Categories
ଆଞ୍ଚଳିକ

ନବଯୌବନ ରୂପରେ ଦର୍ଶନ ଦେଲେ ରଙ୍କନାଥ ଦେବ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ। ସ୍ନାନ ପୂର୍ଣ୍ଣିମା ଠାରୁ ବାଣପୁରର ଆରାଧ୍ୟ ଦେବ ପ୍ରଭୁ ରଙ୍କନାଥ ଓ ଚରଣ ଚକାଦେବ ଅଣସର ଘରେ ଜ୍ୱରରେ ପୀଡିତ ଥିଲେ।  ଦୀର୍ଘଦିନର ଅସୁସ୍ଥତା ଓ ବହୁ କଷ୍ଟ ସ୍ୱୀକାର ପରେ ପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି।

ସକାଳ ଧୂପ ଓ ଅବକାଶ ପରେ ବିଭିନ୍ନ ଭୋଗ ଲାଗିପରେ ଭକ୍ତଙ୍କୁ ପୂର୍ଣ୍ଣ ଅବୟବରେ ଦର୍ଶନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରୁ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଭକ୍ତଙ୍କର ସୁଅ ଛୁଟିବାରେ ଲାଗିଛି ରଙ୍କନାଥ ମନ୍ଦିରକୁ।

ଆସନ୍ତା କାଲି ଘୋଷଯାତ୍ରାରେ ରଥାରୁଢ଼ ହେବେ ରଙ୍କନାଥ ଓ ଚରଣ ଚକାଦେବ। ତେଣୁ ରଥରେ ଦର୍ଶନ କରିବାକୁ ଭକ୍ତଙ୍କ ମନରେ ଆବେଗ ବଢ଼ିବାରେ ଲାଗିଛି। ଶ୍ରୀ ଗୁଣ୍ଡିଚାକୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମନ୍ଦିର କମିଟିଙ୍କ ସହ ବାଣପୁର ଅଧ୍ୟକ୍ଷ ମିଟୁ ନାୟକ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି।

ଘୋଷଯାତ୍ରାକୁ ଆକର୍ଷଣୀୟ କରିବାକୁ ଗତକାଲି ଠାରୁ ରଥ ଗଡିବାକୁ ଥିବା ପଥରେ ଅଧକ୍ଷଙ୍କ ତରଫରୁ ବିଭିନ୍ନ ଝୋଟି ତିଆରିରେ ଲାଗିପଡିଛନ୍ତି କୁଶଳୀ କାରିଗର ମାନେ।  ଏପଟେ ପ୍ରଭୁ ରଙ୍କନାଥଙ୍କ ଆଗମନକୁ ରଥ ପ୍ରସ୍ତୁତ ହୋଇ ରହିଛି। ମହିଳା ମାନେ ଚିତ୍ର ବିଚିତ୍ର କରିବାରେ ଲାଗି ପଡିଛନ୍ତି ତିନିରଥକୁ।

ଆସନ୍ତାକାଲି ୨ ଘଟିକା ସମୟରେ ପହଣ୍ଡି ବିଜେ, ଦିନ ତିନି ଘଟିକାରେ ଛେରାପହରା ପରେ ଚାରି ଘଟିକା ସମୟରେ ରଥ ଟଣାଯାଇ ପ୍ରଭୁ ମାଉସୀମା ଘରକୁ ଯାତ୍ରା କରିବାର ସମୟ ନିର୍ଘଣ୍ଟ କରାଯାଇଥିବା କମିଟି ସଭାପତି ଦାଶରଥି ସାହୁ ପ୍ରକାଶ କରିଛନ୍ତି। ଭାଷ୍ୟକାର ଭାବରେ ବାଳମୁକୁନ୍ଦ ଦାସ ରଥଯାତ୍ରାର ଧାରା ବିବରଣୀ ପ୍ରକାଶ କରିବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଜ୍ବରରେ ପିଡିତ ହେଲେ ମହାପ୍ରଭୃ, ଆଜିଠାରୁ ଅଲରାନାଥ ଦର୍ଶନ, ଶ୍ରୀମନ୍ଦିରରେ ପଟିଦିଅଁ

ପୁରୀ: ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି।

ଶ୍ରୀଜୀଉ ସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇଛନ୍ତି। ସେଥିପାଇଁ ଅଣସର ଘରେ ରହି ଚିକିତ୍ସା କରାଯିବ। ଏହି ସମୟରେ ତାଙ୍କୁ ଔଷଧ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରାରେ ଯିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।

Categories
ଆଜିର ଖବର ଧର୍ମ ସଂସ୍କୃତି

ସ୍ନାନପୂର୍ଣ୍ଣିମାରେ କଣ ପାଇଁ ତିନି ଠାକୁରଙ୍କୁ ୧୦୮ କଳସୀ ଜଳରେ କରାଯାଏ ସ୍ନାନ

ଭୁବନେଶ୍ବର: ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି।

ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକୁର ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ।

ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।

Categories
ଧର୍ମ ବିଶେଷ ଖବର

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

ଭୁବନେଶ୍ବର:  ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି।

ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ।

ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା। ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ। ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା। ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ।

ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ।ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜାନନବେଶ ଧାରଣ କରନ୍ତି।