Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଘେରାଉ କଲେ ସ୍ବୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍‌ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି।

ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି କି ଆୟବ୍ୟୟର ସୂଚନା ଦେଉନାହାନ୍ତି। ଏ ସମ୍ପର୍କରେ ଅକ୍ଟୋବର ୬ ତାରିଖରେ ଓଡଗାଁର ଏକ ମନ୍ଦିରଠାରେ ମହିଳାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିଲେ। ଯେଉଁଥିରେ ସିଆରପିମାନେ ଏମ୍‌ବିକେ ଯୋଗଦେଇନଥିବା ସ୍ଥଳେ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ସେମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ଉଠି ପଳାଇଥିଲେ।

ଏହାପରେ ଗତ ଅକ୍ଟୋବର ୧୯ ତାରିଖରେ ସମସ୍ତ ମହିଳାମାନେ ବାଣପୁର ବିଡିଓଙ୍କ ଦ୍ବାରସ୍ଥ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ନଭେମ୍ବର ୨ ତାରିଖ ସୁଦ୍ଧା ବାଣପୁର ବ୍ଲକର ଓଏଲଏମ ବିଭାଗ କିମ୍ବା ବିଡିଓଙ୍କ ଦ୍ବାରା ପ୍ରତିଶୃତି ମୁତାବକ କୌଣସି ସମସ୍ୟାର ସମାଧାନ ନ କରାଯିବାରୁ ଆଜି ନ୍ୟାୟ ଦାବିରେ ଶତାଧିକ ମହିଳାମାନେ ବ୍ଲକ ଘେରାଉ କରି ଧାରଣାରେ ବସିଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ ଦିନ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିଡିଓ ଆସିନଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍‌ ଉପସ୍ଥିତ ରହିଛନ୍ତି। ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ସହିତ ଗୋଟିଏ ପ୍ଲାଟୁନ୍‌ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।