Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଆସିଲା ବଡ ଖବର, ଏଥର ସେ ଲଢିବେ ନିର୍ବାଚନ, ଜାଣନ୍ତୁ କେଉଁ ଦଳ

ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଆସିଛି ବଡ ଖବର। ସେ ଖୁବ ଶିଘ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଆଉ ପ୍ରାର୍ଥୀ ହୋଇ ଭୋଟ ଭିକ୍ଷା କରିବେ। ତେବେ ତା ପୂର୍ବରୁ ସେ ବହୁ ସମର୍ଥକଙ୍କ ଗହଣରେ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି। ସମର୍ଥକଙ୍କ ସହିତ ମାଙ୍କ ଦର୍ଶନ କରିବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ଏଥର ସୌମ୍ୟରଂଜନ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି।

ତେବେ ଦର୍ଶନ ସାରି ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ବର୍ତ୍ତମାନ କୌଣସି ଦଳରେ ନାହିଁ। ବିଜେଡି ମୋତେ ବହିସ୍କାର କରିଛି। ତେବେ ଇତି ମଧ୍ୟରେ ବିଜେପି ତରଫରୁ ମୋ ସହିତ ଯୋଗାଯୋଗ କରାଯାଇଛି। ମୋତେ ପ୍ରାର୍ଥୀ କରିବା ପାଇଁ ସେମାନେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଘଷିପୁରାରୁ ପ୍ରାର୍ଥୀ ହେବା ପାଇଁ ଏଠାକାର ଲୋକେ ମୋ ଉପରେ ଚାପ ପକାଉଛନ୍ତି। ତେବେ ବିଜେପିର ନିଷ୍ପତିକୁ ଅପେକ୍ଷା କରିଛି। ଏହା ଉପରେ ଖୁବ ଶିଘ୍ର ନିଷ୍ପତି ନେବି ବୋଲି ସୌମ୍ୟ ଗଣମାଧ୍ୟମକୁ କହିଛନ୍ତି।

Categories
ବିଶେଷ ଖବର

ନିର୍ବାଚନ ପୂର୍ବରୁ ସବୁ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କଲେ ମୁଖ୍ୟମନ୍ତ୍ରୀଙ୍କ ୫ ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଇତି ମଧ୍ୟରେ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରିବା ସହ ୬ ମାସ ଧରି ବୁଲି ବୁଲି ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ ଶେଷ କରିଛନ୍ତି।

୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ଗତ ମାର୍ଚ୍ଚ ମାସରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଗସ୍ତ ଆରମ୍ଭ କରିଥିଲେ, ଯେଉଁଠାରେ ସେ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ୫ଟି (ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍) କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କ ଭିତ୍ତିଭୂମିର ବିକାଶର ସମୀକ୍ଷା କରିଥିଲେ।

ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନଅଭିଯୋଗର ସମାଧାନ ପାଇଁ ସେ ଚଳିତ ମାସରେ ପୁଣି ଥରେ ଜିଲ୍ଲା ଗସ୍ତ କରିଥିଲେ। ଗତ ୬ ମାସ ମଧ୍ୟରେ ସେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଗସ୍ତ କରିଛନ୍ତି, ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଥର ଜିଲ୍ଲା ଗସ୍ତ କରିଛନ୍ତି। ଗତ ମାସରେ ଦୁଇ ଥର ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ କଲେଜରେ ସଭାବେଳେ ଜଣେ ବ୍ୟକ୍ତି ମୁହଁରେ କାଳି ଫିଙ୍ଗିଥିଲେ। କାଳି ଆକ୍ରମଣରେ ବ୍ୟସ୍ତ ନ ହୋଇ ସେ ନିଜର ବାକି କାର୍ଯ୍ୟ ଜାରି ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାସ୍ତାଘାଟ, ବସଷ୍ଟାଣ୍ଡ ନିର୍ମାଣ କିମ୍ବା ମନ୍ଦିରର ନବୀକରଣ ର ସମୀକ୍ଷା କରିଛନ୍ତି। ବୈଠକ ପରେ ପାଣ୍ଡିଆନ ଅଭିଯୋଗ ସମାଧାନ ବୈଠକ କରି ଲୋକଙ୍କଠାରୁ ଆବେଦନ ଗ୍ରହଣ କରିଥିଲେ।

ଗତ କିଛି ବିଧାନସଭା ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସବୁଠାରୁ ବଡ଼ ସମର୍ଥକ ସାଜିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ସବୁବେଳେ ଭେଟିଥିଲେ। ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ବିଜେଡି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟ୍ ବ୍ୟାଙ୍କ। ପ୍ରାୟ ସବୁ ସଭାରେ ସେ ମୁଖ୍ୟମନ୍ତ୍ରୀଙ୍କ ସଫଳତା ବିଷୟରେ କହିଥିଲେ। ସେ ସ୍ଥାନୀୟ ମନ୍ଦିର ମଧ୍ୟ ପରିଦର୍ଶନ କରୁଥିଲେ।

ପାଣ୍ଡିଆନ୍ ଲୋକଙ୍କ ଅଭିଯୋଗ ଶୁଣିବା ବାହାନାରେ ଶାସକ ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲା।ହେଲେ ବିଜେଡି ନେତାମାନେ କହିଛନ୍ତି ଯେ, ଚଳିତ ଜିଲ୍ଲାସ୍ତରୀୟ ବୈଠକ ଲୋକଙ୍କ ମନୋଭାବ ଜାଣିବା ସହ ସମସ୍ୟା ସମାଧାନ କରିବା ପାଇଁ ଏହା ଉଦ୍ଦିଷ୍ଟ। ପ୍ରଶାସନିକ ଅଧିକାରୀ ଭାବେ ନବୀନ ପଟ୍ଟନାୟକ ତାଙ୍କୁ କିଛି ଦାୟିତ୍ୱ ଦେଇଛନ୍ତି। କୌଣସି ସରକାରୀ ଅଧିକାରୀଙ୍କୁ କୌଣସି କାମ ଦେବାର ଅଧିକାର ତାଙ୍କର ରହିଛି। ସେ କେବଳ ମୁଖ୍ୟମନ୍ତ୍ରୀ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ କରୁଛନ୍ତି ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ତେବେ ଏହାକୁ ନେଇ ତାଙ୍କ ଦଳ ତଥା ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ପକ୍ଷରୁ ବିରୋଧର ସ୍ୱର ଉଠିଛି। ଲୋକପ୍ରିୟ ଓଡ଼ିଆ ଦୈନିକ ‘ସମ୍ବାଦ’ର ମାଲିକ ତଥା ସମ୍ପାଦନା କରୁଥିବା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ସପ୍ତାହରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ସମାଲୋଚନା କରିବା ସହ ଜିଲ୍ଲା ଗସ୍ତ ପାଇଁ ହେଉଥିବା ଖର୍ଚ୍ଚକୁ ଭାରତର ଚନ୍ଦ୍ରଯାନ-୩ ମିଶନ ସହ ତୁଳନା କରିଥିଲେ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ଶେଷ ହେବା ବେଳକୁ ତାଙ୍କ ଗସ୍ତରେ ସମାନ ଖର୍ଚ୍ଚ ଦେଖିବାକୁ ମିଳିବ ବୋଲି ଏଥିରେ ଉଲ୍ଲେଖ କରିଥିଲେ।

ରାଜ୍ୟ ବିଜେପି ମଧ୍ୟ ଏହି ଗସ୍ତକୁ ସମାଲୋଚନା କରି କହିଛି ଯେ ନିର୍ବାଚିତ ବିଧାୟକମାନେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଆସୁଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ଯାଉଛନ୍ତି। ତାଙ୍କର ଏକ ରାଜନୈତିକ ଉଦ୍ଦେଶ୍ୟ ଥିବା ଜଣାପଡ଼ୁଛି। ଏହା ସର୍ବଭାରତୀୟ ସେବା ଆଚରଣ ନିୟମର ସ୍ପଷ୍ଟ ଉଲ୍ଲଂଘନ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

ଏହି ଗସ୍ତ ଫଳରେ ସମାନ୍ତରାଳ ଶାସନ ବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ବିଭାଗୀୟ ସଚିବଙ୍କ ପଦ ମର୍ଯ୍ୟାଦାକୁ ଅପମାନିତ କରାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ସତ୍ୟ ପ୍ରକାଶ ଦାଶ କହିଛନ୍ତି, ରାଜନେତାମାନେ ପଦରେ ରହିବା ପାଇଁ ଅନେକ ଉପାୟରେ କାମ କରନ୍ତି। ଯଦି ନବୀନ ପଟ୍ଟନାୟକ ତାଙ୍କ ଅଧିକାରୀଙ୍କୁ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ପଠାଉଛନ୍ତି ଏବଂ ବାସ୍ତବ ସ୍ଥିତିକୁ ବୁଝିଛନ୍ତି ତେବେ ମୁଁ ଏଥିରେ କିଛି ଭୁଲ ଦେଖୁନାହିଁ। ଏହାଦ୍ୱାରା ରାଜ୍ୟ ବ୍ୟବସ୍ଥା ସହ ବିଜେଡି ନେତାମାନେ ମଧ୍ୟ ଉତ୍ସାହିତ ହେବେ।

୨୦୨୪ ମେ’ ମାସରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ସମୀକ୍ଷା ବୈଠକରେ ୮ଟି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ କହିଛନ୍ତି ଯେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଉଚିତ।

ତେବେ ଜିଲ୍ଲା ଗସ୍ତରେ ନିଜେ ପାଣ୍ଡିଆନ ରାଜନୈତିକ ଉଦ୍ଦେଶ୍ୟ ରଖିଛନ୍ତି କି ନାହିଁ ତାହା ଭିନ୍ନ କଥା, ହେଲେ ଏହା ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ; କହିଲେ, ପ୍ରମାଣ ଦେଲେ ଛାଡି ଦେବି ରାଜନୀତି

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ତାଙ୍କ ଖବର କାଗଜ ସମ୍ବାଦର ଆମଘର ହାଲଚାଲ ସ୍ତମ୍ବରେ ସେ ସିଧା ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ଏହିପରି ସମାଲୋଚନା କରିଆସୁଛନ୍ତି। ତେବେ ତାଙ୍କର ସମାଲୋଚନା ସେହି ସମାଲୋଚନା ଭିତରେ ହିଁ ରହି କୁଆଡେ ଉଭେଇ ଯାଉଛି।

ତେବେ ଏଥର ସେ ତାଙ୍କ ସ୍ତମ୍ବରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ରାଜନୈତିକ ବ୍ୟକ୍ତିଭାବେ ପ୍ରମାଣିତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏହା ଜଣେ ପ୍ରଶାସକ ହିସାବରେ କହିବା ଠିକ ନୁହେଁ ବୋଲି ସୌମ୍ୟରଂଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ହେଲେ ତାହା ପାଣ୍ଡିଆନ କିପରି କହୁଛନ୍ତି ବୋଲି ସୌମ୍ୟ ତାଙ୍କ ଲେଖାରେ ପ୍ରଶ୍ନ କରିଛନ୍ତି।

ସେହିପରି ସେ ଚନ୍ଦ୍ରଯାନ-୩ ଅଭିଯାନରେ ଛଅ ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ ମଧ୍ୟ ସେହିପରି ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରି ଖର୍ଚ୍ଚ ପଛରେ କଣ ରହିଛି କାରଣ ତାହା ତାଙ୍କୁ ବୁଝାପଡୁ ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି। ସାରା ଦେଶ ଯେପରି ଚନ୍ଦ୍ର ଭ୍ରମଣକୁ ଆଗ୍ରହ ସହକାର ସ୍ବୀକାର କରୁଛନ୍ତି, ଠିକ ସେହିପରି ଓଡିଶାରେ ମଧ୍ୟ ପାଣ୍ଡିଆନଙ୍କ ଭ୍ରମଣକୁ ସମସ୍ତେ ଗ୍ରହଣ କରୁଥିବାର ମନେ ହେଉଛି ବୋଲି ସେ କହିଛନ୍ତି।

ତେବେ ସୌମ୍ୟରଞ୍ଜନଙ୍କ ଏହି ଲେଖାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ଟୁଇଟରରେ ସୌମ୍ୟରଞ୍ଜନଙ୍କ ଉଲ୍ଲେଖରେ ଲେଖିଛନ୍ତି ଯେ, ୧୫ ଦିନ ପରେ ଆପଣ ନିଜ ଖବରକାଗଜରେ ଆଉ ଏକ ଲେଖା ଲେଖିଛନ୍ତି, ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ଆପଣ ଅତ୍ୟଧିକ ନିରାଶ ଏବଂ ହତାସ ହୋଇ ପଡିଛନ୍ତି।

ଆପଣ ଉଲ୍ଲେଖ କରିଛନ୍ତି ଯେ ୫ଟି ସଚିବ ଭିକେ ପାଣ୍ଡିଆନ ଏକ ବୈଠକରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଲୋକଙ୍କୁ ଆହ୍ବାନ କରିଥିଲେ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ପାଣ୍ଡିଆନ ଏହା କେଉଁଠି କହିଥିଲେ ତାହାର ପ୍ରମାଣ ଦିଅନ୍ତୁ। ୧୨ ଘଣ୍ଟା ମଧ୍ୟରେ ଆପଣ ଏହାକୁ ଆପଣଙ୍କ ଚ୍ୟାନେଲରେ ପ୍ରମାଣ ସହିତ ପ୍ରସାରଣ କରନ୍ତୁ। ଯଦି ଏହା ପ୍ରମାଣିତ କରାଇ ଦେବେ, ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି ବୋଲି ଅନୁଭବ ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଅନୁଭବ ଆହୁରି କହିଛନ୍ତି ଯେ, ଆପଣ ଯଦି ଏହାର ପ୍ରମାଣ ଦେଇ ନ ପାରିବେ ତେବେ ଓଡିଶା ଲୋକେ ଜାଣିବେ ଯେ, ଆପଣ ଜଣେ ମିଛୁଆ।

୫ଟି ସଚିବଙ୍କ ଗସ୍ତ ଖର୍ଚ୍ଚକୁ ନେଇ ମଧ୍ୟ ଅନୁଭବ ସୌମ୍ୟରଂଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଆପଣ ଉଲ୍ଲେଖ କରିଛନ୍ତି ଯେ ୫-ଟି ସଚିବଙ୍କ ଗସ୍ତରେ ୩୦୦ କୋଟି ଖର୍ଚ୍ଚ ହୋଇଛି। ଆପଣଙ୍କ ପାଖରେ କୈଣସି ପ୍ରମାଣ ଅଛି କି? ଆପଣ ଭଲଭାବେ ଜାଣିଛନ୍ତି ଯେ କିଛି ବର୍ଷ ପୂର୍ବେ ଓଡିଶାର ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ପାଇଁ ୬୦୦ କୋଟି ଖର୍ଚ୍ଚ କରିଛନ୍ତି। ସେତେବେଳେ ଆପଣଙ୍କର ବିବେକ କେଉଁଠାରେ ଥିଲା ବୋଲି ପ୍ରଶ୍ନ ପଚାରିଛନ୍ତି ଅନୁଭବ।

ସେ ପୁଣି କହିଛନ୍ତି ଯେ, ଆପଣ ଏବଂ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହିତ ଚନ୍ଦ୍ରକୁ ଯାଇ ସେଠାରେ ବସନ୍ତୁ। ୫-ଟି ସଚିବ ଯେଉଁ ଓଡିଶା ଗସ୍ତ କରୁଛନ୍ତି ସେଥିରେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉ ନାହାଁନ୍ତି। ସେ ଓଡିଶାର ଲୋକମାନଙ୍କୁ ଭେଟିବାକୁ ଯାଉଛନ୍ତି, ସେମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ସେମାନଙ୍କଠାରୁ ନିବେଦନ ଗ୍ରହଣ କରୁଛନ୍ତି। ଏଥିରେ କେଉଁଠି ଭୁଲ ରହିଲା ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ଖଣ୍ଡପଡା ରାଜନୀତିକୁ ନେଇ ଅନୁଭବ ମଧ୍ୟ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନଙ୍କ ନୟାଗଡ ଗସ୍ତ ବେଳେ ସେ ଖଣ୍ଡପଡାବାସୀଙ୍କଠାରୁ ସର୍ବାଧିକ ସଂଖ୍ୟକ ନିବେଦନ ଗ୍ରହଣ କରିଛନ୍ତି। ଏହା ଦର୍ଶାଉଛି ଯେ ଖଣ୍ଡପଡାର ଲୋକମାନେ ଆପଣଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ହରାଇଛନ୍ତି। ଏହା ଆପଣଙ୍କୁ କଷ୍ଟ ଦେଉଛି, ଯେଉଁଥି ପାଇଁ ଆପଣ ଆପଣଙ୍କର ଖବରକାଗଜ ଲେଖା ମାଧ୍ୟମରେ କ୍ରୋଧ ବାହାର କରୁଛନ୍ତି।

ସୌମ୍ୟରଂଜନ ତାଙ୍କ ସମ୍ଭରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମିମାନେ ଘେରାଉ କରିବା ଠିକ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ତାହାର ଜବାବ ମଧ୍ୟ ଅନୁଭବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବହୁ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଛନ୍ତି। ସେ ଜାମିନରେ ଆସିଥିବା ଜଣେ ଅପରାଧୀ। ଆପଣଙ୍କ ଚ୍ୟାନେଲ ଏବଂ ଖବରକାଗଜ ମଧ୍ୟ ତାଙ୍କ ଠକେଇ ସଂପର୍କରେ ପ୍ରସାରଣ କରିଥିଲା। ଜାମିନରେ ଆସିଥିବା ଏପରି ଅପରାଧୀଙ୍କୁ ଆପଣ ସମର୍ଥନ କରୁଛନ୍ତି ବୋଲି ଆପଣ ଲଜ୍ଜିତ ନୁହଁନ୍ତି କି ବୋଲି ଅନୁଭବ ସୌମ୍ୟଙ୍କୁ ପ୍ରଶ୍ନ କରିଛନ୍ତି।

ଆପଣଙ୍କର ଏହି ଲେଖାରୁ ଆପଣଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଲୋଭ ଓଡ଼ିଶାର ଲୋକଙ୍କ ଆଗରେ ସଂପୂର୍ଣ୍ଣ ଭାବେ ପ୍ରକାଶ ପାଇଛି। ତଥାପି ମୁଁ ଆଶା କରେ ୧୨ ଘଣ୍ଟା ମଧ୍ୟରେ ମୁଁ ମାଗିଥିବା ପ୍ରମାଣ ଆପଣ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବେ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି।

ସୌମ୍ୟରଂଜନ ପଟ୍ଟନାୟକ ଏବଂ ଅନୁଭବ ପଟ୍ଟନାୟକଙ୍କ ମଧ୍ୟରେ ଏପରି ଜବାବ ପ୍ରତିଜବାବକୁ ନେଇ ଓଡିଶା ରାଜନୀତିରେ ବେଶ ରୋଚକ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନିସ୍‌ ରେ ଆୟୋଜିତ ହେଲା ‘ବିକାଶରେ ଯୁବ ବର୍ଗର ଭୂମିକା’ ଆଲୋଚନା‌ ଚକ୍ର

ଭୁନେଶ୍ବର: ସୁମାକର କେନ୍ଦ୍ର, ଆଡ୍‌ସ ଆଣ୍ଡ ଏଫ୍‌ଇଏସ୍‌ ଓ ନିସ୍‌ର ମିଳିତ ସହ‌ଯୋଗରେ ଆୟୋଜିତ ହୋଇଛି ‘ବିକାଶରେ ଯୁବ ବର୍ଗର ଭୂମିକା’। ଏହି ଅବସରରେ ରାଜ୍ୟର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜ୍ୟର ଯୁବବର୍ଗଙ୍କୁ ଏକ ନୂତନ ଦିଗ୍ଦର୍ଷନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ‌ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆ କଥା ଯୁବ ବନ୍ଧୁଙ୍କ ଉଦ୍ୟମରେ ହୋଇଛି। ‌ତେଣୁ ପରମ୍ପରା‌ ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା‌ କରାଯାନ୍ତା ତାହାଲେ ଆମେ ସମସ୍ତେ ସମ୍ମାନର ସହ ବଞ୍ଚିବାର ରାସ୍ତା ସହଜରେ ପାଇବେ।

କାର୍ଯ୍ୟକ୍ରମରେ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍‌, ଫେଡ୍ରିକ୍‌ ଏବର୍ଟ ଷ୍ଟିଫଙ୍ଗ୍‌ର କଣ୍ଟ୍ରି ନିର୍ଦ୍ଦେଶକ ଖ୍ରୀଷ୍ଟଫ ପି ମୋହର, ପ୍ର‌ୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ପୂର୍ବତନ ପ୍ରଶାସକ କରୁଣାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ‘ବିକାଶରେ ଯୁବ ବର୍ଗର ଭୂମିକା’ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ୨ଟି ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଥମ ଅଧିବେଶନରେ ପରିବେଶବିତ୍‌ ଦିଲ୍ଲିପ ଶ୍ରୀଚନ୍ଦନ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ପୂର୍ବତନ କୁଳପତି ସୁଧାକର ପଣ୍ଡା, ସେଣ୍ଟର ଫର୍‌ ପବ୍ଲିକ୍‌ ‌ପଲିସି ଅଲ୍ଟରନେଟିଭର ନି‌‌ର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଏବଂ ଦ୍ବିତୀୟ ଅଧିବେଶନରେ ସୁଶାନ ଚେରିଆନ୍‌, ସମାଜସେବୀ ବିଶାଖା ଭଞ୍ଜ, ଟ୍ରାଇବାଲ୍‌ ଏକାଡେମିର ଭାନୁମତି ସିଂହ ଯୋଗ‌ଦେଇ ଚର୍ଚ୍ଚା କରିଥି‌ଲେ। ସେହିପରି ଆୟୋଜିତି ଏକ ଗୋଷ୍ଠୀ ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପଟ୍ଟନାୟକ, ଏଫ୍ଇଏସ୍‌ର ପ୍ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ଜେନେରାଲ ଶ୍ରୀ ଗିରି ଭାଗ ନେଇଥିଲେ।

କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବ‌ା ବେ‌ଳେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ସିଇଓ ସ୍ମୃତି ସୁଧା ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧୀନତାର ଅମୃତ ମହୋତ୍ସବର ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କାର ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆଜି ସନ୍ଧ୍ୟାରେ ରାଜଭବନଠାରେ ଅନୁଷ୍ଠିତ ସ୍ୱାଧୀନତାର ଅମୃତ ମହୋତ୍ସବ ରାଜ୍ୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ। ଏଥିରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ଏବଂ ଦେଶ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଦ୍ୱାରା ଅନେକ ସମ୍ଭାବନା ସୃଷ୍ଟି କରିଛନ୍ତି ଏବଂ ଆଗାମୀ ଦିନରେ ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟ ଓ ରାଷ୍ଟ୍ରର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ସେମାନଙ୍କର ପ୍ରତିଭା ରାଜ୍ୟ ପାଇଁ ବରଦାନ ସଦୃଶ ବୋଲି ରାଜ୍ୟପାଳ କହିଥିଲେ । ‘ଆଦିଶକ୍ତି’ର ସନ୍ତାନ ଭାବେ ସମସ୍ତେ ନିଜର ଅନ୍ତଃଶକ୍ତିର ବିକାଶ କରି ନିଜର ଜୀବନକୁ ଯଥାର୍ଥ କରିବା ପାଇଁ ପ୍ରୟାସରତ ରହିବେ ବୋଲି ସେ କହିଥିଲେ । ସମଗ୍ର ବ୍ରହ୍ମାଣ୍ଡ ପ୍ରେମ ଓ ସତ୍ୟ ଦ୍ୱାରା ସୃଷ୍ଟି ଓ ଏହାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟପାଳ ସମ୍ବାଦ ଗ୍ରୁପ୍‌କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିଜ ଅଭିଭାଷଣରେ ରାଜ୍ୟପାଳଙ୍କ ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବାଦ ଗ୍ରୁପ୍‌ର ପରିଚାଳନା ପ୍ରଶଂସନୀୟ ବୋଲି କହିଥିଲେ । ଏହିପରି କାର୍ଯ୍ୟକ୍ରମ ବର୍ତ୍ତମାନର ପିଲାମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ସେହି ମହନୀୟ ଗାଥା ସଂପର୍କରେ ଅଧିକ ପରିଚିତ କରାଇବ ବୋଲି କହିବା ସହ ଆଜିର ଛାତ୍ର ଆସନ୍ତାକାଲିର ସଫଳ ନାଗରିକ ହେବେ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ଓ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରାଜ୍ୟ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ାର ରାଜଧାନୀ ଆଦି ଅନେକ କ୍ଷେତ୍ରରେ ପ୍ରଶଂସନୀୟ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।

‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ଗୋଟିଏ ରନି ବୋଲି ଅଭିହିତ କରିବା ସହ ସେମାନଙ୍କୁ ନେଇ ରାଜ୍ୟ ଗର୍ବିତ ବୋଲି କହିଥିଲେ । ଜିଲ୍ଲା ଓ ରାଜ୍ୟସ୍ତରରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଛାତ୍ରୀ, ଯାହା ନାରୀ ସଶକ୍ତିକରଣର ବାର୍ତ୍ତା ବହନ କରୁଛି ବୋଲି କହିଥିଲେ । ପ୍ରବନ୍ଧ ପ୍ରତିଯୋଗିତା ଅବସରରେ ପ୍ରତିଯୋଗୀମାନଙ୍କର ପ୍ରଶ୍ନ, ସ୍ୱପ୍ନ ଓ ବିଚାର ବାସ୍ତବିକ ବିଶେଷ ମହତ୍ତ୍ୱ ବହନ କରୁଛି ବୋଲି କହିଥିଲେ ଓ ପ୍ରତିଯୋଗିତାର ସଫଳ ଆୟୋଜନ କରି ‘ସମ୍ବାଦ ଗ୍ରୁପ୍‌’ ରାଜ୍ୟପାଳଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ରାଜ୍ୟ ସଂପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଅଭିଭାଷଣ ସହ ପ୍ରତିଯୋଗିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ପ୍ରଥମ ପୁରସ୍କାର ବିବେଚିତ ପ୍ରତିଯୋଗୀଙ୍କୁ ପଚାଶ ହଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ତିରିଶ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ କୋଡ଼ିଏ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ଇଂରାଜୀରେ ଶାଶ୍ୱତୀ ନାୟକ, ସୃଷ୍ଟି ସ୍ମରଣିକା ବିଶି, ସାଂଚି ଅଗ୍ରୱାଲ ଓ ଓଡ଼ିଆରେ କୁମାରୀ ସାଇପି୍ରୟା ଗିରି, ସ୍ୱପ୍ନଜିତ ନାୟକ, ସ୍ୱାଗତିକା ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥି ପୂର୍ବରୁ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରରେ କୃତି ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଉତ୍ସବରେ ଉପସ୍ଥିତ ଥିଲେ ।