Categories
ଆଞ୍ଚଳିକ

ଚିଲିକାରେ ସ୍କୁଲ ଖୋଲିବା ପରେ କୋଭିଡ଼ କଟକଣାକୁ ତଦାରଖ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ. ସି ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକ ଓ ବାଲୁଗାଁ ଏନ.ଏ. ସି ର ବିଭିନ୍ନ ବିଦ୍ୟାଳୟଗୁଡିକ ପରିଦର୍ଶନକୁ ଯାଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା  ସମସ୍ତ କୋଭିଡ କଟକଣା ତଦାରଖ କରିଥିଲେ।

ବିଦ୍ୟାଳୟଗୁଡିକ ବିଶୋଧନ ହେବାସହ ସେଠାରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ଼ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡିକରେ ଆଇସୋଲେସନ ରୁମ ଖୋଲାଯାଇଛି। ଯଦି କାହାର ଲକ୍ଷଣ ଥାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯୋଗାଯୋଗ କରିଯିବା ସହ ଚିକିତ୍ସା କରାଯିବ। ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ପ୍ରତି ସେକ୍ସନକୁ ଦୁଇ ଗୋଟି ସବ ସେକ୍ସନରେ ବିଭକ୍ତ କରାଯାଇଛି ଏବଂ ପ୍ରତି ସବ ସେକ୍ସନ ରେ ସର୍ବାଧିକ ୨୦ ରୁ ୨୫ ଛାତ୍ରଛାତ୍ରୀ ପଢ଼ୁଥିବାର ଦେଖିବାକୁ ପାଇଥିଲେ ତହସିଲଦାର।

ଏତତବ୍ୟତୀତ ତହସିଲଦାର ବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀମାନଙ୍କୁ ପାଠ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିବାର ଦେଖାଯାଇଥିଲା। ମୋଟାମୋଟି କହିବାକୁ ଗଲେ ସ୍କୁଲ ଗୁଡିକର କୋଭିଡ ଗାଇଡଲାଇନ ବ୍ୟବସ୍ଥା ପାଳନ ଉପରେ ତହସିଲଦାର ସନ୍ତୁଷ୍ଟ ଥିବା ଜଣାପଡିଛି। ତେବେ ବିଭିନ୍ନ ବିଦ୍ୟାଳୟଗୁଡିକରେ ଏହିପରି ପରିଦର୍ଶନ ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି ତହସିଲଦାର ପୁନମ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଖୋଲିବା ନେଇ ଗାଇଡ ଲାଇନ ଜାରି: ଜାଣନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି କଟକଣା

ଭୁବନେଶ୍ବର: ଜାନୁୟାରୀ ୮ରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ଗାଇଡ ଲାଇନ ଜାରି କରାଯାଇଛି। କରୋନା ସମୟରେ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନ ଦେଖି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଏସଓପି ଜାରି ହୋଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ। ସ୍କୁଲ ଆସିବା ପାଇଁ ଛାତ୍ର ଛାତ୍ରୀଙ୍କୁ ବାଧ୍ୟତାମୂଳକ ନୁହେଁ। ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ। କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ। ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ। ଛାତ୍ରଛାତ୍ରୀ ଗୋଟିଏ ସିଟ ଛାଡ଼ି ଗୋଟିଏ ସିଟରେ ବସିବେ। ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା।

ସେପଟେ କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ। ହାତ ସାନିଟାଇଜ ପାଇଁ ସମସ୍ତ ଶୌଚାଳୟରେ ସାବୁନ ରଖିବାକୁ ପରାମର୍ଶ। ଶିକ୍ଷକ ଶ୍ରେଣୀ ଗୃହ ଭିତରକୁ ପଶିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ଉତ୍ସାହିତ କରିବେ। ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର କୋଭିଡ ହେଲ୍ପଲାଇନ ନମ୍ବର ଲେଖାରହିବ। ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ପୃଥକବାସ ରୁମ୍ ରହିବ। ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ପୃଥକ କରାଯିବ। ଘରୁ ଉଷୁମ ଓ ପୁଷ୍ଟିକର ଖାଦ୍ୟ ଆଣିବା ସହ ଏହାକୁ କାହା ସହ ନ ବାଣ୍ଟିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

ତେବେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲେ ସ୍କୁଲ ତୁରନ୍ତ ବନ୍ଦ ହେବ। ସ୍କୁଲ ପରିସରର ସାଧାରଣ ସ୍ଥାନ ଗୁଡ଼ିକୁ ବାରମ୍ବାର ସାନିଟାଇଜ କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ। ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ। ଯଦି ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ ଏସଓପି ଜାରି କରାଯାଇ ହଷ୍ଟେଲ ଖୋଲା ଯାଇପାରିବ।