Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ

ଭୁବନେଶ୍ୱର/ସୁନ୍ଦରଗଡ଼: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନୂଆ ରୂପ ଦିଆଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ଓମ୍ବାଡସି ସହାୟତାରେ ୩୪୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଇଛି।

ପିଲାମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ିବା ସହ ଆଧୁନିକ ବିଜ୍ଞାନାଗାରରେ ଉପଲବ୍ଧ ନୂଆ ନୂଆ ବିଜ୍ଞାନ ଉପକରଣର ବ୍ୟବହାର କରୁଛନ୍ତି। ଆଇସିଟି ଲ୍ୟାବ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ପାଉଛନ୍ତି। ସେହିପରି ଇ-ଲାଇବ୍ରେରି ସୁବିଧା ଯୋଗୁଁ ସେମାନେ ଦେଶ ଦୁନିଆ ବିଷୟରେ ଆଜି ଜାଣିପାରୁଛନ୍ତି।

‘‘ଶିକ୍ଷକମାନେ ଆମକୁ ସ୍କୁଲରେ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ପାଠ ପଢ଼ାଉଛନ୍ତି। ଫଳରେ ପାଠ ବୁଝିବା ଅଧିକ ସହଜ ହେଉଛି। ଯେଉଁ ବିଷୟ ଆମେ କେବଳ ବହିରେ ପଢୁଥିଲୁ ଏବଂ ଚିତ୍ର ଦେଖୁଥିଲୁ ତାହାକୁ ଏବେ ବିଜ୍ଞାନାଗାରରେ ନିଜ ହାତରେ ପ୍ରୟୋଗ କରିପାରୁଛୁ। ଏହା ଦ୍ୱାରା ବିଜ୍ଞାନ ସମ୍ପର୍କରେ ଆମେ ଅଧିକ ଜ୍ଞାନ ପାଇପାରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ବରୁଆ।

ଓମ୍ବାଡସି ସହାୟତାରେ ସରକାରୀ ହାଇସ୍କୁଲରେ ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଓମ୍ବାଡସି ସହଯୋଗରେ ରାଜ୍ୟର ୭ଟି ଖଣି ପ୍ରଭାବିତ ଜିଲ୍ଲାର ୧୬ ଶହରୁ ଅଧିକ ସରକାରୀ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛି।

ଗ୍ରାମାଞ୍ଚଳର ପିଲାଙ୍କୁ ଇଂଲିସ୍ ମିଡିୟମ ସ୍କୁଲ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଳକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଦେଉଛି।

‘‘ଘରୋଇ ସ୍କୁଲଠାରୁ ଆମ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ହୋଇପାରୁଛି’’, କହିଛନ୍ତି ସିମଡେଗାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଜଣାଇଛନ୍ତି।

ଓମ୍ବାଡସି ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯାଉଛି। ଦୂରବାଟ ଯୋଗୁଁ ଯେଉଁମାନେ ଦିନେ ସ୍କୁଲକୁ ଆସିବାକୁ ଅସୁବିଧା ହେଉଥିଲା, ଆଜି ସେମାନେ ହଷ୍ଟେଲରେ ରହି ସୁବିଧାରେ ପାଠ ପଢ଼ିପାରୁଛନ୍ତି। ସେହିପରି କିଚେନ୍, ଡାଇନିଙ୍ଗ ହଲ୍ ଓ ସାଇକେଲ୍ ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଥିବାରୁ ସ୍କୁଲ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରୁଛି।

‘‘ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଏଭଳି ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରୁଛି। ଫଳରେ ସେମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ।

ହାଇସ୍କୁଲ ରୂପାନ୍ତରଣ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଧୁନିକୀକରଣ ଯୋଗୁଁ ଓଡ଼ିଶାର ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ମାନ ଉନ୍ନତ ହୋଇପାରିଛି। ଏଥିରେ ଆର୍ଥିକ ସହାୟତା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ବାଟ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ଓମ୍ବାଡସି।

Categories
ଆଜିର ଖବର ଜାତୀୟ ଖବର

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି। ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆଜି ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଓଭରସାଇଟ କମିଟି ଏବଂ ଦ ନ୍ୟାସନାଲ ସିଲାବସ ଆଣ୍ଡ୍ ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ କମିଟିର ପ୍ରଥମ ଯୁଗ୍ମ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍କୁଲ ଶିକ୍ଷା ପାଇଁ ଏନସିଏଫ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପାଇଁ ଥିବା କଳ୍ପନା ଓ ଭାରତୀୟ ଜ୍ଞାନ ପ୍ରଣାଳୀର ବିଚାରକୁ ଏକୀକରଣ କରିବା ଦିଗରେ ଏକ ଅନ୍ୟତମ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି -୨୦୨୦ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରଫେସର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ୫+୩+୩+୪ ଢାଞ୍ଚାରେ ସ୍କୁଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଏହି ଫ୍ରେମଓ୍ୱାର୍କ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷା ସ୍ତର ପର୍ଯ୍ୟନ୍ତ ଶିକ୍ଷା ଆହରଣ ଯାତ୍ରାକୁ ପ୍ରାଥମିକତା ଦେଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି। ବୈଶ୍ୱିକ ଦାୟିତ୍ୱବୋଧକୁ ପୂରଣ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ,ଯାହା ଭାରତ ସମେତ ବିଶ୍ୱ ସମ୍ପ୍ରଦାୟର ଆକାଂକ୍ଷାକୁ ପୂରଣ କରୁଥିବ। ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଆଧାରିତ ହେବ ଏବଂ ପିଲା ମାନଙ୍କୁ ମୂଳପାଠ ସହ ଯୋଡିହେବା ସହ ଭବିଷ୍ୟତଗାମୀ କରାଇବ ବୋଲି ସେ କହିଛନ୍ତି।

ଏହାବ୍ୟତିତ ଆଉ ଏକ ପୃଥକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଆନୁଆଲ କାପାସିଟି ବିଲଡିଂ ପ୍ଲାନ ଏବଂ ଇଣ୍ଡକ୍ସନ ଟ୍ରେନିଂ ମଡ୍ୟୁଲ (ଏମଏସଡିଇ) ଏବଂ ଟ୍ରେନିଂ ମୋଡ୍ୟୁଲ ଫର୍ ଡାରେକ୍ଟର (ଡିଓଏଚଇ)ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର କାପାସିଟି ବିଲଡିଂର ମହତ୍ତ୍ୱ କଣ? ଆଜିର ଯୁବବର୍ଗଙ୍କ ଆବଶ୍ୟକତା, ଆକାଂକ୍ଷା, ଆଶା ପ୍ରତିଟି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ସେମାନଙ୍କ ପାଇଁ ନୀତି ଓ ପ୍ରୋଗ୍ରାମ ବନାଇବା ସହଜ ନୁହେଁ। ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ କାପାସିଟି ବିଲଡିଂ ମୋଷ୍ଟ ଚ୍ୟାଲେଞ୍ଜିଂ କାମ। ଆତ୍ମଚିନ୍ତନକୁ ମ୍ୟାପିଂ କରିବା ତଥା ତାହାର କ୍ୟାପାସିଟି କଣ ଲାଗିବ, ତାହା ହିଁ ଚ୍ୟାଲେଞ୍ଜ। ଏହି ପଦକ୍ଷେପ ପ୍ରଶଂସନୀୟ। ଏହା କ୍ରୟାନ୍ୱୟନ ହେବା ଦରକାର। ଏହାକୁ ଅଭ୍ୟାସ କଲେ ହିଁ ଫଳପ୍ରଦ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଘରୋଇ ସ୍କୁଲ ବ୍ୟବସାୟ ବାଧା ପ୍ରାପ୍ତ ହେଉଥିବାରୁ ସ୍କୁଲ ଖୋଲୁଛନ୍ତି ସରକାର; ଅଭିଭାବକ ସଂଘ

ଭୁବନେଶ୍ବର: ରାଜ୍ୟରେ କାରୋନା ପୁଣି କାୟା ବିସ୍ତାର ଆରମ୍ଭ କରିବା ସମୟରେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀ ଗୁଡିକ ଖୋଲିବା ନିଷ୍ପତ୍ତି ସପକ୍ଷରେ ନାହିଁ ଅଭିଭାବକ ସଂଘ। ସରକାର ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ ବା ଓପାଫ ଦାବି କରିଛି।

ବିଶେଷକରି ଘରୋଇ ସ୍କୁଲ ଗୁଡିକରେ ମାତ୍ରାଧିକ ପିଲାଙ୍କ ସମାଗମ ହେତୁ କାରୋନା ଗାଇଡଲାଇନ କୌଣସି ସ୍କୁଲ ପାଳନ କରିପାରିବେ ନାହିଁ। ଘରୋଇ ସ୍କୁଲ ଗୁଡିକର ନିରାପଦ ପ୍ରତି ସରକାରଙ୍କର କୌଣସି କଟକଣା ନଥିବାରୁ ସେଠାରେ ପିଲାମାନଙ୍କ ନିରାପଦ ଉପରେ ସନ୍ଦେହ ରହିଛି।

ସରକାରଙ୍କ ନିରାପଦ ସର୍ତ୍ତାନୁସାରେ NOC  ପ୍ରାୟତଃ ଆଜି ପର୍ଯ୍ୟନ୍ତ କୌଣସି ସ୍କୁଲ ହାସଲ କରି ନଥିବା ବେଳେ ଆଜି କୋଭିଡ ସର୍ତ୍ତାବଳୀକୁ କୌଣସି ସ୍କୁଲ ମାନିବ, ତାହା ବିଶ୍ଵାସ କରିପାରୁ ନାହାନ୍ତି କୌଣସି ଅଭିଭାବକ ।  କୋମଳମତି ଛାତ୍ର ଛାତ୍ରୀମାନେ କଦାପି କୋଭିଡ ନିୟମ ସମ୍ପୂର୍ଣ୍ଣ ଭାବରେ ମାନି ପାରିବେ ନାହିଁ । ତେଣୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଲା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲନ୍ତୁ ବୋଲି ସଂଘ ଦାବୀ କରିଛି।

ଏବେ ମଧ୍ୟ ଷଷ୍ଠ ରୁ ଦଶମ ଯାଏଁ ସବୁ ପିଲା ବିଦ୍ୟାଳୟ ଯିବା ପାଇଁ ବାପା ମା ରାଜି ହୋଇ ପାରୁ ନାହାଁନ୍ତି।  କୌଣସି ସ୍କୁଲର ପିଲାମାନେ ପ୍ରଭାବିତ ହେଲେ ତାହା ଚପାଇ ଦିଆଯାଉଥିବାର ନଜରକୁ ମଧ୍ୟ ଆସିଛି ।  ଫେବ୍ରୁଆରି ରେ ତୃତୀୟ ଲହରି ଆସୁଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇସାରିଲେଣି ।

ମାତ୍ର ଦୁଇଦିନ ତଳେ ଯେଉଁ ମନ୍ତ୍ରୀ କହିଲେ ଦଶମ ବୋର୍ଡ ପରୀକ୍ଷା ହୋଇ ପାରିବ କି ନାହିଁ ଠିକ୍ ନାହିଁ ,ସେହି ମନ୍ତ୍ରୀ ପୁଣି ଆଜି କେମିତି ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଲେ ବୋଲି ସଂଘ ପ୍ରଶ୍ନ କରିଛି।  କେତକ ପ୍ରଭାବୀ ଘରୋଇ ସ୍କୁଲ, ପିଲାମାନଙ୍କ ଠାରୁ ସହଜ ଉପାୟରେ ପଇସା ଆଦାୟ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଏହି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ବୋଲି ସଂଘ କହିଛି।

ପିଲାମାନେ କୋଭିଡ ସଂକ୍ରମଣର ତୀବ୍ର ବାହାକ ହୋଇପାରୁଥିବାରୁ, ଅନ୍ତତଃ ଏହି ପରିସ୍ଥିତିରେ ନୂଆ ସେସନ ପର୍ଯ୍ୟନ୍ତ ଅଭିଭାବକମାନେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ନ ଛାଡିବାକୁ ଓପାଫ ସମସ୍ତ ଅଭିଭାବକମାନଙ୍କୁ ଅନୁରୋଧ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ପାଇଁ ଉଦଘାଟିତ ହେଲା ଇ-ପାଠଶାଳା ସହିତ ଇ-ମୂଲ୍ୟାଙ୍କନ

ଭୁବନେଶ୍ୱର,  ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ୱାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ ।

ସଂପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଆଯାଇଥିବା ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଶିକ୍ଷାକ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନରେ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ ।

ଏହି ଅବସରରେ କୋଭିଡ୍‌ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମିତ୍ତ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ମନ୍ତ୍ରୀ ଗତବର୍ଷ ଆମର ବିଭିନ୍ନ ପ୍ରୟାସ ସତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ଶେଷ ପ୍ରାନ୍ତରରେ ଥିବା ପିଲାଟି ପାଖରେ କିପରି ଶିକ୍ଷା ପହଞ୍ଚାଇବା ବୋଲି ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା ସମୟରେ ବିଦ୍ୟାଳୟ ଛାଡ଼ିଥିବା (ଡ୍ରପ୍‌ଆଉଟ୍‌) ପିଲା ଏବଂ ପ୍ରବାସୀ(ମାଇଗ୍ରାଣ୍ଟ) ପିଲାଙ୍କୁ ସର୍ଭେ ମାଧ୍ୟମରେ ଠାବ କରି ତାଙ୍କୁ ଶିକ୍ଷାଦାନ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟରେ ଶିକ୍ଷାଦାନ ନିମିତ୍ତ କେତେକ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନେଉଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସଂପ୍ରତି ଦୂରଦର୍ଶନରେ ‘ଶିକ୍ଷାଦର୍ପଣ’, ରେଡିଓ ପାଠଶାଳା, ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ ଓ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଅନ୍‌ଲାଇନ୍‌ ପାଠପଢ଼ା ହେବ । ବିଶେଷ କରି ଜୁନ୍‌ ୨୧ ତାରିଖଠାରୁ ୟୁଟୁ୍ୟବ୍‌ ମାଧ୍ୟମରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଉଥିବା କଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରକାଶ କରିଥିଲେ ।

ଏହି ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ଶିକ୍ଷକ ନିଯୁକ୍ତି, ଆସବାବ କ୍ରୟ, ପାଣ୍ଠି ବିନିଯୋଗ ସାର୍ଟିଫିକେଟ୍‌ ଓ ଉନ୍ନତ ଶିକ୍ଷାଦାନ ଆଦି ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଅର୍ଥରାଶି ଠିକ୍‌ ସମୟରେ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କେତେକ ବିଦ୍ୟାଳୟରେ ହୋଇଥିବା ପୁଷ୍ଟି ବଗିଚା ଦେଖି ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ବିଦ୍ୟାଳୟମାନଙ୍କରେ ବର୍ଷା ଋତୁ ଆରମ୍ଭରୁ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମୂଳଦୁଆ ହେଉଛି ମୌଳିକ ଭାଷା ଓ ସାଂଖିକ ଜ୍ଞାନ । ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସେଣ୍ଟର ସ୍କ୍ୱାର ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

କରୋନା ସମୟରେ ଛାତ୍ରଛାତ୍ରୀ ଘରେ ରହୁଥିବାରୁ ପିତାମାତାଙ୍କ ସହଯୋଗ ନିମିତ୍ତ ଇ-ପିଟିଏମ୍‌(ଭର୍ଚୁଆଲ୍‌ ମାଧ୍ୟମ)ରେ ଶିକ୍ଷକ ଓ ଅଭିଭାବକ ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଆଦର୍ଶ ବିଦ୍ୟାଳୟ ଲିଙ୍ଗରାଜ ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।