Categories
ବିଶେଷ ଖବର ରାଜ୍ୟ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କୁଶଭଦ୍ରା ହାଇଲେଭଲ ସେତୁ ପରିଦର୍ଶନ

ଭୁବନେଶ୍ୱର: ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ବାଲିପାଟଣା ଓ ବନମାଳିପୁର ଅଂଚଳ ପରିଦର୍ଶନ କରିଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପ୍ରଥମେ କୁଶଭଦ୍ରା ନଦୀରେ ନିର୍ମିତ ହାଇଲେଭଲ ସେତୁ ପରିଦର୍ଶନ କରିଥିଲେ । ଶିଶୁ ଅନନ୍ତ ପୀଠ ଠାରୁ ଜୟଦେବ ପୀଠ ସହିତ ସଂଯୋଗ କରୁଥିବା ଏହି ହାଇଲେଭଲ ସେତୁ ୩୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ନିର୍ମାଣ ସରିଥିବା ବେଳେ ଏହାର ସଂଯୋଗୀକରଣ ରାସ୍ତା ଉନ୍ନତିକରଣ କାର‌୍ୟ୍ୟ ଜାରି ରହିଛି । ଏହି ସେତୁ ଫଳରେ ସ୍ଥାନୀୟ ଗାରେଡିପାଂଚଣ, ଅଠାନ୍ତର,ପମ୍ପାଲୋ, ଜୟଦେବ, ପ୍ରତାପରୁଦ୍ରପୁର ଆଦି ୪ଟି ଗ୍ରାମ ପଂଚାୟତର ପ୍ରାୟ ୧୮୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେଉଛନ୍ତି ।

ସେହିପରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ, ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୬ କୋଟି ୧ଲକ୍ଷ ଟଙ୍କା ବ୍ୟୟରେଉନ୍ନତିକରଣକରାଯାଉଥିବା ଚଣାହାଟ-ରାଜସ ରାସ୍ତା ଏବଂ ୫ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ବନମାଳିପୁର-ବଳଙ୍ଗା ରାସ୍ତା ଉନ୍ନତିକରଣ କାର‌୍ୟ୍ୟର ତଦାରଖ କରିଛନ୍ତି ।

ଏହି ଗସ୍ତ ସମୟରେ ପୂର୍ତ୍ତ ସଚିବ ଶ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ, ସେତୁ ଓ ବିଲ୍ଡିଂ ଶ୍ରୀ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଯନ୍ତ୍ରୀ-ଯୋଜନା ଓ ରାସ୍ତା ନିର୍ମାଣ ଶ୍ରୀ ସଂଜୀବ କୁମାର ମହାନ୍ତି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ –କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ସର୍କଲ ଶ୍ରୀ ସତ୍ୟବ୍ରତ ବେହେରା ଓ ଅଧିକ୍ଷଣ ଯନ୍ତ୍ରୀ(ପୂର୍ତ୍ତ) ଶ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଧ୍ୟାନ ସମୟରେ ପ୍ରମୁଖ ଶାସନ ଶ୍ରୀ ସିଂ ବିଭାଗର ଯନ୍ତ୍ରୀମାନଙ୍କ ସହିତ ନିର୍ମାଣ କାର‌୍ୟ୍ୟରେ ଗୁଣବତ୍ତା ବଜାୟ ରଖିବା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର‌୍ୟ୍ୟ ଶେଷ କରିବା, ଆବଶ୍ୟକ ସ୍ଥାନରେ ଗାର୍ଡଓ୍ୱାଲ ନିର୍ମାଣଆଦି ସଂପର୍କରେ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସେ ବାଲିପାଟଣାର ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପରିଦର୍ଶନ କରିଥିଲେ। ସେଠାରେ ଶିଶୁ ଅନନ୍ତ ପୀଠର ମହିମା ସଂପର୍କରେ ପୀଠର ସଂପାଦିକା ତନୟା ଦାସ ଗୋସ୍ୱାମୀଙ୍କ ଠାରୁ ବିଶେଷ ଭାବେ ଅବଗତ ହୋଇଥିଲେ । ଏହି ଅବସରରେ ସଂପାଦିକା ତନୟା ଦାସ ଗୋସ୍ୱାମୀ ପ୍ରମୁଖ ଶାସନ ସଚିବଙ୍କ ସହିତ ପୀଠର ଉନ୍ନତିକରଣ ସଂପର୍କରେ ଅନୁରୋଧ କରିଥିଲେ ।