Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଓଡିଶା ଅଭିଭାବକ ମହାସଂଘର ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ୧୫  ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଦ୍ଧ୍ଵ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ମାନିନେବା ପାଇଁ  ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବି କରୁଛି।

ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ରାଜ୍ୟ କମିଟି ସଦସ୍ୟ ଲଲାଟେନ୍ଦୁ ଶତପଥୀ ଏବଂ କୃତାର୍ଥ ସାହୁ ଆଜି ବାଣପୁର ଓ ଚିଲିକା ଆସି ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ସହ ସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ  ବନ୍ଦ ହେଉଥିବା ବାଣପୁରର ବିଭିନ୍ନ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ସାମ୍ବାଦିକ ସମ୍ମିଳନୀରେ ସର୍ବଦଳୀୟ ବୈଠକର ହୋଇଥିବା ଦାବିକୁ ଦୋହରେଇଛନ୍ତି।

ସରକାର ଓ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ଏହି ପ୍ରତିନିଧିଦଳ ଦାବି କରିଛନ୍ତି।

ଦାବିଗୁଡିକ ହେଲା:

୧) ସର୍ବ ଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ।

୨) ପ୍ରାୟ ୮୦୦୦ – ୧୦୦୦୦  ନକଲି ଵା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଏଫ.ଆଇ.ଆର ଦିଆଯାଇ ଗିରଫ କରାଯାଉ। ଯଦ୍ୱାରା  ଆଉ ନୂଆ ସ୍କୁଲ ବେଆଇନ ଭାବେ ଖୋଲି ପାରିବ ନାହିଁ।

୩) ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜନ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଘ ମାନଙ୍କୁ ନିଆଯାଉ।

୪) ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କାମ କରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ। ସ୍କୁଲ ବନ୍ଦର କାରଣ ଖୋଜିବା ସହ ଏକ ସଂପୂର୍ଣ୍ଣ  ରିପୋର୍ଟ ଜନସାଧାରଣଙ୍କୁ ଜଣାଯାଉ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରତିନିଧି ଦଳ ସ୍କୁଲ ବନ୍ଦ ହେବାକୁ ଥିବା ଅଞ୍ଚଳଗୁଡିକି  ଗସ୍ତ କରି ଏହା ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ। ଏହି ସ୍କୁଲ ଗୁଡିକ ବନ୍ଦ ହେଲେ ପିଲାମାନେ ଦୂର ସ୍କୁଲକୁ ନ ଯାଇ ପାଠ ପଢ଼ା ଛାଡ଼ିଦେବେ ବୋଲି ଆଶଙ୍କା କରିଥିଲେ। ସ୍କୁଲ ଅନୁଧ୍ୟାନ ବେଳେ ଜଣାପଡିଲା କି, ପ୍ରାୟତଃ ଅଭିଭାବକ ଓ ଏସଏମସି ସହ ଆଲୋଚନା ହୋଇନି, ବହୁ ଅଂଚଳରେ ଚାରିରୁ ପାଞ୍ଚ କିମି ଦୂର ସ୍କୁଲ ଯାଇଥିବାରୁ, ଆଦିବାସୀ ଓ ହରିଜନ ବହୁଳ ଅଂଚଳ, ଅନେକ ବ୍ୟସ୍ତ ବହୁଳ, ଭାରୀଯାନ ଚାଲୁଥିବା  ରାସ୍ତା ଅତିକ୍ରମଣ, ଜମି ଗହୀର ରାସ୍ତା, ଜଙ୍ଗଲ ଅଂଚଳ ଆଦି ଅନେକ ସମସ୍ୟା ସହ ସ୍କୁଲରେ ମିଶ୍ରଣକୁ ଗ୍ରାମବାସି ମାନେ ବିରୋଧ କରୁଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷଙ୍କ ସହିତ ସହ ରାଜ୍ୟ କମିଟି ସଦସ୍ୟ ଲଲାଟେନ୍ଦୁ ଶତପଥୀ, କୁର୍ତାର୍ଥ ସାହୁ, ଶରତ ମହାପାତ୍ର, ମନୋଜ କୁମାର ଜେନା, ବବିନା ତ୍ରିପାଠୀ, ରୀନା ଶ୍ରୀଚନ୍ଦନ, କବିତାରାଣୀ ମହାପାତ୍ର, ଗୀତାଞ୍ଜଳି ମହାପାତ୍ର, କଳ୍ପନା ମହାରଣା, ସବିତା ଦାଶ, ମଧୁସ୍ମିତା ସାହୁ, ପ୍ରଭାତୀ ଦେବୀ, ପ୍ରମୋଦିନି ସାହୁ ଏବଂ  ସ୍ଵପ୍ନରଣୀ ଦାଶ ପ୍ରମୁଖ  ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ: ଆଦେଶ ପ୍ରତ୍ୟାହାର କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରିଟ୍ ପିଟସନ ୨୮୦୭୯/୨୦୨୦ରେ ଓଡ଼ିଶା ସରକାର ରାଜ୍ୟର ୧୪୩୭୯ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୦-୨୧ ବର୍ଷଠାରୁ ବନ୍ଦ କରିବା ପାଇଁ ଗଣଶିକ୍ଷା ବିଭାଗ ଚିଠି ନଂ ୧୦୪୪୨/୧୪.୫.୨୦୨୦ର ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁନଶ୍ଚ ଜିଲ୍ଲାୱାରୀ ତାଲିକା ନୋଟିଫିକେସନ ନଂ ୫୩୭୯/୭.୩.୨୦ରେ ନିକଟରେ ଥିବା ଅନ୍ୟ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଯେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମରେ ୨୦ ରୁ ୪୦ ଛାତ୍ର ପଠନ କରୁଛନ୍ତି ଏବଂ ମାଧ୍ୟମିକ ୬ ରୁ ୮ରେ ୫୦ ଛାତ୍ର ପଢ଼ୁଛନ୍ତି ସେହି ସ୍କୁଲଗୁଡ଼ିକ ନିକଟ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ମିଶ୍ରଣ ହେବ।

ସେହିପରି କ୍ଲାସ ୬ ରୁ ୧୦ ଶ୍ରେଣୀରେ ୬୦ରୁ କମ୍ ପିଲା ପଢ଼ୁଥିବେ ଯଥାକ୍ରମେ ୧ କି.ମି. ୨ କି.ମି. ଓ ୩ କି.ମି. ଦୂରତାରେ ୪୦, ୬୦, ୮୦ ଏପରି ପ୍ରକାରେ ଛାତ୍ର ସଂଖ୍ୟା ଥିବ ଏବଂ ୯ ଓ ୧୦ ଶ୍ରେଣୀ ୩ କି.ମି. ଭିତରେ ୬୦ରୁ କମ୍ ଥିବେ ସେହି ବିଦ୍ୟାଳୟକୁ ବନ୍ଦ କରାଯିବ। ଏହିପରି ଭାବେ କ୍ଲାସ ୧ ରୁ ୫, ୫ ରୁ ୮ ଓ ୮ ରୁ ୧୦ ଏବଂ ୧ରୁ ୧୦ କ୍ଲାସ୍ ଥିବା ସ୍କୁଲ ଅନ୍ୟ ସ୍କୁଲରେ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୬୩୪୦ ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି। ସେଥିମଧ୍ୟରୁ ରାୟଗଡ଼ା ଜିଲ୍ଲାରେ ୪୯୮, ମୟୁରଭଂଜରେ ୪୮୬, ଗଂଜାମରେ ୪୩୦, କନ୍ଧମାଳରେ ୪୦୪ ଏବଂ ୫୧୭୭ ସ୍କୁଲରେ ୪୦ ରୁ କମ୍ ପିଲା ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ଏହି ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ, ଅଗଣତାନ୍ତ୍ରିକ। କାରଣ ସରକାରୀ ସ୍ତରରେ କେବେ ଚେଷ୍ଟା କରାଯାଇନାହିଁ ଯେ ପ୍ରକୃତରେ ଛାତ୍ର ସଂଖ୍ୟା କମିବାର କାରଣ କ’ଣ? ପିଲା ସେହି ଅଂଚଳରେ ଅଛନ୍ତି ନା’ ନାହିଁ, ସ୍କୁଲରେ ଶିକ୍ଷକ ଅଛନ୍ତି ନା’ ନାହିଁ ? ସ୍କୁଲ ଗୃହ ନାହିଁ, ଶୌଚାଳୟ ନାହିଁ, ପାଣି ନାହିଁ ଇତ୍ୟାଦି ବହୁ ସମସ୍ୟା ରହିଛି।

ଏହି ସବୁ ଅସୁବିଧାକୁ ଦୂର ନ କରି ସ୍କୁଲ ବନ୍ଦ କରିବା ବେନିୟମ ଅଟେ। ଗାଁର ଗରିବ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଢ଼ିବାକୁ ଯାଇପାରିବେ ନାହିଁ। ଏହିପରି ସ୍କୁଲ ବନ୍ଦ କରିଦେଲେ ଦେଶର ମୁକ୍ତ ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ ହେବ ବା କୌଣସି ଅର୍ଥ ରହିବ ନାହିଁ। ଯେଉଁ ଅଂଚଳରେ ସ୍କୁଲ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ଆଦେଶ ଦେଇଛନ୍ତି ସେହି ଅଂଚଳରେ ୬୨୯୧ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅବସ୍ଥିତ। ସେଥିମଧ୍ୟରୁ ୨୯୬୮ ସ୍କୁଲରେ ପାଠ ପଢ଼ାଇବା ପାଇଁ ଏନ୍‌ଓସି ବା ଅନୁମତି ନାହିଁ। ସଂପୃକ୍ତ ଜିଲ୍ଲାର ଡ଼ିଇଓ ମାନେ ଗୋଟିଏ ମଧ୍ୟ ଘରୋଇ ଇଂରାଜୀ ମାଧ୍ୟମ ତଥା ସରସ୍ୱତୀ ଶିଶୁମନ୍ଦିର ବନ୍ଦ କରିବାକୁ ପ୍ରସ୍ତାବ ନଦେଇ ବରଂ ଘରୋଇ ସ୍କୁଲଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ତାଙ୍କୁ ସହାୟତା କରିବା ପାଇଁ ସରକାରୀ ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିକାଶ ପରିଷଦ ପୁଣି ଅଭିଯୋଗ କରିଛି ରାଜ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨୦୧୬ ଡ଼ିସେମ୍ବର ମାସରୁ କୌଣସି ଶିକ୍ଷକ ନିଯୁକ୍ତି ହେଉ ନାହିଁ।

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୭୪ ହଜାର ସିଟି, ବି.ଇଡ଼ି. ଓଟିଇଟି (ପ୍ରଥମ ଓ ଦ୍ୱିତୀୟ) ପେପର ପାସ୍ କରି ବେକାର ହୋଇ ବସିଛନ୍ତି। ସେମାନେ ପାଠ ପଢ଼ିବା ପାଇଁ ଋଣ କରି ବର୍ତ୍ତମାନ ତାହା ସୁଝି ନପାରି ଭାଗ୍ୟକୁ ଆଦରି ଘରେ ବେକାରୀ ହୋଇ ପଡ଼ି ରହିଛନ୍ତି। ତେଣୁ ଏଭଳି ସ୍କୁଲ ବନ୍ଦ କଲେ ରାଜ୍ୟରେ ବେକାର ସଂଖ୍ୟା ଆହୁରି ବୃଦ୍ଧି ପାଇବ। ରାଜ୍ୟ ତ ବେକାରରେ ଏକ ନମ୍ବର ସ୍ଥାନ ରହିଛି। ଆହୁରି ବେକାରୀ ସମସ୍ୟା ବଢ଼ି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ରାଜ୍ୟରେ ୧୨୫ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବିଲ୍‌ଡ଼ିଂ ନାହିଁ, ୧୧୯୬୬ ସ୍କୁଲରେ କୋଠା ଭଗ୍ନାବସ୍ଥାରେ ରହିଛି, ୧୩୪ ସ୍କୁଲରେ ପ୍ରଥମଠାରୁ ୫ମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଅଛନ୍ତି। ରାଜ୍ୟ ସରକାରଙ୍କ ଅଭାବ, ଅସୁବିଧାକୁ ଲୁଚାଇବା ପାଇଁ ସରକାରୀ ସ୍କୁଲ ବନ୍ଦ କରିବାକୁ ଚାହୁଁଛନ୍ତି। ଘରୋଇ ସ୍କୁଲଠାରୁ ମାସିକ, ବାର୍ଷିକ ମୋଟା ଅଙ୍କର ଉତ୍କୋଚ ଡ଼ିଇଓମାନେ ଗ୍ରହଣ କରି ସରକାରୀ ସ୍କୁଲ ବନ୍ଦ କରିବାକୁ ସୁପାରିଶ କରୁଛନ୍ତି। ଅନ୍ଧ ହୋଇ ଗଣଶିକ୍ଷା ବିଭାଗ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲକ୍ଷ୍ୟହୀନ ନିଷ୍ପତ୍ତି ନେଉଛି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଇଟ୍ ଟୁ ଏଜୁକେଶସନ ୨୦୦୯କୁ ଉଲ୍ଲଂଘନ କରୁଛି। ଏହା ଘରୋଇ ସ୍କୁଲର ପ୍ରୋତ୍ସାହନ, ବେକାରୀ ସମସ୍ୟା ବୃଦ୍ଧି, ଗରିବ, ଆଦିବାସୀ, ହରିଜନ ଶ୍ରେଣୀର ଶିଶୁଙ୍କୁ ଶ୍ରମିକ ହେବାରେ ସାହାଯ୍ୟ କରିବା। ତେଣୁ ବିକାଶ ପରିଷଦ ଉକ୍ତ ମାମଲାରେ ପ୍ରମୁଖ ଶାସନ ସଚିବ, ଗଣଶିକ୍ଷା ବିଭାଗ, ପଞ୍ଚାୟତି ରାଜ ବିଭାଗ, ଅର୍ଥ ବିଭାଗ, ଓଡ଼ିଶା ସରକାର, ନିର୍ଦ୍ଦେଶକ ପ୍ରାଥମିକ ବିଦ୍ୟାଳୟ ଓ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷାଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରି ମିସ୍ କେସ ମାଧ୍ୟମରେ ପ୍ରାର୍ଥନା କରାଯାଇଛି। ଏହି ବେନିୟମ ଆଦେଶକୁ ସ୍ଥଗିତ ରଖିବା ସହିତ ବିଚାର କରି ରବ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଏହାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି।