Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ତରଫରୁ ସମ୍ବର୍ଦ୍ଧିତ ହେଲେ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ

ରମେଶ ମହାନ୍ତି

ଜଗତସିଂହପୁର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଶ୍ୱନାଥ ଦାସଙ୍କୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାଲିକୁଦା ସ୍ଥିତ ଭଗବାନ ସିଣ୍ଢୋଳ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଅଙ୍ଗବସ୍ତ୍ର ସାଲ୍ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ସାଲ୍ ଓ ଫଳକ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଦାସ ୧୭ଜୁନ୍ ୧୯୧୮ମସିହାରେ ଜନ୍ମଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ ଶ୍ରୀ ଦାସ ସାମିଲ ହୋଇଥିଲେ।

ଏଥିସହିତ ଜାତୀୟ ଆନ୍ଦୋଳନରେ ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରିୟନାଥ ଦେ, ଗୌରୀଶ୍ୟାମ ନାୟକ, ବୀରକିଶୋର ଦାସଙ୍କ ସହ ସାମିଲ ହୋଇ ଜିଲ୍ଲାର ମାଟିକୁ ଧନ୍ୟ କରିଛନ୍ତି। ବିଶ୍ୱନାଥ ଦାସଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ସେବା, ଦେଶଭକ୍ତି, ନିତୀ ଓ ଆଦର୍ଶ ସ୍ୱାଧୀନ ଭାରତ ଗଠନର ସ୍ୱପ୍ନକୁ ସାକାର କରିଥିଲେ। ଶ୍ରୀ ଦାସଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ତାଙ୍କ ଜୀବନାଦର୍ଶରୁ ଉତ୍ତରପିଢୀ ପ୍ରେରଣା ପାଇବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସମେତ ଭଗବାନ ସିଣ୍ଢୋଳ ଗ୍ରାମବାସୀ, ବାଲିକୁଦା ବିଡିଓ କଲ୍ୟାଣ ସୌରଭ ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।