Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ସଡକ ପଥରେ ସ୍ବାଭିମାନ ଅଞ୍ଚଳକୁ ଗଲେ ମୁଖ୍ୟ ଶାସନ ସଚିବ

ମାଲକାନଗିରି/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବ୍ୟାପକ ବିକାଶମୂଳକ ହସ୍ତକ୍ଷେପ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଡ଼କ ପଥ ଦେଇ ଏକଦା ନକ୍ସଲ ଗଡ ଭାବେ ବିବେଚିତ ଚିତ୍ରାକୋଣ୍ଡା ସ୍ବାଭିମାନ ଆଞ୍ଚଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଜି ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନରେ ସେ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବାଭିମାନ ଅଂଚଳ ସ୍ୱତନ୍ତ୍ର ପ୍ୟାକେଜଗୁଡିକର କ୍ଷେତ୍ର ସ୍ତରର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ମୁଖ୍ୟତଃ
ଉଦ୍ୟାନ ଚାଷ, କୃଷି, ମତ୍ସ୍ୟ ଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ସୃଷ୍ଟି, କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମର ଅଭିବୃଦ୍ଧି, ଜଳସେଚନ, ବିଦ୍ୟୁତିକରଣ, ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ ଆଦି ପ୍ରକଳ୍ପର କାର୍ଯ୍ୟନ୍ଵୟନ କୁ ମୁଖ୍ୟ ସଚିବ କ୍ଷେତ୍ର ସ୍ତରରେ ଲକ୍ଷ୍ୟ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ସଘନ କରିବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗର ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ମତ୍ସ୍ୟଚାଷ, ବନବିଭାଗ ଏବଂ ଉଦ୍ୟାନ କୃଷି ଆଦି କାର‌୍ୟ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରୁଛନ୍ତି।

ଏହି ଅଞ୍ଚଳରେ ସାତୋଟି ଟେଲି ଟାୱାର କାର୍ଯ୍ୟ କରୁଛି। ସ୍ବାଭିମାନ ଅଞ୍ଚଳ ୯ ଟି ପଞ୍ଚାୟତରେ ସମସ୍ତ ଘରକୁ ପ୍ରାୟ ୬୦୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବଣ୍ଟନ କରାଯାଇଛି। ପ୍ରାୟ ୯୯ ପ୍ରତିଶତ ଅଞ୍ଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି।

ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରାକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡା ଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପର କାର‌୍ୟ୍ୟ, ପାଇପ୍ ପାନୀୟ ଜଳ ଯୋଗାଣର ଅଗ୍ରଗତି ଏବଂ ୩୩ କେଭି ପାୱାର୍ ସବ୍ ଷ୍ଟେସନ ଆଦି ସ୍ଥାନ ବୁଲିବା ବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ କ୍ୟାମ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ଶାସନ ସଚବଙ୍କୁ ସ୍ଵାଗତ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ।

ଅନେକ ଲୋକ କହିବାର ଶୁଣିବାକୁ ମିଳିଥିଲା ଯେ ସେମାନଙ୍କ ଅଞ୍ଚଳକୁ କୌଣସି ମୁଖ୍ୟ ସଚିବଙ୍କ ଏହା ପ୍ରଥମ ଗସ୍ତ। ଏହାପୂର୍ବରୁ ପ୍ରଥମ ଦିନ ପରିଦର୍ଶନରେ ଶ୍ରୀ ମହାପାତ୍ର ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ମୋଟୁରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଏବଂ ପୋଟେରୁ ଅଞ୍ଚଳରେ ଗଭୀର ବୋରୱେଲ ଜଳସେଚନ କ୍ଲଷ୍ଟରରେ କୃଷି କାର‌୍ୟ୍ୟକଳାପକୁ ଦେଖିଥିଲେ ଜ୍ଝ ସେ ଓଡିଶା ଏବଂ ଛତିଶଗଡକୁ ସଂଯୋଗ କରୁଥିବା ସାବରୀ ନଦୀ ଉପରେ ନିର୍ମାନାଧିନ ସେତୁର ଅଗ୍ରଗତି ମଧ୍ୟ ସମୀକ୍ଷା ମଧ୍ୟ କରିଥିଲେ।

ଶ୍ରୀ ମହାପାତ୍ର ମଧ୍ୟ ମୁଗି ବୋର୍ଡର୍ ପଏଣ୍ଟକୁ ଯାଇ ସେଠାରେ ବିକାଶମୂଳକ କାର‌୍ୟ୍ୟକଳାପର ସମୀକ୍ଷା କରିଥିଲେ। ସେଠାରେ ସ୍ଥାପିତ ଓଡିଶାର ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।  ଏହି ଗସ୍ତ ସମୟରେ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିରାସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଶ୍ରୀ ବାଲମୁକୁନ୍ଦ ଭୁୟାଁ, ବିଭାଗୀୟ ବନ ଅଧିକାରୀ ଶ୍ରୀ ପ୍ରତାପ କୋଟାପାଲି ଏବଂ ମାଲକାନଗିରିର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅନଲାଇନରେ ପଢିବା ପାଇଁ ସ୍ବାଭିମାନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ମାର୍ଟ ଫୋନ, ନବୀନଙ୍କ ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡି ଡିଜିଟାଲ ପ୍ଲାଟଫର୍ମରେ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ”। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ଫୋନ ଯୋଗାଇଦେବେ।

ମୋବାଇଲ ଫୋନ ଦ୍ବାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ ସେ କହିଥିଲେ। ସେ କହିଥିଲେ ଯେ ସ୍ବାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି ଟାୱାର କରାଯିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ସଚିବ, Bharat Infratel ର ରାଜ୍ୟ ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।