Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ପରଲୋକ

କଟକ: ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇଥିବାରୁ କଟକ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଦେଖାରଖା କରୁଥିଲେ। ହେଲେ ଆଜି ତାଙ୍କର ପରଲୋକ ଘଟିଛି।

ତାଙ୍କ ମରଶରୀରକୁ କଟକ ରୁ ନିଜ ଜନ୍ମମାଟି ଯାଜପୁରର ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। ସେ ସର୍ବଭାରତୀ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ଥିଲେ। ସ୍ବୀଧୀନତା ସଂଗ୍ରାମ ବେଳେ ସେ 3 ବର୍ଷ ଜେଲଦଣ୍ଡ ଭୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ, ମନ୍ତ୍ରୀ ଅତୁନୁ ସବ୍ୟସାଚୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଆଜି ପରଲୋକ ଘଟିଛି। ସେ କଟକ ଏସ୍‌.ସି.ବି ମେଡିକାଲ କଲେଜ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ଭରଣ କରିଛନ୍ତି।

ସେ କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଓ ଗୌରବ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଚରଣ ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ। ବ୍ରିଟିଶ୍ ରାଜ୍ ବିରୁଦ୍ଧରେ ସଂଗ୍ରାମକରି କାରାବରଣ କରିଥିଲେ ସେ ଜଣେ ସତ୍ୟନିଷ୍ଠ ପରୋପକାରୀ ବନ୍ଧୁବଚ୍ଛଳ ବ୍ୟକ୍ତି ଥିଲେ।

ତାଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆତ୍ମୋତ୍ସର୍ଗ ଦିବସ: ଆଜିର ଦିନରେ ପୋଲିସ ଗୁଳି ଚାଳନା ଯୋଗୁଁ ଓଡିଶାରେ ମରିଥିଲେ ୪୩ ଜଣ

ଭୁବନେଶ୍ବର: ଆଜି ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ମରଣୀୟ ଦିନ। କାରଣ ୧୯୪୨ ମସିହା ଆଜିର ଦିନରେ ନବରଙ୍ଗପୁର ଜିଲ୍ଲା ପାପହାଣ୍ଡିରେ ଘଟିଥିଲା ଏକ ନରସଂହାର ଘଟଣା। ଯେଉଁଥିରେ ପୋଲିସ ଗୁଳିରେ ଟଳିପଡିଥିଲେ ୪୩ ଜଣ ସ୍ବାଧୀନତା ସଂଗ୍ରାମୀ।

ଘଟଣାଟି ଥିଲା ଏହିପରି। ସେଦିନ ବାଘ ସିଉନି ଗ୍ରାମର ସଂଗ୍ରାମୀ ମାଧବ ପଧାନୀଙ୍କ ନେତୃତ୍ୱରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଗୁମ୍ମୁଗୁଡାଠାରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଡାବୁଗାଁ ଦିଗରେ ଅଗ୍ରସର ହେଉଥିଲେ।

ଏହି ଶୋଭାଯାତ୍ରାର ଖବର ଗୁପ୍ତଚରମାନେ ପାପଡ଼ାହାଣ୍ଡି ଥାନାର ଅଧିକାରୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ଜଣାଇଲେ। ରାମକୃଷ୍ଣ ପଟ୍ଟନାୟକ ନିଜ କୁକାର୍ଯ୍ୟ ପାଇଁ “କଳାନାଗ” ନାମରେ ପରିଚିତ ଥିଲେ। ଆସନ୍ନ ବିପଦ ଆଶଙ୍କାରେ ସଶସ୍ତ୍ର ଫୌଜ ପ୍ରସ୍ତୁତ କରାଗଲା। ଶୋଭାଯାତ୍ରା ପଥରେ ତୂରୀ ନଦୀରେ ଥିବା କାଠପୋଲ ପାରି ହେଉଥିବା ସମୟରେ, ନଦୀର ଆରପାଖରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଇଂରେଜ ପୁଲିସ, ଶୋଭାଯାତ୍ରାକାରୀଙ୍କୁ ଆଗକୁ ବଢିବାକୁ ବାରଣ କରିଥିଲା।

ଏହାକୁ ଅମାନ୍ୟ କରି ସ୍ୱାଧୀନତା ସଂଗ୍ରାମୀମାନେ ଆଗେଇ ଚାଲିବାରୁ, ଇଂରେଜ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏଥିରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଟାଙ୍ଗିଆ ଜଣେ ଇଂରେଜ ପୁଲିସ କର୍ମଚାରୀଙ୍କ କାନରେ ବାଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଇଂରେଜ ପୁଲିସ ଅତର୍କିତ ଗୁଳିଚାଳନା କରିଥିଲେ। ଅନେକ ସ୍ୱାଧୀନତା ସଂଗ୍ରାମୀ ସେହି କାଠପୋଲ ଉପରେ ଟଳି ପଡ଼ିଥିବା ବେଳେ, ଆଉ କେତେକ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବିକଳରେ ଉଛୁଳା ନଈରେ ଡେଇଁପଡ଼ି ପ୍ରାଣ ହରାଇଥିଲେ।

ପୁଲିସ ଲାଠି ଓ ବନେଟ ମାଡରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ଘଟଣାସ୍ଥଳରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀ ନିହତ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଳୟକୁ ଯିବା ରାସ୍ତାରେ ପ୍ରାଣତ୍ୟାଗ କରିଥିଲେ। ଅନେକ ଗୁରୁତର ଆହାତ ମଧ୍ୟ ହୋଇଥିଲେ। ୧୦୪ଜଣ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲ। ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାସରେ ଏହି ଘଟଣା ଏହ ବିରଳ ଘଟଣା ଭାବେ ଲିପିବନ୍ଧ ହୋଇ ରହିଛି। ଏହାକୁ ଆତ୍ମୋତ୍ସର୍ଗ ଦିବସ ଭାବେ ପରିଗଣିତ ହୋଇଛି।

ସେହି ଦିନଟିକୁ ସ୍ମରଣ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶାବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ। ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ସେହି ସ୍ମରଣୀୟ ଦିନକୁ ସ୍ମରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା। ସେହିପରି ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍‌ ମହାନ୍ତି ପ୍ରମୁଖ ପାପଡ଼ାହାଣ୍ଡି ଘଟଣା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ବୋଲି ଉଲ୍ଲେଖ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଶ୍ରୀ ଅରବିନ୍ଦ ଦାସ ପାପଡ଼ାହାଣ୍ଡିର ତୁରୀ ନଦୀ ତଟରେ ସଂଘଟିତ ଏହି ବର୍ବରୋଚିତ ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। କାରଣ ଦେଶୀୟ, ଜାତୀୟ ଓ ଜଙ୍ଗଲରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଐତିହାସିକମାନେ ଏହି ଗୁଳିକାଣ୍ଡକୁ ଯେତେ ଗୁରୁତ୍ୱ ଦେବା କଥା ସେତିକି ଦେଇନାହାନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ବଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ ବୋଲି ପ୍ରକାଶ କରିଥିଲେ। ଶାବରୀ ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀ ଗୌରଚନ୍ଦ୍ର ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶେଷରେ କାକିରିଗୁମା, କୋରାପୁଟର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ଜନଜାତି ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା।