Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶିଶୁ ମହୋତ୍ସବ ସୁରଭି-୨୦୨୨: ଆକର୍ଷଣ ସାଜିଲା ‘ମିଟ୍‌ ଦି ପର୍ସନାଲିଟି’ ‘ଛାୟା ବିଧାନସଭା’

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ର ଆଜି ଥିଲା ଦ୍ୱିତୀୟ ଦିବସ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘ମିଟ୍‌ ଦ ପର୍ସନାଲିଟି’ ଓ ‘ଛାୟା ବିଧାନସଭା’ କାର୍ଯ୍ୟକ୍ରମ ଦ୍ୱିତୀୟ ଦିବସର ମୁଖ୍ୟ ଆକର୍ଷଣ ସାଜିଥିଲା।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିକଟରୁ ଦେଖିବାର ଓ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିବାର ସୁଯୋଗ ଦେଇଥିଲା ଏହି ନିଆରା କାର୍ଯ୍ୟକ୍ରମ । ଟେଲିଭିଜନ୍‌ର ବଡ଼ ପରଦାରେ ଦେଖିଥିବା ସଫଳ ବ୍ୟକ୍ତିତ୍ୱମାନଙ୍କର ଜୀବନ କାହାଣୀ ଶୁଣିବା ସହ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ ପିଲାମାନେ।

ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା, ଅଭିନେତା, ଉଦ୍ୟୋଗୀ, ଚିତ୍ରଶିଳ୍ପୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କୁ ଏକାଠି କରିଥିଲା ‘ସୁରଭି-୨୦୨୨’ । ପିଲାମାନଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆୟୋଜିତ ‘ମିଟ୍‌ ଦ ପର୍ସନାଲିଟି’ କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ, ପ୍ରଶାସନିକ ଅଧିକାରୀ ରୀନା ପ୍ରଧାନ, ଏମସ୍‌, ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଅଶୋକ ମହାପାତ୍ର, ‘ମେଡ୍‌ଟେଲ୍‌’ର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗୀ ଶ୍ରୀ ଡ. ଲଳିତ ମାଣିକ୍‌ ଏବଂ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ।

କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଦୃଢ଼ ମନୋବଳ ନେଇ ଆଗକୁ ବଢ଼ିଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟ ହାସଲ କରିହୁଏ । ବର୍ତ୍ତମାନ ପିଲାମାନଙ୍କ ନିକଟରେ ଅନେକ ସୁବିଧାସୁଯୋଗ ଉପଲବ୍ଧ ଅଛି । ତାହାର ସଦୁପଯୋଗ କରି ନିଜର ସ୍ୱପ୍ନ ପୂରଣ ଓ ଲକ୍ଷ୍ୟ ହାସଲ କରିବାକୁ ଉପସ୍ଥିତ ବକ୍ତାମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଆୟେଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସୁରଭି ଦ୍ୱିତୀୟ ଦିବସରେ ଦିନତମାମ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ କର୍ମଶାଳା ଆୟୋଜନ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର କୁମାର ତି୍ରପାଠୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌., ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଅନୁପମ ସାହାଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ପିଲାମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ‘ଛାୟା ବିଧାନସଭା’ର ଏକ ପ୍ରକୃଷ୍ଟ ମଞ୍ଚ ହୋଇଥିଲା। ମଧ୍ୟାହ୍ନରେ ‘ଛାୟା ବିଧାନସଭା’ର ଆକଳନ କରି ସୁରଭି ପରିସରରେ ସତେ ଯେମିତି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ମହାପାତ୍ର, ‘ମୋ ସ୍କୁଲ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ରାଜ୍ୟସ୍ତରୀୟ ତିନିଦିନିଆ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୯ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ ।

ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ପରିÒୁଟନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ । ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିଲେ ଦେଶ ପ୍ରଗତି କରିପାରିବ ବୋଲି ସେ ପ୍ରକାଶ କରିଥିଲେ ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥୀ. ଏସ୍‌ କହିଲେ ଯେ ପିଲାମାନଙ୍କୁ ଏକ ଆନନ୍ଦମୟ ପରିବେଶରେ ଶିକ୍ଷାଦାନ କରିବା ଦ୍ୱାରା ସେମାନଙ୍କର ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇଥାଏ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷାୟତନର ମୂଳଲକ୍ଷ୍ୟ । ଏହାକୁ ସଫଳ କରିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ ସହଯୋଗ ଓ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଆଜି ପିଲାମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁରୁ ସୃଜନୀ କଳା, ମନର ଚିତ୍ରକୁ ମାଟିରେ ରୂପଦେବା, ଚିତ୍ରକଳା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି ଉପରେ କର୍ମଶାଳା କରାଯାଇଛି । ଏତଦ୍‌ବ୍ୟତୀତ ଏହି ପ୍ରଦର୍ଶନୀରେ ଶିକ୍ଷା ସଂପର୍କିତ ୨୪ଟି ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପିଲାମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତି ବିଭାଗ ପାଇଁ ଜିଲ୍ଲାସ୍ତରରେ ଜଣେ ଲେଖାଏଁ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଏହି ତିନିଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ପଦାଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନ୍ୟାନ୍ୟ ନିର୍ଦ୍ଦେଶାଳୟ ଓ ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନଙ୍କର ସହଯୋଗରେ ଆୟୋଜିତ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସୃଜନଶୀଳ ଲିଖନ ପାଇଁ ୭ ଜଣ, ଚିତ୍ରାଙ୍କନ ନିମନ୍ତେ ୭ ଜଣ ଓ ଶ୍ରୁତଲିଖନ ଏବଂ ହସ୍ତାକ୍ଷର ପାଇଁ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ମ.ରାମପୁର ବିଇଓ ଠାକୁର ସାହୁ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ।

ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ଟୁଡି ଓ ଥ୍ରୀଡି ଭିଜୁଆଲ୍ ଆର୍ଟ, ସ୍ବଦେଶୀ ଖେଳନା ଓ ଖେଳ, ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।