Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱଚ୍ଛତା ସର୍ବେକ୍ଷଣରେ ବ୍ରହ୍ମପୁର ମହାନଗର ନିଗମ ଦେଶରେ ୮୯, ରାଜ୍ୟରେ ୧ ନମ୍ବର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଇଣ୍ଡିଆନ୍ ହାଉସିଂ ଏବଂ ଅର୍ବାନ୍ ଡ଼େଭଲପ୍‌ମେଣ୍ଟ ତରଫରୁ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ଘୋଷିତ ହୋଇଛି। ଏହି ବର୍ଗରେ ବ୍ରହ୍ମପୁର ମହାନଗର ନିଗମ ସାରା ଦେଶର ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବେଷ୍ଟ ମିଡ଼ିୟମ ସିଟି ଇନ୍ ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍ ବର୍ଗରେ ୮୯ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ଏହାର ସ୍ଥାନ ପ୍ରଥମ ରହିଛି।

ସାରା ଭାରତର ପ୍ରାୟ ୪୦୦୦ ସହର ଏଥିରେ ଭାଗ ନେଇଥିବାବେଳେ ଓଡ଼ିଶାର ୧୦ଟି ସହର ଯଥା ବ୍ରହ୍ମପୁର, ରାଉରକେଲା, ବାରିପଦା, କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଭାଗ ନେଇଥିଲେ। ଦେଶରେ ସମୁଦାୟ ୧୦୦ ଟି ସହରକୁ ବଛାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଏପରିକି ଭୁବନେଶ୍ୱରକୁ ପଛରେ ପକାଇ ବ୍ରହ୍ମପୁର ଏକନମ୍ବର ସ୍ଥାନ ଅଧିକାର କରିଛି। ଆଜି ଅନ୍‌ଲାଇନ୍ ପୁରସ୍କାର ପ୍ରଦାନ ସମୟରେ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡ଼େପୁଟି କମିଶନର ରେମାନସ ଲାଲ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଏହି ସହର ପାଇବା ପାଇଁ ୫ଟି ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇଥିଲା। ଯଥା ବର୍ଜବସ୍ତୁ ତଥା ଅଳିଆ ଆବର୍ଜନା ଦ୍ୱାର ଦ୍ୱାର ବୁଲି ସଂଗ୍ରହ କରିବା, ବର୍ଜବସ୍ତୁକୁ ପରିଚାଳନା କରିବା, ସସ୍‌ଷ୍ଟେନବୁଲ୍ ସାନିଟେସନ (କମ୍ୟୁନିଟି ଟଏଲଟ୍‌), ଏସ୍‌ଏଚ୍‌ଜି ଗ୍ରୁଫ୍ ଦ୍ୱାରା ଇନୋଭେସନ ତଥା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପରିଚାଳନା ଏବଂ ବାହାରୁ ଏକ ଟିମ୍ ଆସି ବ୍ରହ୍ମପୁରର ପ୍ରାୟ ୪ହଜାର ଲୋକଙ୍କୁ ପଚାରି ମାର୍କ ପ୍ରଦାନ କରିଥିଲେ । ଏଥିରେ ବ୍ରହ୍ମପୁର ଏକନମ୍ବର ରହିଥିବା ମହାନଗର ନିଗମ କମିଶନରଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।