Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏଣିକି ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନରେ ସାମିଲ ହୋଇଛନ୍ତି।

ଆଜି ମିଶନ ଶକ୍ତି ମା’ ମାନଙ୍କର ଭଲ କାମ ଦେଶ ବିଦେଶରେ ପହଞ୍ଚି ପାରିଛି। ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଦୁବାଇ ଓ ସିଙ୍ଗାପୁରକୁ exposure visit ରେ ଯାଉଥିବାରୁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆଗକୁ ଅଧିକରୁ ଅଧିକ ମା’ ମାନେ ବିଦେଶ ଯିବେ।

ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ SHG ରୁ SME ଆଡକୁ ଆଗଉଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ Corporate ଜଗତ ସହ ଯୋଡି ହୋଇଛନ୍ତି। ବିଜିନେସ୍‌ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଓ ୧.୫ ଲକ୍ଷ ଏସ.ଏଚ୍.ଜି. ଲିଡର ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଆଜି ଖୋଲାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ। ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି।

ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ । ଏଣିକି ଓଡିଶାର ମା’ ମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ । ଏହା ଦ୍ୱାରା ମା’ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ । ଆଜି ମିଶନ ଶକ୍ତି ମା’ ମାନେ ଓଡିଶାର ରୂପାନ୍ତରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ।

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରଶଂସା କରି ଖୁବ୍‌ ଶୀଘ୍ର ସେମାନେ ଖୁସି ଖବର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ ଜିଲ୍ଲା ମା’ ଯମୁନା ଏସ୍.ଏଚ୍.ଜି. ଓ ଗଂଜାମ ଜିଲ୍ଲା ମା’ ବିମଳା ଏସ୍‌.ଏଚ୍‌.ଜି.କୁ ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମହିଳା ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧାତା ମିଶନ ଶକ୍ତି ମା’ମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏସ୍.ଏଚ.ଜି ସ୍ତରରେ ମହିଳା ନେତୃତ୍ୱାଧିନ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କୁ ଅହୁରି ଅଧିକ ସଶକ୍ତ କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ଗିତାଞ୍ଜଳୀ ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି। ମିଶନ ଶକ୍ତି ମା’ମାନେ ଆଜି exposure visit ରେ ଯାଉଛନ୍ତି । ଆଜି ଓଡିଶାର ରୂପାନ୍ତରରେ ମା’ମାନଙ୍କର ଏକ ପଦ ଚିହ୍ନ ଅଧିକ ସ୍ପଷ୍ଟ ହୋଇଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଏସ୍.ଏଚ.ଏଜି. ଲିଡର କେତକୀ ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ମା’ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ଆମକୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ଓ ସିଙ୍ଗାପୁର ବୁଲାଇଲେ। ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କ ସମ୍ମାନାର୍ଥେ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମିଶନ ଶକ୍ତିର ବହୁସଂଖ୍ୟକ ମା’ମାନେ ଯୋଗ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ କିଣିବା ପାଇଁ ମିଳିବ ହଜାର ଟଙ୍କା, ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଏସଏଚଜି ମହିଳାମାନଙ୍କୁ ମିଳିବ ହଜାରେ ଟଙ୍କା ଲେଖାଏଁ। ସେମାନଙ୍କର ୟୁନିଫର୍ମ କିଣିବା ପାଇଁ ଏହି ଅନୁଦାନ ପ୍ରଦାନ କରାଯିବ। ସେହିପରି କାର୍ଯ୍ୟନିର୍ବାହି କମିଟ ସଦସ୍ୟାଙ୍କୁ ବ୍ଲେଜର ପାଇଁ ମୋଟ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।ଏ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ୭୦ଲକ୍ଷ ମହିଳା ଏହି ମିଶନ ଶକ୍ତି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପୂର୍ବରୁ ସ୍କୁଟର ଯୋଜନା ଲାଗୁ କରିବା ସହିତ ବିନା ସୁଧରେ ଋଣ ଯୋଗାଇ ଆସୁଛନ୍ତି। ଏଥିପାଇଁ ୭୩୦କୋଟି ବ୍ୟୟ କରାଯିବ ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଗତକାଲି ରାଜ୍ୟ କ୍ୟାବିନେଟର ୭୩ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାବିନେଟ ବୈଠକରେ ୧୦ ଟି ବିଭିନ୍ନ ବିଭାଗ ର ୧୨ ଟି ପ୍ରସ୍ତାବ ଆଗତ କରାଯାଇଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସିଙ୍ଗାପୁର ଗସ୍ତରେ ଯିବାକୁ ଥିବା ମିଶନ ଶକ୍ତି ମା’ମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆସନ୍ତା ଜୁନ ୩ ତାରିଖରୁ ଭୁବନେଶ୍ବରରୁ ସିଧାସଳଖ ସିଙ୍ଗାପୁର ଯିବା ପାଇଁ ବିମାନ ଚଳାଚଳ ଆରମ୍ଭ ହେବ। ଇତ୍ୟବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋନୀତ କିଛି ମିଶନ ଶକ୍ତି ମାଁ ଯଥା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘର ସାଧାରଣ ସଂପାଦିକା ଶୈଳବାଳା ରଥ ଓ ଅଙ୍ଗନବାଡ଼ି କର୍ମୀ ସୁନିତା କୁମାରୀ ସାହୁ, କୁନି ସ୍ବାଇଁ ଓ ପୁଷ୍ପାଞ୍ଜଳି ପ୍ରଧାନ ପ୍ରମୁଖ ଉକ୍ତ ଦିନ ସିଙ୍ଗାପୁର ଗସ୍ତରେ ଯିବେ। ଆମ ଓଡ଼ିଶା ର ମିଶନ୍ ଶକ୍ତି ମାଁ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିଦେଶରେ ଚାହିଦା, ବ୍ୟବସାୟ ଓ ଗୁଣବତ୍ତା ଉପରେ ବାହାର ଦେଶରେ ଜନସଚେତନତା ସୃଷ୍ଟି କରିବା ସହ ଆଧୁନିକ ଶୈଳୀରେ ମିଶନ୍ ଶକ୍ତି ଦ୍ଵାରା ଆହୁରି ଅନେକ ସାମଗ୍ରୀର ପ୍ରସ୍ତୁତି ବିଷୟରେ ତାଲିମ ନେବେ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଉକ୍ତ ମିଶନ୍ ଶକ୍ତି ମାଁ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଡି ଆର୍ ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜୀବିକା ମିଶନ୍ ପରିଚାଳକ, ଆକ୍ସନ ଏଡ୍ ସଂଯୋଜକ, ଛତ୍ରପୁର ସି ଡ଼ି ପି ଓ ଓ ସୁପରଭାଇଜର ଗଣ ଯୋଗ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ

ହକି ବିଶ୍ବକପ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ କଲେ ଭଲ ବ୍ୟବସାୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ବେହେରା ସାହିର ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ଏକ ଅଗ୍ରଣୀ ମହିଳା ଏସ୍‌ଏଚ୍‌ଜି ମହାସଂଘ। ସେମାନେ ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ଅଳ୍ପ କିଛି କିଛି ପିଠା ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଥିଲେ।

ମିଲେଟ୍‌ର ଚାହିଦାକୁ ଦେଖି ସେମାନେ ଦୁଇବର୍ଷ ହେବ ବିଭିନ୍ନ ଛୋଟ ଛୋଟ କାର୍ଯ୍ୟକ୍ରମ, ଉତ୍ସବ ଆଦିରେ ମିଲେଟ୍‌ରୁ ପ୍ରସ୍ତୁତ ପିଠା, ଲଡ଼ୁ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇ ଜୀବିକା ଅର୍ଜନ କରୁଥିଲେ। ମିଲେଟ୍‌ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ମହାସଂଘର ସଦସ୍ୟାମାନେ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ ଏବଂ ସେମାନଙ୍କ ଏହି ସବୁ ସାମଗ୍ରୀ ପ୍ରସ୍ତୁତିରେ ଦକ୍ଷତା ଓ ଅଭିଜ୍ଞତା ଥିଲା। କେବଳ ଏକ ସୁଯୋଗର ଅପେକ୍ଷା ଥିଲା।

ସେ ବଡ଼ ସୁଯୋଗ ସେମାନଙ୍କ ପାଖକୁ ଆସିଲା ଯେତେବେଳେ ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଗୋଟିଏ ମିଲେଟ୍‌ ଶକ୍ତି କାଫେ ଖୋଲିବା ନିିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପଦକ୍ଷେପ ନିଆଗଲା। ଏହି କାଫେରେ ବିକ୍ରୟ ନିମନ୍ତେ ସେମାନେ ଆବେଦନ କଲେ ଏବଂ ମିଲେଟ୍‌ କାଫେ ପରିଚାଳନା ନିମନ୍ତେ କାର୍ଯ୍ୟାଦେଶ ପାଇଲେ।

ଜାନୁଆରୀ ୧୨ ତାରିଖ ଦିନ ଏହି କାଫେ କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା। ସେଦିନ ଏହି ମହାସଂଘର ସଦସ୍ୟାମାନଙ୍କ ଖୁସି କହିଲେ ନସରେ। ହକି ବିଶ୍ୱକପ୍‌ ସମୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କ ସମେତ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଅତିଥିମାନଙ୍କୁ ସେମାନଙ୍କ ଦ୍ୱାରା ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ସୁଯୋଗ ଆଣିଦେଲା।

ମହାସଂଘର ମା’ମାନେ ଦିନରାତି ଲାଗି ପଡ଼ିଲେ। ମ୍ୟାଚ ଥିବା ଦିନମାନଙ୍କରେ ସେମାନେ ୨୫ରୁ ୩୦ ହଜାର ଟଙ୍କ ବ୍ୟବସାୟ କରିଥାନ୍ତି ଏବଂ ମ୍ୟାଚ୍‌ ନଥିବା ଦିନଗୁଡ଼ିକରେ ୧୦ରୁ ୧୫ ହଜାର ଟଙ୍କାର ବିକି୍ରବଟା ହୋଇଥାଏ। ଏହି ସମୟ ମଧ୍ୟରେ କମିଶନରେଟ୍‌ ପୋଲିସକୁ ସେମାନେ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ ପ୍ରାୟ ୫୦୦ ପ୍ୟାକେଟ୍‌ ( ୬ ପ୍ରକାର ଖାଦ୍ୟ ସାମଗ୍ରୀର ଏକ ଜଳଖିଆ ପ୍ୟାକେଟ) ଯୋଗାଇଛନ୍ତି।

ଏଥିରେ ସେମାନଙ୍କର ପ୍ରାୟ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା। ପୁଣି ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟରମାନଙ୍କ ଏକ ଉତ୍ସବ ନିମନ୍ତେ ସେମାନେ ୬୦୦ ପ୍ୟାକେଟ ଯୋଗାଇ ବେଶ ଲାଭବାନ ହୋଇଛନ୍ତି। ଖେଳ ଦେଖିବାକୁ ଆସିଥିବା ରାଜ୍ୟ ବାହାରର ବହୁ ଲୋକ ସେମାନଙ୍କ ସାମଗ୍ରୀ କିଣି ନେଇଛନ୍ତି । ମାତ୍ର ୧୫ ଦିନ ମଧ୍ୟରେ ସେମାନେ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି।

ଆନୁଷଙ୍ଗିକ ଯନ୍ତପାତି, କଞ୍ଚାମାଲ ଆଦି କିଣିବା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟାଙ୍କ୍‌ ଲିଙ୍କେଜ୍‌ ଜରିଆରେ ସେମାନଙ୍କୁ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି। ବିଭାଗ ତରଫରୁ ମଧ୍ୟ ସଦସ୍ୟାମାନଙ୍କୁ ପ୍ୟାକେଜିଂ, ସଂରକ୍ଷଣ, ସାମଗ୍ରୀ ପ୍ରସ୍ତୁତି ଆଦି ସଂପର୍କରେ ଉଚ୍ଚ ତାଲିମ ପ୍ରଦାନ କରାଯାଇଛି।

ପିଠା ଏବଂ ଶୁଖିଲା ଖାଦ୍ୟ ବ୍ୟତୀତ ମିଲେଟ୍‌ର ବିଭିନ୍ନ ବେକେରୀ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ସେମାନେ ବିଭିନ୍ନ ସ୍ଥାନକୁ ଯୋଗାଇ ଦେଇଛନ୍ତି। ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ସେମାନେ ନିଜର ବ୍ୟବସାୟକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛନ୍ତି।

ଏହି ମହାସଂଘର ୧୮ ଜଣ ସଦସ୍ୟା କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ବିନାସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଘୋଷଣା କରିବା ପରେ ଏହି ମହାସଂଘର ସଦସ୍ୟାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।

ଆଜି ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଏହିଭଳି ଅନେକ ଏସ୍‌ଏଚ୍‌ଜି ସରକାରୀ ପ୍ରୋତ୍ସାହନରେ ଧୀରେ ଧୀରେ ଏସ୍‌ଏମ୍‌ଇ (କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ)ରେ ପରିଣତ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାର ସ୍ୱପ୍ନ ଧୀରେ ଧୀରେ ବାସ୍ତବରେ ରୂପାନ୍ତରିତ ହେବାରେ ଲାଗିଛି। ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ତା’ର ଜ୍ୱଳନ୍ତ ଉଦାହରଣ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଢେଙ୍କାନାଳର ହିତାଧିକାରୀମାନଙ୍କୁ ମହୁ ଚାଷ ତାଲିମ୍ ଓ ଟୁଲ୍ କିଟ୍ ପ୍ରଦାନ

ଭୁବନେଶ୍ବର: ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ) ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ କରୁଛି। ଏଥି ସହିତ କେଭିଆଇସି ମହୁ ଚାଷ ପାଇଁ  ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ୬ ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ତାଲିମ  ପ୍ରଦାନ କରିଛନ୍ତି।

୧୦୦ ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ ଓ ୧୦ ସେଟର ଟୁଲକିଟ୍‌ କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା ଜେନାଦେଇ ଏସଏଚଜିକୁ ପ୍ରଦାନ କରାଯାଇଛି। ଏହା ସହିତ ୨୦୦୦ ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସମୀର କୁମାର ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି, ବି.ଏନ୍. ପଣ୍ଡା, ଆସିଷ୍ଟାଣ୍ଟ ଡାଇରେକ୍ଟର, କେଭିଆଇସି, ଡା. ଚନ୍ଦ୍ର ଶେଖର ମହାନ୍ତି, ସିନିୟର ପ୍ରିନସିପାଲ୍ ସାଇଣ୍ଟିଷ୍ଟ, ଡା. ସୌମିତ କୁମାର ବେହେରା, ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ), ଲକ୍ଷ୍ମୌ ର ପ୍ରିନ୍‌ସିପାଲ୍ ସାଇଣ୍ଟିଷ୍ଟ, ମିସ୍ ଗୀତାଶ୍ରୀ ପାଢ଼ୀ, ଡେପୁଟି ଡାଇରେକ୍ଟର, ହର୍ଟିକଲଚର ଢେଙ୍କାନାଳ, ନିରୋଦ ଜେନା, ଡେପୁଟି ସିଇଓ, ଓରମାସ୍, ଢେଙ୍କାନାଳ ଓ ଚିତ୍ତରଞ୍ଜନ ପୁହାଣ, ମହୁଚାଷ ମାଷ୍ଟର ଟ୍ରେନର ଉପସ୍ଥିତ ରହିଥିଲେ।

ଶ୍ରୀଯୁକ୍ତ ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି କହିଛନ୍ତି ଯେ, କପିଳାଶ ବନ୍ୟଜନ୍ତୁ ଅଭୟାରଣ୍ୟର ପାଦ ଦେଶରେ ହରେକୃଷ୍ଣପୁର ଗ୍ରାମ ଅବସ୍ଥିତ। ଏଠାରେ ଅନେକ ପ୍ରକାର ଉଦ୍ଭିଦ ପ୍ରଜାତି ରହିଛନ୍ତି ଯାହାକି ମହୁଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ସେ ମହୁଚାଷୀମାନଙ୍କୁ ଅଧିକ ମହୁମାଛି କଲୋନୀ ସୃଷ୍ଟି ଉପରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଡିଡିଏଚ୍ କହିଛନ୍ତି ଯେ ଉଦ୍ୟାନକୃଷି ବିଭାଗ ହିତାଧିକାରୀଙ୍କ ଠାରୁ ରଜନୀଗନ୍ଧା ଚାରା କ୍ରୟ କରିବ ଓ ଏହାକୁ ଅନ୍ୟ ସ୍ଥାନକୁ ପ୍ରେରଣ କରାଯିବ। ଡା. ଚନ୍ଦ୍ର ଶେଖର ମହାନ୍ତି, ଏନବିଆରଆଇ କହିଛନ୍ତି ଯେ ମହୁ ଚାଷ ଓ ଫୁଲ ଚାଷର ସମନ୍ବୟ ଦ୍ବାରା ହିତାଧିକାରୀଙ୍କ ଆୟ ବୃଦ୍ଧି କରାଯାଇପାରିବ।

Categories
RakshaBandhan ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରର ଓରମାସ ବିକ୍ରି କରୁଛି ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ‘ଟେରାକୋଟା ରାକ୍ଷୀ’

ଭୁବନେଶ୍ବର, ଏଥର ରାକ୍ଷୀ ବଜାରକୁ ଗରମ କରିଛି ଓରମାସ ପ୍ରସ୍ତୁତ ପ୍ରାକୃତିକ ଜିନିଷର ତିଆରି ରାକ୍ଷୀ। ଭଳିକି ଭଳି ରାକ୍ଷୀ ଦେଖିଲେ ମନ ଖୋସି ହୋଇଯାଉଛି। ଏହି ରାକ୍ଷୀ ରାଜ୍ୟର ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ଏହି ରାକ୍ଷୀ କିଣିବାରେ ବର୍ତ୍ତମାନ ଗ୍ରାହକଙ୍କ ବେଶ ଆଗ୍ରହ ପରିଲକ୍ଷିତ ହୋଇଛି।

ଭୁବନେଶ୍ବରର ୟୁନିଟ-8 SIRD କ୍ୟାମ୍ପସକୁ ଲାଗି ଏହି ଷ୍ଟଲ କରାଯାଇଛି। ଏଥିରେ ମହିଳାମାନେ ସବାଇ ଘାସ, ଗୋଲଡେନ ଘାସ, ଧାନ, ଝୋଟ ପ୍ରଭୃତିରେ ଏହି ରାକ୍ଷୀ ତିଆରି କରିଛନ୍ତି। ଏପରିକି ଏହି ଷ୍ଟଲରେ ଟେରାକୋଟା ରାକ୍ଷୀ ମଧ୍ୟ ବିକ୍ରି କରାଯାଉଛି। ଯାହା ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି। ଏହି ଷ୍ଟଲର ନାମ ରଖାଯାଇଛି “ନିଆରା ରାକ୍ଷୀର ସମ୍ଭାର”

Categories
ଫଟୋ ଖବର

କୋଭିଡ19 ଯୁଦ୍ଧରେ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବା ପାଇଁ ସୁନ୍ଦରଗଡରେ ଦିଆଯାଉଛି ପ୍ରଶିକ୍ଷଣ

Village level meeting on COVID19 , safety & management at Bonaigarh block in Sundargarh. SHG Women were trained by ASHA & AWW at the meeting.