Categories
ଆଜିର ଖବର ଜାତୀୟ ଖବର

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ତାଙ୍କର ମତ ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, “ବିଶ୍ୱ ସ୍ତରରେ ଭାରତୀୟ ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରତିଷ୍ଠା କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ, ଜାତୀୟ ଯୁବ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଶକ୍ତି ଓ ସ୍ଫୁର୍ତ୍ତିରେ ଭରପୂର ତାଙ୍କର ଚିନ୍ତାଧାରା  ଓ ବାର୍ତ୍ତା ଯୁବପିଢ଼ିଙ୍କୁ ଯୁଗଯୁଗ ଧରି କିଛି କରିବାକୁ ପ୍ରେରଣା ଯୋଗାଇବ। “

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରୀୟ ଶିକ୍ଷା ନୀତି ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛି -ଅମିତ ଶାହ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ (ଏନଇପି) ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛି ବୋଲି ଶୁକ୍ରବାର ଏହି ଶିକ୍ଷା ନୀତିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଜାତୀୟ ଶିକ୍ଷା ନୀତି ଅଧୀନ ଡ଼ିଜିଟାଲ ଶିକ୍ଷା, ନବସୃଜନ, ଶିକ୍ଷା ଏବଂ କୌଶଳ ବିକାଶ ସହ ସାମଞ୍ଜସ୍ୟ, ଶିକ୍ଷକ ପ୍ରଶିକ୍ଷଣ  ସହ ଜଡ଼ିତ ୧୦ଟି ନୂଆ ଉପକ୍ରମକୁ ଉଦଘାଟନ କରିଥିଲେ। ସେ କହିଛନ୍ତି ଯେ ମୋଦିଜୀଙ୍କ ନେତୃତ୍ୱରେ ମହାନ୍ ଭାରତର ରଚନାର ଆଧାର ହେଉଛି ଜାତୀୟ ଶିକ୍ଷା ନୀତି। ନୂଆ ଶିକ୍ଷା ନୀତି ପ୍ରତିଭାବାନ ନାଗରିକଙ୍କୁ ସୃଷ୍ଟି କରିବ। ସ୍ୱାମୀ ବିବେକାନନ୍ଦଙ୍କ କହିଥିବା କଥାକୁ ଉଦ୍ଧୃତ କରି ଶ୍ରୀ ଶାହ କହିଛନ୍ତି ଯେ ଯେଉଁ ଶିକ୍ଷା ସାଧାରଣ ନାଗରିକଙ୍କୁ ଜୀବନର ସଂଘର୍ଷ ପାଇଁ ସମର୍ଥ କରେ ନାହିଁ, ଯେଉଁ ଶିକ୍ଷା ପିଲାଙ୍କ ଉତ୍ତମ ଚରିତ୍ର ନିର୍ମାଣ କରେ ନାହିଁ, ପରୋପକାରୀ ଭାବନା ସୃଷ୍ଟି କରି ନାହିଁ, ସିଂହ ଭଳି ସାହସ ଜାଗ୍ରତ କରେ ନାହିଁ ତେବେ ସେହି ଶିକ୍ଷା ଶିକ୍ଷା ନୁହେଁ। ଏହି ଶିକ୍ଷାକୁ ସାର୍ଥକତାର ରୂପ ଦେବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷାଧିକ ବିଚାରବିମର୍ଷ ପରେ ଯେଉଁ ଅମୃତ ବାହାର କରିଛନ୍ତି ତାହା ରାଷ୍ଟ୍ରୀୟ ଶିକ୍ଷା ନୀତି ବୋଲି ସେ କହିଛନ୍ତି।

ସେହିପରି ରାଷ୍ଟ୍ରୀୟ ଶିକ୍ଷା ନୀତି – ୨୦୨୦ ପରିବର୍ତ୍ତନକାରୀ ସୁଧାରର ଦୁଇ ବର୍ଷ ପୂରଣ ହେବା ଉପରାନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା। ଭାରତର ପରାଧୀନ ମାନସିକତାକୁ ରଚନା କରିବା ଦିଗରେ ତାଙ୍କ ଦ୍ୱାରା ଶିକ୍ଷା ନୀତି ସଂରଚନା କରାଯାଇଥିଲା। ଏହି ଶିକ୍ଷା ବ୍ୟବସ୍ଥା ଏବେ ବି ଚାଲୁ ରହିଛି। ମାତ୍ର ଏହି ଶିକ୍ଷା ନୀତିର ବିକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି। ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକାଶ କରିବା।

ସେ କହିଛନ୍ତି ଯେ କୋଭିଡ୍ ସଂକଟ ମଧ୍ୟରେ ଆଜିର ଦିନ ଅର୍ଥାତ୍ ୨୯ ଜୁଲାଇ ୨୦୨୦ରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ଜାତୀୟ ଶିକ୍ଷା ନୀତି ଉପାଦେୟ ସାବ୍ୟସ୍ତ ହୋଇଛି। ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଅନେକ ପଦକ୍ଷେପ ନିଆଯାଉଛି। ଶିକ୍ଷା କ୍ଷେତ୍ରରେ ଅନେକ ସୁଧାର ଅଣାଯାଉଛି। ଶିକ୍ଷା ଆମର ପୁଞ୍ଜି। ଦୁନିଆର ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ଏକ ବିଶ୍ୱାସ ଭାରତୀୟ ସମାଜରେ ଅନ୍ତର୍ନିହିତ ଅଛି। ଆମେ ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରୁଥିବା ସମାଜ। ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱଗୁରୁ କରିବାର କଳ୍ପନା ରହିଛି। ଦେଶ ଅଶାନୁରୂପ ଆମର ଶିକ୍ଷା ବ୍ୟବସ୍ଥା ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏମସିଏଫ)ର ବିକାଶ କରିବା ପାଇଁ ଲୋକଙ୍କ ପରାମର୍ଶ ନେବା ପାଇଁ ୨୩ଟି ଭାଷାରେ  ମୋବାଇଲ ଆପର ଉନ୍ମୋଚନ କରାଯାଇଛି। ବିଜ୍ଞାନ ଏବଂ ଗଣିତରେ ଗବେଷଣା ଏବଂ ପରୀକ୍ଷା ନୀରିକ୍ଷା କରିବା ପାଇଁ ଦେଶରେ ୨୦୦ଟି ଭର୍ଚ୍ଚୁଆଲ ଲ୍ୟାବ ଆରମ୍ଭ କରାଯାଇଛି। ୧୦ କୋଟି ଛାତ୍ରଛାତ୍ରୀ ଏବଂ ୧୦ ଲକ୍ଷ ଶିକ୍ଷକ ଏହାର ଲାଭ ନେଇପାରିବେ। ଦେଶର ସବୁ ଶିକ୍ଷାନୁଷ୍ଠାନକୁ ନ୍ୟାସନାଲ ଡିଜିଟାଲ ଏଜ୍ୟୁକେସନ ଆର୍କିଟେକ୍ଚର ଫ୍ରେମଓ୍ୱାର୍କ ସମ୍ମେଳିତ ବିଦ୍ୟା ସମୀକ୍ଷା କେନ୍ଦ୍ର ସହ ଯୋଡ଼ଯିବ। ଦେଶର ବିଭିନ୍ନ ସ୍ଥାନରେ ସଫଳ ଶିକ୍ଷା ଦାନର ପଦ୍ଧତିକୁ ସମସ୍ତଙ୍କ ପାଖରେ ପହଞ୍ଚାବା ଦିଗରେ ବିଦ୍ୟା ଅମ୍ରିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ପ୍ରି-ସ୍କୁଲ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ନିୟୋଜିତ ଶିକ୍ଷକଙ୍କୁ ନିଷ୍ଠା ୪.୦ରେ ପ୍ରଶିକ୍ଷଣ ଦିଆଯିବ। ସ୍କୁଲରୁ ହିଁ ସୃଜନ ଚିନ୍ତାଧରା, ନବସୃଜନ, ଉଦ୍ୟମିତା, ସମସ୍ୟାର ସମାଧାନ କରିବା, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ସ୍କୁଲ ଇନୋଭେସନ ପଲିସିର ଶୁଭାରମ୍ଭ ହୋଇଛି। ଭାରତକୁ ବିଶ୍ୱର ସ୍କିଲ୍ ରାଜଧାନୀରେ ପ୍ରତିଷ୍ଠା କରିବା ଦିଗରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ କୌଶଳ ପ୍ରଦାନ କରିବା ପାଇଁ ନ୍ୟୁ ଏଜ୍ ସ୍କିଲର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଶିକ୍ଷାନୁଷ୍ଠାନରେ ସ୍କିଲ୍ ହବ୍ ପ୍ରତିଷ୍ଠା କରାଯାଉଛି। ଉଚ୍ଚ ଶିକ୍ଷା ସହ ଧନ୍ଦାମୂଳକ ଏବଂ ଦକ୍ଷତା ଆଧାରିତ ଶିକ୍ଷାକୁ ଯୋଡ଼ିବା ଦିଗରେ ଏକ ଉପକ୍ରମ ଶୁଭାରମ୍ଭ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଏଆଇସିଟିଇ ଠାରେ ଜୁଲାଇ ୨୯ରୁ ଜୁଲାଇ ୩୧ ତିନିଦିନିଆ ଭାରତୀୟ ଜ୍ଞାନ ପରମ୍ପରାର ଇ-ଶୁଭାରମ୍ଭ କରାଯାଇଛି।

ଏହି ବିଶେଷ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ରାଜକୁମାର ରଞ୍ଜନ ସିଂହ, ଡା. ସୁବାଷ ସରକାର, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର,  ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୁର୍ଥୀ, ସ୍କୁଲ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗର ସଚିବ ଅନିତା କରଓ୍ୱାଲ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଧର୍ମ

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ବର: ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନର ଏକ ମୁଖ୍ୟ ଭୂମିକା ରହିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ,ପିଆଇବି, ଆଞ୍ଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋ,  ଆରଓବି ଓ ଓଡିଶା ନେହେରୁ ଯୁବ କେନ୍ଦ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ଆଜି (୧୧-୦୧-୨୦୨୨) ସ୍ୱାମୀ ବିବେକାନନ୍ଦ-ନବଭାରତର ପ୍ରେରଣାର ଉତ୍ସ ଶୀର୍ଷକ ୱେବିନାରରେ ଯୋଗଦେଇ ବକ୍ତାଗଣ ଏହି ମତବ୍ୟକ୍ତ କରିଛନ୍ତି।

ୱେବିନାରରେ ଅଂଶଗ୍ରହଣ କରି ଆରଓବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱାମୀ ବିବେକାନନ୍ଦଙ୍କ ତିନୋଟି ମହତ୍ୱପୂର୍ଣ୍ଣବାଣୀ ଉପରେ ଆଲୋକପାତ କରିଥିଲେ। ତାହା ହେଲା ଆତ୍ମବିଶ୍ୱାସ, ମନ ଓ ହୃଦୟରେ ଗ୍ରହଣ ବା ପରିତ୍ୟାଗ, ଯାହା ଆସୁଛି ତାହା ସାମ୍ନା କର।

ବିଶିଷ୍ଟ ଲେଖକ ଓ ଆଧ୍ୟାତ୍ମିକ ଚିନ୍ତକ ବିଷ୍ଣୁପ୍ରସାଦ ନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରି କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଭାରତ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ଏକ ସେତୁ ଗଠନ କରିଥିଲେ। ସ୍ୱାମିଜୀ “ ସନାତନ ଧର୍ମର ବାଣୀ ବିଶ୍ୱରେ ପରିଚିତ କରାଇବା ସହ ସବୁବେଳେ, ସମାଜର ଅବହେଳିତମାନଙ୍କ ଅଧିକାର ପାଇଁ ଅଣ୍ଟାଭିଡି ଠିଆ ହୋଇଥିଲେ” ବୋଲି ସେ କହିଥିଲେ।” ସ୍ୱାମିଜୀ ସମଗ୍ର ବିଶ୍ୱରେ ବିଶ୍ୱ ଭ୍ରାତୃତ୍ୱର ପ୍ରଚାର କରିଥିଲେ ବୋଲି ଶ୍ରୀ ନନ୍ଦ କହିଥିଲେ।

ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ସ୍ୱାମିଜୀଙ୍କ ନୀତି କିପରି ଏକ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ  ତାହା ଉପରେ ଆଲୋକପାତ କରିଥିଲେ। ସ୍ୱାମିଜୀଙ୍କ ବାଣୀର ଯୁଗ ଯୁଗ ଧରି ମହତ୍ୱ ରହିଛି। ଏହା ସେତେବେଳେ ଯୁକ୍ତିଯୁକ୍ତ ଥିଲା ଓ ଏବେ ମଧ୍ୟ ରହିଛି। ଆମେ ତାଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କଲେ ଏକ ନୂତନ ଭାରତ ଗଠନ କରିପାରିବା ବୋଲି ସେ କହିଥିଲେ। ଶ୍ରୀ ମହାପାତ୍ର ଯୁବ ସମାଜର ବିକାଶ ଦିଗରେ ନୀତିମାନ ନିର୍ଦ୍ଧାରଣ କରୁଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ଭବିଷ୍ୟତ ଯୁବାଗୋଷ୍ଠୀ ନିମନ୍ତେ ନୂତନ କାର୍ଯ୍ୟକ୍ରମ ଓ ନୀତିମାନ ଗ୍ରହଣ କରୁଛନ୍ତି। ସରକାର ସଠିକଭାବେ ସ୍ୱାମୀ ବିବେକାନନ୍ଦଙ୍କ ନୀତିଗୁଡିକୁ ଅନୁସରଣ କରୁଥିବା ଶ୍ରୀ ମହାପାତ୍ର କହିଥିଲେ।

ରାଜ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ଏକାଂଶର ଅଧିକାରୀଗଣ ରାଜ୍ୟର ବିଭିନ୍ନ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ଯୁବ ସଦସ୍ୟଗଣ ୱେବିନାରରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁ ବାର୍ଷିକୀରେ ଉପରାଷ୍ଟ୍ରପତି, ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଜି ତାଙ୍କ ପୁର୍ଣ୍ଣ୍ୟତିଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଦେଶର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦ ଜଣେ ଉତ୍ସାହୀ ଜାତୀୟତାବାଦୀ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ, ବିଶିଷ୍ଟ ବକ୍ତା ତଥା ଅତୁଳନୀୟ ବୁଦ୍ଧିଜୀବୀ। ସେ ସର୍ବଭାରତୀୟ ଭାଇଚାରା ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ।

ଶ୍ରୀ ନାଇଡୁ କହିଛନ୍ତି ଯେ ସ୍ବାମୀ ବିବେକାନନ୍ଦ ମହାନ ଭାରତ ତଥା ଏହାର ସମୃଦ୍ଧ ସଂସ୍କୃତି ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବିଶିଷ୍ଟ ଜୀବନ ଏବଂ ମୂଲ୍ୟବାନ ଶିକ୍ଷା ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିଥାଏ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୃତ୍ୟୁ ବାର୍ଷିକୀରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ଏକ ଅମର ଚିନ୍ତାଧାରା ଏବଂ ସମୃଦ୍ଧ ଜୀବନଶୈଳୀ। ଗୃହମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଅସ୍ପୃଶ୍ୟତା ଏବଂ ଜାତିବାଦକୁ ଦେଶ ନିର୍ମାଣରେ ଏକ ପ୍ରମୁଖ ପ୍ରତିବନ୍ଧକ ବୋଲି ବିବେଚନା କରିଥିଲେ। ସେ ଯୁବପିଢିଙ୍କ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ଏକ ଶକ୍ତିଶାଳୀ ଭାରତ ଗଠନରେ ସହଯୋଗ କରିବାକୁ ପ୍ରେରଣା ଦେଇଥିଲେ।