Categories
ଆଜିର ଖବର ଜାତୀୟ ଖବର

ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି। ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି। କମିଟି ଚାଷୀମାନଙ୍କୁ ୪୫କେଜି ବ୍ୟାଗ ପିଛା ୨୬୬.୭୦ଟଙ୍କାରେ ବିନା ଟିକସ ଓ ନିମପ୍ରଲେପ ବାବଦ ଦେୟ ସହ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ୟାକେଜରେ ୩, ୬୮, ୬୭୬. ୭କୋଟି ଟଙ୍କା ୟୁରିଆ ସବ୍ସିଡି ବାବଦ ତିନିବର୍ଷ (୨୦୨୨-୨୩ରୁ ୨୦୨୪-୨୫) ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି। ଏହି ସବ୍ସିଡି ନିକଟରେ ପୌଷ୍ଟିକତା ବାବଦ ରିହାତି (ଏନବିଏସ୍) ୩୮ହଜାର କୋଟିଟଙ୍କା ୨୦୨୩-୨୪ ଖରିଫ ଋତୁ ପାଇଁ ମଧ୍ୟ ଘୋଷିତ ପ୍ୟାକେଜ ସହ ବଳବତ୍ତର ରହିବ। ଚାଷୀମାନେ ୟୁରିଆ ଆହରଣ ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଏହା ସେମାନଙ୍କ ନିବେଶଜନିତ ଖର୍ଚ୍ଚ ମଧ୍ୟ ହ୍ରାସ କରିବ।

ବର୍ତ୍ତମାନ ୟୁରିଆର ସର୍ବାଧିକ ପାଇକାରୀ ମୂଲ୍ୟ ୪୫ କିଲୋଗ୍ରାମ ବସ୍ତା ପିଛା ୨୬୬. ୭୦ଟଙ୍କା (ଟିକସ ଓ ନିମ ପ୍ରଲେପ ମୂଲ୍ୟ ଛାଡି) ରହିଥିବାବେଳେ, ବ୍ୟାଗ ପିଛା ପ୍ରକୃତ ମୂଲ୍ୟ ହେଉଛି ପ୍ରାୟ ୨୨ଶହ ଟଙ୍କା। ବଜେଟ୍ ବ୍ୟୟବରାଦ ଅନୁସାରେ ଯୋଜନା ବାବଦ ଖର୍ଚ୍ଚ ଭାରତ ସରକାର ପ୍ରଦାନ କରୁଛନ୍ତି। ୟୁରିଆ ରିହାତି ଯୋଜନା ଲାଗୁ ରହିବା ଯୋଗୁଁ ଭାରତରେ ୟୁରିଆ ଉତ୍ପାଦନ ମଧ୍ୟ ସର୍ବାଧିକ ହେବ।

ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆହୁରି କହିଛନ୍ତି ଯେ ଧରିତ୍ରୀ ମାତା ମାନବ ଜାତି ତିଷ୍ଠି ରହିବା ନିମନ୍ତେ ସବୁବେଳେ ଅବଦାନ ଦେଇ ଆସୁଛନ୍ତି।

“ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ପ୍ରାକୃତିକ କୃଷି ପଦ୍ଧତି ପ୍ରୟୋଗ ଓ ନିରନ୍ତର ସନ୍ତୁଳିତ ଉପାୟରେ ରାସାୟନିକ ସାରର ବ୍ୟବହାର ବୋଲି ସେ ମନେ କରନ୍ତି। ପ୍ରାକୃତିକ ଓ ଜୈବିକ କୃଷି, ବିକଳ୍ପ ସାର, ଜୈବିିକ ଓ ନାନୋ ସାର ଆମ ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର ଦିଗରେ ସହାୟକ ହେବ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ “ପ୍ରଧାନମନ୍ତ୍ରୀଙ୍କ ପୁନରୁଦ୍ଧାର, ସଚେତନତା, ଲାଳନପାଳନ ଓ ଧରିତ୍ରୀ ମାତାଙ୍କ ଉର୍ବରତାର ଉନ୍ନତି (ପିଏମ୍-ପ୍ରଣାମ୍) କାର୍ଯ୍ୟକ୍ରମ ବିକଳ୍ପ ସାର ଓ ରାସାୟନିକ ସାରର ସନ୍ତୁଳିତ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଛି। ମୃତ୍ତିକା ସ୍ୱାସ୍ଥ୍ୟ ଅତୁଟ ରଖିବା ନିମନ୍ତେ ଜୈବିକ କୃଷିକୁ ବ୍ୟାପକ କରିବା ପାଇଁ ସେ ରାଜ୍ୟଗୁଡିକୁ ନିବେଦନ କରିଥିଲେ।

ଗୋବର୍ଦ୍ଧନ ପ୍ଲାଣ୍ଟଗୁଡିକରୁ ଜୈବିକ ସାର ପ୍ରୟୋଗ ନିମନ୍ତେ ବଜାର ବିକାଶ ସହାୟତା (ଏମ୍ଡିଏ)ନିମନ୍ତେ ୧୪୫୧.୮୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଥିଲେ। ଜୈବିକ ସାର ବିପ୍ପଣନକୁ ପ୍ରୋତ୍ସାହିତ କରିବା ଯଥା (ଏଫଓଏମ୍) ଜୈବିକ ଖତ /ତରଳ ଖତ / ଫସ୍ଫେଟ ଭରପୁର ସମୃଦ୍ଧ ଜୈବିକ ଖତ (ପିଆରଓଏମ୍) ବାୟୋଗ୍ୟାସ ପ୍ଲାଣ୍ଟର ଅବଶେଷରୁ ପ୍ରସ୍ତୁତ ହେବ। କଂପ୍ରେସଡ ବାୟୋଗ୍ୟାସ (ସିବିଜି) ଗୋବର୍ଦ୍ଧନ ପଦକ୍ଷେପରୁ ୧୫ଶହ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଏମ୍ଡିଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଜୈବିକ ସାର ଗୁଡିକ ଭାରତୀୟ ଛାପା ଏଫଓଏମ୍, ଏଲ୍ ଏଫଓଏମ୍ ଓ ପିଆରଓଏମ୍ ନାମରେ ନାମିତ ହେବ। ଗୋଟିଏ ପଟରେ ଏହା ଅମଳ ପର ଅବଶେଷ ପରିଚାଳନାରେ ସହାୟକ ହେଉଥିବା ବେଳେ, ନଡା ପୋଡା ସମସ୍ୟାରେ ମଧ୍ୟ ସମାଧାନ କରିବ। ଏହାବ୍ୟତୀତ ଏହା ପରିବେଶକୁ ମଧ୍ୟ ନିର୍ମଳ ଓ ନିରାପଦ ରଖିବ। ଅନ୍ୟପକ୍ଷରେ ଏହା ଚାଷୀମାନଙ୍କୁ ଅତିରିକ୍ତ ଆୟ ମଧ୍ୟ ପ୍ରଦାନ କରିବ। ଏହି ଜୈବିକ ସାର କମ୍ ମୂଲ୍ୟରେ ଚାଷୀମାନଙ୍କୁ ମିଳିପାରିବ।

ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ) ମୃତ୍ତିକାରୁ ଗନ୍ଧକ ଅଭାବ ଦୂର କରିବା ପାଇଁ ପ୍ରବର୍ତ୍ତିତ ହେବା ସହ ଚାଷୀମାନଙ୍କ ନିବେଶ ଖର୍ଚ୍ଚ ମଧ୍ୟ ହ୍ରାସ କରିବ। ଦେଶରେ ପ୍ରଥମ ଥର ପାଇଁ ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ ପ୍ରବର୍ତ୍ତିତ ହୋଇଛି। ଏହା ନିମ ପ୍ରଲେପଯୁକ୍ତ ୟୁରିଆ ତୁଳନାରେ କମ୍ ବ୍ୟୟ ସାପେକ୍ଷ ଓ ଦେଶରେ ମୃତ୍ତିକାର ଗନ୍ଧକ ଅଭାବ ଦୂର ମଧ୍ୟ କରିବ। ଏହା ଚାଷୀଙ୍କ ନିବେଶ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ବ୍ୟତୀତ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେବ।

କୃଷି ଓ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆକୁ ଅନ୍ୟ କୌଣସି ଦିଗରେ ବ୍ୟବହାର ରୋକିବାକୁ ପଦକ୍ଷେପ ନେବା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡିକୁ ନିବେଦନ କରିଥିଲେ।” କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୟୁରିଆ ଅନ୍ୟ ଶିଳ୍ପ କାର୍ଯ୍ୟ ପାଇଁ ନ ଲଗାଇବା ଉଚିତ ବୋଲି ସେ ଗୁରୁତର ସହ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଦିନଆ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ଓଡ଼ିଶା କୃଷକ ସଭା ତରଫରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଆମ ରାଜ୍ୟ ଓଡ଼ିଶାରେ ଏକମାସ ମଧ୍ୟରେ ଦୁଇଥର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନଫସଲ ଉଜାଡ଼ି ଦେଇଛି। ପନିପରିବା ଚାଷ ବି ନଷ୍ଟ ହୋଇଛି, ଚାଷୀମୁଣ୍ଡରେ ହାତ ଦେଇ ବସିଛି କ’ଣ କରିବ। କୃଷକ ସର୍ବସ୍ୱାନ୍ତ ହୋଇଛନ୍ତି ଏବଂ କୃଷକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ରାଜ୍ୟ ସରକାର ବର୍ଷା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକର ଫସଲ କ୍ଷତିର ଯଥାର୍ଥ ଭାବେ ଜରୁରୀ ଆକଳନ କରିବା ପାଇଁ ବ୍ୟବସ୍ଥା ନିମନ୍ତେ ଓଡ଼ିଶା କୃଷକସଭା ଦାବି କରିଛି। କୃଷକମାନଙ୍କୁ ଫସଲ ଜନିତ କ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ଉଭୟ ସରକାର କୃଷକମାନଙ୍କର ଏହି ଦୁର୍ଦ୍ଦିନରେ ପ୍ରକୃତ କ୍ଷତିପୂରଣ ରାଶି ପ୍ରକୃତ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ନିମନ୍ତେ ଓଡ଼ିଶା କୃଷକ ସଭା ତରଫରୁ ପ୍ରାଦେଶିକ କୃଷକ କମିଟି ଦୃଢ ଭାବେ ଦାବି ଜଣାଇଛନ୍ତି।

ଫସଲଜନିତ କ୍ଷତିରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ଚାଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। କୃଷକମାନଙ୍କ ପାଇଁ ସୁନିଶ୍ଚିତ ଏବଂ ଭରଷାଯୋଗ୍ୟ ପଦକ୍ଷେପ ଗ୍ରହଣ କରି ଆସନ୍ନ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ କୃଷକସଭା ଦୃଢ ଭାବେ ଦାବି କରିଛି।

(୧) ଲଘୁଚାପଜନିତ ଲଗାଣ ବର୍ଷାରେ ଧାନ, ପନିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଉ।

(୨) ଧାନ ଫସଲ ପାଇଁ ଏକରପ୍ରତି ୨୦ ହଜାର ଟଙ୍କା ଏବଂ ପନିପରିବା ତଥା ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକରପ୍ରତି ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ।

(୩) ସମସ୍ତ କୃଷିଋଣ ଛାଡ଼ କରାଯାଉ। ରବି ଫସଲ ପାଇଁ ବିନା ସୁଧରେ ଋଣଦେବା ସହିତ ବିହନ, ସାର, କୀଟନାଶକ ଔଷଧ ମାଗଣାରେ ପ୍ରଦାନ କରାଯାଉ।

(୪) ଚାଷୀ ଅମଳ କରୁଥିବା ସମସ୍ତ ଧାନକୁ ଗୁଣାତ୍ମକ ମାନ ନିର୍ବିଶେଷରେ ସରକାରୀ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ୍‌.ପି) ପ୍ରଦାନ କରି ସରକାର କିଣନ୍ତୁ।

(୫) ଓଡ଼ିଶାରେ ସମସ୍ତ କ୍ଷତିପୂରଣ ସହାୟତା ରାଶି, ଋଣ ଏବଂ ଚାଷୀ ପାଉଥିବା ଅନ୍ୟାନ୍ୟ ସରକାରୀ ସୁବିଧାଗୁଡ଼ିକୁ ପ୍ରକୃତ ଚାଷୀ/ଭାଗଚାଷୀମାନଙ୍କୁ ପ୍ରଦାନ କରାଯାଉ।

(୬) କୃଷକମାନେ ଫସଲ ଜନିତ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇବା ନିମନ୍ତେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏନ୍‌ଡ଼ିଆରଏଫ୍‌)ର ନିର୍ଦ୍ଦେଶାବଳୀକୁ ଉନ୍ନତ କରାଯାଉ। ସେହି ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡ଼ିଆରଏଫ୍‌)ର ନିର୍ଦ୍ଦେଶାବଳୀକୁ ମଧ୍ୟ ଉନ୍ନତକରଣ କରାଯାଉ।

(୭) କୃଷକମାନଙ୍କ ପାଇଁ ସୁନିଶ୍ଚିତ ଏବଂ ଭରସାଯୋଗ୍ୟ ନୀତିଗ୍ରହଣ କରି ଆସନ୍ନ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ।

ଏଭଳି ସାତଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଓଡ଼ିଶା କୃଷକ ସଭା ତରଫରୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦିଆଯାଇଛି। ସରକାର ଜରୁରୀ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଓଡ଼ିଶା କୃଷକସଭାର ରାଜ୍ୟ ସଭାପତି ଜମେଶ୍ୱର ସମାନ୍ତରାୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।