Categories
ଆଞ୍ଚଳିକ

ଜଳ ସଂରକ୍ଷଣ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦିନକୁ ଦିନ ଭୂଗର୍ଭ ଜଳ ତଳକୁ ଖସି ଖସି ଯାଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଜାତୀୟ ସମସ୍ୟା ଭାବରେ ପ୍ରତିହତ ହେବ। ଏହି ଜ୍ୱଳନ୍ତ ସମସ୍ୟା ଉପରେ ଆଜି ଭୁବନେଶ୍ୱରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫାଉଣ୍ଡେସନର ସଭାପତି ଡଃ ବିପିନ ବିହାର ମିଶ୍ର କହିଲେ ଯେ, ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଆଜି ଦିନରେ ସମ୍ପତ୍ତି ଭଳି ସୁରକ୍ଷିତ ରଖିବାକୁ ହେବ। ନଚେତ ଆଗାମୀ ପିଢି ବଞ୍ଚିବା କଷ୍ଟକର ହୋଇପଡ଼ିବ। ଏହି ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ଏବଂ ତା ସହିତ ବିଭିନ୍ନ ସ୍ଥାନରେ ଜଳସମ୍ପଦର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସମ୍ବାଦିକ ଗୁୁରୁକଲ୍ୟାଣ ମହାପାତ୍ର କହିଲେ ଯେ, ଜଳ ହିଁ ଜୀବନ ଏବଂ ଏହାର ସଂରକ୍ଷଣ ପାଇଁ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ନଚେତ ଆମ ପରବର୍ତ୍ତୀ ପିଢି ଆମକୁ ଭର୍ତ୍ସନା କରିବେ। ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଜୀବନ ବିନ୍ଦୁ ବୋଲି ବୁଝିବାକୁ ହେବ। ଅନ୍ୟତମ ଅତିଥି ତଥା ଭେଟରାନ ସିନେ ପ୍ରଯୋଜକ ସୁବାସ ରଥ ସମ୍ପ୍ରତି ସ୍ଥିତିରେ ଯଦି ଆମ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ନକରିବା, ତେବେ ଆଗାମୀ ସମୟରେ ସେ ନେଇ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ। ଏ ନେଇ କିଛି କିଛି ସିନେମା ମଧ୍ୟ ର୍ନିମିତ ହୋଇଛି।

ଏହି ସିନେମାଗୁଡ଼ିକ କୌଣସି ମନୋରଞ୍ଜନ ମାତ୍ର ନୁହେଁ, ଆମର ଭବିଷ୍ୟତ ପାଇଁ ଚେତାବନୀ ମଧ୍ୟ। ଅତଏବ ଆମେ ଏବେଠୁ ସଚେତନ ହେବା ଆବଶ୍ୟକ ଏବଂ ଏହି ପୂଣ୍ୟ କାର୍ଯ୍ୟ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ମଣିଷ ସମାଜ ବଞ୍ଚିବା ପାଇଁ ଆବଶ୍ୟକ ଜଳର ସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବା ଆବଶ୍ୟକ ଉପରେ ଅନ୍ୟତମ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀଚରଣ ମହାନ୍ତି ଆଲୋକପାତ କରିଥିଲେ।

ଯୁବ ସାମାଜିକ କର୍ମୀ ଦିଲ୍ଲୀପ ପଟ୍ଟନାୟକ ଜଳ ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ସମୟର ଏକ ଆହ୍ୱାନ ଏବଂ ଆମ ସମସ୍ତଙ୍କ ପ୍ରୟାସରେ ହିଁ ଏହାର ସଂରକ୍ଷଣ ସମ୍ଭବ ହେବ ବୋଲି କହିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡଃ ସୁକାନ୍ତି ମିଶ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନ ଉପସ୍ଥିତି ସମସ୍ତ ଅତିଥି ଏବଂ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସକ୍ରିୟ ସଦସ୍ୟ ନିଜାମୁଦ୍ଦିନ ବେଗ୍‌, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ସମାରୋହ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁ କେଳୁୁଚରଣ ମହାପାତ୍ର ଓଡ଼ିଶୀ ରସର୍ଚ୍ଚ ସେଣ୍ଟର, ଭୁବନେଶ୍ୱରଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ସଦସ୍ୟ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇ କହିଲେ ଯେ, ସାମାଜିକ କାର୍ଯ୍ୟ ଦ୍ୱାରା ହିଁ ସମାଜର ସାମଗ୍ରିକ ବିକାଶ ସମ୍ଭବ। ସାରା ଦେଶରେ କ୍ୟାନ୍ସର ସଚେତନତା ଦିଗରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର କାର୍ଯ୍ୟକୁ ଅନ୍ୟମାନେ ଅନୁସରଣ କରିବା ଉଚିତ୍।

ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଡଃ ହିମାଂଶୁ ଭୂଷଣ ପଣ୍ଡା, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭୁବନେଶ୍ୱର ବ୍ରହ୍ମାକୁମାରୀ ସେଣ୍ଟରର ମୁଖ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ତପସ୍ୱିନୀ, ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଲାୟନ ଇଂ ବିପିନ ବିହାରୀ ନାୟକ, ଖଦୀ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଲୋକସେବକ ମଣ୍ଡଳ, ପଶ୍ଚିମବଙ୍କର ଅଧ୍ୟକ୍ଷ ରବି ମହାପାତ୍ର, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାଗତିକାର ଅଧ୍ୟକ୍ଷ ଅସିତ୍ ମହାନ୍ତି, ଟ୍ରଷ୍ଟି ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନିନ୍ଦ୍ୱିତା ଦାସଙ୍କ ସୁମଧୁର ସଙ୍ଗୀତ ପରିବେଷଣ ପରେ ଆରମ୍ଭ ହୋଇଥିବା ସଭାକାର୍ଯ୍ୟରେ ଡଃ ଶିବ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସାମାଜିକ ସଶକ୍ତିକରଣ କାର୍ଯ୍ୟର ଅଂଶ ରୂପେ ଦୁଇଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ ସହ କେନ୍ଦୁଝର ଜିଲ୍ଲାର ଦଶଜଣ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ପରି ବିଭିନ୍ନ ବର୍ଗରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସୂର୍ଯ୍ୟକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯିବା ସହ ଶିଶୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧୀରମୋହନ ରାୟ ଧନ୍ୟବାଦ ଦେଇଥିବା ବେଳେ ମିଲନ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲ।