Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ଖବରକାଗଜ ହକରମାନଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଖୋର୍ଦ୍ଧା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବରକାଗଜ ହକରମାନଙ୍କ ପାଇଁ ଆଜି ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ଖବରକାଗଜ ହକରମାନଙ୍କୁ ଅଣ ସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଏହି ସହାୟତା ନିମନ୍ତେ ରାଜ୍ୟର ୭୩୦୦ ହକରମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି।

ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। କୋଭିଡ ମହାମାରୀ ସମୟରେ ମଧ୍ୟ ହକରମାନେ ପାଠକମାନଙ୍କୁ ଖବରକାଗଜ ଯୋଗାଇଛନ୍ତି। ଖବରକାଗଜ ହକର ମାନଙ୍କୁ ଅଣ ସଂଗଠିତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଦୁର୍ଘଟଣାଜନିତ ମୃତ୍ୟୁ, ସ୍ୱାଭାବିକ ମୃତ୍ୟୁ ଓ ଦୁର୍ଘଟଣାରେ ଅକ୍ଷମ ହୋଇଥିବା ହକରମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି।

ଜିଲ୍ଲାପାଳ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟ ଓସୱାନ ହଲଠାରେ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ଓ ଖବରକାଗଜ ହକର ପ୍ରମୁଖ ଯୋଗ ଦେଇଥିଲେ। ଖୋର୍ଦ୍ଧା ଉପଖଣ୍ଡର ୧୬୭ ଜଣ ଖବରକାଗଜ ହକରଙ୍କର ଡାଟାବେସ ପ୍ରସ୍ତୁତ କରାଯାଇ ତାଲିକାଭୁକ୍ତ କରାଯାଇଛି। ଏହି ତାଲିକାଭୁକ୍ତ ଖବରକାଗଜ ହକରମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା କୋଭିଡ ସହାୟତା ବାବଦରେ ପଠାଯାଇଛି।

ଖବରକାଗଜ ହକରମାନେ ଏହା ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ଜିଲ୍ଲାପାଳ ଆଶାପ୍ରକାଶ କରିଛନ୍ତି। ଖବରକାଗଜ ହକରମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ପଠାଯାଇଥିବାରୁ ସେମାନେ ଆନନ୍ଦିତ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।