Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ: ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ସୋମବାର ନୂଆଦିଲ୍ଲୀ ଠାରେ ଏହି ର‌୍ୟାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି।

ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି। ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି।
ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି। ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି।

ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ। ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି। ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି।

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା। ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି। ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ।

ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ ଏଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ।

ଶୈକ୍ଷିକ ଉତ୍କର୍ଷତା ଓ ଉଚ୍ଚ ଶିକ୍ଷାକୁ ନେଇ ଅଭିନବ କାର୍ଯ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି। ଗବେଷଣା ଏବଂ ସ୍କଲାରସିପ୍ ପ୍ରଦାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାହାଯ୍ୟ, ସହଯୋଗ ଓ ପ୍ର୍ରୋତ୍ସାହନ ଦେଇଆସୁଛି।

ଏହି ଏକ ଦିବସୀୟ କାର୍ଯ୍ୟକ୍ରମଟି ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏହି ସମ୍ମିଳନୀରେ “ହାର୍ଟ ସେଂଟ୍ରିକ ଅର୍ଗାନାଇଜେସନ୍ ଆଣ୍ଡ ମାଇଣ୍ଡ ସେନ୍‌ଟ୍ରିକ୍ ପରଫର୍ମାନ୍ସ”, “ରୋଲ ଅଫ୍ ଏଚ୍‌ଆର୍ ଇନ୍ ଦ ଏଜ୍ ଅଫ୍ ଏଆଇ/ଡିଜିଟାଲାଇଜେସନ୍‌”, “ହାପିଫିକେସନ୍‌”, “ କମ୍ପାସନେଟ୍ ଲିଡରସିପ୍‌: ଏ ମିଥ୍ ଅର୍ ରିଆଲିଟି”, “ଲିଡରସିପ୍ ଲେସନ୍ସ ଫ୍ରମ୍ ମହାଭାରତ” ଏବଂ “ଅଣ୍ଡରଷ୍ଟାଣ୍ଡିଙ୍ଗ୍ ସ୍ପିରିଚୁଆଲ ଇଂଟେଲିଜେନ୍ସ” ଭଳି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ କର୍ପୋରେଟ୍ ଓ ଶିଳ୍ପାନୁଷ୍ଠାନରୁ ପ୍ରାୟ ୨୦୦ ଏଚ୍‌ଆର୍ ନେତୃତ୍ୱ ଓ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ନୂଆଦିଲ୍ଲୀ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମ୍ୟାନେଜମେଂଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଡିଜାଇନର ସୁଧାଂଶୁ ମଣି, ଚିନ୍ମୟ ମିଶନ୍‌ର ସ୍ୱାମୀ ଚିଦ୍ରୁପାନନ୍ଦ, ପ୍ରତିଷ୍ଠିତ ଶିଳ୍ପପତି ପ୍ରଦୀପ ମହାନ୍ତି, ସମାଜସେବୀ ଡକ୍ଟର ସୁନୀତା ପଚାରଙ୍କୁ ହାର୍ଟ ସେଂଟ୍ରିକ୍ସ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଅକ୍ୱିଲ୍ ବୁସରାଇ କନ୍‌ସଲ୍ଟିଙ୍ଗ୍‌ର ସିଇଓ ଡକ୍ଟର ଅକ୍ୱିଲ୍ ବୁସରାଇଙ୍କୁ ଆଇକନିକ୍ ଏଚ୍‌ଆର୍ ଲିଡର ଓ ମେଂଟର ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ରଞ୍ଜନ ମହାପାତ୍ର, ଏନ୍‌ଡିଆଇଏମ୍‌ର ଅଧ୍ୟକ୍ଷ ଭି.ଏମ୍‌. ବଂଶଲ୍‌, ଏଚ୍‌ଆର୍ ଇଣ୍ଡିଆ ଫୋରମ୍ ସଭାପତି ତଥା ଗ୍ଲୋବାଲ୍ ଏଚଆର୍ ଫୋରମ୍‌ର ଉପଦେଷ୍ଟା ସମର ମହାପାତ୍ର, ଚିତ୍ରକଳା ଓ କାରୁକାର୍ଯ୍ୟ ବିଶେଷଜ୍ଞ ପୁଷ୍ପା ସାହୁ ଏବଂ ଆଧ୍ୟାତ୍ମିକ ଶିକ୍ଷକ ଭି.ପି ସିଂହ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌ କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍‌ଯାପିତ ହୋଇଯାଇଛି। ମେ ୫ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ ପଂଚମ ରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନେ ଖୁସିରେ ରହିବା ସବୁଠାରୁ ବଡ ଜିନିଷ ବୋଲି କହିବା ସହ ସେମାନଙ୍କ ସହିତ ବାର୍ତାଳପ ମାଧ୍ୟମରେ ସେମାନେ ଏହି କ୍ୟାମ୍ପକୁ ଆସି ଖୁସି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଆସି ଖୁବ ଖୁସି ବୋଲି କହିଥିଲେ। ସେହିପରି ଆର୍ନ୍ତଜାତିକ କରାଟେ ପ୍ରତିଯୋଗୀ କୁମାରୀ ଭ୍ୟାଲିନା ଭ୍ୟାଲେଂଟିନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ନିଜର ପରିଚୟ ସୃଷ୍ଟି କରିବା ସହ ଦେଶ ପାଇଁ ସଫଳତା ଆଣିବା ନିମନ୍ତେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଛାତ୍ରମଙ୍ଗଳ ଡ଼ିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗଦେଇ ପିଲାମାନେ ସତ୍ ପଥରେ ଯିବା ସହ ସଫଳତା ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସୋଆର ଏହି ସମର କ୍ୟାମ୍ପରେ ଭବିଷ୍ୟତରେ ୧୦୦୦ ପିଲା ସାମିଲ୍ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆର ସ୍ପୋର୍ଟସ ଅଫିସର ସୁନିତା ବର୍ମା ସ୍ୱାଗତ ଭାଷଣ ଦେବା ସହ କ୍ୟାମ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କ୍ୟାମ୍ପରେ ସାମିଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ବୀଣାଭାରତୀ ବିଦ୍ୟାମନ୍ଦିରର ଏବଂ ଏସ.ଓ.ଏସ ଭିଲେଜର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିବାରୁ ବୀଣାଭାରତୀର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଦିପ୍ତିମୟୀ ସାମନ୍ତରାୟ ଏବଂ ଏସ.ଓ.ଏସ ଭିଲେଜର ଆସିଷ୍ଟାଂଟ ଭିଲେଜ ଡାଇରେକ୍ଟର ଶ୍ରୀକ୍ରିଷ୍ଣା ନନ୍ଦଗିରିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।

ସେହିପରି ସାମିଲ ହୋଇଥିବା ସମସ୍ତ ୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ।

ତୃତୀୟ ବର୍ଷ ପାଇଁ ଏହି ସମର କ୍ୟାମ୍ପ ସୋଆରେ ଆୟୋଜନ କରାଯାଇଛି। ଏହି କ୍ୟାମ୍ପରେ ଭଲିବଲ୍‌, ବାସ୍କେଟ ବଲ୍‌, ଟେବୁଲ୍ ଟେନିସ, ଟେନିସ୍ ଓ କ୍ରିକେଟ୍ ଭଳି କ୍ରୀଡାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତ୍ୟେକ ଦିନ ଅପରାହ୍ନ ୪ ଟାରୁ ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିଥିଲା। ଏହି କ୍ୟାମ୍ପରେ କୋଚ ପ୍ରିୟମ୍ ମଲ୍ଲିକ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିବା ବେଳେ ସହୀଦ ହୁସେନ ଟେବୁଲ ଟେନିସ, ଉର୍ବଶୀ ମଲ୍ଲିକ ବାସ୍କେଟ ବଲ, ବରେଶ ମିଶ୍ର ଭଲିବଲ ଓ ସୁବ୍ରତ ନାୟକ ଟେନିସର ପ୍ରଶିକ୍ଷଣ ଦେଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମ ଶେଷରେ ଜୁନିୟର ସ୍ପୋର୍ଟସ ଅଫିସର ପ୍ରିୟମ୍ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ

ଭୁବନେଶ୍ୱର: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ଏକ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର।

ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଏହି ‘ସମର କ୍ୟାମ୍ପ’ର ଶୁଭାରମ୍ଭ ହୋଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ସ୍କୁଲ୍‌ର ୫ ମରୁ ୧୦ମ ଶ୍ରେଣୀର ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି।

ସୋଆର କ୍ୟାମ୍ପସ୍ -୨ ଏବଂ କ୍ୟାମ୍ପସ୍ -୫ ରେ ଏକକାଳୀନ ଭାବେ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ୍‌, ଲନ୍ ଟେନିସ ଓ କ୍ରିକେଟ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ।

ସୋଆ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ମିଳିବ ବୋଲି ଏହି କ୍ୟାମ୍ପକୁ ଉଦ୍‌ଘାଟନ କରିବା ସମୟରେ ପ୍ରଫେସର ଦାସ କହିଛନ୍ତି। ଆମେ ପ୍ରାୟ ୧୦୦୦ରୁ ଅଧିକ ପିଲାମାନଙ୍କୁ ପ୍ରତ୍ୟେକ ବର୍ଷ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖିଛୁ ଏବଂ ଆବଶ୍ୟକ ହେଲେ ବାହାରୁ ପ୍ରଶିକ୍ଷକଙ୍କୁ ଅଣାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆର କ୍ରୀଡା ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କ୍ୟାମ୍ପରେ କୋଚ୍ ପ୍ରିୟମ ମଲ୍ଲ୍‌ିକ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିବାବେଳେ ସହିଦ ହୁସେନ୍ ଟେବୁଲ୍ ଟେନିସ୍‌, ଉର୍ବଶୀ ମଲ୍ଲିକ ବାସ୍କେଟବଲ , ବରେଶ ମିଶ୍ର ଭଲିବଲ୍ ଓ ସୁବ୍ରତ ନାୟକ ଲନ୍ ଟେନିସ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ ବିଶ୍ୱ ଭେଟେରୀନାରୀ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଦୁଇ ବର୍ଷ ଧରି ତାଣ୍ଡବ ରଚିଥିବା କୋଭିଡ ମହାମାରୀ ସମୟରେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା କୃଷକମାନେ ନିଜର ଜୀବିକା ନିର୍ବାହ କରିପାରିଛନ୍ତି ବୋଲି ପୂର୍ବରୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱରେ ଥିବା ଶ୍ରୀ ସେଠୀ କହିଛନ୍ତି। ଗତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ଯୋଗ ଦେଇ ଶ୍ରୀ ସେଠୀ ଏହା କହିଛନ୍ତି।

ଶ୍ରୀ ସେଠୀ କହିଥିଲେ ଯେ, ରାଜ୍ୟ ସରକାର ୨୦୦୨ ମସିହାରେ ବୋଭାଇନ୍ ବ୍ରିଡିଂ ପଲିସି ନିର୍ଣ୍ଣୟ କରିବା ପରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଏବଂ ଏହି କ୍ଷେତ୍ରରେ ଆୟର ପରିମାଣ ମଧ୍ୟ ଦ୍ୱିଗୁଣିତ ହୋଇଥିଲା। ବର୍ତ୍ତମାନ କୃଷି କ୍ଷେତ୍ରର ୧୫ ରୁ ୧୬ ପ୍ରତିଶତ ଆୟ କେବଳ ଭେଟେରୀନାରୀ କ୍ଷେତ୍ରରୁ ହୋଇପାରୁଛି ବୋଲି ସେ କହିଥିଲେ।

ଆଇଭିଏସ୍‌ଏଏଚ୍ ଓ ଓଡ଼ିଶା ଲାଇଭ୍‌ଷ୍ଟକ୍ ଡେଭଲପମେଂଟ ସୋସାଇଟି (ଓଏଲ୍‌ଡିଏସ୍‌) ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ର ଡିଭିଜିନାଲ୍ ଫରେଷ୍ଟ ଅଫିସର ଶ୍ରୀ ଯଜ୍ଞଦତ ପତି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ତଥା ଓଏଲ୍‌ଡିଏସ୍‌ର ସଭାପତି ପ୍ରଫେସର ଏସ୍‌.କେ.ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରାଣୀଚିକିତ୍ସା ବିଜ୍ଞାନ ବୃତିରେ ଅଖଣ୍ଡତା, ଏକତା ଓ ସମଗ୍ରତାକୁ ପ୍ରୋତ୍ସାହନ ଦେବା ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା।

ସୋଆ ଭଳି ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ପଶୁଚିକିତ୍ସା ବିଜ୍ଞାନକୁ ନେଇ ଏକ ଅନୁଷ୍ଠାନ ଆରମ୍ଭ କରିବା ସମ୍ପର୍କରେ ଶ୍ରୀ ସେଠୀ ଖୁସି ବ୍ୟକ୍ତ କରିବା ସହ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ସରକାରୀ ବିଭାଗ ସମେତ ଅନେକ ପ୍ରକାର ନିଯୁକ୍ତିର ବିକଳ୍ପ ରହିଥିବା ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

ଭୁବନେଶ୍ୱର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ସୋଆରେ ଚାଲିଥିବା ଭାରତୀୟ ଜ୍ଞାନ ପରମ୍ପରା ପ୍ରକଳ୍ପମାନ ଦେଖିଥିଲେ।

ଜ୍ୟୋତିର୍ବିଜ୍ଞାନୀ ଓ ଗଣିତଜ୍ଞ ପଠାଣି ସାମନ୍ତ ବ୍ୟବହାର କରୁଥିବା ଜ୍ୟୋତିର୍ଯନ୍ତ୍ରର ଲଘୁରୁପର ପରିକଳ୍ପନାଠାରୁ ଆରମ୍ଭ କରି ମହାନ ଭାରତୀୟ ବିଦ୍ଵାନ ଏବଂ ଗଣିତଜ୍ଞ ରାମାନୁଜନ, ବ୍ରହ୍ମଗୁପ୍ତ, ଆଚାର୍ଯ୍ୟ ପିଙ୍ଗଳ , ଆର୍ଯ୍ୟଭଟ୍ଟ ଏବଂ ମାଧବ ଆଦିଙ୍କ କାର୍ଯ୍ୟକୁ ଇଣ୍ଟର୍ଣ୍ଣସିପରେ ଅଧୟନ କରିବା ଦେଖି ଖୁସି ହୋଇଥିଲେ। ଅନ୍ୟ ଏକ ପ୍ରକଳ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ଆଇକେଏସ ଆଧାରିତ ବିଜ୍ଞାନ ବହିରୁ ସ୍କୁଲ ପିଲାମାନେ ଶୀଘ୍ର ପ୍ରାଚୀନ ଭାରତୀୟ ଜ୍ଞାନର ଝଲକ ପାଇବେ ବୋଲି କହିଥିଲେ ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ପ୍ରଫେସର ନଚିକେତା ଶର୍ମା। ଏହା ଏକ ଗୌରବର ବିଷୟ ଯେ ସୋଆରେ ସ୍ଥାପିତ ହେବାକୁ ଯାଉଛି ଆଇକେଏସ ଡିଭିଜନ ତରଫରୁ ଓଡ଼ିଆ ଭାଷା କେନ୍ଦ୍ର। ଏନ୍ଇପି ୨୦୨୦ର ଅଂଶ ରୁପେ ପରିଚାଳିତ ପ୍ରକଳ୍ପ ଦେଖି ଶ୍ରୀ ମୂର୍ତ୍ତି ଖୁସୀ ହୋଇଥିଲେ।

ସେ ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍‌ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ବୁଝିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ମୂର୍ତ୍ତି ସୋଆର ଅତିରିକ୍ତ ଡିନ୍ (ଷ୍ଟୁଡ଼େଣ୍ଟସ୍ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମାଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାରସ୍ପରିକ ସହଭାଗିତା ନେଇ ସୋଆ ଏବଂ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ପାରସ୍ପରିକ ସହଭାଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇଟି ସର୍ଭିସେସ୍ ଓ ସଲ୍ୟୁସନ୍ସ କ୍ଷେତ୍ରରେ କାର୍ଯ୍ୟରତ ଥିବା କମ୍ପାନୀ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାଟି ସୋଆର ପ୍ରୋ- ଭାଇସ୍ ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଏବଂ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂର ସଭାପତି ଶ୍ରୀ ଏସ୍‌. ରାମପ୍ରସାଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ସୋଆ ଛାତ୍ରଛାତ୍ରୀମାନଙ୍କର ଶିଳ୍ପ ଭିତିକ ପ୍ରଶିକ୍ଷଣ ତଥା ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂର ଗ୍ରୁପ୍ କମ୍ପାନୀଗୁଡ଼ିକୁ ସୋଆର ଛାତ୍ରଛାତ୍ରୀମାନେ ପରିଦର୍ଶନ କରିବା ନିମନ୍ତେ କମ୍ପାନୀ ବ୍ୟବସ୍ଥା କରିବ। ସେହିପରି ବୈଷୟିକ ଜ୍ଞାନ କୌଶଳ ଏବଂ ଘରୋଇ ଆବଶ୍ୟକତା କ୍ଷେତ୍ରରେ ଅଧିକ ଜ୍ଞାନ ପ୍ରଦାନ ନିମନ୍ତେ ୟୁଏସଟି ପ୍ରଡକ୍ଟ ଇଞ୍ଜିନିୟରିଂ ବକ୍ତୃତା ଆୟୋଜନ କରିବେ।

ଏହି ଅବସରରେ ସୋଆ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ. ସାହୁ, ଆଡିସ୍‌ନାଲ୍ ଡିନ୍ ଏକାଡେମିକ୍ସ ପ୍ରଫେସର ଡି.ଏନ୍ ଥାଟୋଇ, କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫରମେସନ୍ ଟେକ୍ନୋଲୋଜି (ସିଏସ୍‌ଆଇଟି) ବିଭାଗର ମୁଖ୍ୟ ପ୍ରଫେସର ଅଜିତ ନାୟକ, ଡାଟା ସାଇନ୍ସ ବିଭାଗର କୋଅର୍ଡିନେଟର୍ ପ୍ରଫେସର ମନୋରଞ୍ଜନ ପାଢ଼ି ଏବଂ ପ୍ଲେସ୍‌ମେଂଟ ବିଭାଗର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଆର୍‌.କେ. ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଆଇଆଇଟିଟିଏମ୍ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଆଇଆଇଟିଟିଏମ୍‌ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଥିବା ପ୍ରଫେସର ମିଶ୍ର ସୋଆର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ପୂର୍ବରୁ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଥିବା ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରିବା ପାଇଁ ସମସ୍ତ ଫ୍ୟାକଲ୍ଟି, କର୍ମକର୍ତା ଓ ଛାତ୍ରଛାତ୍ରୀଙ୍କ ସମେତ ନୋଡାଲ୍ ଅଫିସର ଡକ୍ଟର ଏସ୍‌. ହୁସେନ୍ ଏକତ୍ରିତ ହୋଇଥିଲେ।

ଏହି ଅବସରରେ ପୂର୍ବତନ ବ୍ୟାଙ୍କ ଅଧିକାରୀ ବିଷ୍ଣୁମୋହନ ପଣ୍ଡାଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ଦିଗକୁ ନେଇ ରଚିତ ଏକ ପୁସ୍ତକମାଳାକୁ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ।

ଏହି ଅବସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଚିଫ୍ ବ୍ୟାଙ୍କ ଅଫିସର ତପନ କୁମାର ନାଥ ମଧ୍ୟ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ରାଜ୍ୟସ୍ତରୀୟ ଇକୋ ଟୁରିଷ୍ଟ ଗାଇଡ୍ ଟ୍ରେନିଂ ପ୍ରୋଗ୍ରାମ୍ ନିମନ୍ତେ ଆରମ୍ଭ ହୋଇଥିବା ୩ ମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପ୍ରଫେସର ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି୨୦ ଆୟୋଜିତ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଭୁବନେଶ୍ଵର ଥରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେଟିକ୍ ଲିଡିରସିପ୍ (ଆଇଆଇଡିଏଲ୍‌)ର ମିଳିତ ଆନୁକୂଲ୍ୟରେ ସୋଆରେ ଆୟୋଜିତ ଏହି ମକ୍ ଜି୨୦ର ପ୍ରସଙ୍ଗ ରହିଥିଲା “ଭବିଷ୍ୟତର କାର୍ଯ୍ୟ”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ଭାଗ ନେଇଥିଲେ।

ଜି୨୦ର କାର୍ଯ୍ୟଧାରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କାରଣ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ପ୍ରମୁଖ ଭାଗୀଦାର ବୋଲି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି କେରଳର ଆଡିସ୍‌ନାଲ୍ ସ୍କିଲ୍ ଆକ୍ୟୁଜିସନ୍ ପ୍ରୋଗ୍ରାମର ଅଧ୍ୟକ୍ଷା ଓ ପରିଚାଳନା ନିର୍ଦ୍ଦେଶିକା ଉଷା ଟାଇଟସ।

ଜି୨୦ ଦେଶଗୁଡ଼ିକ ବିଶ୍ୱ ଜିଡିପିର ୯୦ ପ୍ରତିଶତ ଅଂଶୀଦାର ଥିବା ବେଳେ ବିଶ୍ୱ ବାଣିଜ୍ୟ ର ୮୦ ପ୍ରତିଶତ ଅଂଶ ଏହି ଦେଶଗୁଡ଼ିକ ଉପରେ ନିର୍ଭର କରେ। ସହଭାଗିତା ଓ ସହଯୋଗ କ୍ଷେତ୍ରରେ ଆଲୋଚନା ନିମନ୍ତେ ଏହା ହିଁ ଉତ୍କୃଷ୍ଟ ଫୋରମ୍ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଡିଏଲ୍‌ର କୋର୍ସ ଡାଇରେକ୍ଟର ଶ୍ରୀ ଦେବେନ୍ଦ୍ର ପାଇ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଶ୍ରୀମତି ଟାଇଟସ କହିଥିଲେ ଯେ କୋଭିଡ ୧୯ ବିଶ୍ଵର ଚିନ୍ତାଧାରାକୁ ବଦଳାଇଛି ଏବଂ ଆମ ଜୀବନରେ ଟେକ୍ନୋଲୋଜିକୁ ଖୁବ୍ ବିଶାଳଆକାରରେ ସ୍ଥାନ ଦେଇଛି। ଶିକ୍ଷାକୁ ଆଗେଇ ନେବା ପାଇଁ ଟେକ୍ନୋଲୋଜିର ଅନେକ ଆବଶ୍ୟକତା ରହିଛି ଏବଂ ଭବିଷ୍ୟତର ବିକାଶ ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥାକୁ ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ଭବିଷ୍ୟତର ନେତୃତ୍ୱ। ତେଣୁ ଏହି ମକ୍ ଜି୨୦ କନ୍‌କ୍ଲେଭ୍‌ରେ ବିଶ୍ୱର ବିଭିନ୍ନ ପ୍ରସଙ୍ଗକୁ ବୁଝିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ।

‘ଭବିଷ୍ୟତର କାର୍ଯ୍ୟ’ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁବପିଢ଼ି ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଶ୍ରୀ ପାଇ କହିଥିଲେ ଯେ ମକ୍ ଜି୨୦ ଛାତ୍ରଛାତ୍ରୀମାନଙ୍କୁ ରାଜନୀତି, ନୀତିନିର୍ଦ୍ଧାରଣ ଏବଂ ଆନ୍ତର୍ଜାତିକ ସମ୍ପର୍କ ବୁଝିବା ଦିଗରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ନିଜର ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟର ଇନ୍‌ଟରନ୍ୟାସ୍‌ନାଲ୍ କୋଅପରେସନ୍ ବିଭାଗର ସିନିୟର କନ୍‌ସଲଟାଂଟ ଆରିସା ଫାତମା ଏବଂ ଇକୋନୋମିକ ଆଡଭାଇଜର ଅର୍ଚ୍ଚନା ମାୟାରମ ମଧ୍ୟ ବକ୍ତବ୍ୟ ରଖିଥିଲେ।

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ଶୁକ୍ରବାର ଅପରାହ୍ଣରେ ଜି ୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ବକ୍ତୃତା, ରଙ୍ଗୋଲୀ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ସୋଆର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା କେତେକ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୮ଟି ଦେଶର ପ୍ରତିନିଧି: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଲେ ଉପଲବ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି ସେ ସମ୍ପର୍କରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ସହଭାଗିତାରେ ଓଡ଼ିଶା ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଯୋଗାଇ ଦିଆଯାଇଛି।

ସୋମବାର ଏହି ପ୍ରତିନିଧିମାନେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିଥିବା ବେଳେ ଓଡ଼ିଶାରେ ଫାଇଲିନ୍‌, ତିତିଲି ଓ ଫନି ଭଳି ବାତ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର କିଭଳି ଏହାର ମୁକାବିଲା କରିବା ସହ ଧନ ଜୀବନହାନୀ ହେବାରୁ ରକ୍ଷା କରିଛନ୍ତି ସେ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କ ସମ୍ମୁଖରେ ତଥ୍ୟ ରଖିଥିଲେ।

ସେହିପରି ସୋମବାର ସକାଳେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମି ମଧ୍ୟ ବୁଲି ଦେଖିଥିଲେ। ହଠାତ୍ ନିଆଁ ଲାଗିଲେ କିଭଳି ଏଭଳି ପରିସ୍ଥିତିରୁ ଧନ ଜୀବନ ରକ୍ଷା କରିହେବ ଓ ଅଗ୍ନି ନିରାପତା ବ୍ୟବସ୍ଥା ସମ୍ପର୍କରେ ଓଡ୍ରାଫର ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍‌( ଆଇସିସିଆର୍‌) ଓ ‘ଜେନ୍‌- ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି। ସେମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋଏସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଏହି ଟିମ୍‌ରେ ସାମିଲ ଅଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଓଡ଼ିଶାରୁ ଫେରିଯାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନ ଭାଗିଦାରୀ: ସୋଆରେ ଫୁଡ ମିନି ମାରାଥନ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି।

ସୋଆର ବିଭିନ୍ନ ଅନୁଷ୍ଠାନର ସହ ସହ ଛାତ୍ରଛାତ୍ରୀ ଏହି ମାରାଥନ ରେ ଦୌଡି ଥିଲେ।
ସୋଆ କ୍ୟାମ୍ପସ-୨ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ମାରାଥନକୁ କୃଷି ମହାବିଦ୍ୟାଳୟର ଡିନ ପ୍ରଫେସର ବିଜୟ କୁମାର ସାହୁ ଶୁଭାରମ୍ଭ କରିଥିଲେ।

କ୍ୟାମ୍ପସ-୨ ଠାରୁ କଳିଙ୍ଗ ଷ୍ଟୂଡିଓ ଛକ ପର୍ଯ୍ୟନ୍ତ ଏହି ମାରାଥନ ହୋଇଥିଲା।

ଏହି ମାରାଥନରେ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ସ୍ପୋର୍ଟ୍ସ ଅଫିସର ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆରେ ୮ଦେଶର ପ୍ରତିନିଧି: ବୁଲିଲେ କୋଣାର୍କ ମନ୍ଦିର, ପୁରୀ ଓ ରଘୁରାଜପୁର

ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି।

ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି।

ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି।

ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।

Categories
ବିଶେଷ ଖବର

ସୋଆରେ ୮ଦେଶର ପ୍ରତିନିଧିଙ୍କ ସମ୍ମିଳନୀ: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି।

ଭାରତ ବିଶ୍ୱର କେବଳ ସର୍ବ ପୁରାତନ ନୁହେଁ ବରଂ ସର୍ବୋତମ ଗଣନ୍ତ୍ରାତିକ ଦେଶ ଏବଂ ଏହାର ସ୍ୱାଧିନତା, ସହନଶୀଳତା ଓ ନାରୀ ପୁରୁଷଙ୍କ ସମାନତା ପ୍ରସଙ୍ଗ ଉଚ୍ଚକୋଟୀର ବୋଲି ପର୍ତୁଗାଲର ସାଂସଦ ମିଗୁଏଲ୍ କଷ୍ଟା ମାଟୋସ୍ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ(ସୋଆ) ରେ ‘ଗଣତନ୍ତ୍ର ଓ ଶାସନ’ ବ୍ୟବସ୍ଥା ସଂପକର୍ତି କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ଶ୍ରୀ ମାଟୋସ୍।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ଶ୍ରୀ ମାଟୋସ୍ ଭାରତ ଗୁରୁତ୍ୱାରୋପ କରୁଥିବା ପ୍ରସଙ୍ଗ ‘ବସୁଧୈବ କୁଟୁମ୍ବକମ୍‌’ ଅର୍ଥାତ୍ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତ କୁ ଉଚ୍ଚ ପ୍ରଶଂସା କରିଥିଲେ। ବର୍ତ୍ତମାନ ଜଳବାୟୁ ପରିବର୍ତନ ବିପକ୍ଷରେ ଲଢେଇ, ଗୋଟିଏ ପରିବାର ଭଳି ଏକାଠି ହେବା ସହ ଭବିଷ୍ୟତକୁ ଏକତ୍ରିତ ସାମ୍ନା କରିବାର ସମୟ ଆସିଛି ବୋଲି କହିବା ସହ କରୋନା ମହାମାରୀ ବିଶ୍ୱର ଦେଶ ଗୁଡିକୁ ନିକଟତର କରିଦେଇଛି ବୋଲି କହିଥିଲେ।

ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅନିଲ୍ କୁମାର ଚୌଧୁରୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଶ୍ୱର ସର୍ବପୁରାତନ ଓ ସବୁଠାରୁ ବଡ ଗଣତନ୍ତ୍ର ବୋଲି କହିବା ସହ ମଧ୍ୟଯୁଗୀୟ ସମୟରୁ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି ବୋଲି କହିଥିଲେ।

ଗଣତନ୍ତ୍ର ଓ ଲୋକହିତକାରୀ ବ୍ୟବସ୍ଥା ସିନ୍ଧୁ ସଭ୍ୟତା ସମୟରୁ ପ୍ରଚଳିତ ହୋଇ ଆସୁଛି। ପୁରାତନ ହରପ୍‌ପା ସଭ୍ୟତା ଖନନ ରୁ ଭାରତରେ ପଂଚାୟତ ବ୍ୟବସ୍ଥା ୫୦୦୦ ହଜାର ବର୍ଷ ପୁରୁଣା ହୋଇଥିବା ଜଣାପଡିଛି ବୋଲି କହିବା ସହ ତାମିଲ୍‌ନାଡୁ ର ତାନ୍‌ଜାଭୁର୍ ପଥର ଉପରେ କାରୁକାର୍ଯ୍ୟ ରୁ ପୁରାତନ ସମୟରେ ପଂଚାୟତ ବ୍ୟବସ୍ଥା ପ୍ରଚଳିତ ଥିବା ବୋଲି ସେ କହିଛନ୍ତି।

ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧ ଯାହାକି ଭୁବନେଶ୍ୱର ସହର ନିକଟରେ ଘଟିଥିବା କୁହାଯାଏ ତାହାକୁ ଉଦ୍ଧୃତ କରି ଜଷ୍ଟିସ୍ ଚୌଧୁରୀ କହିଥିଲେ ଯେ କଳିଙ୍ଗ ସାମ୍ରାଜ୍ୟକୁ ମୌର୍ଯ୍ୟ ସାମ୍ରାଟ ଅଶୋକ ଆକ୍ରମଣ କରିବା ସମୟରେ ଏଠାରେ ମିଳିତ ନେତୃତ୍ୱ ଶାସନ କାର୍ଯ୍ୟ ଚାଲିଥିଲା ବୋଲି ଇତିହାସ କହେ।

ଭୋଟ୍ ଦେବାର ଅଧିକାର ଭାରତରେ ଉଭୟ ପୁରୁଷ ଓ ନାରୀ କୁ ସମାନ ଭାବେ ଦିଆଯାଇଥିବାବେଳେ ଇଉରୋପ ରେ ମହିଳା ମାନଙ୍କୁ ଏହି ଲାଭ କରିବା ପାଇଁ ଅଧିକାର ସାବ୍ୟସ୍ତ କରିବା ପାଇଁ ସଂଘର୍ଷ କରିବାକୁ ପଡିଥିଲା ବୋଲି ଜଷ୍ଟିସ୍ ଚୌଧୁରୀ କହିଥିଲେ।
ପର୍ତୁଗାଲ୍ , ଦକ୍ଷିଣ ଆଫ୍ରିକା , ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା , ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।

ଶ୍ରୀ ମାଟୋସ୍ ଙ୍କ ବ୍ୟତୀତ କ୍ରୋଏସିଆର ଡୋମାଗୋଜ୍ ହାଜ୍‌ଟୁକୋଭିଚ, ବେଲ୍‌ଜିୟମ୍‌ର ଟୋମାସ୍ ରୋଗେମାନ୍‌, ବ୍ରାଜିଲର ଗିୟୁୁସେପେ ରିକାରଡୋ ମେନେଘେଟି, ବୁଲଗେରିଆର ଆଲେକ୍ସଆଣ୍ଡର ଭାଲେନ୍‌ଟିନୋଭା କୋରସେଭା, ଗାୟେନର ସୁରେଶ ସିଂ ଓ ଶ୍ରୀ ଗଣେଶ ଆଡ୍‌ତ୍ୟା ମହିପଲ୍ ଓ ଦକ୍ଷିଣ ଆଫ୍ରିକାର ପରଭିନ୍ ଭେଡାନ୍ ଏହି ସମ୍ମିଳନୀ ରେ ବକ୍ତବ୍ୟ ରହିଥିଲେ।
ଏମାନଙ୍କ ମଧ୍ୟରୁ କେତେକ ପ୍ରତିନିଧି ଗଣତନ୍ତ୍ର କୁ ଶାସନ ବ୍ୟବସ୍ଥାର ସର୍ବୋକୃଷ୍ଟ ମାଧ୍ୟମ ବୋଲି ବକ୍ତବ୍ୟ ରଖି ବିଭିନ୍ନ ଏକଛତ୍ରବାଦ ମୁଣ୍ଡ ଟେକୁଛି ବୋଲି ଚିନ୍ତା ପ୍ରକଟ କରିଥିଲେ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀ ରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ନିଜ ବକ୍ତବ୍ୟରେ ସୋଆ ଗତ ବର୍ଷ ରୋପ୍ୟ ଜୟନ୍ତି ପାଳନ କରିଛି ବୋଲି କହିବା ସହ ବର୍ତମାନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବିଭିନ୍ନ ଦେଶରୁ ୧୦୦୦ ଛାତ୍ରଛାତ୍ରୀ ସୋଆରେ ପାଠପଢିବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି। ସୋଆ ବର୍ତମାନ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରଫେସର ନନ୍ଦ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ- ଚାନସେଲର ପ୍ରଫେସର ଅମିତ ବାନାର୍ଜୀ ଉପସ୍ଥିତ ଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ୍ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆର ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ଆଡିସ୍‌ନାଲ୍ ଡିନ୍ ( ଷ୍ଟୁଡେଂଟସ୍ ଅଫେୟାର୍ସ) ଆଇଟିଆଇଆର୍‌, ପ୍ରଫେସର ରେଣୁ ଶର୍ମା, କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ।। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରତିନିଧି ଦଳ ଶନିବାର ସକାଳେ ଓଡିଶା ବିଧାନସଭା ପରିଦର୍ଶନ କରିବା ସହ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ସରକାରୀ ଦଳ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ଓଡିଶା ଗଣତାନ୍ତ୍ରିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ଶନିବାର ସନ୍ଧ୍ୟାରେ ଏହି ବିଦେଶୀ ପ୍ରତିନିଧିମାନେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟର ଉପ- କୁଳପତି ଭାବେ କାର୍ଯ୍ୟରତ ଥିଲେ।

ପ୍ରଫେସର ନନ୍ଦ ୧୯୮୪ ମସିହାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ପୂର୍ବତନ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ (ଅନର୍ସ)ରେ ସ୍ନାତକ ହାସଲ କରିଥିବା ବେଳେ ୧୯୮୯ରେ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍‌ସ ସିଷ୍ଟମ୍‌ସ ଆଣ୍ଡ କମ୍ୟୁନିକେସନ୍‌ରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୬ରେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ଭିଜନ୍‌ରେ ପିଏଚ୍‌ଡି କରିଥିଲେ।

୧୯୮୬ରେ ସେ ଏନ୍‌ଆଇଟି ରାଉରକେଲାରେ ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିବା ବେଳେ ପରବର୍ତୀ କାଳରେ ସେଠାରେ ତାଙ୍କ ବିଭାଗରେ ପ୍ରଫେସର ଏବଂ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୯ରେ ସେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଯୋଗ ଦେଇଥିଲେ। ଏନ୍‌ଆଇଟି ରାଉରକେଲାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଲାବୋରାଟୋରୀ ଆରମ୍ଭ କରିବା ସହ ସେଂଟର ଅଫ୍ ଏକ୍ସଲେନ୍ସ ଅନ୍ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ରୋବୋଟିକ୍ସର ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର ଭାବେ କାର୍ଯ୍ୟ ତୁଲାଇଥିଲେ।

ପ୍ରଫେସର ନନ୍ଦ ଇମେଜ୍ ପ୍ରୋସେସିଂ ଆଣ୍ଡ ଆନାଲିସିସ୍‌, ବାୟୋମେଡିକାଲ୍ ଇମେଜ ଆନାଲିସିସ୍‌, ଭିଡିଓ ଟ୍ରାକିଂ, କମ୍ପ୍ୟୁଟର ଭିଜନ୍‌, ସଫ୍ଟ କମ୍ପ୍ୟୁଟିଂ ଆଣ୍ଡ ଇଟ୍ସ ଆପ୍ଲିକେସନ୍ ଓ ଆଡ-ହକ୍ ୱେୟାରଲେସ୍ ସେନ୍ସର ନେଟୱର୍କ୍ସ କ୍ଷେତ୍ରରେ ଅନେକ ଗବେଷଣା କରିଛନ୍ତି।
ବର୍ତମାନ ସେ ସୋଆର ଇମେଜ୍ ଆଣ୍ଡ ଭିଡିଓ ଆନାଲିସିସ୍ ଲାବୋରାଟୋରୀର ଗବେଷଣା କାର୍ଯ୍ୟର ତତ୍ୱାବଧାନ କରୁଛନ୍ତି।

ପ୍ରଫେସର ନନ୍ଦ ଏନ୍‌ବିଏ ଓ ଡିଆର୍‌ଡିଓ ମନୋନୟନ କମିଟରେ ବିଶେଷଜ୍ଞ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଏହାଛଡା ତାଙ୍କର ବିଭିନ୍ନ ଜର୍ନାଲ ଏବଂ କନ୍‌ଫରେନ୍ସ ପ୍ରୋସିଡିଂସରେ ୧୦୩ଟି ସନ୍ଦର୍ଭ ପ୍ରକାଶିତ ହୋଇଥିବା ବେଳେ ଗବେଷଣା ସମ୍ବନ୍ଧୀୟ ସେ ତିନୋଟି ପୁସ୍ତକ ରଚନା କରିଛନ୍ତି। ଶୈକ୍ଷିକ କାର୍ଯ୍ୟକ୍ରମକୁ ନେଇ ସେ ୟୁକେ, ୟୁଏସ୍‌ଏ ଏବଂ ମାଲେସିଆ ପରିଦର୍ଶନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ରବିବାର ଉଦ୍‌ଯାପିତ ହୋଇଛି।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତରେ ଭାରତର ସମୃଦ୍ଧ ଅର୍ଥନୀତି ଉପରେ ବିସ୍ତୃତ ଭାବେ ସୂଚନା ଦେବା ସହ ଷ୍ଟାର୍ଟଅପ୍‌ଗୁଡ଼ିକ ଉପଯୁକ୍ତ ବ୍ୟବସାୟ ମଡେଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ମଧ୍ୟ ୧୦ଟି ଷ୍ଟାର୍ଟଅପ୍ ସାମିଲ ହୋଇଥିଲେ। ଓଡ଼ିଶାର ୬୫ଟି ବ୍ଲକ୍‌ରୁ ୩୦୦ ଚାଷୀ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେଇଥିଲେ। କନ୍‌କ୍ଲେଭର ବିଷୟବସ୍ତୁ ଥିଲା “ଚିନ୍ତାଧାରାରୁ ବ୍ୟବସାୟୀକରଣ”।

Categories
ଆଜିର ଖବର ରାଜ୍ୟ ଖବର

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି।

ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ସୋଆର ପ୍ରୋ-ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍‌ଏସ୍‌ବି ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଡକ୍ଟର ଓମ୍‌କାର ନାଥ ମହାନ୍ତି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସିଂ କାର୍ଯ୍ୟ ସ୍ୱଳ୍ପ ମୂଲ୍ୟରେ ହୋଇପାରିବ ବୋଲି ଡକ୍ଟର ମହାନ୍ତି କହିଥିଲେ। ପୂର୍ବରୁ ଡକ୍ଟର ମହାନ୍ତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଥିଲେ।

ଏହି ସମ୍ପର୍କରେ ବୁଝାଇ ଡକ୍ଟର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଶକ୍ତି ଅପଚୟ କମ୍ ହେବ, ଉତ୍ପାଦନ ବଢ଼ିବ ଏବଂ ଯନ୍ତ୍ରାଂଶ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିିବ।

ଏହି ଅବସରରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସରୋଜ ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୟଦେବ ବଳ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବିନାୟକ ପଟ୍ଟନାୟକ ଏବଂ ଅଶୋକ ସାହୁ, ପୁନେ ସ୍ଥିତ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଇଞ୍ଜିନିୟର୍ ( ଡିଜାଇନ୍ ଏବଂ ଡେଭଲପ୍‌ମେଂଟ) ଶୁଭେନ୍ଦୁ କୁମାର ଦେ ଏବଂ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍‌ଟର୍ଣ୍ଣସିପ୍‌ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍‌ମେଂଟ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମର ଗୁଣବତାକୁ ବୃଦ୍ଧି କରିବା ନିମନ୍ତେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦୁରେଖା ମହାପାତ୍ରଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ଭିତିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ମଧ୍ୟ ଏହି ବୁଝାମଣାର ଅନ୍ୟ ଏକ ଉଦ୍ଦେଶ୍ୟ।

ଏହି ଅବସରରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ ରଞନ ଚଇନି, ଡକ୍ଟର ଅଂଶୁମାନ ସାମଲ୍‌, ଡକ୍ଟର ସସ୍ମିତା ମହାନ୍ତି, ଡକ୍ଟର ପାର୍ଥସାରଥି ପାତ୍ର, ଡକ୍ଟର ପବିତ୍ର ମୋହନ ମହାନ୍ତି ଏବଂ ଡକ୍ଟର ଲଲାଟ ଇନ୍ଦୁ ମିଶ୍ର ଉପସ୍ଥିତ ଥିବା ବେଳେ ଶୈଳବାଳା ମହାବିଦ୍ୟାଳୟ ପକ୍ଷରୁ ଗୃହବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଅଜନ୍ତା ନାୟକ ଉପସ୍ଥିତ ଥିଲେ।

ଏହି ଅବସରରେ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶିକ୍ଷଣ ଏବଂ ବିକାଶ ନିମନ୍ତେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ତାଲିମ ପାଇଁ ସୋଆ ଏବଂ ଜିଏମ୍‌ଆର୍ ଗ୍ରୁପ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ପାରସ୍ପରିକ ସହଯୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଏମ୍‌ଆର୍ କମଳଙ୍ଗା ଏନର୍ଜି ଲିମିଟେଡ୍ (ଜିକେଇଏଲ୍‌), ଢ଼େଙ୍କାନାଳ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି।

ଏହି ବୁଝାମଣା ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଅଧିକ ସମ୍ପୃକ୍ତ ହେବା ସହ ଜ୍ଞାନ ଆହରଣ ନିମନ୍ତେ ଜିଏମ୍‌ଆର୍ ସୋଆର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବ। ଜିକେଇଏଲ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ସ୍ୱଳ୍ପ ଏବଂ ଅଧିକ ସମୟ ମିଆଦି ପ୍ରଶିକ୍ଷଣ ପ୍ରଦାନ କରାଯିବ।

ସେହିପରି ଜିକେଇଏଲ୍‌ର ଅଧିକାରୀମାନଙ୍କୁ ମଧ୍ୟ ସୋଆ ପକ୍ଷରୁ ଶୈକ୍ଷିକ ଏବଂ ଗବେଷଣା ଭିତିକ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ।

୩୬ ମାସ ପାଇଁ ନିର୍ଦ୍ଧ।ରିତ ଏହି ଏମ୍‌ଓୟୁ ଅନୁଯାୟୀ ସୋଆରେ ମିଳିତ ଭାବେ ଦୁଇଟି ଅନୁଷ୍ଠାନ ପକ୍ଷରୁ ସେମିନାର ଏବଂ କର୍ମଶାଳା ମଧ୍ୟ ଆୟୋଜନ କରାଯିବ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଜିକେଇଏଲ୍‌ର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍‌ସ) ପ୍ରଫେସର ରେଣୁ ଶର୍ମା, ଟ୍ରେନିଙ୍ଗ ଏବଂ ପ୍ଲେସ୍‌ମେଂଟ ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ ଆଚାର୍ଯ୍ୟ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ବିନୋଦ କୁମାର ସାହୁ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ନିରଞ୍ଜନ ନାୟକ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଶକ୍ତି ପ୍ରସାଦ ଜେନା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାନ୍ସରକୁ କିପରି ହରାଯାଇପାରିବ?: ସୋଆରେ ନିଜର ଅନୁଭତି ବଖାଣିଲେ ପୂର୍ବତନ କ୍ରିକେଟର ଅରୁଣ ଲାଲ

ଭୁବନେଶ୍ୱର: ଜୀବନରେ ସମସ୍ୟା ସହିତ ଲଢ଼ିବା ନିମନ୍ତେ ମଣିଷର ସକାରାତ୍ମକ ଚିନ୍ତାଧାରା ହିଁ ସବୁଠାରୁ ବଡ଼ ସମ୍ପତି। ଏହାହିଁ ବିଜୟର ପଥ ସୁଗମ କରିଥାଏ ବୋଲି କ୍ୟାନ୍ସର ରୋଗୀମାନଙ୍କ ଉଦ୍ଦେଶ୍ୟରେ ମତ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅରୁଣ ଲାଲ।

ମନ ଯାହାକୁ ବିଶ୍ୱାସ କରେ ଶରୀର ତାହାକୁ ହିଁ ଗ୍ରହଣ କରିଥାଏ। ଆପଣମାନେ ଯେ ବିଜୟୀ ହେବେ ସେହି ବିଶ୍ୱାସ ରଖିବା ଉଚିତ୍ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଶନିବାର ଆୟୋଜିତ ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ଏହା କହିଛନ୍ତି ଲାଲ।

ଦୀର୍ଘ ୮ ମାସ ଧରି କ୍ୟାନ୍ସର ସହ ଲଢ଼ି ସଫଳତାର ସହ ବିଜୟ ହାସଲ କରିଥିବା ଏହି ପୂର୍ବତନ କ୍ରିକେଟର, କୋଚ ତଥା କମେଂଟେଟର୍ ଲାଲ୍ କହିଥିଲେ ଯେ ତାଙ୍କ ଶରୀରରେ ଖୁବ୍ ବିଳମ୍ବରେ ଏକ ବିରଳ ମୁଖଗହ୍ୱର କ୍ୟାନ୍ସର ଚିହ୍ନଟ ହୋଇଥିବା ବେଳେ ତାଙ୍କର ନିରବଚ୍ଛିନ୍ନ ଚିକିତ୍ସା ଏବଂ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। କ୍ୟାନ୍ସର ଚିହ୍ନଟ ହେବା ପରେ ମୋ ପାଇଁ ଖୁବ୍ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ମୋ ଅସ୍ତ୍ରୋପଚାର ହେବା ପର୍ଯ୍ୟନ୍ତ ମୁଁ ଥରୁଟିଏ ମାତ୍ର ଚିନ୍ତା କରି ନଥିଲି ଯେ ମୁଁ ହାରିଯିବି କିମ୍ବା ମୃତ୍ୟୁ ମୋ ସମ୍ମୁଖରେ ଛିଡ଼ା ହୋଇଛି।

ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଏବଂ ସର୍ଜନମାନଙ୍କୁ ଧନ୍ୟବାଦ ଦେଇ ଲାଲ କହିଛନ୍ତି ଯେ ବିଜ୍ଞ ଡାକ୍ତର ଏବଂ ସର୍ଜନ ଓ ଉନ୍ନତମାନର ଚିକିତ୍ସା ବିଜ୍ଞାନ କ୍ୟାନ୍ସର ଚିକିତ୍ସାରେ ସହାୟକ ହୋଇପାରିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଦୁଃସାଧ୍ୟ ରୋଗକୁ ପରାସ୍ତ କରିବା ନିମନ୍ତେ ଆପଣଙ୍କର ଇଚ୍ଛାଶକ୍ତି।

ଚିକିତ୍ସା ବିଜ୍ଞାନରେ କ୍ରମାଗତ ଉନ୍ନତି କରି ଚାଲିଛି ବୋଲି କହି ଏହି ପୂର୍ବତନ କ୍ରିକେଟର କହିଥିଲେ ଯେ ୧୦୦ ବର୍ଷ ପରେ ଏହା ଆହୁରି ପ୍ରଗତି କରିସାରିଥିବ। ମାତ୍ର ମନୁଷ୍ୟର ଇଚ୍ଛାଶକ୍ତି ଓ ମନୋବଳ ଆମକୁ ବିଜ୍ଞାନଠାରୁ ଊର୍ଦ୍ଧ୍ୱକୁ ନେଇପାରିବ।

ଯୁବ କ୍ରିକେଟର ଥିବା ସମୟରେ ନିଜର ଅନୁଭତି ବଖାଣି ଲାଲ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ଆନ୍ତଃ-ବିଶ୍ୱବିଦ୍ୟାଳୟ ରୋହିନ୍‌ଟନ୍ ବାରିଆ ଟ୍ରଫି ମ୍ୟାଚ୍ ସମୟରେ ତାଙ୍କର ଗୋଇଠି ହାଡ଼ ଭାଙ୍ଗି ଯାଇଥିଲା କିନ୍ତୁ ପ୍ଲାଷ୍ଟର ହୋଇଥିବା ତାଙ୍କ ଗୋଇଠିରେ କଷ୍ଟ ଥିବା ସତ୍ୱେ ୯ ଦିନ ପରେ ସେ ପ୍ଲାଷ୍ଟର କାଢ଼ି ଦେଇଥିଲେ। ଫାଇନାଲ ମ୍ୟାଚରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ବିପକ୍ଷରେ ସେ ଖେଳିବା ନିମନ୍ତେ ଦୃଢ଼ ପରିକର ଥିଲେ। ଖେଳିବା ପାଇଁ ବହୁ କଷ୍ଟ ହେଉଥିଲା ଓ ମୁଁ ମୁଖ୍ୟତଃ ରନ୍ ହାସଲ କରିବା ନିମନ୍ତେ ଲୁଜ୍ ବଲ୍ ଉପରେ ନିର୍ଭର କରୁଥିଲି।

“ଆମକୁ ଜିତିବା ନିମନ୍ତେ ୮୦ ରନ୍ ଆବଶ୍ୟକତା ଥିଲା ଏବଂ ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ସୁନୀଲ୍ ଭାଲ୍‌ସନ୍ ମୋ ସହିତ ଯୋଗ ଦେଲେ। କଷ୍ଟ ସତ୍ୱେ ମୁଁ ଏକୁଟିଆ ଆବଶ୍ୟକୀୟ ରନ୍ ସଂଗ୍ରହ କରିପାରିଥିଲି। ୧୬୪ ରନ୍‌ର ଏହି ଇନିଂସକୁ ମୁଁ ମୋ ଜୀବନର ଶ୍ରେଷ୍ଠ ଇନିଂସ ମନେ କରେ।”

ଆମେ ସୁସ୍ଥ ରହିବା ପାଇଁ ଡାକ୍ତରମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତେ ଚିକିତ୍ସା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନେବା ଉଚିତ୍ ବୋଲି ଲାଲ୍ କହିଛନ୍ତି।

ଆମେରିକାର ଚାର୍ଲି ପ୍ୟାଡକଙ୍କ କାହାଣୀକୁ ମନେ ପକାଇ ଜଣେ ସ୍ପ୍ରିଂଟର ହେବା ନିମନ୍ତେ ତାଙ୍କର ଅଦମ୍ୟ ଉଦ୍ୟମ ଥିଲା କିନ୍ତୁ ସେ ଗେଡ଼ା ହୋଇଥିବାରୁ ତାଙ୍କର ଉଦ୍ୟମକୁ ଅନେକ ପରିହାସ କରିଥିଲେ। ମାତ୍ର ସେ ଏହାକୁ ଖାତିର ନ କରି ୧୯୨୦ ଆଂଟୱେର୍ପ ଅଲିମ୍ପିକ ଗେମ୍ସରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ହାସଲ କରିଥିଲେ। ପ୍ୟାଡକ ଜଣେ କ୍ଷୀଣ ଆଫ୍ରିକୀୟ ଯୁବକଙ୍କୁ ଭେଟି ଥିଲେ ଯିଏ କ୍ରୀଡ଼ାବିତ୍ ହେବାକୁ ଚାହୁଁଥିଲେ। ତାଙ୍କୁ ପ୍ୟାଡିକ୍ କହିଥିଲେ “ତୁମେ ଯଦି ଭାବିବ ଯେ ତୁମେ କୃତକାର୍ଯ୍ୟ ହେବ, ତେବେ ତୁମେ କରିପାରିବ।”
ଲାଲ କହିଥିଲେ କ୍ୟାନ୍ସରରୁ ସୁସ୍ଥ ହେବା ପରେ ସେ ଦ୍ୱିତୀୟ ଜୀବନ ପାଇଛନ୍ତି ଯାହାକି ପ୍ରଥମ ଠାରୁ ଖୁବ୍ ସୁନ୍ଦର।

ଶ୍ରୀ ଲାଲ୍ ୧୯୮୨ ରୁ ୧୮୯ ମଧ୍ୟରେ ଭାରତ ପାଇଁ ୧୬ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସରୋଜ ପଣ୍ଡା ବକ୍ତବ୍ୟ ରଖିଥିଲେ। ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୁନୀଲ୍ ଅଗ୍ରୱାଲ୍ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଗୁରୁବାର ସାରା ଦେଶ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଏହି ସମାରୋହ ସହିତ ଯୋଡି ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଧ୍ୟ ଏହି ବିଶେଷ ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍‌ରେ ପତାକା ଉତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ନିଜ ବକ୍ତବ୍ୟରେ ପ୍ରଫେସର ରାୟ ସ୍ୱାଧୀନତା ପରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ କିଭଳି ଭାରତକୁ ଏକ ସଶକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି ବିଜ୍ଞାନୀ ପ୍ରଫେସର ରାୟ କହିଥିଲେ ଯେ ୨୦୨୨-୨୩ରେ ଦେଶର ଖାଦ୍ୟ ଉତ୍ପାଦନ ୩୨୮ ମିଲିୟନ୍ ଟନ୍ ଆକଳନ କରାଯାଇଛି ଯାହା ଗତ ୫ ବର୍ଷର ହାରାହାରି ଉତ୍ପାଦନ ଅପେକ୍ଷା ୬.୯୮ ମିଲିୟନ୍ ଟନ୍ ଅଧିକ ଅଟେ।

ପ୍ରଫେସର ରାୟ କହିଥିଲେ ଯେ, ଉନ୍ନତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୋଆ ଏବେ ସବୁଠାରୁ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ। ଶିକ୍ଷା ପ୍ରଦାନରେ ଗୁଣାବତା ଓ ଅଭିନବ ଗବେଷଣାକୁ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସବୁଠାରୁ ଉତମ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବା ସୋଆର ଲକ୍ଷ୍ୟ। ଅନେକ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।
ଗବେଷଣା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ବର୍ତମାନ ୩୫୫ଟି ପାଟେଂଟ ଦାଖଲ କରିସାରିଥିବା ବେଳେ ୨୭ଟି ପାଟେଂଟ ଗୃହୀତ ହୋଇସାରିଛି ବୋଲି ସେ କହିଥିଲେ।

ସୋଆରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଚାନ୍‌ସେଲର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ, କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ଅନୁଷ୍ଠାନର ଡିନ୍ ଏବଂ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ ।