Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ସୋଆ ପ୍ରକ୍ସିମା -୨୦୨୪’ ଉଦ୍‌ଯାପିତ: ମାନବ ସମ୍ବଳ ଓ ଶିଳ୍ପ ବିଶେଷଜ୍ଞଙ୍କ ବୌଦ୍ଧିକ ଚର୍ଚ୍ଚା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍ କନ୍‌କ୍ଳେଭ ‘ସୋଆ ପ୍ରକ୍ସିମା – ୨୦୨୪’ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀର ୫ମ ସଂସ୍କରଣରେ ଦେଶର ବଛା ବଛା ପେସାଦାର ଯୋଗ ଦେଇ ବିଭିନ୍ନ ବିଷୟରେ ବୌଦ୍ଧିକ ଚର୍ଚ୍ଚା କରିଛନ୍ତି। ଗୋଟିଏ ଛାତ ତଳେ ଦେଶର ୧୦୦ରୁ ଅଧିକ ମାନବ ସମ୍ବଳ ବିଶେଷଜ୍ଞ, ଶିଳ୍ପ ବିଶେଷଜ୍ଞ ଓ ଅଭିଜ୍ଞ ପେସାଦାର ସଂପ୍ରତି ବୈଷୟିକ ଶିକ୍ଷା କେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେଉଛି ଏବଂ ତାକୁ କିଭଳି ସଫଳତାର ସହ ସାମ୍ନା କରାଯାଇ ପାରିବ ସେ ସଂପର୍କରେ ମାନସ ମନ୍ଥନ କରିଛନ୍ତି।

ସୋଆ ପକ୍ଷରୁ ଆୟୋଜିତ ଏହି କନ୍‌କ୍ଳେଭରେ ଯୋଗ ଦେଇଥିବା ଅଭିଜ୍ଞ ବିଶେଷଜ୍ଞମାନେ ପ୍ରାୟ ୪୫୦୦ ଯୁବ ଟେକ୍ ଟାଲେଂଟଙ୍କ ସହ ଭାବ ବିନିମୟ କରିଥିଲେ। ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ୨ ଅଡିଟୋରିୟମ୍‌ରେ ଆୟୋଜିତ ଏହି କନ୍‌କ୍ଳେଭ ସୋଆ ଓ ଶିଳ୍ପ ମଧ୍ୟରେ ଏକ ସେତୁ ଭଳି ଦାୟିତ୍ୱ ତୁଲାଇବାରେ ସଫଳ ହୋଇଛି।

ଏହି କନ୍‌କ୍ଳେଭ ବଦଳୁଥିବା ଦୁନିଆ ଓ ବୈଷୟିକ କୌଶଳ ସହ କେମିତି ଖାପ ଖୁଆଇବାକୁ ପଡ଼ିବ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଛି। ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବାରେ ଏ କନ୍‌କ୍ଳେଭ ବେଶ ସହାୟକ ହୋଇଛି।

‘ସୋଆ ପ୍ରକ୍ସିମା – ୨୦୨୪’ ର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଅଲ୍ ଇଣ୍ଡିଆ କାଉନ୍ସିଲ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ। ଉଦ୍‌ଯାପନୀ ଉତ୍ସବରେ ମୁମ୍ବାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସଭାପତି (ଏଚ୍‌ଆର) ବିଜୟ କୁମାର ସାହୁ ଯୋଗ ଦେଇଥିଲେ। ଟାଟା ଇଂଟରନ୍ୟାନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡ. ସନ୍ଦୀପନ୍ ଚକ୍ରବର୍ତୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଏହି ସମ୍ମିଳନୀରେ କଗ୍ନିଜାଂଟର ଓଡ଼ିଶା ମୁଖ୍ୟ ସତୀଶ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

କନ୍‌କ୍ଲେଭ୍‌ରେ ଏଚସିଏଲ ଟେକ୍‌, କଗ୍ନିଜାଂଟ, ସିନୋପସିସ୍‌, ପିଡବ୍ଳ୍ୟସି ଇଣ୍ଡିଆ, ମାଷ୍ଟରକାର୍ଡ, ଡେଲଏଟ୍ ଇଣ୍ଡିଆ, ଜେପି ମୋର୍ଗାନ, ମାରୁତି ସୁଜୁକି, କଂଟିନେଟାଂଲ ଅଟୋମୋଟିଭ, ବ୍ରିଟିଶ ପେଟ୍ରୋଲିୟମ୍‌, ଲିନୋଭୋ, ମହିନ୍ଦ୍ରା କମ୍ଭିଭା, ଇମାମି ପେପର ମିଲ୍‌ସ ଓ ଗ୍ରାସିମ୍ ଭଳି ଶିଳ୍ପର ମାନବ ସମ୍ବଳ ବିଶେଷଜ୍ଞମାନେ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ବୈଷିୟକ ଶିର୍କ୍ଷାଥୀମାନେ ଖୁବ୍ ଶୀଘ୍ର ଏକ ନୂଆ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି। ତେଣୁ ନୂଆ ପରିସ୍ଥିତି ସହ ସେମାନଙ୍କୁ ଖାପ ଖୁଆଇବାର ଆବଶ୍ୟକତା ଉପରେ ଦୁଇ ଦିନ ଧରି ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିବା ସହ ସନ୍ଦେହ ଦୁର କରିଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନୂତନ ଶିକ୍ଷାନୀତିକୁ ସୋଆ ବିଶ୍ୱବିଦ୍ୟାଳୟ କିପରି ଗୁୁରୁତ୍ୱ ଦେଉଛି ସେ ବିଷୟରେ କହିଥିଲେ। ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନକୁ ଯୋଡିବା ପାଇଁ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେଉଛି ବୋଲି ପ୍ରକାଶ କରି ସୋଆ ଅନେକ ଶିଳ୍ପ ସହ ଯୋଡି ହୋଇ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ଅତିରିକ୍ତ ଡିନ୍ (ଛାତ୍ରମଙ୍ଗଳ) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ନିର୍ଦ୍ଦେଶକ ରୀପ୍ତି ରଂଜନ ଦାଶ ସମ୍ମିଳନୀ ପରିଚାଳନା କରିବା ସହ ଉଦ୍‌ଯାପନୀ ଦିବସରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ ଉଦ୍‌ଯାପିତ

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି।

ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ କିଛିଟା ଭୟ ସଂଚାର ହୋଇଥାଏ। କିନ୍ତୁ କାଳକ୍ରମେ ସମସ୍ତେ ଏହାକୁ ଆପଣାଇବା ମଧ୍ୟ ଶିଖି ଯାଇଥାନ୍ତି। ଠିକ୍ ସେହିପରି ଏଆଇ ଜନିତ ଆହ୍ୱାନର ମଧ୍ୟ ଆମେ ସମ୍ମୁଖୀନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶେଷ ହୋଇଥିବା ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ରେ ଯୋଗ ଦେଇ ପ୍ରଫେସର ସୀତାରାମ କହିଛନ୍ତି।

ମଣିଷର ସ୍ଥାନ କ’ଣ ଏଆଇ ନେବ? କ’ଣ ବହୁ ସଂଖ୍ୟାରେ ଲୋକ ବେରୋଜଗାର ହୋଇଯିବେ? କ’ଣ ମେସିନ୍ ଏତେ ବିଚକ୍ଷଣ ହୋଇଯିବ ଯେ ମଣିଷ ତା’ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିବ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ମଣିଷର ମନକୁ ଉଦ୍‌ବିଗ୍ନ କରୁଛି ବୋଲି କହିଛନ୍ତି ଡକ୍ଟର ସୀତାରାମ।

ଏହି କନ୍‌କ୍ଲେଭ୍‌ରେ ସାରା ଦେଶରୁ ବିଭିନ୍ନ ଶିଳ୍ପରୁ ପ୍ରାୟ୧୦୦ ରୁ ଊର୍ଦ୍ଧ୍ୱ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ସୋଆର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ନୂତନ ଜ୍ଞାନ କୌଶଳକୁ ନେଇ ଏଭଳି ପ୍ରଶ୍ନ ଏବେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ଉଚିତ୍ ଚିନ୍ତାଧାରା ଓ ବିଭିନ୍ନ ମତାମତର ସାହାଯ୍ୟ ନେଇ ମୁକାବିଲା କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ଏଭଳି ନୂତନ ବୈଷୟିକ ଜ୍ଞାନକୌଶଳକୁ ପ୍ରସ୍ତୁତ କରିଥିବା ବେଳେ ଏବେ ନିଜେ ହିଁ ଏହି ସମସ୍ୟାରେ ପଡ଼ି ଯାଇଛି।

ଏକ ଦଶନ୍ଧି ପୂର୍ବରୁ ଏଆଇ ବିଷୟରେ କେହି ଅବଗତ ନଥିବା ବେଳେ ବର୍ତମାନ ଏହା ମାନବ ଜାତିର ଜୀବନ ଶୈଳୀ ଏପରିକି ସଂଗୀତ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ଓ ସଫଳତାର ସହିତ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି ବୋଲି ପ୍ରଫେସର ସୀତାରାମ କହିଥିଲେ।

ଏଆଇସିଟିଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ ମାନବ ଜାତି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ଇନ୍‌ଟରନେଟ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳକୁ ନେଇ ପ୍ରଥମେ ଆଶଙ୍କାରେ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଖୁବ୍ ଭଲ ଭାବେ ଆପଣାଇ ପାରିଛି। ଏଆଇ ଏବଂ ଅନ୍ୟ ବିଘଟନକାରୀ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ଏହା ଘଟିବ କିନ୍ତୁ ଏଥି ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ତଥା ଶିଳ୍ପର ଉପଯୁକ୍ତ ମାର୍ଗଦର୍ଶନ ରହିବା ଉଚିତ୍ ବୋଲି ସେ କହିଥିଲେ। ଏହି ନୂତନ ଜ୍ଞାନ କୌଶଳ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଇବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ।

ସେ କହିଥିଲେ ଯେ ଏଆଇସିଟିଇ ପକ୍ଷରୁ ଏଆଇ ସହିତ ଭାରତୀୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ପରିଚୟ କରାଇବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି। ଏଆଇ ଓ ଡାଟା ସାଇନ୍ସ ସମ୍ପର୍କିତ ଅନେକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ କରାଯାଉଛି। ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ନିଜକୁ ସଂଶ୍ଳିଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସୀତାରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସୋଆ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରକ୍ସିମା ୨୦୨୪ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଉଚ୍ଚକୋଟୀର ଚିନ୍ତାଧାରା, ଅଭିନବ ଉପାୟ ଓ ଅନୁଭୂତି ସମ୍ପନ୍ନ ଶିକ୍ଷା ଗ୍ରହଣ କରିବାର ଏକ ମାଧ୍ୟମ ବୋଲି ପ୍ରଫେସର ସୀତାରମ କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛି। ସୋଆ ଅନେକ ଶିଳ୍ପ ସହିତ ଯୋଡ଼ି ହୋଇଥିବା ବେଳେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହନ ଦେଉଥିବା ସେ କହିଥିଲେ।

ଶୁକ୍ରବାର ଆୟୋଜିତ ସୋଆ ପ୍ରକ୍ସିମାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଇନ୍‌ଟରନ୍ୟାସ୍‌ନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପନ୍ ଚକ୍ରବର୍ତ୍ତୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଖୁବ୍ ଶୀଘ୍ର ଏକ ନୂତନ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି।

ତେଣୁ ନୂଆ ପରିସ୍ଥିତି ସହିତ ସେମାନେ ନିଜକୁ ଖାପ ଖୁଆଇବାର ଆବଶ୍ୟକତା ରହିଛି।
ଡ. ଚକ୍ରବର୍ତୀ କହିଥିଲେ ଯେ ମନୁଷ୍ୟ ବର୍ତମାନ ୫ମ ଶିଳ୍ପ ବିପ୍ଳବର ଦ୍ୱାର ଦେଶରେ ପହଂଚିଛି ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଇନ୍‌ଟରନେଟ୍ ଅଫ୍ ଥିଙ୍ଗସ୍‌, ରୋବୋଟିକ୍ସ ଓ ସେମିକଣ୍ଡକ୍ଟର୍ସକୁ ନେଇ ପର୍ଯ୍ୟବେଶିତ। ତେଣୁ ଛାତ୍ରଛାତ୍ରୀମାନେ ଇନ୍‌ଟରନେଟ ଅଫ୍ ଥିଙ୍ଗସ୍‌, ଏଆଇ, ଡିଜିଟାଇଜେସନ୍ ଓ ଫାଇନାନ୍ସ ଏହି ୪ଟି ପ୍ରସଙ୍ଗ ବିଷୟରେ ମନୋନିବେଶ କରିବା ଦରକାର ବୋଲି କହିଥିଲେ।

ଶୁକ୍ରବାର ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କଗ୍‌ନିଜାଂଟର ସେଂଟର ହେଡ୍ ଶ୍ରୀ ସତୀଶ କୁମାର ପ୍ରଧାନ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ ଓ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିଲେ।

ସେହିପରି କନ୍‌କ୍ଲେଭର ଦ୍ୱିତୀୟ ଦିବସରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁ୍‌ମ୍ବାଇ ସ୍ଥିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରେସିଡେଂଟ (ଏଚ୍‌ଆର୍‌) ବିଜୟ ସାହୁ ଯୋଗ ଦେଇ ନିଜ ବକ୍ତବ୍ୟରେ ନିକଟରେ ଉଦ୍‌ଭାବନ ହୋଇଥିବା ଚାଟ୍ ଜିପିଟିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ବର୍ଷ ପୂର୍ବେ ଅବସ୍ଥିତି ନଥିବା ଚାଟ୍ ଜିପିଟି ହଠାତ୍ ପୃଥିବୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ଯେ କୌଣସି ପ୍ରସଙ୍ଗ ବିଷୟରେ ଆମେ ଜାଣିନାହୁଁ ତା’ର ଉତର ଚାଟ୍ ଜିପିଟି ଦେଇପାରୁଛି ବୋଲି ଶ୍ରୀ ସାହୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ରୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।