Categories
ଆଜିର ଖବର

ଉଦ୍‌ଯାପିତ ହେଲା ସୁରଭି, ରାଜ୍ୟସ୍ତରୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ।

ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ।

ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।”

‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି। ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ ।

ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ପାଇଲେ। ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି।

ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ପାଞ୍ଚ ଜଣ ହେଲେ ବାଲେଶ୍ୱର ଏସ୍.ବି.ଏସ୍ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥା- କେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ।

ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟରେ ପିଲାମାନଙ୍କ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି ହୋଇ ପାରିଛି।

ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ମାର୍ଟନେସ୍ ହିଁ 5T ସ୍କୁଲ ରୂପାନ୍ତରଣର ସଫଳତା ଦର୍ଶାଉଛି। ଶିକ୍ଷା, କ୍ରୀଡା ସହିତ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ମିଳିଛି ତାହା ଦ୍ୱାରା ଆମ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ଦେଶ ବିଦେଶରେ ସୁନାମ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ।

ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’, ଆଜି ଉଦଯାପନ ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି। ଠିକ୍ ସେହିଭଳି ଭାବରେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ। ପିଲାମାନେ ଦେଶ ଓ ଜାତିର ନାମକୁ ଗୌରବାନ୍ୱିତ କରନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି।

ୟୁନିଟ୍‌-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ‘ସୁରଭି’ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ।

ଯେଉଁ ଦେଶର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ ଉନ୍ନତ ବୋଲି ସେ ମତବ୍ୟକ୍ତ କରିଥିଲେ। ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟର ବିକାଶ ପଥର ପଥିକ। ଆମ ଦେଶ ଚନ୍ଦ୍ରଯାନ ସହ ଆଦିତ୍ୟ ମିଶନ ସଫଳତାର ସହ ପ୍ରେରଣ କରିଛି। ଏହି ସଫଳତାରୁ ଅନୁପ୍ରାଣିତ ହୋଇ ପିଲାମାନେ ଭବିଷ୍ୟତ ଗଠନ କରିବା ନେଇ ସେ ପରାମର୍ଶ ଦେଇଥିଲେ।

ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଯୋଗଦେଇ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ।

କାର୍ଯ୍ୟକ୍ରମରେ ଓଡି଼ଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମତୀ ଜାମିନୀ ଷଡଙ୍ଗୀ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଟିଇ ଏବଂ ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ସହ ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଏହି ଅବସରରେ ଆଜି ପୂର୍ବାହ୍ଣରେ ଛାତ୍ରଛାତ୍ରୀମାନେ ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରାହାଳୟ, ପଠାଣୀସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ।

ଅପରାହ୍ଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ୟୁନିସେଫ୍‌ର କ୍ଷେତ୍ର ଅଧିକାରୀ ଉଇଲିୟମ୍ ହ୍ୟାଣ୍ଡଲନ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ ଆୟୋଜିତ ହୋଇଥିଲା ‘ମିଟ୍ ଦ ପର୍ସନାଲିଟି’। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡି଼ଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଲପତି ଡା. ଦତ୍ତେଶ୍ୱର ହୋତା, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଓଡି଼ଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ଚଳିତ ଓଡି଼ଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ଓ ଚଳିତ ମାଟ୍ରିକ୍ ପରୀକ୍ଷାରେ ଟପର୍ ଥିବା ସୁଶ୍ରୀ ଶ୍ରେୟାଶ୍ରୀ ଜେନା ପ୍ରମୁଖ ଯୋଗ ଦେଇ ନିଜ ସଫଳତାର କାହାଣୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ଭୈରବ ସିଂ ପଟେଲ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟର ଉପସ୍ଥିତ ଥିଲେ। ଏହାପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଜି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମାନିତ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି ।

Categories
ଆଞ୍ଚଳିକ

ରଣପୁର: ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ

ରଣପୁର: ଆଜି ରଣପୁର ବି.ସି. ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଣପୁର ରଙ୍ଗୀନ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ବି.ସି. ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ବି.ସି. ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୮ଟି କ୍ଲଷ୍ଟରର ୨୦୫ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ପିଲାମାନଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ରଚନା, ହସ୍ତାକ୍ଷର ଲିଖନ, କୁଇଜ, ମିଲେଟ୍ସ ରଚନା, ବକ୍ତୃତା, ବିତର୍କ, ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଉଛି। ଅପରାହ୍ନରେ ଉଦଯାପନୀ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇ କୃତି ପିଲାମାନଙ୍କୁ ପୁରସ୍କୃତ କରାଯିବ। ଜ୍ୟୋତି ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।