଧମକ ଦେଲେ। ଯୁବକ ଜଣକ ବାରମ୍ବାର ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯୁବତୀଙ୍କ ରାଗ ଶାନ୍ତ ହୋଇନଥିଲା। ବରଂ ଯୁବତୀଙ୍କୁ ସହାନୁଭୂତି ଦେଖାଇ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଯୁବକଙ୍କୁ ଭୁଲ୍ ମାଗିବାକୁ ବାଧ୍ୟ କରିଥିଲେ। ଶେଷରେ ଯୁବକ ଜଣକ ଯୁବତୀଙ୍କୁ ଭୁଲ୍ ମାଗିଥିଲେ ଓ ଏହା ପରେ ପରସ୍ଥିତି ଶାନ୍ତ ପଡ଼ିଥିଲା।

୨୨ ଜୁଲାଇ, ୨୦୨୦ ମସିହା ସମୟ ପାଖାପାଖି ସନ୍ଧ୍ୟା ୫ ଘଟିକା। ଜଣେ ବରିଷ୍ଠ ନାଗରିକ ଭୁବନେଶ୍ୱରର ରସୁଲଗଡ଼ ଛକରେ ତାଙ୍କର ଜଣେ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇଜଣ ଯୁବତୀ ଗୋଟେ ସ୍କୁଟିରେ କଟକ ରୋଡ଼ରୁ ରସୁଲଗଡ଼ ଅଭିମୁଖେ ଆସୁଥିଲେ। ସ୍କୁଟି ଚଳାଉଥିବା ଯୁବତୀ ମୋବାଇଲରେ କଥା ହେଉଥିଲେ ଏବଂ ଅନ୍ୟମନସ୍କ ହୋଇ ବରିଷ୍ଠ ନାଗରିକଙ୍କୁ ଧକ୍କା ଦେଇଥିଲେ। ଫଳରେ ସେ ତଳେ ପଡ଼ିଯାଇଥିଲେ, ତାଙ୍କର ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ଲାଗିଥିଲା। ଅବଶ୍ୟ ଧକା ଦେଇଥିବା ଯୁବତୀ ଦ୍ୱୟଙ୍କ କୌଣସି କ୍ଷତି ହୋଇନଥିଲା, କିନ୍ତୁ ସ୍କୁଟିଟି ସାମାନ୍ୟ ଭାଙ୍ଗିରୁଜି ଯାଇଥିଲା। କିଛି ସମୟ ପରେ ସେଠାରେ ଲୋକମାନେ ରୁଣ୍ଢ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଯନ୍ତ୍ରଣାରେ ଛଟପଟ ହେଉଥିବା ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେବା ବଦଳରେ, ତାଙ୍କୁ ବହେ ଗାଳି ଗୁଲଜ କରିଥିଲେ ଓ ଯୁବତୀଙ୍କ ଭଙ୍ଗା ସ୍କୁଟିକୁ ପାଖରେ ଥିବା ଏକ ଗ୍ୟାରେଜକୁ ଯାଇ ମରାମତି କରିଥିଲେ।

ମହାମାରୀ କରୋନା କାଳରେ ଯେତେବେଳେ ସାରା ରାଜଧାନୀରେ ସଟଡ଼ାଉନ ଜାରି ହୋଇଥିଲା, ସେହି ସମୟରେ ଜଣେ ମହିଳା ଅନଲାଇନ ମାଧ୍ୟମରେ ଭୁବନେଶ୍ୱରର ଏକ ହୋଟେଲରୁ ଖାଦ୍ୟ ମଗାଇଥିଲେ। ଡ଼େଲିଭରି ଯୁବକ ହୋଟେଲରୁ ଖାଦ୍ୟ ନେଇ ମହିଳାଙ୍କ ଘରକୁ ଯାଉଥିବା ସମୟରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯାଇଥିଲା, ଯେଉଁଥିପାଇଁ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ମହିଳାଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଥିଲେ। ଏଥିରେ ମହିଳା ଜଣଙ୍କ ରାଗିଯାଇ ଡ଼େଲିଭରି ଯୁବକଙ୍କୁ ଗାଳିଗୁଲଜ କରିଥିଲେ। ଡ଼େଲିଭରି ଯୁବକ ବିଳମ୍ବର କାରଣ ପାଇଁ କ୍ଷମା ମାଗିଥିଲେ ମଧ୍ୟ, ତାଙ୍କର ପାରିଶ୍ରମିକ ଦେବାକୁ ରୋକଠୋକ ମନା କରିଦେଇଥିଲେ। ଯେଉଁଥି ପାଇଁ ଉଭୟ ଡ଼େଲିଭରୀ ଯୁବକ ଓ ମହିଳାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ମହିଳା ଜଣକ ଉତ୍‌କ୍ଷିପ୍ତ ହୋଇ ଡ଼େଲିଭରି ଯୁବକଙ୍କୁ ଚପଲରେ ପିଟିଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ସେଠାରେ ଜମା ହୋଇଯାଇଥିଲେ ଏବଂ ଘଟଣା କଣ ବୁଝିବା ଆଗରୁ ଯୁବକଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ଯୁବକ ଜଣକ ଗଭୀର ଆଘାତ ପାଇଥିଲେ ଏବଂ ନିଜର ପାରିଶ୍ରମିକ ନପାଇ ନିରାଶ ହୋଇ ଫେରିଥିଲେ।

୨୦୨୦ ମସିହା ମାର୍ଚ୍ଚ ମାସ ୧୫ ତାରିଖ ସନ୍ଧ୍ୟା ୭ଟା ସମୟରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହ ନିଜ କାର୍ ଯୋଗେ ଜୟଦେବ ବିହାରରୁ ଡମଣା ଛକ ଅଭିମୁଖେ ଯାଉଥିଲେ। ସନ୍ଧ୍ୟା ସମୟରେ ଗହଳି ଥିବାରୁ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଯୁବତୀଙ୍କ କାର୍ ପଛେ ପଛେ ଆସୁଥିବା ଜଣେ ବାଇକ୍ ଚାଳକ ଆଗକୁ ଯିବା ପାଇଁ ବାରମ୍ବାର ହର୍ଣ୍ଣ ମାରିବାରୁ ଯୁବତୀଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ସେ କାର୍‌ରୁ ଓହ୍ଲାଇ ଆସି ବାଇକ ଚାଳକଙ୍କୁ ପିଟି ଚାଲିଥିଲେ। ଏଥିରେ ସହଯୋଗ କରିଥିଲେ ତାଙ୍କର ପୁରୁଷ ବନ୍ଧୁ। ଏହି ଦୃଶ୍ୟକୁ ସେଠାକାର ଲୋକମାନେ ଉପଭୋଗ କରୁଥିଲେ ଓ ନିଜ ମୋବାଇଲେ ଫଟୋ ଉତ୍ତୋଳନ କରିବାରେ ମାତି ଯାଇଥିଲେ, କିନ୍ତୁ ଯୁବତୀଙ୍କୁ ଅକ୍ରୋଶରୁ ବାଇକ ଚାଳକଙ୍କୁ ଉଦ୍ଧାର କରିବା ପାଇଁ କହି ପ୍ରୟାସ କରିନଥିଲେ। ବରଂ ଅପେକ୍ଷା କରିଥିଲେ ବାଇକ ଚାଳକ ଯଦି ଯୁବତୀଙ୍କୁ ପାଲଟା ଅକ୍ରମଣ କରନ୍ତି ତେବେ ସ୍ଥାନୀୟ ଲୋକମାନେ ତାଙ୍କୁ ବହେ ଉତ୍ତମ ମଧ୍ୟମ ଦେବା ସହ ପିସିଆରକୁ ଡ଼କାଇ ଥାନାକୁ ପଠାଇ ଦେଇଥାନ୍ତେ।

୨୦୨୨ ମସିହା ମଇ ମାସ ୧୧ ତାରିଖ ଦିନ ଜଣେ ଯୁବତୀଙ୍କ ହାଇଡ୍ରାମ ଦେଖିବାକୁ ମିଳିଥିଲା। ଯୁବତୀ ଜଣଙ୍କ ହାତରେ କିରୋସିନୀ ବୋତଲ ଧରି ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ଜଣେ ଯୁବକଙ୍କୁ ଗାଳିଗୁଲଜ କରୁଥାନ୍ତି। ତାଙ୍କର ଏହି ଡ୍ରାମା ଦେଖିବାକୁ ସେଠାରେ ଲୋକଙ୍କ ଗହଳି ହୋଇଯାଇଥିଲା। ପରେ ଜଣାପଡ଼ିଥିଲା ଯୁବତୀ ଜଣକ ୯ ବର୍ଷ ପୂର୍ବରୁ କେନ୍ଦୁଝର ଜିଲ୍ଲାର ଜନୈକ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ, ଡ଼ାକ୍ତରଖାନାରେ ସ୍ୱାମୀଙ୍କୁ ଛାଡ଼ି ଜଣେ ଯୁବକ ସହିତ ଫେରାର ହୋଇଯାଇଥିଲେ। ଉଭୟେ କିଛିଦିନ ଏକାଠି ରହିବା ପରେ ଯେତେବେଳେ ଜାଣିଲେ ଯୁବତୀ ଜଣକ ବିବାହିତ ଏବଂ ତାଙ୍କର ୯ ବର୍ଷ ପୁତ୍ରଟିଏ ଅଛି, ସେତେବେଳେ ଯୁବକ ଜଣଙ୍କ ତାଙ୍କୁ ଘରୁ ବିଦା କରିଦେଇଥିଲେ। ଏହାପରେ ଯୁବତୀ ଜଣକ ନ୍ୟାୟ ପାଇଁ ଯୁବକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇ, ରାସ୍ତାରେ ଏଭଳି ନାଟକବାଜି କରୁଥିଲେ।

ପାରିବାରିକ ହେଉ ବା ସାମାଜିକ କ୍ଷେତ୍ରରେ, ଯଦି ପୁରୁଷଟିଏ ମହିଳାମାନଙ୍କ ଦ୍ୱାରା ନିଯ୍ୟାତନାର ଶିକାର ହୁଏ, ତେବେ ଆଇନ ବା ସମାଜ ସେସବୁ ଦେଖିପାରେନା। ଆଇନ୍‌ରେ କେବଳ ପୁରୁଷଙ୍କୁ ଦଣ୍ଡବିଧାନ କରିବାର ବ୍ୟବସ୍ଥା ରହିଛି, କିନ୍ତୁ ପୁରୁଷମାନଙ୍କୁ ସମର୍ଥନ କଲାଭଳି କୌଣସି ଅନୁଷ୍ଠାନ ଏପର୍ଯ୍ୟନ୍ତ ଗଠନ ହୋଇପାରି ନାହିଁ କିମ୍ବା କୌଣସି ବ୍ୟକ୍ତିବିଶେଷ ଆଗେଇ ଆସିନାହାଁନ୍ତି। ଏହିସବୁ ଘଟଣାର ପ୍ରତିବାଦ କରିବାର ସାମର୍ଥ୍ୟ ଥିଲେ ମଧ୍ୟ ଆତ୍ମସମ୍ମାନ ଭୟରେ ପୁରୁଷମାନେ ସାହସ କରିପାରନ୍ତି ନାହିଁ। କାରଣ ସେ ଭଲଭାବେ ଜାଣିଛି ଯେ, ଏଭଳି ଘଟଣାର ପ୍ରତିବାଦ କଲେ, କାଲି ତାକୁ ଜେଲ୍‌ର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିବ, ଘରୋଇ ହିଂସାରେ ଅଭିଯୁକ୍ତ ଭାବେ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିବ। ହେଲେ ମହିଳାଟିଏ ଯଦି ପୁରୁଷ ଦ୍ୱାରା ନିର୍ଯ୍ୟାତନା ଶିକାର ହୁଏ, ତେବେ ସଙ୍ଗେ ସଙ୍ଗେ ମହିଳା କମିଶନରେ କେସ୍ କରି ପୁରୁଷଟିକୁ ଜେଲର ଚାରିକାନ୍ଥ ମଧ୍ୟରେ ଭର୍ତ୍ତିର୍ କରିବାକୁ ବେଶିଦିନ ଲାଗେନି।

ଏଥିପାଇଁ ବହୁ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ମହିଳାଙ୍କୁ ସହାନୁଭୂତି ଦେଖାଇ ପୁରୁଷଟିକୁ ବର୍ଷ ବର୍ଷ ଧରି ଜେଲ୍‌ରେ ରହିବା ପାଇଁ ରାସ୍ତା ତିଆରି କରିଥାନ୍ତି। ଏ ବିଷୟରେ ବୁଦ୍ଧିଜୀବୀ, ଚିନ୍ତନଶୀଳ ବ୍ୟକ୍ତି, ସାମାଜିକ ସଂଗଠନ ଏବଂ ସର୍ବୋପରି ରାଜ୍ୟ ସରକାର ଚିନ୍ତା କରିବା ସହିତ ଦୃଢ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ନଚେତ୍ ସମୟ ଆସିବ ମହିଳାମାନଙ୍କ ଭଳି ପୁରୁଷମାନେ ଦିନେ ନ୍ୟୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର, ମୋ : ୮୩୨୮୮୪୦୨୧୪