Categories
ଆଜିର ଖବର ଜାତୀୟ ଖବର

୨୦୨୫ ସୁଦ୍ଧା ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୋପାଳରେ ଆୟୋଜିତ ‘ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫’ ର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶିବରାତ୍ରିର ଶୁଭ ପୂର୍ବ ସନ୍ଧ୍ୟାରେ ନୂତନ ବୃକ୍ଷରୋପଣ ପାଇଁ ଏଚଏଲବିଏସ ପରିବାରକୁ ଅଭିନନ୍ଦନ ଜଣାଇଥିଲେ। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ୨୦୨୫ ସୁଦ୍ଧା ପ୍ରଥମ ‘ମେଡ ଇନ ଇଣ୍ଡିଆ’ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ।

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ମଧ୍ୟପ୍ରଦେଶର ଦ୍ରୁତ ଅଭିବୃଦ୍ଧି

ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଶ୍ରୀ ବୈଷ୍ଣବ ସ୍ୱୀକାର କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ଇଲେକ୍ଟ୍ରୋନିକ୍ ଉତ୍ପାଦନ ଉଲ୍ଲେଖନୀୟ ଗତି ହାସଲ କରିଛି।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟରକୁ ଅନୁମୋଦନ କରାଯାଇଛି, ଗୋଟିଏ ଭୋପାଳରେ ଏବଂ ଅନ୍ୟଟି ଜବଲପୁରରେ। ବର୍ତ୍ତମାନ ରାଜ୍ୟରେ ୮୫ଟି କମ୍ପାନୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି, ଯାହା ଉଭୟ ସରକାରଙ୍କ ପାଇଁ ଏକ ବଡ଼ ସଫଳତା।

ମଧ୍ୟପ୍ରଦେଶରେ ୨୦,୦୦୦ ଇଞ୍ଜିନିୟରଙ୍କୁ ତାଲିମ

କେନ୍ଦ୍ର ମନ୍ତ୍ରୀ ମଧ୍ୟ ମଧ୍ୟପ୍ରଦେଶରେ ଭବିଷ୍ୟତ ଦକ୍ଷତା କାର୍ଯ୍ୟକ୍ରମ ଅଧୀନରେ ୨୦,୦୦୦ ଇଞ୍ଜିନିୟରଙ୍କ ତାଲିମ ଘୋଷଣା କରି ବୈଷୟିକ ପ୍ରଗତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ବିଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି, ଯାହାର ମୂଲ୍ୟ ୧୦ ଲକ୍ଷ କୋଟି ଟଙ୍କା ହୋଇଛି। ଭାରତ ବର୍ତ୍ତମାନ ମୋବାଇଲ୍ (୪ ଲକ୍ଷ କୋଟି ଟଙ୍କା); ଲାପଟପସ୍‍, ସର୍ଭର୍, ଟେଲିକମ୍ ଉପକରଣ (୭୫,୦୦୦ କୋଟି ଟଙ୍କା) ଏବଂ ପ୍ରତିରକ୍ଷା ଏବଂ ମେଡିକାଲ୍ ଇଲେକ୍ଟ୍ରୋନିକ୍ସ ସମେତ ୫ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ରପ୍ତାନି କରୁଛି। ରପ୍ତାନୀ କରାଯାଉଥିବା ୩ଟି ପ୍ରମୁଖ ସାମଗ୍ରୀ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଅନ୍ୟତମ।

ଭାରତର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା

ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି, ଯେଉଁଥିରେ ଏକକାଳୀନ ପାଞ୍ଚଟି ୟୁନିଟ୍ ନିର୍ମାଣାଧୀନ ରହିଛି। ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ୨୦୨୫ ସୁଦ୍ଧା ବାହାରିବ ବୋଲି ଆଶା କରାଯାଉଛି। ପ୍ରତିଭାକୁ ଆହୁରି ମଜବୁତ କରିବା ପାଇଁ ସରକାର ୮୫,୦୦୦ ଇଞ୍ଜିନିୟରଙ୍କୁ ଉନ୍ନତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ତାଲିମ ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ଦୂରଦୃଷ୍ଟି ଏବଂ ନେତୃତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପକୁ ନୂତନ ଉଚ୍ଚତାକୁ ନେଇ ଯାଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ ଏବଂ ମଧ୍ୟପ୍ରଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ମହାଶିବରାତ୍ରିର ଶୁଭ ଅବସରରେ ଶୁଭେଚ୍ଛା ଜଣାଇଥିଲେ।

ନୂତନ ଆଇ. ଟି. କ୍ୟାମ୍ପସର ପ୍ରମୁଖ ବିଶେଷତ୍ୱ

ଗୋଟିଏ ଛାତ ତଳେ ଆଇଟି ହାର୍ଡୱେର୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦ ଉତ୍ପାଦନ ପାଇଁ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ନୂତନ ଉଦଘାଟିତ ଆଇଟି କ୍ୟାମ୍ପସ୍ ୧ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ଏହି କାରଖାନା ସର୍ଭର, ଡେସ୍କଟପ, ମଦରବୋର୍ଡ, ଚେସିସ୍, ରାମ୍, ଏସ୍. ଏସ୍. ଡି., ଡ୍ରୋନ୍ ଏବଂ ରୋବୋଟ୍ ସମେତ ଅନ୍ୟାନ୍ୟ ଏଣ୍ଡ-ଟୁ-ଏଣ୍ଡ ଇଲେକ୍ଟ୍ରୋନିକ୍ ଉପକରଣ ଉତ୍ପାଦନ କରିବ। ଆଗାମୀ ଛଅ ବର୍ଷ ମଧ୍ୟରେ ଏହି କ୍ୟାମ୍ପସରେ ପାଖାପାଖି ୧୫୦ କୋଟି ଟଙ୍କାର ନିବେଶ ହେବା ସହିତ ପ୍ରାୟ ୧୨୦୦ ପେସାଦାରଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଏହି ସୁବିଧା ଡେସ୍କଟପ୍ କମ୍ପ୍ୟୁଟର, ଅଲ୍-ଇନ୍-ୱାନ୍ ୱାର୍କଷ୍ଟେସନ୍, ଲାପଟପ୍‍, ଟାବଲେଟ୍ ଏବଂ ମନିଟର ମଧ୍ୟ ଉତ୍ପାଦନ କରିବ।

ବିଶ୍ୱ ନିବେଶକ ସମ୍ମିଳନୀର ପ୍ରଥମ ଦିନରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ମଧ୍ୟପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ନିବେଶ ଘୋଷଣା କରିଥିଲେ। ଭାରତୀୟ ରେଳବାଇ ଏବଂ ମଧ୍ୟପ୍ରଦେଶ ସରକାର ଅକ୍ଷୟ ଶକ୍ତି ପ୍ରକଳ୍ପ ଉପରେ ରାଜିନାମା ସ୍ୱାକ୍ଷର କରିଛନ୍ତି, ଯାହା ସେମାନଙ୍କ ଭାଗିଦାରୀକୁ ଆହୁରି ମଜବୁତ କରିଛି।

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଉପରେ ଭାରତର ଗୁରୁତ୍ୱ

ମୋଦୀ ସରକାର ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଏବଂ କ୍ଷମତା ନିର୍ମାଣ ଉପରେ ବ୍ୟାପକ ଭାବେ ଧ୍ୟାନ ଦେଉଛନ୍ତି। ‘ବିକଶିତ ଭାରତ ୨୦୪୭’ ର ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଭିତ୍ତିଭୂମି ନିବେଶ, ସମାବେଶୀ ଅଭିବୃଦ୍ଧି, ଉତ୍ପାଦନ ସମ୍ପ୍ରସାରଣ ଏବଂ ଆଇନର ସରଳୀକରଣ ଭଳି ଚାରୋଟି ପ୍ରମୁଖ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି ।

ଏଚଏଲବିଏସ୍. କ ଣ?

ଏଚଏଲବିଏସ ହେଉଛି ଏକ ଟେକ୍ନୋଲୋଜି କମ୍ପାନୀ ଯାହାର ଭୋପାଳରେ ଏକ ଉତ୍ପାଦନ ୟୁନିଟ୍ ଏବଂ ଭୋପାଳ ଆଇଟି ପାର୍କରେ ଏକ ଅତ୍ୟାଧୁନିକ ଉତ୍ପାଦନ ଏବଂ ଗବେଷଣା ଏବଂ ବିକାଶ ସୁବିଧା ରହିଛି। ଏହା ଉଭୟ ଘରୋଇ ଏବଂ ବିଶ୍ୱସ୍ତରୀୟ ବଜାରକୁ ସେବା ଯୋଗାଇବା ପାଇଁ ଅଭିନବ ଏବଂ ଉଚ୍ଚ-ବୈଷୟିକ ଉତ୍ପାଦ ବିକଶିତ କରିବା ଉପରେ ଧ୍ୟାନ ଦେଇଥାଏ। ଏଚ୍ଏଲବିଏସ୍ ର ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ, ବିଶେଷ କରି ସାଧାରଣ ଜନତାଙ୍କ ପାଇଁ ଇଲେକ୍ଟ୍ରୋନିକ୍ ଉତ୍ପାଦଗୁଡ଼ିକର ସୁଲଭତା ବୃଦ୍ଧି କରିବା ପାଇଁ ବ୍ୟୟବହୁଳ ସମାଧାନ ପ୍ରଦାନ କରିବା। ଗୁଣବତ୍ତା ଏବଂ ବିଶ୍ୱସନୀୟତା ପ୍ରତି ପ୍ରତିବଦ୍ଧ, ଏଚଏଲବିଏସ ସୁନିଶ୍ଚିତ କରେ ଯେ ଏହାର ବ୍ୟାନର ତଳେ ଥିବା ପ୍ରତ୍ୟେକ ଉତ୍ପାଦ ସର୍ବୋଚ୍ଚ ମାନକ ପୂରଣ କରିବାରେ ସମର୍ଥ । ବୈଷୟିକ ପ୍ରଗତି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଅବଦାନ ପାଇଁ କମ୍ପାନୀ ସାରା ଭାରତରେ ସ୍ୱୀକୃତିପ୍ରାପ୍ତ ଏବଂ ବିଶ୍ୱାସଯୋଗ୍ୟ ।

Categories
ଆଜିର ଖବର ଜାତୀୟ ଖବର

ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଉତ୍ପାଦନକାରୀ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣ ଭାରତକୁ ବିଶ୍ୱ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି। ଏହାର ଶୁଭାରମ୍ଭର ଗୋଟିଏ ଦଶନ୍ଧି ମଧ୍ୟରେ, ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ କେବଳ ଦେଶର ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରୁନାହିଁ ବରଂ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରିପ୍ରେକ୍ଷୀରେ ବିସ୍ତୃତ ତଥ୍ୟ ପ୍ରଦାନ କରି ବିଗତ ଦଶନ୍ଧିରେ ଭାରତର ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି।

ଆମଦାନୀରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତମୋବାଇଲ ଉତ୍ପାଦନରେ ଭାରତର ଅଭ୍ୟୁଦୟ

ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। 2014 ମସିହାରେ ଭାରତରେ ମାତ୍ର 2ଟି ମୋବାଇଲ ଉତ୍ପାଦନ ୟୁନିଟ ଥିଲା, କିନ୍ତୁ ଆଜି ଦେଶରେ 300ରୁ ଅଧିକ ଉତ୍ପାଦନ ୟୁନିଟ ରହିଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାରକୁ ଦର୍ଶାଉଛି।

2014-15 ରେ, ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ମାତ୍ର 26 ପ୍ରତିଶତ ଭାରତରେ ନିର୍ମିତ ହେଉଥିଲା, ଅବଶିଷ୍ଟ ଆମଦାନୀ କରାଯାଉଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ଭାରତରେ ବିକ୍ରି ହେଉଥିବା 99.2% ମୋବାଇଲ୍ ଫୋନ୍ ଭାରତରେ ନିର୍ମିତ। ମୋବାଇଲ ଫୋନର ଉତ୍ପାଦନ ମୂଲ୍ୟ 2014 ଆର୍ଥିକ ବର୍ଷରେ 18,900 କୋଟି ଟଙ୍କାରୁ ବୃଦ୍ଧି ପାଇ 2024 ଆର୍ଥିକ ବର୍ଷରେ 4,22,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଭାରତରେ ପ୍ରତିବର୍ଷ 325 ରୁ 330 ନିୟୁତରୁ ଅଧିକ ମୋବାଇଲ୍ ଫୋନ୍ ଉତ୍ପାଦିତ ହେଉଛି ଏବଂ ଭାରତରେ ହାରାହାରି ପ୍ରାୟ ଏକ ବିଲିୟନ ମୋବାଇଲ୍ ଫୋନ୍ ବ୍ୟବହୃତ ହେଉଛି। ଭାରତ ନିର୍ମିତ ମୋବାଇଲ ଫୋନ ଘରୋଇ ବଜାରକୁ ପ୍ରାୟତଃ ପରିପୂର୍ଣ୍ଣ କରିଦେଇଛି। ସେଥିପାଇଁ ମୋବାଇଲ ଫୋନର ରପ୍ତାନୀ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2014ରେ ରପ୍ତାନୀ ପ୍ରାୟ ଶୂନ ଥିଲା, ଯାହା ଏବେ 1,29,000 କୋଟି ଟଙ୍କା ଅତିକ୍ରମ କରିଛି।

ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ନିଯୁକ୍ତି ସୃଷ୍ଟିର ଗୋଟିଏ ଦଶନ୍ଧି

ଏହି କ୍ଷେତ୍ରର ସମ୍ପ୍ରସାରଣ ମଧ୍ୟ ରୋଜଗାରର ଏକ ପ୍ରମୁଖ ଉତ୍ସରେ ପରିଣତ ହୋଇଛି। ବିଗତ ଦଶନ୍ଧିରେ ଏ କ୍ଷେତ୍ରରେ ପ୍ରାୟ 12 ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ନିଯୁକ୍ତି ସୁଯୋଗଗୁଡ଼ିକ କେବଳ ଅଗଣିତ ପରିବାରର ଆର୍ଥିକ ସ୍ଥିତିକୁ ଉନ୍ନତ କରିନାହିଁ, ବରଂ ଦେଶର ସାମାଜିକ-ଆର୍ଥିକ ଢାଞ୍ଚାରେ ମଧ୍ୟ ଯୋଗଦାନ ଦେଇଛି।

ଏହି ମାଇଲଖୁଣ୍ଟ ହାସଲ କରିବାରେ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଚାର୍ଜର୍, ବ୍ୟାଟେରୀ ପ୍ୟାକ୍, ସମସ୍ତ ପ୍ରକାରର ଯନ୍ତ୍ରାଠା, ୟୁଏସବି କେବୁଲ, ଏବଂ ଅଧିକ ଗୁରୁତ୍ୱପୂଣ୍ଣ ଉପକରଣ ଯଥା: ଲିଥିୟମ୍ ଆୟନ୍ ସେଲ୍, ସ୍ପିକର ଏବଂ ମାଇକ୍ରୋଫୋନ୍, ଡିସପ୍ଲେ ଆସେମ୍ବ୍ଲି ଏବଂ କ୍ୟାମେରା ମଡ୍ୟୁଲ୍ ପରି ପ୍ରମୁଖ ଉପାଦାନ ଏବଂ ଡିସପ୍ଲେଆସେମ୍ବ୍ଲିର ଘରୋଇ ଉତ୍ପାଦନକୁ ସକ୍ଷମ କରିଛି। ବିଶେଷ କରି ଉପାଦାନ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭବିଷ୍ୟତରେ ମୂଲ୍ୟ ଶୃଙ୍ଖଳାକୁ ଆହୁରି ଗଭୀର କରିବା ଉପରେ ଧ୍ୟାନ ଦିଆଯିବ। ଏହି ପରିବର୍ତ୍ତନ ଆତ୍ମନିର୍ଭରଶୀଳତା ବୃଦ୍ଧି ଏବଂ ବିଶ୍ୱ ଇଲେକ୍ଟ୍ରୋନିକ୍ସ ବଜାରରେ ଭାରତକୁ ପ୍ରଥମ ସ୍ଥାନରେ ରଖିବା ପାଇଁ ଏକ ବ୍ୟାପକ ରଣନୀତିର ଅଂଶବିଶେଷ।

ମୂଲ୍ୟ ଶୃଙ୍ଖଳାକୁ ଗଭୀର କରିବା: ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ଆଗକୁ ବଢ଼ାଇବା

ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଉପାଦାନ ଇକୋସିଷ୍ଟମର ସ୍ୱଦେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ସୂକ୍ଷ୍ମ ଉପାଦାନ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେଇ ମୂଲ୍ୟ ଶୃଙ୍ଖଳାକୁ ଆହୁରି ଗଭୀର କରିବା ଉପରେ ବର୍ତ୍ତମାନ ଧ୍ୟାନ ଦିଆଯାଇଛି। ଏହା ବିଶ୍ୱସ୍ତରରେ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ବଜାର ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ।

1950 ରୁ 1990 ମଧ୍ୟରେ ପ୍ରତିବନ୍ଧକ ନୀତି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି କରିଥିଲା। ତେବେ, ‘ମେକ୍ ଇନ୍ ଇଣ୍ଡିଆ’ ମୂଲ୍ୟ ଶୃଙ୍ଖଳାରେ ଗଭୀର ଭାବେ ପ୍ରବେଶ କରି ଏବଂ ଯନ୍ତ୍ରାଂଶ ଓ ଚିପ୍ସର ଉତ୍ପାଦନକୁ ବଢ଼ାଇ ଏହି ଧାରାରେ ପରିବର୍ତ୍ତନ ଆଣିଛି।

ଦେଶରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ ଆଧାର ପ୍ରତିଷ୍ଠା କରିବା ମେକ୍ ଇନ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାକୁ ହାସଲ କରିବା ପାଇଁ ଭାରତ ଛଅ ଦଶନ୍ଧି ଧରି ପ୍ରୟାସ କରିଆସୁଛି। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନର ଶୁଭାରମ୍ଭ ଏବଂ ପାଞ୍ଚଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରି ସହିତ ଦେଶରେ ସେମିକଣ୍ଡକ୍ଟରର ବାସ୍ତବ ଉତ୍ପାଦନ ପାଇଁ ମୂଳଦୁଆ ପ୍ରତିଷ୍ଠା ହୋଇସାରିଛି। ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ମାଇକ୍ରନର ଗୋଟିଏ, ଟାଟା ଇଲେକ୍ଟ୍ରୋନିକ୍ସର ଦୁଇଟି, ସିଜି ପାୱାରର ଗୋଟିଏ, କିନେସ୍‌ ର ସେମିକଣ୍ଡକ୍ଟର ପ୍ରକଳ୍ପ ସାମିଲ ରହିଛି।

ନୂଆ ଆର୍ଥିକ ଯୁଗକୁ ଆକାର ଦେଉଛି ମେକ ଇନ ଇଣ୍ଡିଆ

ଖେଳଣା ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍, ପ୍ରତିରକ୍ଷା ଉପକରଣ ଠାରୁ ଆରମ୍ଭ କରି ଇ.ଭି. ବାହନ ପର୍ଯ୍ୟନ୍ତ ଉତ୍ପାଦନ ଭାରତକୁ ଫେରି ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଲକ୍ଷ୍ୟ ହେଉଛି ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି, ଉତ୍ପାଦନ ବୃଦ୍ଧି କରୁଛି ଏବଂ ନିଯୁକ୍ତି ସୃଷ୍ଟି କରୁଛି, ଯଦ୍ଦ୍ୱାରା ଦେଶର ଆର୍ଥିକ ଶକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମିଳିପାରୁଛି।