Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ: ୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ ନିଶାଦ୍ରବ୍ୟର ଚୋରା ଚାଲାଣ, ଅସାମାଜିକ କାର୍ଯକଳାପ ଏବଂ କୋଭିଡ଼ ନିୟମ ଉଲଂଘନ ବିରୁଦ୍ଧରେ ଏକ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ କରାଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଡି॰ ଇଂ ରାଓ, ଆରକ୍ଷୀ ଅଲେଖ ବେହେରା ଆଦି ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନତଲାସି କରିଥିଲେ।

ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେସନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୋଟାଏ କଳା ରଙ୍ଗର ବ୍ୟାଗ ସହ ବୁଲୁଥିବାର ଦେଖି ତାଙ୍କୁ ପଚରାଉଚରା କରିଥିଲା। ହଠାତ ଯୁବକ ଜଣକ ଏଥିରେ ବିଚଳିତ ହୋଇ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଆରପିଏଫ ଟିମ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲା।

ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗଟିର ତଲାସି କରାଯାଇଥିଲା ଏବଂ ଉକ୍ତ ଯୁବକଙ୍କ ଠାରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

ତଦନ୍ତ ପରେ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ଦକ୍ଷପ୍ରଜାପତି (ମାଳିସାହି) ର ରୀତିକ ରୋଶନ ମହାପାତ୍ର ବୋଲି ଜଣାପଡ଼ିଛି। ଜେରା ସମୟରେ ସେ ସ୍ଥାନୀୟ ଅଞ୍ଚଳର କିଛି ଅସମାଜିକ ଯୁବକ ମାନଙ୍କ ସହଯୋଗରେ ବିଜୟୱାଡା ଦେଇ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବାର ସ୍ୱୀକାର କରିଥିଲେ।

ଆରପିଏଫ ଥାନା ଅଧିକାରୀମାନେ ଏହି ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ରୋଡ଼ ଜିଆରପିରେ ଆଜି ଏନଡିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୬୦/୨୧ ରେ ଏକ ମାମଲା ରୁଜୁକରୀ ତଦନ୍ତ ଜାରିରଖିଥିବାର ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟ ସୂଚନା ଦେଇଛନ୍ତି।