Categories
ଆଜିର ଖବର ଜାତୀୟ ଖବର

ଆଜି ଆକାଶବାଣୀରେ ପ୍ରସାରିତ ହେବ “ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମୃତି ଇରାନୀ”

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନୀ ଆକାଶବାଣୀ ପାଇଁ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ। ଏହାର ନାମ ରଖାଯାଇଛି ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମତି ଇରାନୀ (ନୂଆ ବିଚାର ନୂଆ କାହାଣୀ -ସ୍ମୃତି ଇରାନୀଙ୍କ ସହିତ ଏକ ରେଡିଓ ଯାତ୍ରା)। ଆଜି ଆକାଶବାଣୀ ଗୋଲ୍ଡ ଚାନେଲରେ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପୀ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ।

ପ୍ରତି ବୁଧବାର ଏହି ଧାର୍ଯ୍ୟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଶ୍ରୀମତୀ ଇରାନୀଙ୍କ ଦ୍ୱାରା ଉପସ୍ଥାପିତ ହେବ। ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ସଶକ୍ତିକରଣର ଅବିଶ୍ୱସନୀୟ କାହାଣୀମାନ ସ୍ଥାନ ପାଇବ। ମୁଖ୍ୟତଃ ସରକାରଙ୍କ ବିିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଫଳରେ ଦେଶରେ ମହିଳାମାନଙ୍କର ଭବିଷ୍ୟତ କିପରି ରୂପ ନେଉଛି ଓ ସେମାନେ କିପରି ସଶକ୍ତ ହେଉଛନ୍ତି ସେ ବିଷୟରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ସମର୍ଥ ତଥା ସଶକ୍ତ ହୋଇଥିବା ମହିଳାଙ୍କ କଥା ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଏଥିରେ ଉଦ୍ୟମିତା, ଦକ୍ଷତା ବିକାଶ, କ୍ରୀଡା, ସ୍ୱାସ୍ଥ୍ୟ ଓ ବିତ୍ତ ଆଦି କ୍ଷେତ୍ରର ସଫଳ ମହିଳାଙ୍କ କଥା ଉପସ୍ଥାପିତ ହେବ।

ପ୍ରତି ବୁଧବାର ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଥିବା ବେଳେ ଆସନ୍ତାକାଲି ଅର୍ଥାତ ବୁଧବାର ଏହାର ପ୍ରଥମ ପ୍ରସାରଣ ଦିନ ୯ଟାରେ ଆରମ୍ଭ ହୋଇ ଏକଘଣ୍ଟା ଯାଏ ଚାଲିବ। ଆକାଶବାଣୀ ଗୋଲ୍ଡ ୧୦୦.୧ ମେଗାହର୍ଜ ଦିଲ୍ଲୀରୁ ଏହା ପ୍ରସାରିତ ହେବ। ଦେଶର ସବୁ ଆକାଶବାଣୀ କେନ୍ଦ୍ର ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବେ। ଏହି ଶୋ ମଧ୍ୟ ନ୍ୟୁଜ ଅନ୍ ଏୟାର ଆପ୍, ଆକାଶବାଣୀ ୱେବ ସାଇଟ୍ www.airnewsonair.gov.inରେ ଉପଲବ୍ଧ ହେବ। ଏହା ବ୍ୟତୀତ ଆକାଶବାଣୀ ୟୁଟ୍ୟୁବ ଚାନେଲ @airnews official ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ।

ପ୍ରଥମ ଶୋ ରେ ଷ୍ଟାର୍ଟଅପ୍ ଏବଂ ନିଜ ଉଦ୍ୟମରେ ବ୍ୟବସାୟ କରି ସଫଳ ହୋଇଥିବା ମହିଳାମାନେ ସ୍ଥାନ ପାଇବେ। ସେମାନଙ୍କ ସଫଳ କାହାଣୀ ଏଥିରେ ପ୍ରସାରିତ ହେବ। ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରୟାସ ଦ୍ୱାରା ସେମାନେ କିପରି ଉପକୃତ ହେଉଛନ୍ତି ସେକଥା କହିବେ। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଭାଗ ନେବେ। ବିଭିନ୍ନ ସରକାରୀ ଯୋଜନାର ସୁଯୋଗ କିପରି ନିଆଯାଇ ପାରିବ ସେ ବିଷୟରେ ସେମାନେ କହିବେ।

Categories
ଆଜିର ଖବର ଜାତୀୟ ଖବର

ଦରଦାମ ବୃଦ୍ଧି ନେଇ ବିମାନ ଭିତରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଘେରିଲେ କଂଗ୍ରେସ ନେତ୍ରୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମହିଳା କଂଗ୍ରେସ ସଭାପତି ନେତା ଡି’ସୁଜାଙ୍କ ସହ ମୁହାଁମୁହିଁ ହେବାର ଏକ ଭିଡିଓ ଭାଇରାଲ ହୋଇଛି। ଦୁହେଁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ଭିତରେ ଏହି ଯୁକ୍ତିତର୍କ ହୋଇଥିଲେ। ବିମାନଟି ଯେତେବେଳେ ଅବତରଣ କରି ଯାତ୍ରୀମାନେ ବାହାରୁଥିଲେ ସେତେବେଳେ ଏହି କଥାବାର୍ତ୍ତା ହୋଇଥିଲା।

ଏଙି ଭିଡିଓରେ କଂଗ୍ରେସ ନେତ୍ରୀ ଡି’ସୁଜା କେନ୍ଦ୍ର ମନ୍ତ୍ରୀଙ୍କୁ LPG ର ମୂଲ୍ୟ ବୃଦ୍ଧି ବିଷୟରେ ପଚାରୁଛନ୍ତି। ଯେଉଁଥିରେ ଇରାନୀ ଉତ୍ତର ଦେଇଛନ୍ତି ଯେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଗରୀବ ଲୋକଙ୍କୁ ସାହାଯ୍ୟ କରୁଛି। ମହିଳା କଂଗ୍ରେସ ସଭାପତି ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତ ଯାତ୍ରୀଙ୍କ ରାସ୍ତା ଅବରୋଧ କରୁଛନ୍ତି।

ଏହା ପରେ ଡି’ସୁଜା କହିଥିଲେ ଯେ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇରାନୀ ଉତ୍ତର ଦେଇଛନ୍ତି ଯେ ସରକାର ଦେଶବାସୀଙ୍କୁ ମାଗଣା ରାସନ, 1.83 ବିଲିୟନ ଲୋକଙ୍କୁ ମାଗଣା ଟିକା” ଦେଉଛନ୍ତି।

ବାର୍ତ୍ତାଳାପ ଚାଲିଥିବାବେଳେ ଇରାନି ଏବଂ ଡି’ସୁଜା ଉଭୟ ଏହାକୁ ମୋବାଇଲ୍ ଫୋନରେ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ମନ୍ତ୍ରୀ ନିଜେ ଏହି ଘଟଣାର ରେକର୍ଡ ମଧ୍ୟ କରିଛନ୍ତି। ଡି’ସୁଜା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁରା ଘଟଣା ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ସାର ଏବଂ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ପ୍ରଦେଶ କଂଗ୍ରେସ କମିଟିଙ୍କ ତତ୍ତ୍ବାବଧାନରେ ସାରା ଦେଶର ରାଜ୍ୟ ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।