Categories
ଆଞ୍ଚଳିକ

ବାଣପୁର: ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଯୋଗ ଦିବସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ସୁସ୍ଥ ସମାଜ ଗଠନ, ଶାନ୍ତ ଜୀବନ ଯାପନ ଓ ପରସ୍ପର ସହ ମିତ୍ରତା ସ୍ଥାପନ କରିବାର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ମାଧ୍ୟମରେ ମଧ୍ୟ ଅସାଧ୍ୟ ରୋଗର ଉପଚାର ହୋଇପାରୁଛି। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଆଜି ସାରା ବିଶ୍ୱ ପାଳନ କରୁଛି ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ।

ଯୋଗ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଆମ ଭିତରେ ସଚେତନତା ସୃଷ୍ଟି କରିଥାଏ। ଯୋଗ ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଯାହାକି ଅସମ୍ଭବକୁ ସମ୍ଭବରେ ପରିଣତ କରିବାରେ ସହାୟକ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଆଜି ଜାତୀୟ ଆୟୁଷ ମିଶନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ ପାଳନ କରାଯାଇଛି ନବମ ବିଶ୍ୱ ଯୋଗ ଦିବସ।

ଆଜିର ଏହି ଯୋଗ ମହୋତ୍ସବରେ ଭେଟେଶ୍ୱର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଯୋଗ ବୀର ଓ ଯୋଗ ବିରାଙ୍ଗନା ମାନେ ଅଂଶ ଗ୍ରହଣ କରି ଅତି ଉତ୍ସାହର ସହ ପାଳନ କରିଥିଲେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଉ

କ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ ଦେଇ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ।

ଚିକିତ୍ସାଳୟର ଡାକ୍ତର ଡ଼. ସ୍ନିଗ୍ଧାରାଣୀ ନାୟକ ଏହାକୁ ପରିଚାଳନା କରିଥିବା ବେଳେ କର୍ମଚାରୀ ନିଲୁ ବେହେରା ଓ ରତ୍ନାକର ବାରିକ ସହଯୋଗ କରିଥିଲେ। ଯୋଗାଚାର୍ଯ୍ୟ ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଚାଳନା କରି ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ସରଳ ଭାବେ ବୁଝାଇବା ସହ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ସମାଜ ଗଠନ ପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିର ପୁନରୁତ୍ଥାନ ଜରୁରୀ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜରେ ଗତକାଲି ଉଦ୍‌ଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ାଇରେକ୍ଟର ଆୟୁଷ, ଓଡ଼ିଶା ସରକାର ଡ଼ାକ୍ତର ତ୍ରିଲୋଚନ ମାଝି, ଡ଼ାକ୍ତର ସୁଧୀର ଦାସ, ପ୍ରିନ୍ସିପାଲ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜ, ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନର୍ବାଚନ କମିଶନ, ଭାରତ ସରକାର, ନମ୍ରତା ଚଢା, ପୂର୍ବତନ ଚେୟରମ୍ୟାନ, ରାଜ୍ୟ ମହିଳା କମିଶନ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ ଭାଷଣ ଦେଇ କରୋନା ସମୟରେ ଦୁନିଆର ସମସ୍ତ ବିତ୍ତଶାଳୀ ଦେଶ ଏହି ମହାମାରୀ ସହିତ ଲଢୁଥିବା ବେଳେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଆମର ଲୋକମାନଙ୍କୁ ଏହି ମହାମାରୀରୁ ବଞ୍ଚାଇ ପରିଥିବା କହିଥିଲେ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟସଭା ସାଂସଦ ଶ୍ରୀ ମହାପାତ୍ର ଆୟୁର୍ବେଦର ସମୃଦ୍ଧିରେ ହିଁ ସମାଜର ସମୃଦ୍ଧି ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଶ୍ରୀ ଦାସ ଆୟୁଷ ଚିକିତ୍ସାକୁ ସର୍ବୋତ୍କୃଷ୍ଟ ଚିକିତ୍ସା କହି, ସର୍ବଦା ଜଣେ ମଣିଷ ଏହି ଚିକିତ୍ସାରେ ରହିଲେ ଦୀର୍ଘାୟୁ ହୋଇପାରିବ ବୋଲି କହିଥିଲେ।

ରାଜ୍ୟ ସରକାର ଏହି ଚିକିତ୍ସା ପଦ୍ଧତିର ପ୍ରାଚୀନ ଓ ପ୍ରସାରକୁ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ। ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନିର୍ବାଚନ କମିଶନ, ଭାରତ ସରକାର ଗତ ଦୁଇ ଦଶନ୍ଧିରେ ଆୟୁର୍ବେଦର ଲୋକପ୍ରିୟତା ବଢିବା ସହିତ ଏହାର କମ୍ ମୂଲ୍ୟରେ ଭଲ ଚିକିତ୍ସା ଯୋଗାଇ ଦେବା ସହ ଆଦର ବଢିବା ବିଷୟରେ ନିଜର ଖୁସି ପ୍ରକାଶ କରିଥିଲେ। ଆୟୁଷ ଡ଼ାଇରେକ୍ଟ ଶ୍ରୀ ମାଝି ପ୍ରତିଷ୍ଠାନର ଏହିଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ମିଟିଙ୍ଗ କରି କିଭଳି ଭାବରେ ଏହି ପ୍ରୟାସକୁ ରାଜ୍ୟର କୋଣ ଅନୁକୋଣକୁ ପହଞ୍ଚା ଯାଇପାରିବ ଆଲୋଚନା କରିଥିଲେ।

ରାଜ୍ୟର ପୂର୍ବତନ ମହିଳା କମିଶନର ନମ୍ରତା ଚଢା ସ୍କୁଲ୍ ପାଠ୍ୟକ୍ରମରେ ଆୟୁଷ ଚିକିତ୍ସା ପଦ୍ଧତିକୁ ମିଶାଇବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ। କଲେଜର ପ୍ରିନ୍ସିପାଲ ଶ୍ରୀ ଦାସ ଏହିଭଳି କାର୍ଯ୍ୟକ୍ରମ ସହ ଆୟୋଜକ ସହ ଆୟୋଜକ ହୋଇଥିବାରୁ ନିଜକୁ ଧନ୍ୟ ମନେ କରି ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ।

ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସୁରକ୍ଷାରେ ହିଁ ଆମ ଭବିଷ୍ୟତ ସୁରକ୍ଷା ବୋଲି କହିଥିଲେ। ଏହି ଉପଲକ୍ଷେ ଏକ ସୋଭେନିଅରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଲୋଚନା ସହିତ କାର୍ଯ୍ୟକ୍ରମରେ ସେମିନାର ମାଧ୍ୟମରେ ଡ଼ାକ୍ତର ଦୀପକ ସ୍ୱାଇଁ, ଡ଼ାକ୍ତର ଜି.ସି ଭୂୟାଁ, ଡ଼ାକ୍ତର ଭବାନୀ ଶଙ୍କର ପାଲ, ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା, ଡ଼ାକ୍ତର ଅଶୋକ ପଣ୍ଡା, ଡାକ୍ତର ଇନ୍ଦୁ, ଡ଼ାକ୍ତର ସ୍ନେହମୟୀ ମିଶ୍ର, ଡ଼ାକ୍ତର କେଦାରନାଥ ନାୟକ ଆଦି ପାରମ୍ପରିକ ଚିକିତ୍ସା ଉପରେ ନିଜର ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ। ସେମିନାରର ପ୍ରଥମ ଅଧିବେଶନକୁ ଡ଼ାକ୍ତର ଅଶୋକ ପଣ୍ଡା ଓ ଦ୍ୱିତୀୟ ଅଧିବେଶନକୁ ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଡ଼ାକ୍ତର, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ଆୟୁର୍ବେଦ, ହୋମିଓପ୍ୟାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କର ଚିକିତ୍ସା କରାଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାନର ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା, ସଂଯୋଜକ ରମେଶ ଭାରତୀ, ରଘୁନାଥ ମଣ୍ଡଳ, ଶୁଭଶ୍ରୀ ମହାପାତ୍ର ପରିଚାଳନା କରିଥିଲେ।