Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମୋଦୀଙ୍କ ଜନ୍ମଦିନରେ ୮୭ ହଜାରରୁ ଅଧିକ ଲୋକ ରକ୍ତଦାନ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ବଢିପାରେ ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଅବସରରେ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଏକ ମେଗା ଅଭିଯାନ ଆରମ୍ଭ କରିଛି। ପିଏମ ମୋଦୀଙ୍କ ଜନ୍ମଦିନରେ ଆରମ୍ଭ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟରରେ ସୂଚନା ସେୟାର କରିଛନ୍ତି।

ମଣ୍ଡଭିଆ କହିଛନ୍ତି ଯେ, ଆଜି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ରକ୍ତ ଦାନ ଅମୃତ ମହୋତ୍ସବଙ୍କ ଅଧୀନରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି। ଏଥି ସହିତ ୧୯ ଲକ୍ଷରୁ ଅଧିକ ଲୋକ ରକ୍ତଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେ କହିଛନ୍ତି ଯେ, ଏହା ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏକ ଅମୂଲ୍ୟ ଉପହାର। ଏହା ଏକ ନୂତନ ରେକର୍ଡ କିନ୍ତୁ ଗଣନା ଜାରି ରହିଛି ଏବଂ ସେମାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜିଠାରୁ ୧୫ ଦିନିଆ ରକ୍ତଦାନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ୱେଚ୍ଛାସେବୀ ରକ୍ତ ଦାନ ଦିବସ ପାଳନ କରାଯିବ। ‘ରକ୍ତ ଦାନ ଅମୃତ ମହୋତ୍ସବ’ ରେ ରକ୍ତ ସଂଗ୍ରହ ପାଇଁ ଦେଶର ୬୧୩୬ ଟି ଶିବିରକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଏକ କ୍ୟାମ୍ପ ପରିଦର୍ଶନ କରି ନିଜେ ରକ୍ତ ଦାନ କରିଥିଲେ। ଏହି ସମୟରେ ସେ ଆରୋଗ୍ୟ ସେତୁ ଆପ୍ କିମ୍ବା ଇ-ରକ୍ତକୋଶ ପୋର୍ଟାଲରେ ‘ରକ୍ତ ଦାନ ଅମୃତ ମହୋତ୍ସବ’ ଭାବରେ ରକ୍ତ ଦାନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ:

କୁହାଯାଉଛି ଯେ, ଏହି ଅଭିଯାନ ମାଧ୍ୟମରେ ଗୋଟିଏ ଦିନରେ ଗୋଟିଏ ଲକ୍ଷ ୟୁନିଟ୍ ବ୍ଲଟ୍ ସଂଗ୍ରହ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ସହିତ, ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ନିୟମିତ ରକ୍ତ ଦାନ ବିଷୟରେ ମଧ୍ୟ ଅବଗତ କରାଯିବ। ଏହି ଅଭିଯାନରେ କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ଅଣ-ସରକାରୀ ତଥା ସମ୍ପ୍ରଦାୟ ସଂଗଠନ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ବିଶ୍ୱ ରକ୍ତଦାତା ଦିବସ: ୧ ହଜାରରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କଲେଣି ବାଣପୁର ମାଟିର ସୁପୁତ୍ର ରଞ୍ଜନ

ଭୁବନେଶ୍ବର: ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ଆଜିର ଦିନରେ ଏମିତି ଏକ ଅମ୍ଳାନ ପ୍ରତିଭା ବିଷୟରେ ଆଲୋଚନା କରିବା, ଯିଏ କେବଳ ରକ୍ତଦାନ କରିନାହାନ୍ତି, ବରଂ ୧ ହଜାରରୁ ଉର୍ଦ୍ଧ୍ଵ ରକ୍ତ ୟୁନିଟ ସଂଗ୍ରହ କରି ସମ୍ମାନର ପାତ୍ର ହୋଇପାରିଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମିତ ରଞ୍ଜନ କୁମାର ମହାପାତ୍ର, ଯାହାଙ୍କ ପିତାଙ୍କ ନାମ ସୁରେନ୍ଦ୍ର କୁମାର ମହାପାତ୍ର ଓ ମାତାଙ୍କ ନାମ ଶାନ୍ତିଲତା ମହାପାତ୍ର।

ପିଲାଟି ବେଳୁ ଜନସେବା କରିବା ପାଇଁ ମନସ୍ଥ କରିଥିବା ରଞ୍ଜନ କୁମାର ମହାପାତ୍ରଙ୍କ ସ୍କୁଲ ଶିକ୍ଷା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭୀମପୁରରୁ ଆରମ୍ଭ ହୁଏ, ପରବର୍ତ୍ତୀ ସମୟରେ ବାନାମ୍ବର ଏକାଡ଼େମୀ, ଭୀମପୁର ଦଶମ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଉତ୍ତୀର୍ଣ୍ଣ କଲାପରେ ଏସ୍.କେ.ସି.ଜି. ଅଟୋନୋମସ୍ ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନରେ ସ୍ନାତ୍ତକୋତର ଡ଼ିଗ୍ରୀ ହାସଲ କରନ୍ତି। ଅଧୁନା ଦୁର୍ଗା ଚ଼ରଣ ଚ଼ିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀ, ଖୋର୍ଦ୍ଧାଠାରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।

ଏତଦ୍ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସ ସଂଯୋଜକ ଭାବେ ସେ ଦାୟିତ୍ଵ ନିଭାଉଛନ୍ତି। ମାନବ ସେବା ହିଁ ମାଧବ ସେବା,ଏହି ଉକ୍ତିକୁ ନିଜ ଜୀବନଦର୍ଶନରେ ସାମିଲ କରି ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି ରଞ୍ଜନ କୁମାର ମହାପାତ୍ର। ସେ ୨୦୧୭ ମସିହାରେ ରେଡ଼କ୍ରସରେ ଯୋଗଦେଇଥିଲେ ଏବଂ ସ୍ବର୍ଗତ ପଦ୍ମଶ୍ରୀ ଡ଼ି.ପ୍ରକାଶ ରାଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରକ୍ତଦାନ ପ୍ରତି ଆଗ୍ରହୀ ହୋଇ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିଲେ।

ପରବର୍ତ୍ତୀ ସମୟରେ ପଣ୍ଡିତ ବିନୟ ଭୁଷଣ ମିଶ୍ରଙ୍କ ସହଯୋଗରେ ଅନ୍ୟ ବନ୍ଧୁ ମାନଙ୍କୁ ନେଇ ୨୦୧୯ ମସିହା ଅପ୍ରେଲ ୧୯ ତାରିଖ “ଦି ବ୍ଲଡ଼୍ ଡ଼ୋନର୍ସ, ଓଡ଼ିଶା” ନାମକ ସଂଗଠନ ଗଢ଼ିଥିଲେ। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ସମାଜରେ କେହି ରକ୍ତ ଅଭାବରୁ ଯେପରି ଅସୁବିଧାରେ ପଡିବେ ନାହିଁ। ଏହି ସଂଗଠନ ମାଧ୍ୟମରେ ସେ ଏବଂ ସହଯୋଗୀ ବନ୍ଧୁ ମାନେ ନିଜେ ରକ୍ତଦାନ କରିବା ସହ କେଉଁ ମାନେ ରକ୍ତଦାନ କରିପାରିବେ, ରକ୍ତଦାନ କଲେ ଆମକୁ କି ଉପକାର ମିଳେ, ସେସବୁକୁ ଜନସାଧାରଣଙ୍କୁ ବୁଝାଇ ରକ୍ତଦାନ କରିବାକୁ ଉତ୍ସାହିତ କରିଥାନ୍ତି।

ମହାମାରୀ କରୋନା ସମୟରେ ଏହି ସଂଗଠନ ଆଗକୁ ଆସି ରକ୍ତଦାନ କରି ଅନେକଙ୍କୁ ସାହାଯ୍ୟ କରିଛି। ଆଜି ପର୍ଯ୍ୟନ୍ତ ଏହି ସଂଗଠନ ୧୦୨୫ ୟୁନିଟ୍ ବ୍ଲଡ଼ ସଂଗ୍ରହ କରିଛି। ଏବଂ ସଂଗଠନର ପ୍ରତିଷ୍ଠାତା ସଭାପତି ରଞ୍ଜନ କୁମାର ମହାପାତ୍ର ନିଜେ ୨୦ ଥର ରକ୍ତଦାନ କରିଛନ୍ତି। ଏହି ସଂଗଠନ ୨୫ ଥର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରିପାରିଛି।

ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ସଂଗଠନର ଜନାଭିମୁଖୀ କାର୍ଯ୍ୟ ପାଇଁ ନୂଆ ଆଲୋକ ସମାଜସେବାର ଅନ୍ୟ ଏକ ନାମ ସଂଗଠନ ତରଫରୁ “ନୂଆ ଆଲୋକ ସମ୍ମାନ-୨୦୧୯”, କଟକ ଗୋପୀନାଥପୁର ସ୍ଥିତ ବିଜୟାନନ୍ଦ ଯୁବ ପରିଷଦ ତରଫରୁ “ଭାଗବତ ରକ୍ତ ସଂପର୍କ” ସମ୍ମାନ, ଜୀବନ ଜ୍ୟୋତି, ଓଡ଼ିଶା ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, କେନ୍ଦୁଝର ସମାଜସେବୀ ମହାସଂଘ ସଂଗଠନ ତରଫରୁ କରୋନା ଯୋଦ୍ଧା ସମ୍ମାନ- ୨୦୨୦, ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ସମ୍ମାନ-୨୦୨୦, ହାପିନେସ୍ ଫାଉଣ୍ଡେସନ, ଜଷ୍ଟ ଫର୍ ୟୁ ସଂଗଠନ ପକ୍ଷରୁ ଜଷ୍ଟ ଫର୍ ୟୁ ସେବା ସମ୍ମାନ, ସ୍ବଚ୍ଛତା ଆୱାରନେସ୍ ଏଣ୍ଡ୍ ଧାରା ଆସୋସିଏସନ୍, ଟୋକନ୍ ଫର୍ ଆପ୍ରିସିଏସନ୍ ଭଳି ବହୁ ସଂଗଠନ ତରଫରୁ ସମ୍ମାନିତ ହୋଇସାରିଛି। ଆଜି ବିଶ୍ବ ରକ୍ତଦାତା ଦିବସରେ ଆସନ୍ତୁ ରକ୍ତଦାନ କରିବା ଓ ରକ୍ତଦାନ କରିବା ପାଇଁ ସଚ଼େତନତା କରିବା।