ନୂଆଦିଲ୍ଲୀ : ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇଟି ପ୍ଲାଟଫର୍ମ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅଧୀନରେ ଆସିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହାଦ୍ୱାରା ଏଣିକି ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ଭିଡିଓ, ଅଡିଓ, ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ବିଭାଗର ନିୟମ ଅଧୀନରେ ଆସିବ। ଯେ କେହି, ଏହି ନିୟମ ଉଲ୍ଲଂଘନ କରିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି କୁହାଯାଇଛି। ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ । କିନ୍ତୁ ଖବର ପ୍ରସାରଣ ନେଇ ଉତ୍ତରଦାୟୀ ହେବାକୁ ପଡ଼ିବ । କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ । କିଛି ଦିନ ତଳେ ସୁପ୍ରିମକୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଜାରି କରିଥିଲେ। ଅନଲାଇନ୍ ମିଡିଆକୁ ନେଇ ଖୁବଶୀଘ୍ର ଏକ ରେଗୁଲେସନ ଆଣିବାକୁ କୋର୍ଟ କହିଥିଲେ। (ଏଜେନ୍ସି)