Categories
ଆଜିର ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ସତ୍ୟବ୍ରତଙ୍କ ଅଭିନବ ପ୍ରୟାସ: ଦୀର୍ଘ ୯୦୦୦ କିମି ପଦଯାତ୍ରା କରି ବାଣପୁର ବିଡିଓଙ୍କୁ ଦେଲେ ସ୍ମାରକପତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାଲାଗି ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟସାରା ପଦଯାତ୍ରା ଆରମ୍ଭ କରିଥିବାବେଳେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ପହଁଚି ଏବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯୁବ ସମାଜସେବୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳର ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନକରି ଏକ ଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି। ଏ ନେଇ ବାଣପୁର ସହରରେ ସତ୍ୟବ୍ରତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି।

ସତ୍ୟବ୍ରତ ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକଠାରୁ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିଲେ। ସେ ରାଜ୍ୟର ୩୧୪ ବ୍ଲକରେ ପହଞ୍ଚି  ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାର ଲକ୍ଷ ରଖିଛନ୍ତି। ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୫୨୫ ଦିନରେ ୨୯୪ଟି ବ୍ଲକରେ ପହଁଚି ୯୦୦୦ କିମି ରୁ ଉର୍ଦ୍ଧ୍ଵ ପଥ ଅତିକ୍ରାନ୍ତ କରିବା ସହ ଆଗାମୀ ୨୦୨୧ ମସିହା ଜାନୁଆରୀ ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏହି ଯାତ୍ରାର ସମାପନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅବସରରେ ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକ ପହଁଚି ଏବିଡ଼ିଓ ସୀମାଦ୍ରୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ଶେଖ ମୋଇନୁଲ ହକ ସତ୍ୟବ୍ରତଙ୍କୁ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିବା ସ୍ଥଳେ ସାମ୍ବାଦିକ ପ୍ରସନ୍ନ ମିଶ୍ର, ସୀତାରାମ ଅଗ୍ରୱାଲ, ସୁଧୀର ପାତ୍ର, ଚନ୍ଦନ ସୁନ୍ଦରାୟ ଏବଂ ନୀଲେଶ ବରାଳ ଆଦି ଉପସ୍ଥିତି ଥାଇ ଉତ୍ସାହିତ କରିଥିଲେ। ସୂଚନାଥାଉକି ଗତ ଦୁଇ ଦିନ ତଳେ ଅନୁରୂପ ଭାବେ ସତ୍ୟବ୍ରତ ଚିଲିକା ବିଡ଼ିଓଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏଭଳି ପ୍ରୟାସ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବିମାନେ ସତ୍ୟବ୍ରତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।