Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡ଼ିସିଆଇ ଇଂଟରନ୍ୟାସନାଲ-ହିନ୍ଦୁସ୍ତାନ ପୋର୍ଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର: ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ। ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନଏସଡ଼ିସିଆଇ ଇଂଟରନ୍ୟାସନାଲ (ଏନଏସଡ଼ିସିଆଇ) ଏବଂ ଡିପିି ୱାର୍ଲଡର ଭାରତୀୟ ୟୁନିଟ୍‌, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଏମଓୟୁ ଦ୍ୱାରା ଉତରପ୍ରଦେଶର ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟରକୁ ବିକଶିତ କରାଯିବ। ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍‌, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ନେଇ ଏହି ବଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉପସାଗରୀୟ ଦେଶ ଓ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ସହ ଭାରତ ଏକ ସହଯୋଗୀ ରାଷ୍ଟ୍ର ହୋଇପାରିଛି।

ସରକାର ଦେଶର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଭବିଷ୍ୟତ କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତ କରୁଛି। ସରକାର ଦକ୍ଷ ଓ ନିର୍ଭରଯୋଗ୍ୟ ମାନବସମ୍ବଳ ପ୍ରସ୍ତୁତ କରୁଛନ୍ତି। ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ ଦ୍ୱାରା ଦେଶ ଓ ବିଶ୍ୱ ଅର୍ଥନୀତି ଗତିଶୀଳ ହେବ। ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ ଆଜିର ଏହି ଏମଓୟୁ ଅନ୍ୟ ଏକ ସଫଳ ଭାଗିଦାରୀ ହେବ, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଏମଓୟୁ ସ୍ୱାକ୍ଷରିତ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୟୁଏଇର ଉଦ୍ୟମିତା, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ଓ ୟୁଏଇର ପ୍ରତନିଧି ମଣ୍ଡଳିଙ୍କ ସହ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ଓ ୟୁଏଇର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଭାରତ-ୟୁଏଇ ସଇପିଏକୁ ଆହୁରି ଶିଖରକୁ ନେବା ଦିଗରେ ବୈଠକରେ ଆଲୋଚନା ହୋଇଥିଲା।

ଉଲ୍ଲେଖନୀୟ ଯେ, ଏନଏସଡ଼ିସି ଇଂଟରନ୍ୟାସନାଲର ନିର୍ଦ୍ଦେଶକ ଭେଦମଣି ତ୍ରିପାଠୀ ଓ ଡ଼ିପି ୱାର୍ଲଡର ସଭାପତି ତଥା ଏଚପିପିଏଲର ନିର୍ଦ୍ଦେଶକ ମହମ୍ମଦ ଅଲ୍ ମୁଲେମଙ୍କ ମଧ୍ୟରେ ଏମଓୟୁକୁ ପାରସ୍ପରିକ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ୟୁଏଇ ମନ୍ତ୍ରୀ ଡ଼. ଅହିମ୍ମଦ ବେଲହଲ ଅଲଫାଲାସୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଏପ୍ରିଲ ୨୧ରେ ଆୟୋଜିତ ହେବ ଦେଶରେ ୭୦୦ରୁ ଅଧିକ ସ୍ଥାନରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା 

ନୂଆଦିଲ୍ଲୀ: ଚଳିତମାସ (ଏପ୍ରିଲ)୨୧ରେ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ। ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି।

ଏହି ମେଳା ଆୟୋଜନର ଲକ୍ଷ୍ୟ ହେଲା ଏକଲକ୍ଷରୁ ଅଧିକ ଶିକ୍ଷାନବୀସଙ୍କୁ ନିଯୁକ୍ତି ପାଇଁ ସହଯୋଗ ଯୋଗାଇବା। ଏହି ମେଳାରେ ଆବଶ୍ୟକ ତାଲିମପ୍ରାପ୍ତ ଲୋକଶକ୍ତି ଓ ପ୍ରତିଭାବାନ କର୍ମଚାରୀ ବାଛିବାକୁ ନିଯୁକ୍ତିଦାତାମାନେ ସୁଯୋଗ ପାଇବେ।

ଦେଶରେ ୩୦ରୁ ଅଧିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଦ୍ୟୋଗ ଓ ଉଦ୍ୟୋଗୀ ତଥା ନିଯୁକ୍ତିଦାତା ଏଥିରେ ମଧ୍ୟ ଭାଗ ନେବେ। ସେମାନଙ୍କ ସଂଖ୍ୟା ୪୦୦୦ରୁ ଅଧିକ । ଶକ୍ତି, ଟେଲିକମ୍‌, ଖୁଚୁରା  ବ୍ୟାପାର, ଆଇଟି/ ଆଇଟିଇଏସ୍‌, ଇଲେକ୍‌ଟ୍ରୋନିକ୍ସ, ଅଟୋମୋଟିଭ ଭଳି ଉଦ୍ୟୋଗର ନିଯୁକ୍ତିଦାତାମାନେ ଏଥିରେ ଭାଗ ନେଉଛନ୍ତି। ସେମାନେ ଏହି ମେଳାର ୱେଲଡର, ଇଲେକ୍ସ୍ରିସିଆନ, ହାଉସକିପର, ବିଉଟିସିଆନ, ମେକାନିକ୍ ଆଦି ୫୦୦ରୁ ଅଧିକ ଟ୍ରେଡର ଆପ୍ରେଣ୍ଟିସ୍‌ମାନଙ୍କୁ ବାଛିବେ। ସେମାନଙ୍କୁ ଉତ୍ତମ ବେତନ ଓ ନିଯୁକ୍ତି ସୁବିଧା କମ୍ପାନୀମାନେ ଦେବେ।

ଉଦ୍ୟମିତା ଓ ଦକ୍ଷତାବିକାଶ ମନ୍ତ୍ରଣାଳୟ ଦେଶରେ ତାଲିମପ୍ରାପ୍ତ ଲୋକଶକ୍ତି ସୃଷ୍ଟି କରିବା ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଯୁବକଯୁବତୀମାନଙ୍କୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯିବା ସହିତ ସେମାନଙ୍କୁ ନିଯୁକ୍ତି ଯୋଗ୍ୟ କରାଯାଉଛି। ଏହାଫଳରେର ଆକାଂକ୍ଷୀ ଯୁବଶକ୍ତିଙ୍କ ପାଇଁ କର୍ମନିଯୁକ୍ତି ପରିସର ବଢୁଛି।

ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢିଥିବା ଛାତ୍ରଛାତ୍ରୀ, ସ୍କିଲ ଟ୍ରେନିଂ ସାର୍ଟିଫିକେଟଧାରୀ, ଆଇଟିଆଇ ଛାତ୍ରଛାତ୍ରୀ, ଡିପ୍ଲୋମାଧାରୀ ଓ ଗ୍ରାଜୁଏଟ୍‌ମାନେ ମଧ୍ୟ ଆପ୍ରେଣ୍ଟିସିପ୍ ମେଳାରେ ଭାଗ ନେବାକୁ ଆବେଦନ କରିପାରିବେ। ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନିଜର ସମସ୍ତ ସାର୍ଟିଫିକେଟ ଓ ମାର୍କସିଟିର ତିନୋଟି ଲେଖାଏଁ ନକଲ(କପି), ଫଟୋ ପରିଚୟପତ୍ର (ଆଧାରକାର୍ଡର୍/ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି) ଓ ତିନିଟି ପାସ୍‌ପୋର୍ଟ ସାଇଜର ନିଜ ଫଟୋ କପି ସହିତ ନିର୍ଦ୍ଧାରିତ ମେଳା ସ୍ଥାନରେ ପହଞ୍ଚିବାକୁ ହେବ।

ଏହି ମେଳାରେ ଯୋଗଦେବା ଦ୍ୱାରା ପ୍ରାର୍ଥୀମାନଙ୍କୁ ଅନେକ ଉପକାର ମିଳିବ। ସେମାନେ ନିଯୁକ୍ତି ସୁଯୋଗ ବ୍ୟତୀତ, ମେଳା ବୁଲି ବିଭିନ୍ନ ଉଦ୍ୟୋଗର କାମ ଓ ଆବଶ୍ୟକ ଯୋଗ୍ୟତା ସମ୍ପର୍କରେ ସିଧାସଳଖ ଅଭିଜ୍ଞତା ଲାଭର ସୁଯୋଗ ପାଇବେ। ନିଯୁକ୍ତି ବଜାରର  ହାଲଚାଲ ଓ ଆବଶ୍ୟକତା, ବେତନ ଓ ସୁବିଧାସୁଯୋଗ  ବିଷୟରେ ସେମାନେ ଜାଣିପାରିବେ। ଏହି ମେଳାରୁ କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନେ ମଧ୍ୟ ଅତି କମ୍‌ରେ ଚାରିଜଣ ଆପ୍ରେଣ୍ଟିସିପ୍‌ଙ୍କୁ ନିଯୁକ୍ତି ଦେବାର ସୁଯୋଗ ପାଇଛନ୍ତି। ଫଳରେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ପ୍ରାର୍ଥୀମାନଙ୍କୁ ଛୋଟବଡ ସବୁ ସଂସ୍ଥା ମେଳାରେ ହିଁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତିପତ୍ର ଦେବେ।