Categories
ଅପରାଧ ଆଜିର ଖବର ଜାତୀୟ ଖବର

ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ ଖାରଜ, ଜେଲରେ ଉପବାସ ପାଇଁ ମିଳିବ ନାହିଁ ସ୍ୱତନ୍ତ୍ର ଖାଦ୍ୟ

ନୂଆଦିଲ୍ଲୀ: ଧାର୍ମିକ ବିଶ୍ୱାସ ଆଧାରରେ ଜେଲରେ ଖାଦ୍ୟ ଯୋଗାଇଦେବାକୁ ଅନୁରୋଧ କରି ତିହାର ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି।ସ୍ଵତନ୍ତ୍ର ଜଜ୍ ବିକାଶ ଧୁଲ ଶୁକ୍ରବାର ଦିନ ଏହି ଆଦେଶ ଜାରି କରିବାକୁ ଯାଉଥିଲେ ମଧ୍ୟ ସେ ଏହାକୁ ନଭେମ୍ବର ୨୬ ତାରିଖ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ଜେଲରେ ସାଧାରଣ ଖାଦ୍ୟ ଏବଂ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ସତ୍ୟେନ୍ଦ୍ର ଜୈନ ଅଭିଯୋଗ କରିଥିଲେ। ଏହି ଆବେଦନପତ୍ରରେ ଦର୍ଶାଯାଇଥିଲା ଯେ, ମେ ୩୧ ତାରିଖରେ ଗିରଫ ହେବା ଦିନଠାରୁ ସେ ଜୈନ ମନ୍ଦିର ପରିଦର୍ଶନ କରିପାରିନଥିଲେ ଏବଂ ଜୈନ ଧର୍ମର ଜଣେ ଅନୁଗାମୀ ହୋଇଥିବାରୁ ସେ ଧାର୍ମିକ ଉପବାସ ପାଳନ କରୁଛନ୍ତି। କିନ୍ତୁ ତାଙ୍କୁ ରନ୍ଧା ଖାଦ୍ୟ, ଡାଲି ଏବଂ କ୍ଷୀର ଦିଆଯାଉ ନାହିଁ। ଜୈନ ଧର୍ମକୁ ମନ୍ତ୍ରୀ କଠୋର ଅନୁସରଣ କରୁଛନ୍ତି ବୋଲି ଦାବି କରାଯାଇଥିଲା।

ଜେଲ ପ୍ରଶାସନ ଏହି ଅଭିଯୋଗକୁ ଅସ୍ୱୀକାର କରି କୋର୍ଟଙ୍କୁ କହିଛନ୍ତି ଯେ, କୌଣସି କଏଦୀଙ୍କୁ ପ୍ରଶାସନ ବିଶେଷ ସୁବିଧା ଦେବ ବୋଲି ଆଶା କରିବା ଭୁଲ ଅଟେ। ଜେଲ ପ୍ରଶାସନ ଦାବି କରିଛି ଯେ, ସମସ୍ତ ବନ୍ଦୀଙ୍କୁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଜାତି, ଧର୍ମ ଏବଂ ବର୍ଣ୍ଣ ଆଧାରରେ କୌଣସି ଭେଦଭାବ ନାହିଁ।