Categories
ବିଶେଷ ଖବର ରାଜ୍ୟ ଖବର

ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଲା ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ କଲେ ଶେଷ ଦର୍ଶନ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଶେଷ ବିଦାୟ ନେଇଛନ୍ତି ଓଡିଶାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତାଙ୍କର ନୟାପଲ୍ଲୀ ବାସଭବନରେ ଆଜି ସକାଳୁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ସମସ୍ତେ ଶେଷ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସ୍ବାନ୍ତନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ। ସୂର୍ଯ୍ୟ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ। ସେ ନବୀନ ସରକାରରେ ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରି ତାଙ୍କର ପ୍ରଶଂସା ଭାଜନ ହୋଇପାରିଥିଲେ। ସେଥିପାଇଁ ନବୀନ ଶେଷ ବେଳକୁ ତାଙ୍କୁ ବାଚସ୍ପତି ପରି ଗୁରୁତ୍ବପୂର୍ଣ୍ଣ ପଦବୀରେ ବସାଇଥିଲେ।

ନିଜ ବାସଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନକୁ ଅଣାଯାଇଥିଲା। ସେଠାରେ ମଧ୍ୟ ବିଜେଡି ମନ୍ତ୍ରୀ ବିଧାୟକ ତଥା ନେତାମାନେ ଶେଷ ଦର୍ଶନ କରିଥିଲେ। ସେଠାରେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ଶରୀରରେ ଦଳୀୟ ପତାକାକୁ ଢାଙ୍କି ଦିଆଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ପରିସରକୁ ନିଆଯାଇ ସେଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିଜେଡି ନେତା ତଥା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଡ ଅଚ୍ୟୁତ ସାମନ୍ତ, ସିଦ୍ଧାନ୍ତ ମହାପାତ୍ର, ପ୍ରଣବ ବଳବନ୍ତରାୟ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିକ୍ରମକେଶରୀ ଅରୁଖ ପ୍ରମୁଖ ବହୁ ବିଜେଡି ନେତା ତାଙ୍କର ଶେଷ ଦର୍ଶନ କରିଥିଲେ।

ଗତକାଲି ସନ୍ଧ୍ୟା ୭ ଟା ୩୧ ମିନିଟରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଥିଲା। ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବିଭିନ୍ନ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ସଂଧ୍ୟାରେ ପରଲୋକ ହୋଇଯାଇଛି।

ମୃତ୍ୟୁ ବେଳକୁ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ଭାବେ କାର୍ଯ୍ୟ କରୁଥିଲେ। ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ।

ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ସେ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ତାଙ୍କର ବିୟୋଗ କେବଳ ଗଂଜାମ ଜିଲ୍ଲା ନୁହେଁ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ଦିଗପହଣ୍ଡିରେ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି ।

ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି।

ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୂର୍ଯ୍ୟନାରାୟଣ ପାତ୍ର ଗୁରୁତର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କିଡନୀ ରୋଗରେ ପୀଡିତ ହୋଇଛନ୍ତି ବୋଲି ତାଙ୍କ ପୁତ୍ର ସୂଚନା ଦେଇଛନ୍ତି। ଏହାସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଛି ବୋଲି ସେ କହିଛନ୍ତି। ସେ ଗତକାଲି ତାଙ୍କର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି।

ଗତ ୧୪ ଦିନ ହେବ ସେ ଏହି ରୋଗରେ ଆକ୍ରନ୍ତ ହୋଇଛନ୍ତି। ସେଥିପାଇଁ ସେହିଦିନଠାରୁ ତାଙ୍କର ଚିକିତ୍ସା ଚାଲିଛି। ସେଥିପାଇଁ ସେ କୌଣସି ସରକାରୀ ଦାୟିତ୍ବରେ ନ ରହିବା ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲେ ବୋଲି ପୁତ୍ର ବିପ୍ଲବ ପାତ୍ର କହିଛନ୍ତି।

Categories
ଆଞ୍ଚଳିକ ଖେଳ

ଏଫ୍‌.ଏଫ୍‌.ସି ଦ୍ୱାରା ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ୱାକର୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ଅନୁବନ୍ଧିତ ପ୍ରାତଃଭ୍ରମଣକାରୀ ସଂଗଠନ ‘ଫନ୍ ଆଣ୍ଡ ଫିଟ୍‌ନେସ୍ ୱାକର୍ସ କ୍ଲବ’ ଭୁବନେଶ୍ୱର ଦ୍ୱାରା ଏକ ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବର ସଦସ୍ୟ ମହିଳା, ପୁରୁଷ ଓ ଝିଅମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ନିଜେ ପ୍ରେସିଡ଼େଣ୍ଟ ଟିମ୍‌ରେ ବ୍ୟାଟିଙ୍ଗ କରିଥିଲେ।

କ୍ଲବର ଅଧିକାଂଶ ସଦସ୍ୟ ପରିଣତ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ପ୍ରାତଃ ଭ୍ରମଣ, ଯୋଗାଭ୍ୟାସ, ନିରନ୍ତର ବ୍ୟାୟାମ ଯୋଗୁ ସମସ୍ତ ସଭ୍ୟ ନିଜକୁ ସୁସ୍ଥ ରଖିବା ସହିତ କ୍ରିକେଟ ଭଳି ଏକ କଷ୍ଟଦାୟକ ଖେଳକୁ ଆୟତାଧିନ କରିପାରିଛନ୍ତି ଏବଂ ସମାଜକୁ ନିରନ୍ତର ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇ ‘ବେଷ୍ଟ ହେଲ୍‌ଥ କ୍ଲବ’ର ମାନ୍ୟତା ପାଇପାରିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ପୁନମ ମିଶ୍ର, ବରିଷ୍ଠ ଭେଷଜ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ସ୍ୱାଇଁ ଯୋଗ ଦେଇଥିଲେ। ଦୁଇ କ୍ରିକେଟ ଟିମ୍‌ର ଅଧିନାୟକ ଇଂ ଅସୀମାନନ୍ଦ ମହାନ୍ତି, ଆଶିଷ ପଟ୍ଟନାୟକ ଏବଂ ଅମ୍ପେୟାର ଭାବେ ଆଇନଜୀବୀ ନନ୍ଦନନ୍ଦନ ଶତପଥୀ, ଅମନ ଦାଶ ମ୍ୟାଚ୍ ପରିଚାଳନା କରିଥିଲେ। ସେକ୍ରେଟାରୀ ୧୧ ଦଳକୁ ବିଜେତା, ଶ୍ରୀ ବିଭୂ ପ୍ରସାଦ ବାରିକଙ୍କୁ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଏବଂ ପ୍ରଦୀପ ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭିଏସ୍‌ଏସ୍ ନଗର, ସନରାଇଜ କ୍ଲବର କର୍ମକର୍ତ୍ତାମାନଙ୍କୁ ମାନ୍ୟବର ବାଚସ୍ପତି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏଫ୍‌.ଏଫ୍‌.ସି.ର ସଭାପତି କେଦାର ପଟ୍ଟନାୟକ, ଉପସଭାପତି ଅଜିତ ପ୍ରସାଦ ସହୁ, ସୁଧାକର ଷଡ଼ଙ୍ଗୀ, ସୁରେନ୍ଦ୍ର ସେଠୀ, ଶିବିର ପରିଡ଼ା, ବାବୁରାମ ସେଠୀ, ଶିଶିରକାନ୍ତ ସାହୁ, ରାଜେଶ୍ୱର ପାତ୍ର, ଇଂ ଚିତ୍ତରଞ୍ଜନ ଦାସ, ରିୟା ଖାନ୍‌, ପିଆରଓ ଅଜୟ ଦାସ ଓ ବି.ସି. ଓଝା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ଏବଂ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ନବବର୍ଷ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେବ ବୋଲି କାମନା କରିବା ସହ ରାଜ୍ୟପାଳଙ୍କ ଶୁଭକାମନା କରିଛନ୍ତି । ବାଚସ୍ପତି ଡ. ପାତ୍ର ବିଧାନସଭାର ସମସ୍ତ ଅଧିକାରୀବୃନ୍ଦ ନବବର୍ଷ ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସମସ୍ତ ଅଧିକାରୀ ବାଚସ୍ପତିଙ୍କୁ ସାକ୍ଷାତ କରି ତାଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ ହେବ କୋଭିଡ ପରୀକ୍ଷା, ବାଚସ୍ପତି ନେଲେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ କୋଭିଡ ପରୀକ୍ଷା କରାଯିବ। ରାଜ୍ୟରେ ଏହାର ପ୍ରକୋପ କମିଥିଲେ ମଧ୍ୟ କୋଭିଡ ନିୟମ ଅନୁଯାଇ କାର୍ଯ୍ୟ କରାଯିବ। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ବିଧାୟକ, କର୍ମଚାରୀ ଏବଂ ସାମ୍ବାଦିକଙ୍କ ଉଭୟ ଆରଟିପିସିଆର ଏବଂ ଆଣ୍ଟିବଡି ପରୀକ୍ଷା କରାଯିବ।

ନିଷ୍ପତି ଅନୁସାରେ ଆସନ୍ତା 28,29 ଏବଂ 30 ତାରିଖରେ ତିନିଦିନ ଧରି ବିଧାନସଭା ପରିସରରେ ଏହି ପରୀକ୍ଷା କରାଯିବ। ଏଥିରେ କୌଣସି ବ୍ୟକ୍ତିଙ୍କର ପଜେଟିଭ ଆସିଲେ ତାଙ୍କୁ ଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସେହିପରି ଅଧିବେସନ ବେଳେ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ ମାସ୍କ, ଗ୍ଲୋବସ ଏବଂ ସାନିଟାଇଜର ପ୍ରଦାନ କରାଯିବ। ସେହିପରି ବିଧାନସଭା ପରିସରକୁ ଆସୁଥିବା ବରିଷ୍ଠ ଅଧିକାରୀମାନେ ନେଗେଟିଭ ରିପୋର୍ଟ ଆଣି ବିଧାନସଭା ପରିସରରେ ପ୍ରବେଶ କରିବେ ବୋଲି ନିଷ୍ପତି କରାଯାଇଛି।