Categories
ବିଶେଷ ଖବର

ଭାରତୀୟ ସାମୁଦ୍ରିକ ଇତିହାସରେ ତିଆରି ହୋଇଥିବା ସର୍ବବୃହତ ଜାହାଜରେ ରହିଛି ଅତ୍ୟାଧୁନିକ ସ୍ୱୟଂକ୍ରିୟ ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି। ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଏକ ସମର୍ଥ ଓ ମଜଭୁତ ଭାରତର ସ୍ୱପ୍ନ ଦେଖିଥିଲେ ଆଜି ତାହା ପ୍ରଦର୍ଶିତ ହୋଇଛି। ପ୍ରଧାନମନ୍ତ୍ରୀ ଆନନ୍ଦରେ ଆତ୍ମହରା ହୋଇ କହିଥିଲେ ଯେ “ବିକ୍ରାନ୍ତ ବିଶାଳ, ବୃହତକାୟ ଓ କଳେବରରେ ମହାନ। ବିକ୍ରାନ୍ତ ମହାନ ଓ ସ୍ୱତନ୍ତ୍ର। ବିକ୍ରାନ୍ତ କେବଳ ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା, ପ୍ରଭାବ ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ଏକ ପ୍ରତୀକ। ଯଦି ଲକ୍ଷ୍ୟ ସ୍ଥଳ ଦୂରରେ ଓ ଯାତ୍ରା ଲମ୍ବା; ମହାସାଗର ଓ ଆହ୍ୱାନଗୁଡିକ ଅସୀମ ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ। ଆଜାଦୀ କା ଅମୃତ ମହୋତ୍ସବର ଅତୁଳନୀୟ ଅମୃତ ହେଉଛି ବିକ୍ରାନ୍ତ। ଭାରତ ଆତ୍ମନିର୍ଭରଶୀଳ ହେବାର ବିକ୍ରାନ୍ତ ଏକ ଅନନ୍ୟ ପ୍ରତିଫଳନ।”

ଦେଶର ବର୍ତ୍ତମାନର ମତିଗତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ ନିମନ୍ତେ କୌଣସି ଆହ୍ୱାନ କଷ୍ଟସାଧ୍ୟ ନୁହଁ। ସେ କହିଥିଲେ ଯେ “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସମକକ୍ଷ ଯାହା ସ୍ୱଦେଶୀ ବୈଷୟିକ କୌଶଳ ବଳରେ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରର ନିର୍ମାଣ କରିଛି। ଆଜି ଆଇଏନଏସ ବିକ୍ରାନ୍ତ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି।” ପ୍ରଧାନମନ୍ତ୍ରୀ ନୌସେନା, କୋଚିନ ବନ୍ଦରର ଯନ୍ତ୍ରୀ, ବୈଜ୍ଞାନିକ ଓ ବିଶେଷ କରି ପ୍ରକଳ୍ପ ପାଇଁ କାର୍ଯ୍ୟ କରିଥିବା କର୍ମଜୀବୀମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ସେ ମଧ୍ୟ ଓନମର ପବିତ୍ର କ୍ଷଣ ବର୍ତ୍ତମାନକୁ ଅଧିକ ଖୁସୀରେ ଭରି ଦେଉଛି ବୋଲି କହିଥିଲେ।

ଆଇଏନଏସ ବିକ୍ରାନ୍ତର ପ୍ରତ୍ୟେକ ଭାଗର ନିଜସ୍ୱ ଶକ୍ତି, ସୁବିଧା ଓ ସ୍ୱତନ୍ତ୍ରତା ରହିଛି। ଏହା ସ୍ୱଦେଶୀ ସାମର୍ଥ୍ୟ, ସମ୍ପଦ ଓ କୌଶଳର ପ୍ରତୀକ। ଏହାର ବିମାନଘାଟୀରେ ବ୍ୟବହୃତ ଇସ୍ପାତ ମଧ୍ୟ ସ୍ୱଦେଶୀ, ଏହା ଡିଆରଡିଓ ବିଜ୍ଞାନୀମାନଙ୍କ ଦ୍ୱାରା ବିକଶିତ ହେବା ସହ ଭାରତୀୟ କମ୍ପାନୀମାନେ ଏହା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଥିଲେ। ବିଶାଳ କ୍ୟାରିଅରର ବ୍ୟାପକତାକୁ ବିଶ୍ଳେଷଣ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ଭାସମାନ ନଗରୀ ସହ ତୁଳନା କରିଥିଲେ। ଏଥିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ପାଞ୍ଚ ହଜାର ପରିବାରକୁ ଆଲୋକିତ କରିବା ପାଇଁ ଯଥେଷ୍ଟ ଓ ଏଥିରେ ବ୍ୟବହୃତ ତାର ସମସ୍ତଙ୍କୁ ଯୋଡିଲେ ତାହା କୋଚିରୁ କାଶୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ସେ କହିଥିଲେ। ଆଇଏନଏସ ବିକ୍ରାନ୍ତ ହେଉଛି ପାଞ୍ଚପ୍ରାଣର ଜୀବନ୍ତ ବିଗ୍ରହ ଯାହା ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ସାମୁଦ୍ରିକ ଐତିହ୍ୟ ଓ ନୌସେନା ସାମର୍ଥ୍ୟ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଛତ୍ରପତି ବୀର ଶିବାଜୀ ମହାରାଜ ସାମୁଦ୍ରିକ ଶକ୍ତି ବଳରେ ଏପରି ନୌସେନା ଗଠନ କରିଥିଲେ ଯାହା ଶତ୍ରୁକୁ ଦୂରେଇ ରଖିଥିଲା। ଯେତେବେଳେ ଇଂରେଜମାନେ ଭାରତକୁ ଆସିଲେ ସେମାନେ ଭାରତୀୟ ଜାହାଜଗୁଡିକ ଦ୍ୱାରା ଭୟଭୀତ ହୋଇ ସେମାନଙ୍କ ସହ ବାଣିଜ୍ୟିକ ସମ୍ବନ୍ଧ ରଖିଥିଲେ। ତେଣୁ ସେମାନେ ଭାରତୀୟ ସାମୁଦ୍ରିକ ଶକ୍ତି ଦୁର୍ବଳ କରିବାକୁ ସ୍ଥିର କଲେ। ସେତେବେଳେ ବ୍ରିଟିଶ ସଂସଦରେ ଆଇନ ପ୍ରଣୟନ କରି କିପରି ଭାରତୀୟ ଜାହାଜଗୁଡିକ ଉପରେ କଠୋର କଟକଣା ଲଗାଯାଇଥିଲା ଇତିହାସ ତାର ମୂକ ସାକ୍ଷୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଐତିହାସିକ ଦିବସ, ସେପ୍ଟେମ୍ବର ୨, ୨୦୨୨ରେ ଭାରତ ଦାସତ୍ୱର ଚିହ୍ନକୁ ହଟାଇ ଦେଇଛି। ଆଜିଠାରୁ ଭାରତୀୟ ନୌସେନା ଏକ ନୂତନ ପତାକା ଆପଣାଇଛି। ଏ ପର୍ଯ୍ୟନ୍ତ ଦାସତ୍ୱର ପରିଚୟ ଭାରତୀୟ ନୌସେନାର ପତାକାର ରହିଥିଲା। ମାତ୍ର ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣୀତ ଭାରତୀୟ ନୌସେନାର ନୂତନ ପତାକା ସାଗର ଓ ଆକାଶ ବକ୍ଷରେ ଉଡିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିକ୍ରାନ୍ତ ଆମର ସାମୁଦ୍ରିକ ଅଞ୍ଚଳର ନିରାପତ୍ତା ପାଇଁ ପାଣିକୁ ଓହ୍ଲାଇବ ଅନେକ ନୌସେନାର ମହିଳା ସୈନିକ ସେଥିରେ କାର୍ଯ୍ୟ କରିବେ। ସାଗରର ଅମାପ ଶକ୍ତି ସହ ଅସୀମ ନାରୀ ଶକ୍ତି ନୂତନ ଭାରତର ଉତ୍ତୁଙ୍ଗ ପରିଚୟ ସୃଷ୍ଟି କରିବ। ବର୍ତ୍ତମାନ ଭାରତୀୟ ନୌସେନା ଏହାର ସମସ୍ତ ଶାଖା ମହିଳାଙ୍କ ନିଯୁକ୍ତି ପାଇଁ ମୁକ୍ତ ରଖିଛି। ଆଗରୁ ଥିବା କଟକଣା କ୍ରମଶଃ ହଟାଇ ଦିଆଯାଇଛି ଯେପରି ସାଗର ତରଙ୍ଗର କୌଣସି କଟକଣା ନାହିଁ ସେହିପରି ଭାରତର କନ୍ୟାମାନଙ୍କ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେ ବୁନ୍ଦେ ଜଳ ମିଶି ବିଶାଳ ମହାସାଗର ସୃଷ୍ଟି ହୁଏ। ସେ ମଧ୍ୟ ସ୍ୱଦେଶୀ ତୋପର ଗର୍ଜନ ଏଥର ସ୍ୱାଧୀନତା ଦିବସରେ ଶୁଣିଥିଲେ। ସେହିପରି ଯଦି ପ୍ରତ୍ୟେକ ଭାରତୀୟ ନାଗରିକ ଭୋକାଲ ଫର ଲୋକାଲ ମନ୍ତ୍ରରେ ଅଭିମଣ୍ଡିତ ହୁଅନ୍ତି ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ।
ଭୂରଣନୀତିକ ପରିବର୍ତ୍ତିତ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଅତୀତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ବିଷୟରେ ଅଣଦେଖା କରାଯାଇଛି।

ମାତ୍ର ଆଜି ଏହି ଅଞ୍ଚଳକୁ ପ୍ରତିରକ୍ଷା ଦୃଷ୍ଟିରୁ ଆମକୁ ପ୍ରଧାନ୍ୟ ଦେବାକୁ ପଡିବ। ସେଥିପାଇଁ ଆଜି ଆମକୁ ପ୍ରତ୍ୟେକ ଦିଗକୁ ଦେଖିବାକୁ ପଡୁଛି। ତାହା ନୌସେନାର ବଜେଟ ବୃଦ୍ଧିଠାରୁ ଆରମ୍ଭ କରି ତାର ସାମର୍ଥ୍ୟ ବୃଦ୍ଧି ପର୍ଯ୍ୟନ୍ତ ବୋଲି ସେ କହିଥିଲେ। ଏକ ଶାନ୍ତ ଓ ନିରାପଦ ବିଶ୍ୱ ପାଇଁ ଏକ ମଜଭୁତ ଭାରତ ପଥ ପରିସ୍କାର କରିବ ବୋଲି ସେ କହିଥିଲେ।

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସର୍ବାନନ୍ଦ ସୋନୱାଲ, ଭି ମୁରଲୀଧରନ, ଅଜୟ ଭଟ୍ଟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ନୌସେନା ମୁଖ୍ୟ ଆର ହରିକୁମାର ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

ଆଇଏନଏସ ବିକ୍ରାନ୍ତ – ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ପରିପାଟୀ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ, ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି। ଭାରତୀୟ ସାମୁଦ୍ରିକ ଇତିହାସରେ ସର୍ବବୃହତ ଏହି ଜାହାଜ ବିକ୍ରାନ୍ତରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥା ରହିଛି।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି। ବିକ୍ରାନ୍ତ ନୌସେନାରେ କମିଶନଭୁକ୍ତ ହେବାଦ୍ୱାରା ଭାରତର ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଯାଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ପତାକା (ନିଶାଣ)ର ମଧ୍ୟ ଉନ୍ମୋଚନ କରିଥିଲେ।

Categories
ବିଶେଷ ଖବର

ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧-୨ରେ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

କୋଚିରେ ପ୍ରଧାନମନ୍ତ୍ରୀ

ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବାବେଳେ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ ଲିମିଟେଡ ଦ୍ୱାରା ଏହାର ନିର୍ମାଣ କରାଯାଇଛି। ଭାରତର ସାମୁଦ୍ରିକ ଇତିହାସରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥାଯୁକ୍ତ ସବୁଠାରୁ ବୃହତ ଯୁଦ୍ଧ ପୋତ ଆଇଏନଏସ ବିକ୍ରାନ୍ତ ନିର୍ମିତ ହୋଇଛି।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି। ବିକ୍ରାନ୍ତ ସେନାରେ କମିଶନଭୁକ୍ତ ହେବା ଦ୍ୱାରା ଭାରତର ଦୁଇଟି ଏୟାର କ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ନିଶାଣର ମଧ୍ୟ ଉନ୍ମୋଚନ କରିବେ।

ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁଠାରେ ୩୮୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପାୟନ ଓ ଯାନ୍ତ୍ରିକକରଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ନମ୍ବର ବର୍ଥର ଯାନ୍ତ୍ରିକକରଣ ବ୍ୟବସ୍ଥାର ଉଦଘାଟନ କରିବେ। ଏହାର ପଣ୍ୟ ପରିବହନ କ୍ଷମତା ନୂତନ ମାଙ୍ଗାଲୁରୁ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଯାନ୍ତ୍ରିକକରଣ ଟର୍ମିନାଲ ଦ୍ୱାରା ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର କରାଯାଇ ପାରିବା ସହ ସାମର୍ଥ୍ୟ ଶତକଡା ୩୫ ଭାଗ ବୃଦ୍ଧି ପାଇବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ପଣ୍ୟ କାରବାର କ୍ଷମତା ୪.୨ ଏମଟିପିଏ ବୃଦ୍ଧିପାଇଛି ଓ ୨୦୨୫ ବେଳକୁ ଏହାର ୬ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦର ଦ୍ୱାରା ଅଧିଗୃହୀତ ପ୍ରାୟ ଏକ ହଜାର କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ସମନ୍ୱିତ ଏଲପିଜି ଓ ବ୍ଲକ ଲିକ୍ୟୁଡି ପିଓଏଲ ସୁବିଧା ଯୋଗୁ ବଡ ବଡ ଗ୍ୟାସ ପରିବହନକାରୀ (୪୫ ହଜାର ଟନ ପର୍ଯ୍ୟନ୍ତ) ଖୁବ ଦକ୍ଷତାର ସହ କରିପାରିବ। ଏହା ସେ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଗତି ଦେବା ସହ ଦେଶର ସର୍ବୋଚ୍ଚ ଏଲପିଜି ରପ୍ତାନୀକାରୀ ବନ୍ଦର ମାନ୍ୟତା ମଧ୍ୟ ପାଇବ। ପ୍ରଧାନମନ୍ତ୍ରୀ ଭଣ୍ଡାରଣ ଟ୍ୟାଙ୍କ ଓ ଖାଇବା ତେଲ ବିଶୋଧନାଗାର ନିର୍ମାଣର ଶିଳାନ୍ୟାସ କରିବେ। ଏହାଛଡା ବିଟୁମେନ ଭଣ୍ଡାରଣ ବ୍ୟବସ୍ଥାର ମଧ୍ୟ ଶିଳାନ୍ୟାସ କରିବେ। ଏହା ବିଟୁମେନ ଓ ଖାଇବା ତେଲ ପୋତର ରହଣି ଓ ସାମଗ୍ରିକ ମାଲ ପରିବହନ ଖର୍ଚ୍ଚ ଓ ସମୟ ହ୍ରାସ କରିବ। ପ୍ରଧାନମନ୍ତ୍ରୀ କୁଲାଇଠାରେ ମଧ୍ୟ ମାଛଧରା ବନ୍ଦର ଶିଳାନ୍ୟାସ କରିବେ। ସାଗରମାଳା ପ୍ରକଳ୍ପ ଅଧୀନରେ କରାଯାଉଥିବା ଏହି କାର୍ଯ୍ୟ ଯୋଗୁଁ ମତ୍ସ୍ୟଜୀବୀମାନଙ୍କ ସାମାଜିକ ଓ ଆର୍ଥିକ ସୁବିଧା ମିଳିପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମାଙ୍ଗାଲୁରୁ ତୈଳ ବିଶୋଧନାଗାର ଓ ପେଟ୍ରୋ ରସାୟନ ଲିମିଟେଡର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାହା ହେଲା ବିଏସ-VI ଉନ୍ନୀତକରଣ ପ୍ରକଳ୍ପ ଓ ସମୁଦ୍ରଜଳ ଲବଣମୁକ୍ତ ପ୍ରକଳ୍ପ। ବିଏସ- VI ଉନ୍ନୀତକରଣ କାରଖାନା ୧୮୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହା ପରିବେଶ ଅନୁକୂଳ ଇନ୍ଧନ ଯୋଗାଇବ। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମୁଦ୍ର ଜଳ ଲବଣମୁକ୍ତ କାରଖାନା ମଧୁର ଜଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବର୍ଷ ସାରା ହାଇଡ୍ରୋକାର୍ବନ ଓ ପେଟ୍ରୋ ରସାୟନ ଯୋଗାଣ ଅବ୍ୟାହତ ରଖିବ।