Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗାଙ୍ଗପୁର ଥାନା ଅଞ୍ଚଳର ମଙ୍ଗୁଳୁ ନାୟକ ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକା ଏକଲା ଘରେ ଥିବା ବେଳେ ଅଭିଯୁକ୍ତ ମଙ୍ଗଳୁ କୌଶଳ କ୍ରମେ ନାବାଳିକାକୁ ଏକ ନିଚ୍ଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଘରେ ଆଣି ଛାଡ଼ି ଦେଇଥିଲା ଓ ଘଟଣା ପ୍ରଘଟ ହେଲେ ହତ୍ୟାର ଧମକ ଦେଇଥିଲା। ଯ’ଦ୍ଵାରା ନାବାଳିକା ଜଣକ କାହାକୁ ନକହି କିଛି ଦିନ ଚୁପ୍ ହେଇଗଲା।

ପରବର୍ତ୍ତୀ ସମୟରେ ନାବାଳିକାର ଲକ୍ଷଣ ଦେଖି ପରିବାର ଲୋକେ ତାକୁ ପଚାରିବାରୁ ସେ ସବୁ କଥା କହିଥିଲା। ତା ପରେ ପରିବାର ଲୋକେ ଗାଙ୍ଗପୁର ଥାନାରେ ଏହି ଘଟଣା ବିଷୟରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୧୩୯/୧୯ ଓ ପୋକ୍ସ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ପୋକ୍ସ ଅଦାଲତ ଜଜ୍ ଗଣେଶ୍ଵର ପତି ଉକ୍ତ ରାୟ ଶୁଣାଇଛନ୍ତି ଓ ରାଜ୍ୟ ସରକାରଙ୍କୁ ପୀଡିତା କ୍ଷତିଭରଣ ନିୟମ ଅନୁଯାୟୀ ପୀଡିତାକୁ ୫ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।